ରାଞ୍ଚି: ଝାରଖଣ୍ଡ ରାଜଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଥିବା ଗୋଶାଳରେ ଗାଈ ମାନଙ୍କ ପାଇଁ ଖାଦ୍ୟ ନଥିବାରୁ ଭୋକ ଉପାସରେ ରହିଛନ୍ତି। ଗୋଖାଦ୍ୟ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇନଥିବାରୁ ଗାଈ ମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇ ପାରୁନଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜଭବନ ଓ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ କାମଧେନୁ ଗୋଶାଳ ରହିଛି। ରାଜଭବନ ଗୋଶାଳରେ ୮ଟି ଗାଈ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗୋଶାଳରେ ମୋଟ ୪ଟି ଗାଈ ରହିଛି। ଏବଂ ଟ୍ରେନିଂ ସେଣ୍ଟରରେ ୫୦ଟି ଗାଈ ରହିଛନ୍ତି। ଏହି ଗାଈ ମାନଙ୍କର ସମସ୍ତ ଯତ୍ନ ଗାଭ୍ୟା ନିର୍ଦ୍ଦେଶାଳୟ ବୁଝୁଛି।
ସରକାରଙ୍କ ତରଫରୁ ଏହି ସମସ୍ତ ଗାଈଙ୍କ କଥା ବୁଝିବା ପାଇଁ ଯେଉଁ ଟଙ୍କା ଦିଆଯାଏ ତାହା ଚଳିତଥର ମିଳିନାହିଁ ବୋଲି କହିଛନ୍ତି ଗାଭ୍ୟା ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ। ଏହି ସମସ୍ତ ଗାଈ ପ୍ରତ୍ୟେକ ଦିନ କ୍ଷୀର ଦେଉଥିବାରୁ ଆବଶ୍ୟକ ଗୋଖାଦ୍ୟ ଯୋଗାଇବା ଓ ଅନ୍ୟାନ୍ୟ ଚିକିତ୍ସା କରିବା ନିହାତି ଆବଶ୍ୟକ ବୋଲି ଗାଭ୍ୟା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ହେଲେ ଆବଶ୍ୟକ ଫଣ୍ଡ ନଥିବାରୁ ଏବେ ୬୨ଟି ଗାଈ ଭୋକ ଉପାସରେ ରହିଛନ୍ତି।
କ୍ରିଷ୍ଣା ମୁରାରୀ ଡେୟାରୀର ନିର୍ଦ୍ଦେଶକ ଏ ନେଇ ପ୍ରତିକ୍ରିୟାରେ କହିଛନ୍ତି ଯେ ସମସ୍ୟା ବାବଦରେ ସେ ଅବଗତ ଅଛନ୍ତି। ଖୁବଶୀଘ୍ର ଏ ସମସ୍ୟାର ସମାଧାନ ହେବ ଏବଂ ଆବଶ୍ୟକ ଫଣ୍ଡ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।