ପ୍ୟାରିସ୍: ମହମ୍ମଦଙ୍କ ଏକ କାର୍ଟୁନକୁ ନେଇ ଫ୍ରାନ୍ସରୁ ଆରମ୍ଭ ହୋଇଥିବା ବିବାଦ ଥମିବା ନାଁ ଧରୁନି। । ଗତ ମାସରେ ନିଜ ଛାତ୍ରଙ୍କୁ ମହମ୍ମଦଙ୍କ କାର୍ଟୁନ ଚିତ୍ର ଦେଖାଇଥିବା ଜଣେ ଶିକ୍ଷକଙ୍କୁ ହତ୍ୟା କରାଯିବା ପରେ ଏହାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଉଛି। ଫ୍ରାନ୍ସ ରାଷ୍ଟ୍ରପତି ମାର୍କୋନ ଏହାକୁ ତୀବ୍ର ନିନ୍ଦା କରିବା ସହ ଏହା ବାକ୍ ସ୍ୱାଧୀନତାର ଉଲ୍ଲଘଂନ ବୋଲି କହିଥିଲେ।
ଇସଲାମିକ ଦେଶଗୁଡ଼ିକ ଏ ନେଇ ଫ୍ରାନ୍ସ ରାଷ୍ଟ୍ରପତିକୁ ସମାଲୋଚନା କରୁଥିବା ବେଳେ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ପକ୍ଷରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଛି। ମହମ୍ମଦଙ୍କୁ ଅସମ୍ମାନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ହତ୍ୟା କରିବାର ଅଧିକାର ପ୍ରତ୍ୟେକ ମୁସଲିମଙ୍କର ଅଛି ବୋଲି ଅଲ କାଏଦା ପକ୍ଷରୁ ଚେତାବନୀ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ମାସରେ ଜଣେ ଶିକ୍ଷକ ମହମ୍ମଦଙ୍କ କାର୍ଟୁନ ଚିତ୍ର କ୍ଲାସରୁମରେ ଦେଖାଇଥିଲେ। ଏହାପରେ ସେ ସ୍କୁଲରୁ ବାହାରିବା ପରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇ ନିହତ ହୋଇଥିଲେ। ଏହାପରେ ଫ୍ରାନ୍ସରେ ବିବାଦ ତେଜିଛି। ଇତି ମଧ୍ୟରେ ଆତଙ୍କବାଦୀ ଆକ୍ରମଣରେ ତିନି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟି ସାରିଲାଣି। ଭାରତରେ ମଧ୍ୟ ଏହାର ଚିତ୍ର ଦେଖିବାକୁ ମିଳିଛି। ଅଳ୍ପ ସଂଖ୍ୟକମାନେ ଫ୍ରାନ୍ସ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ବହୁ ମୁସଲିମ ରାଷ୍ଟ୍ର ଫ୍ରାନ୍ସ ସାମଗ୍ରୀ ବୟକଟ କରିବାକୁ ଆରମ୍ଭ କଲେଣି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଫ୍ରାନ୍ସ ସରକାରକୁ ସମାଲୋଚନା କରିଥିଲେ। ଏହାପରେ ଫ୍ରାନ୍ସ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫ୍ରାନ୍ସରେ ରହୁଥିବା ୧୮୩ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ ହୋଇସାରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।