/odisha-reporter/media/post_attachments/uploads/2020/07/ua.jpg)
ua
ନୂଆଦିଲ୍ଲୀ: ଆର୍ଥିକ ହେରଫେର କରିବା ଅଭିଯୋଗରେ କେନ୍ଦ୍ର ସରକାର ଗାନ୍ଧି ପରିବାର ନାଁରେ ଥିବା ୩ଟି ଟ୍ରଷ୍ଟର ତଦନ୍ତ କରିବାକୁ ଘୋଷଣା କରିଛନ୍ତି। ରାଜୀବ ଗାନ୍ଧି ଫାଉଣ୍ଡେସନ, ରାଜୀବ ଗାନ୍ଧି ଚ୍ୟାରିଟେବୁଲ ଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧି ମେମୋରିଆଲ ଟ୍ରଷ୍ଟ ଆୟକର ଫାଙ୍କିବା ସହ ବିଦେଶରୁ ପାଣ୍ଠି ସଂଗ୍ରହ ପାଇଁ ପ୍ରଦତ୍ତ ନିୟମକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଘଟଣାର ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ଇଣ୍ଟର ମିନିଷ୍ଟରିଆଲ କମିଟି ଗଠନ କରିଛନ୍ତି। ଏନେଇ ମନ୍ତ୍ରଣାଳୟର ମୁଖପାତ୍ର ସୂଚନା ଦେଇଛନ୍ତି।
ତଦନ୍ତ ବେଳେ ପ୍ରିଭେନସନ ଅଫ ମନିଲଣ୍ଡରିଂ ଆକ୍ଟ, ଆୟକର ଆଇନ ଓ ବିଦେଶି ପାଣ୍ଠି ଯୋଗାଣ ଆଇନ ଉଲ୍ଲଙ୍ଘନ ନେଇ ହୋଇଥିବା ଅଭିଯୋଗକୁ ଫୋକସ କରାଯିବ। ଏହି ୩ଟି ଯାକ ଟ୍ରଷ୍ଟ ଗାନ୍ଧି ପରିବାରର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହେଉଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ନିର୍ଦ୍ଦେଶକ ତଦନ୍ତ କମିଟିର ମୁଖ୍ୟ ରହିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ରାଜୀବ ଗାନ୍ଧି ଫାଉଣ୍ଡେସନ ୧୯୯୧ରେ ପ୍ରତିଷ୍ଠା ହୋଇଥିବା ବେଳେ ୨୦୦୨ରେ ରାଜୀବ ଗାନ୍ଧି ଚ୍ୟାରିଟେବୁଲ ଟ୍ରଷ୍ଟ ତିଆରି କରାଯାଇଥିଲା। ଏହି ଦୁଇ ସଂସ୍ଥାର ମୁଖ୍ୟ ସୋନିଆ ଗାନ୍ଧି ରହିଛନ୍ତି। ରାଜୀବ ଗାନ୍ଧି ଫାଉଣ୍ଡେସନର ବୋର୍ଡ ସଦସ୍ୟ ଭାବେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା, ପି ଚିଦାମ୍ବରମ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରହିଛନ୍ତି।
ଆର୍ଥିକ ହେରଫେର ନେଇ ବିଜେପି ବାରମ୍ବାର ଅଭିଯୋଗ କରି ଆସୁଛି। ହେଲେ କଂଗ୍ରେସ ସମସ୍ତ ଅଭିଯୋଗକୁ ମିଛ ଓ ଏହା ରାଜନୀତିକ ଆକ୍ରୋଶର ପ୍ରତିଫଳନ ବୋଲି କହିଛି। କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଏମ କେୟାର୍ସ ଫଣ୍ଡ ଗଠନ କରିଛନ୍ତି। ଏହା ଉପରେ କଂଗ୍ରେସ ପ୍ରଶ୍ନ ଉଠାଇବା ସହ ଏହାକୁ କାହିଁକି ଗଠନ କରାଗଲା ବୋଲି ପ୍ରଶ୍ନ କରିଥିଲା। ଏଥିସହ ଦଳ ଆର୍ଥିକ ହେରଫେରର ଅଭିଯୋଗ ଆଣିଥିଲା।
ବିଜେପି ଏହାର କାଉଣ୍ଟର କରିବା ପାଇଁ ଗାନ୍ଧି ପରିବାର ସଦସ୍ୟଙ୍କ ମାଲିକାନାରେ ଥିବା ୩ଟି ଟ୍ରଷ୍ଟ ନାଁରେ ପାଲଟା ଅଭିଯୋଗ ଆଣିଛି। ବିଜେପି ଅଭିଯୋଗ କରିଛି ଯେ ୧୯୯୧ ବଜେଟ ଭାଷଣ ବେଳେ ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହ ରାଜୀବ ଗାନ୍ଧି ଫାଉଣ୍ଡେସନକୁ ୧୦୦ କୋଟିର ଟଙ୍କା ମଞ୍ଜୁର କରିଥିଲେ।
ଏହାର ଅର୍ଥ ବର୍ଷକୁ ୨୦ କୋଟି ଲେଖାଏ ଟଙ୍କା ଫାଉଣ୍ଡେସନକୁ ଦିଆଯାଇଥିଲା। ଏପରି କି ଚାଇନାରୁ ଟଙ୍କା ଫାଉଣ୍ଡେସନକୁ ଆସିଥିବା ବିଜେପି କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
