ଆଶ୍ଚର୍ଯ୍ୟ: ନକଲି ରେମଡେସିଭିର ନେଇଥିବା ରୋଗୀଙ୍କ ମଧ୍ୟରୁ ୯୦% ସୁସ୍ଥ ହେଲେ

ଭୋପାଳ: ନକଲି ଇଞ୍ଜେକସନ ନେଇ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରୁଛନ୍ତି ଲୋକ। ଏକଥା ଆମେ କହୁନୁ, ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆରେ ଏପରି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଖବର ପ୍ରକାଶ ପାଇଛି। ମଧ୍ୟପ୍ରଦେଶରେ ନକଲି କରୋନା ଇଞ୍ଜେକସନ ନେଇଥିବା ପ୍ରାୟ ୯୦% ଲୋକ କୋଭିଡ୍‌-୧୯କୁ ମାତ୍‌ ଦେଇ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଗୁଜରାଟରେ ସକ୍ରିୟ ଥିବା ଗୋଟିଏ ଗ୍ୟାଙ୍ଗ ମଧ୍ୟପ୍ରଦେଶକୁ ନକଲି ରେମଡେସିଭିର ଚାଲାଣ କରିଥିଲା। ଏହାକୁ ଅସଲି ଭାବି ଲୋକମାନେ କିଣିଥିଲେ […]

Remdesivir

Remdesivir

Hemant Lenka
  • Published: Saturday, 15 May 2021
  • Updated: 15 May 2021, 02:04 PM IST

ଭୋପାଳ: ନକଲି ଇଞ୍ଜେକସନ ନେଇ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରୁଛନ୍ତି ଲୋକ। ଏକଥା ଆମେ କହୁନୁ, ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆରେ ଏପରି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଖବର ପ୍ରକାଶ ପାଇଛି। ମଧ୍ୟପ୍ରଦେଶରେ ନକଲି କରୋନା ଇଞ୍ଜେକସନ ନେଇଥିବା ପ୍ରାୟ ୯୦% ଲୋକ କୋଭିଡ୍‌-୧୯କୁ ମାତ୍‌ ଦେଇ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ଗୁଜରାଟରେ ସକ୍ରିୟ ଥିବା ଗୋଟିଏ ଗ୍ୟାଙ୍ଗ ମଧ୍ୟପ୍ରଦେଶକୁ ନକଲି ରେମଡେସିଭିର ଚାଲାଣ କରିଥିଲା। ଏହାକୁ ଅସଲି ଭାବି ଲୋକମାନେ କିଣିଥିଲେ ଓ କରୋନା ଆକ୍ରାନ୍ତଙ୍କୁ ମଧ୍ୟ ଦେଇଥିଲେ। ନକଲି ରେମଡେସିଭିର ନେଇ ପ୍ରାୟ ୯୦% ଲୋକ ଫୁସଫୁସ ସଂକ୍ରମଣରୁ ରକ୍ଷା ପାଇଯାଇଥିବା ମଧ୍ୟପ୍ରଦେଶ ପୁଲିସ୍‌ ତଦନ୍ତ ବେଳେ ଜାଣିବାକୁ ପାଇଛି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନକଲି ରେମଡେସିଭିର ଚାଲାଣରେ ଇନ୍ଦୋର ଓ ଜବଲପୁରରୁ ଗିରଫ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ କହୁଥିବା ବେଳେ ଏବେ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ମୃତ୍ୟୁ ସହ ନକଲି ରେମଡେସିଭିରର ଲିଙ୍କ କରିବା କାମରେ ଲାଗିଛନ୍ତି।

ତଦନ୍ତ କରିବା ପରେ ପୁଲିସ୍‌ ଅଧିକାରୀମାନେ ଅସଲି ରେମଡେସିଭିର ନେଇ ଜୀବିତ ଥିବା ଲୋକଙ୍କ ସଂଖ୍ୟା ସହ ନକଲି ଇଞ୍ଜେକସନ ନେଇ ଜୀବିତ ଥିବା ଲୋକଙ୍କ ସଂଖ୍ୟାର ତୁଳନା କରି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, ଗୁଜରାଟର ଗ୍ୟାଙ୍ଗ ଦ୍ୱାରା ଆସିଥିବା ନକଲି ରେମଡେସିଭିର ଇଞ୍ଜେକସନ ନେଇ ଇନ୍ଦୋରର ୧୦ ଜଣ ଲୋକ ପ୍ରାଣ ହରାଇଛନ୍ତି।

ହେଲେ ନକଲି ଇଞ୍ଜେକସନ ନେଇ ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଯାଇଛନ୍ତି। ନକଲି ଇଞ୍ଜେକସନ ନେଇ ପ୍ରାଣ ହରାଇଥିବା ଲୋକଙ୍କ ଶବ ସତ୍କାର କରିଦିଆଯାଇଛି। ତେଣୁ ନକଲି ରେମଡେସିଭିରର ପାର୍ଶ୍ୱପ୍ରତିକ୍ରିୟା ଜାଣିବା ମଧ୍ୟ କଷ୍ଟକର ହୋଇପଡ଼ିଛି।

ଆମେ ବିଶେଷଜ୍ଞଙ୍କ ଭଳି କିଛି କହିପାରିବୁ ନାହିଁ। ଏ ବିଷୟରେ ଡାକ୍ତରମାନେ ଭଲ କହିପାରିବେ। କେମିତି ନକଲି ଇଞ୍ଜେକସନ ନେଇ ଫୁସଫୁସ ସଂକ୍ରମଣ ଅଟକି ଗଲା, ତାହା ଆଶ୍ଚର୍ଯ୍ୟର ବିଷୟ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ନକଲି ରେମଡେସିଭିର କେବଳ ଗ୍ଲୁକୋଜ ଓ ଲୁଣରେ ତିଆରି କରାଯାଇଥିଲା। କରୋନା ସଂକ୍ରମଣ ପାଇଁ ଏହା ସଂଜିବନୀ ସାବ୍ୟସ୍ତ ହେଉଥିବାରୁ ଏହାକୁ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶକ୍ରମେ ବ୍ୟବହାର କରିବାକୁ କୁହାଯାଇଥିଲା। ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ଏହାର ଅଭାବ ମାର୍କେଟରେ ଦେଖିବାକୁ ମିଳିଥିଲା।

ଏହାର ଫାଇଦା ନେଇ କିଛି ଅସାଧୁ ବ୍ୟକ୍ତି ନକଲି ରେମଡେସିଭିର ବଜାରକୁ ଛାଡ଼ିଥିଲେ। ଏହା ପଛରେ ଗୋଟିଏ ଗ୍ୟାଙ୍ଗ କାମ କରୁଥିବା ଜଣାପଡ଼ିଥିଲା। ପୁଲିସ୍‌ ଘଟଣାର ତଦନ୍ତ କରି ମେ’ ୧ ତାରିଖରେ ଗୁଜରାଟ ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ କରିଥିଲା।

ସେମାନେ ଇନ୍ଦୋର ଓ ଜବଲପୁରରେ ଯଥାକ୍ରମେ ୭୦୦ ଓ ୫୦୦ ନକଲି ଇଞ୍ଜେକସନ ବିକ୍ରି କରିଥିବା ପୁଲିସ୍‌କୁ କହିଥିଲେ। ସେମାନେ ମୁମ୍ବାଇର ଖାଲି ଭିଆଲ୍ସ ଆଣି ଏଥିରେ ଗ୍ଲୁକୋଜ ଓ ଲୁଣ ପାଣି ପୂରାଇ ରେମଡେସିଭିର ଇଞ୍ଜେକସନ ତିଆରି କରୁଥିଲେ। ଗୁଜରାଟର ଭାପି ଅଞ୍ଚଳରେ ଥିବା ଗୋଟିଏ ଫ୍ୟାକ୍ଟ୍ରୀରେ ଏହି କାମ ଚାଲିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos