ଲକ୍ଷ୍ନୌ: ପୁଣି ଗେରୁଆମୟ ହେବ ଉତ୍ତର ପ୍ରଦେଶ। ପୁଣିଥରେ ଏଠାରେ ବିଜେପି ଶାସନ କରିବ। ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ଗୋଟିଏ ପଟେ ଭୋଟ ଗଣତି ଚାଲିଥିବା ବେଳେ ଅନ୍ୟପଟେ ବିଜେପି ଏଠାରେ ୨୫୦ରୁ ଅଧିକ ଆସନ ଜିତି ପୁଣି ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇଛି।
ବିଜେପି ଜିତିବାକୁ ଥିବାରୁ ଯୋଗୀ ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ। ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା କ୍ଷଣି ତାଙ୍କ ନାଁରେ ଏକାଧିକ ରେକର୍ଡ ଯୋଡ଼ି ହୋଇଯିବ। ସେ ପ୍ରଥମ ରାଜନେତା ଯିଏ କ୍ରମାଗତ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବେ। ସେହିପରି ୧୫ ବର୍ଷ ମଧ୍ୟରେ ସେ ପ୍ରଥମ ବିଧାୟକ ଭାବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବେ।
୨୦୧୭ରେ ଯୋଗୀ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଲୋକସଭା ସଦସ୍ୟ ଥିଲେ। ଏହାପରେ ସେ ଉତ୍ତର ପ୍ରଦେଶ ବିଧାନ ପରିଷଦକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ପଦ ବଜାୟୀ ରଖିଥିଲେ। ଅର୍ଥାତ ସେ ବିଧାନସଭାକୁ ସିଧାସଳଖ ନିର୍ବାଚିତ ହୋଇ ନଥିଲେ।
ସେହିପରି ଯୋଗୀଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ହୋଇଥିବା ଅଖିଲେଶ ଯାଦବ ମଧ୍ୟ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ। ଅଖିଲେଶଙ୍କ ପୂର୍ବରୁ ମାୟାବତୀ ବି ସାମାନ ସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ଏମାନେ କେହି ବି ବିଧାନସଭାକୁ ନିର୍ବାଚିତ ହୋଇ ନଥିଲେ।
ହେଲେ ୨୦୨୨ରେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି। ଉଭୟ ଯୋଗୀ ଓ ଅଖିଲେଶ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି। ଏଥିସହ ଉଭୟ ମଧ୍ୟ ନିଜ ନିଜ ଆସନରୁ ଜିତିବେ। ବିଜେପି ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିଥିବାରୁ ଯୋଗୀ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।
୨୦୧୭ରେ ଯୋଗୀ ଆଦିତ୍ୟନାଥ ୪ର୍ଥ ରାଜନେତା ଭାବେ ଏମଏଲସିକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୯ ପୂର୍ବରୁ ଉତ୍ତର ପ୍ରଦେଶର କୌଣସି ଏମଏଲସି କେବେ ହେଲେ ମୁଖ୍ୟମନ୍ତ୍ରୀ ହୋଇ ନଥିଲେ। ୧୯୯୯ରେ ବିଜେପିର ରାମ ପ୍ରକାଶ ଗୁପ୍ତା ପ୍ରଥମ ଏଲଏଲସି ଭାବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ।
ତେବେ ସେ ଏହି ପଦରେ ବର୍ଷକ ଯାଏ ମଧ୍ୟ ତିଷ୍ଟି ପାରି ନଥିଲେ। ଗତ ୧୫ ବର୍ଷ ହେଲା ମାୟାବତୀ, ଅଖିଲେଶ ଯାଦବ ଓ ୨୦୧୭ରେ ଯୋଗୀ ଆଦିତ୍ୟନାଥ ଏମଏଲସିକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ଏବେ ଯୋଗୀ ୧୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ବିଧାୟକ ଭାବେ ୟୁପିର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।