ମନ ଜିଣିଲେ ଆଇଏଏସ ଅଫିସର, ମା’ ହେବାର ୧୪ ଦିନ ପରେ ଛୁଆକୁ ଧରି ଅଫିସ ଆସିଲେ
ଲକ୍ଷ୍ନୌ: ନିଜର ପଦ ଓ କାମ ପାଇଁ ଥିବା ଭଲ ପାଇବାକୁ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି ଜଣେ ମହିଳା ଆଇଏଏସ୍ ଅଫିସର। ଦେଶ ଏବେ କରୋନା ସଂକ୍ରମଣର ସମସ୍ୟା ଦେଇ ଗତି କରୁଥିବାରୁ ଆଇଏଏସ୍ ଅଫିସର ଜଣଙ୍କ ମା’ ହେବାର ମାତ୍ର ୧୪ ଦିନ ପରେ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ ଜଣେ ସରକାରୀ ଅଫିସର ହୋଇଥିଲେ ହେଁ ଜଣେ ମା’ ମଧ୍ୟ। ତେଣୁ ସେ ଅଫିସକୁ ନିଜ ନବଜାତ ଶିଶୁକୁ ଧରି ଆସିଛନ୍ତି। ଏହାର ଦୃଶ୍ୟ ସାମ୍ନାକୁ ଆସିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।
ଏହି ଆଇଏଏସ୍ ଅଫିସର ଜଣଙ୍କ ହେଉଛନ୍ତି ସୌମ୍ୟା ପାଣ୍ଡେ। ସେ ମୋଦିନଗର ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରୁଥିଲେ। ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ମାସରୁ ତାଙ୍କୁ ଗାଜିଆବାଦର କୋଭିଡ୍ ପରିଚାଳନାର ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଥିଲେ।
ସେବେଠାରୁ ସେ ନିଜର କାର୍ଯ୍ୟ ସମ୍ପାଦନ କରି ଚାଲିଛନ୍ତି। ସେ ଗର୍ଭବତୀ ହୋଇଥିଲେ ହେଁ ନିୟମ ଅନୁଯାୟୀ ୬ ମାସର ପ୍ରସବକାଳୀନ ଛୁଟି ନେଇ ନଥିଲେ। ଏପରି କି ମା’ ହେବା ପରେ ବି ସେ ଅଧିକ ଦିନ ଛୁଟିରେ ନ ରହି ଅଫିସ କାମକୁ ଫେରିଛନ୍ତି। ନିଜ ଛୁଆକୁ ଧରି ସେ ଅଫିସ କାମ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ସୌମ୍ୟା ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି, “ମୁଁ ଜଣେ ଆଇଏଏସ୍ ଅଫିସର। ତେଣୁ ମୁଁ କାମ ପ୍ରତି ଅଧିକ ଯତ୍ନବାନ ରହିଛି। ବର୍ତ୍ତମାନ କରୋନା ସମୟରେ କାମ ପ୍ରତି ସତର୍କ ରହିବା ଓ ଦାୟିତ୍ୱ ନିର୍ବାହ କରିବା ସମସ୍ତଙ୍କର କର୍ତ୍ତବ୍ୟ। ଭଗବାନ ମହିଳାଙ୍କୁ ପ୍ରସବ କରିବାର କ୍ଷମତା ଦେବା ସହ ପିଲାର ଯତ୍ନ ନେବାର ଅଧିକାର ପ୍ରଦାନ କରିଛନ୍ତି।
ଗାଁ ମାନଙ୍କରେ ମହିଳାମାନେ ଗର୍ଭବତୀ ଥିବା ବେଳେ ମଧ୍ୟ ଘର କାମ କରନ୍ତି। ସେହିପରି ପ୍ରସବ କରିବା ପରେ ସେ ନିଜ ପିଲାଙ୍କ ସହ ଘର ଲୋକଙ୍କର କାମ ମଧ୍ୟ କରନ୍ତି। ତେଣୁ ମୁଁ ମଧ୍ୟ ଭଗବାନଙ୍କ ଆଶୀର୍ବାଦରୁ ଅଫିସ କାମ କରିବା ସହ ମୋ ଛୁଆର ମଧ୍ୟ ଯତ୍ନ ନେଇପାରୁଛି।
Must be inspired by @GummallaSrijana ! @IASassociation Soumya Pandey (SDM Modinagar) didnt availed 06 months maternity leave, joined back office with her infant daughter. #CoronaWarriors pic.twitter.com/8Q6Cju2X49
— Dr.Prashanth (@prashantchiguru) October 12, 2020
ମୋ ପରିବାର ଲୋକ ଏଥିପାଇଁ ମୋତେ ପୂରା ସମର୍ଥନ କରିଛନ୍ତି। ମୋର ତହସିଲ ଓ ଗାଜିଆବାଦ ପ୍ରଶାସନ ମଧ୍ୟ ମୋ ପରିବାର। ସେମାନେ ବି ମୋତେ ଅନେକ ପ୍ରକାରର ସହଯୋଗ କରିଛନ୍ତି। ଜୁଲାଇରୁ ସେପ୍ଟେମ୍ବର ଯାଏ ଗାଜିଆବାଦର ନୋଡାଲ ଅଫିସର ଭାବେ ନିଯୁକ୍ତି ପାଇଥିଲି। ସେପ୍ଟେମ୍ବର ମାସରେ ମୁଁ ୨୨ ଦିନ ଛୁଟି ନେଇଥିଲି। ପ୍ରସବ ହେବାର ୨ ସପ୍ତାହ ପରେ ମୁଁ ତହସିଲରେ ଯୋଗଦେଇଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।