Advertisment

ଓଡ଼ିଶାର ବିଜୟ, ଅମରେଶ ଓ ପୁଷ୍ପାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ୭୫ ତମ ‘ମନ୍ କି ବାତ’ ଜରିଆରେ ଦେଶବାସୀଙ୍କୁ ତାଙ୍କର ମନର କଥା କହିଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଓ ଟିକାକରଣ ଚାଲିଥିବା ବେଳେ ଏହି କଥାକୁ ଦୋହରାଇଛନ୍ତି ମୋଦି। ମୋଦି ଏହି ଅବସରରେ କରୋନା ଯୋଦ୍ଧାଙ୍କ କାମକୁ ପ୍ରଶଂସା କରିବା ସହିତ ଟିକା ନେବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। ଏଥିସହ ଓଡ଼ିଶାର ବିଜୟ, ଅମରେଶ ଏବଂ ପୁଷ୍ପାଙ୍କ କଥା କହିଛନ୍ତି ମୋଦି। କିଭଳି ପ୍ରକୃତି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଓଡ଼ିଶାର ବିଜୟ, ଅମରେଶ ଓ ପୁଷ୍ପାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

modi-on-mann-ki-baat

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ୭୫ ତମ 'ମନ୍ କି ବାତ' ଜରିଆରେ ଦେଶବାସୀଙ୍କୁ ତାଙ୍କର ମନର କଥା କହିଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଓ ଟିକାକରଣ ଚାଲିଥିବା ବେଳେ ଏହି କଥାକୁ ଦୋହରାଇଛନ୍ତି ମୋଦି। ମୋଦି ଏହି ଅବସରରେ କରୋନା ଯୋଦ୍ଧାଙ୍କ କାମକୁ ପ୍ରଶଂସା କରିବା ସହିତ ଟିକା ନେବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।

Advertisment

ଏଥିସହ ଓଡ଼ିଶାର ବିଜୟ, ଅମରେଶ ଏବଂ ପୁଷ୍ପାଙ୍କ କଥା କହିଛନ୍ତି ମୋଦି। କିଭଳି ପ୍ରକୃତି ସୁରକ୍ଷାରେ ବିଜୟ ଏବଂ ଅମରେଶଙ୍କ ଅବଦାନ ରହିଛି ସେ ବାବଦରେ ମୋଦି କହିଛନ୍ତି। କିଛିଦିନ ପୂର୍ବରୁ ବିଶ୍ୱ ଘର ଚଟିଆ ଦିବସ ପାଳିତ ହୋଇଥିଲା। ଏହାକୁ ନେଇ ମୋଦି କେନ୍ଦ୍ରାପଡ଼ାର ବିଜୟଙ୍କ କଥା 'ମନ୍ କି ବାତ'ରେ କହିଛନ୍ତି।

ସେ କହିଛନ୍ତି, "ବିଜୟ କେନ୍ଦ୍ରାପଡ଼ା ବାସିନ୍ଦା। କେନ୍ଦ୍ରାପଡ଼ା ସମୁଦ୍ରକୂଳରେ ଅବସ୍ଥିତ। ସେଥିପାଇଁ ଏହି ଜିଲ୍ଲାରେ ଅନେକ ଗାଁ ଏପରି ଅଛି, ଯାହା ଉପରେ ସମୁଦ୍ରର ଉଚ୍ଚ ଲହଡ଼ି ଓ ବାତ୍ୟାର ବିପଦ ରହିଥାଏ । ଏହାଦ୍ୱାରା ବହୁତ କ୍ଷତି ମଧ୍ୟ ହୁଏ। ତେଣୁ ବିଜୟ ବଡ଼କୋଟ ଗାଁରୁ ନିଜର ଜଙ୍ଗଲ ସୃଷ୍ଟି ଅଭିଯାନ ଆରମ୍ଭ କଲେ। ତାଙ୍କର ଏହି ଅଭିଯାନକୁ ବାରବର୍ଷ ହୋଇଗଲାଣି। ଆଉ ଦୀର୍ଘ ବାରବର୍ଷ ପରିଶ୍ରମ କରି ଗାଁର ପରିସୀମାରେ ସମୁଦ୍ରକୁ ଲାଗି ୨୫ ଏକର ବିଶିଷ୍ଟ ଏକ ବୃହତ ହେନ୍ତାଳ ବଣ ସୃଷ୍ଟି କରିଛନ୍ତି। ଆଜି ଏ ଜଙ୍ଗଲ ଗାଁକୁ ଲୁଣା ପବନ ଏବଂ ବାତ୍ୟା ଦାଉରୁ ସୁରକ୍ଷା ଦେଉଛି"।

Advertisment

ଏହିଭଳି କାମ ଓଡ଼ିଶାର ପାରାଦ୍ୱୀପ ନିକଟବର୍ତ୍ତୀ ଜଣେ ଇଞ୍ଜିନିୟର ଅମରେଶ ସାମନ୍ତ ବି କରିଛନ୍ତି। ଅମରେଶ କେତେକ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି କରିଛନ୍ତି ଯାହାକି କେତେକ ଗାଁକୁ ସୁରକ୍ଷା ପ୍ରଦାନ କରୁଛି ବୋଲି ମୋଦି କହିଛନ୍ତି।

ସେହିପରି କରୋନା ଟିକାକରଣ ବାବଦରେ ଭୁବନେଶ୍ୱରର ପୁଷ୍ପାଙ୍କ କଥା କହିଛନ୍ତି ମୋଦି। ସେ କହିଛନ୍ତି "ଗତବର୍ଷ ଏହି ସମୟରେ ପ୍ରଶ୍ନ ଥିଲା ଯେ କରୋନା ଟିକା କେବେ ବାହାରିବ? ଏବେ ଆମମାନଙ୍କ ପାଇଁ ଗର୍ବର ବିଷୟ ଯେ, ଭାରତ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ପରିଚାଳିତ କରୁଛି । ଟିକାକରଣ କାର୍ଯ୍ୟକ୍ରମର ଫଟୋଚିତ୍ର ସମ୍ପର୍କରେ ଭୁବନେଶ୍ୱରର ପୁଷ୍ପା ଶୁକ୍ଳା ମୋତେ ଏକ ଚିଠି ଲେଖିଥିଲେ। ଘରେ ବୟସ୍କମାନଙ୍କ ମଧ୍ୟରେ ଟିକାକୁ ନେଇ ଯେଉଁଭଳି ଉତ୍ସାହ ପରିଲକ୍ଷିତ ହେଉଛି ସେ ସମ୍ପର୍କରେ ‘ମନ୍ କି ବାତ୍‌’ରେ ଆଲୋଚନା କରିବାକୁ ସେ ଅନୁରୋଧ କରିଥିଲେ"। ଆଉ ଟିକାକରଣ ବାବଦରେ ମୋଦି ବିଭିନ୍ନ ରାଜ୍ୟର ବୃଦ୍ଧାଙ୍କ ଉତ୍ସାହ ବାବଦରେ କହିଥିଲେ।

ସେହିପରି ତାମିଲନାଡ଼ୁର କୋଏମ୍ବାଟୁରରେ ରହୁଥିବା ବସ୍ କଣ୍ଡକ୍ଟର ମରିମୁଥୁ ଯୋଗନାଥନଙ୍କ କଥା କହିଛନ୍ତି ମୋଦି। ଯୋଗନାଥନ ନିଜ ବସ୍‌ର ଯାତ୍ରୀଙ୍କୁ ଟିକେଟ୍ ତ ଦିଅନ୍ତି, ତା'ସହ ବିନା ପଇସାରେ ଗୋଟିଏ ଚାରା ମଧ୍ୟ ଦେଇଥାନ୍ତି। ଏହିପରି ଭାବେ ଯୋଗନାଥନ ବହୁତ ଗଛ ଲଗାଇସାରିଛନ୍ତି। ଯୋଗନାଥନ ନିଜ ବେତନର ଏକ ବଡ଼ ଅଂଶ ଏହି କାମରେ ଖର୍ଚ୍ଚ କରୁଛନ୍ତି। ଏବେ ଏହାକୁ ଶୁଣିବା ପରେ ଏମିତି କୌଣସି ବ୍ୟକ୍ତି ନ ଥିବେ, ଯିଏକି ମରିମୁଥୁ ଯୋଗନାଥନଙ୍କ କାମକୁ ପ୍ରଶଂସା ନ କରିବେ। ତାଙ୍କର ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ, ମୁଁ ହୃଦୟରୁ ତାଙ୍କୁ ଅନେକ ବଧେଇ ଜଣାଉଛି।

Mann Ki Baat