ସାହରନପୁର: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ୪୦ ବର୍ଷୀୟ ଶିକ୍ଷକ ଓ ତାଙ୍କ ପାଖରେ ପାଠପଢ଼ୁଥିବା ନାବାଳିକା ଛାତ୍ରୀଙ୍କ ମୃତଦେହ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ବେଶ କିଛି ଦିନ ହେଲା ଶିକ୍ଷକ ଓ ୧୭ ବର୍ଷୀୟ ଛାତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ଚର୍ଚ୍ଚା ହେଉଥିଲା। ଏହାକୁ ନେଇ ଉତ୍ତର ପ୍ରଦେଶର ସାହରନପୁରରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଉଭୟଙ୍କ ଝୁଲନ୍ତା ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି।
ଏସ୍ପି ବିପିନ ତଡା କହିଛନ୍ତି, ସ୍କୁଲ ଶିକ୍ଷକ ଓ ୯ମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୭ ବର୍ଷୀୟ ଛାତ୍ରୀଙ୍କ ମୃତଦେହ ଜଙ୍ଗଲ ଭିତରେ ଥିବା ଗୋଟିଏ ଗଛର ଲଟାରେ ଝୁଲୁଥିବା ଖବର ମିଳିଥିଲା। ଏହାପରେ ପୁଲିସ୍ ସେଠାରେ ପହଞ୍ଚି ୨ଟି ଯାକ ମୃତଦେହକୁ ଉଦ୍ଧାର କରିଥିଲା। ଛାତ୍ରୀ ଜଣଙ୍କ ଯେଉଁ ସ୍କୁଲରେ ପଢ଼ୁଥିଲେ, ସେଠାରେ ହିଁ ବ୍ୟକ୍ତି ଜଣଙ୍କ ଶିକ୍ଷକତା କରୁଥିଲେ। ଶିକ୍ଷକ ଓ ଛାତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କୁହାଯାଉଛି। ଏକଥା ଜଣାପଡ଼ିବା ପରେ ସେପ୍ଟେମ୍ବର ୩ରୁ ଉଭୟ ନିଖୋଜ ହୋଇଯାଇଥିଲେ।
ଛାତ୍ରୀ ଜଣଙ୍କ ନିଖୋଜ ଥିବା ପରିବାର ଲୋକ ପୁଲିସ୍ରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ପୁଲିସ୍ ବିଭିନ୍ନ ସ୍ଥାନରେ ଛାନଭିନ କରିଥିଲେ ମଧ୍ୟ ଛାତ୍ରୀଙ୍କ ପତ୍ତା ପାଇ ନଥିଲା। କିନ୍ତୁ ମଙ୍ଗଳବାର ସନ୍ଧ୍ୟାରେ ଜଙ୍ଗଲ ଭିତରୁ ଦୁର୍ଗନ୍ଧ ଆସୁଥିବା ସ୍ଥାନୀୟ ଲୋକ ଜାଣିପାରି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୨ଜଣଙ୍କ ଶବ ଜବତ କରିଥିଲା।
ଶିକ୍ଷକ ଓ ଛାତ୍ରୀ ଜଣଙ୍କ ଶବ ପୋଚିବା ଅବସ୍ଥାରେ ରହିଥିଲା। ଶବକୁ ଦେଖୁଲେ ଲାଗୁଛି ଯେ ପ୍ରାୟ ୧୦ ଦିନ ତଳକୁ ସେମାନଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଗୋଟିଏ ବାଇକ ମଧ୍ୟ ମିଳିଛି। କିନ୍ତୁ ସେମାନଙ୍କ ନିକଟରୁ କୌଣସି ପ୍ରକାରର ସୁଇସାଇଡ ନୋଟ ଜବତ କରାଯାଇ ନାହିଁ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।