ବାହାରେ ବୋମା ମାଡ଼, ଘର ଭିତରେ କୁନି ଝିଅ ସହ ହସୁଛନ୍ତି ବାପା, ଭିଡିଓ ଭାଇରାଲ
ଇଡଲିବ: ସିରିୟାରୁ ଏକ ହୃଦୟକୁ ଥରାଇ ଦେବା ଭଳି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବାପା ତାଙ୍କ ୪ ବର୍ଷର ଶିଶୁକନ୍ୟାକୁ କେମିତି ଭୟଙ୍କର ବୋମା ବିସ୍ଫୋରଣ ବେଳେ ଶବ୍ଦକୁ ନ ଡରି ହସିବା ଶିଖାଉଛନ୍ତି, ତା’ର ଦୃଶ୍ୟ ରହିଛି।
ସିରିୟାର ଇଡଲିବ ଠାରେ ଭୟଙ୍କର ବୋମା ମାଡ଼ ଚାଲିଥିବା ବେଳେ ଏକ ଘର ମଧ୍ୟରେ ବାପା ଝିଅ କେମିତି ହସୁଛନ୍ତି, ତା’କୁ ଦେଖି ପୂରା ବିଶ୍ୱ ଆଶ୍ଚର୍ଯ ଚକିତ ହୋଇଛି। ଏହି ୧୨ ସେକଣ୍ଡର ଭିଡିଓରେ ଅବଦୁଲ୍ଲା ଓ ତାଙ୍କ ୪ ବର୍ଷର ଝିଅ ସେଲଭା ରହିଛନ୍ତି।
ଏମାନଙ୍କ ଘର ନିକଟରେ ବୋମା ପଡ଼ିବା ବେଳେ ଜୋରରେ ଶବ୍ଦ ହୋଇଥିଲା। ହେଲେ ଅବଦୁଲ୍ଲା ବୋମା ବିସ୍ଫୋରଣ ଶବ୍ଦରୁ ଝିଅର ଧ୍ୟାନଚ୍ୟୁତ କରିବା ଓ ଭୟଭୀତ ନ ହେବା ପାଇଁ ତାଙ୍କ ସହ ହସିବା ଖେଳ ଖେଳୁଛନ୍ତି। ଏଥିସହ ଖେଳନା ବନ୍ଧୁକରୁ ଏଭଳି ଶବ୍ଦ ହେଉଛି ବୋଲି ମଧ୍ୟ ଅବଦୁଲ୍ଲା କହିଥିବା ଶୁଣିବାକୁ ମିଳିଛି। ଏକଥା ଶୁଣି ଝିଅ ଜଣଙ୍କ ମଧ୍ୟ ଠୋ ଠୋ ହୋଇ ହସୁଛନ୍ତି।
Abdullah ve güzel kızı Selva. Yukarıda durumlarını paylaştığım baba kız. Ve yine tekrar eden o kahredici oyun. Anlamak için Arapça bilmenize gerek yok. pic.twitter.com/wUwKAcLzWE
— Mehmet Algan (@alganmehmett) February 16, 2020
ମେହେମତ ଅଲଗାନ ନାମକ ଜଣେ ବ୍ୟକ୍ତି ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓକୁ ଶେୟାର କରିଛନ୍ତି। ସେ ଏଥିରେ ଶୀର୍ଷକ ରଖି ଲେଖିଛନ୍ତି, “ଇଡବିଲର ଗୋଟିଏ ପରିବାର ନିକଟସ୍ଥ ସରମାଦା ସହରରେ ଶରଣାର୍ଥୀ ଭାବେ ରହିଛନ୍ତି। ଏହି ପରିବାର ବାପା ଝିଅ ଭିଡିଓରେ ରହିଛନ୍ତି।
ବାପା ଜଣଙ୍କ ତାଙ୍କ ୪ ବର୍ଷର ଝିଅକୁ ଭୟଭୀତ ନ ହେବା ପାଇଁ ସର୍ବଦା ସେଠାରେ ବୁଲୁଥିବା ବିମାନ ଓ ବୋମା ମାଡ଼କୁ ଖେଳନା ଭାବେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ଯେତେବେଳେ ବି ବୋମା ମାଡ଼ ହୁଏ, ପରିବାର ଲୋକ ହସିବା ବନ୍ଦ କରନ୍ତି ନାହିଁ। କାରଣ ସେ ଝିଅକୁ ଏହା ଖେଳ ବୋଲି ବୁଝାଇବାକୁ ଚେଷ୍ଟା କରିଛନ୍ତି। ସିରିୟାରେ ସ୍ଥିତି ବର୍ତ୍ତମାନ ବି ସାଂଘାତିକ।”
ଏହି ଭିଡିଓକୁ ଅନେକ ଲୋକ ଶେୟାର କରିବା ସହ ଘଟଣାକୁ ଦେଖି ବେଶ ଭାବପ୍ରବଣ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।