Advertisment

ମଣିପୁର ହିଂସାକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ- ସାମ୍ବିଧାନିକ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି

ମଣିପୁରରେ ଦୁଇ ମହିଳାଙ୍କୁ ବିଚ୍‌ ରାସ୍ତାରେ ନିର୍ବସ୍ତ୍ର କରି ଚଲାଇବା ଓ ଏହାର ଭିଡିଓ ଭାଇରାଲ କରିବା ଘଟଣାର ତଦନ୍ତକୁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ମନ୍ଥର ଓ ଅଳସୁଆ ପ୍ରକୃତିର ବୋଲି କହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
SC

SC

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରର ସ୍ଥିତି ସୁଧୁରିବାର ନାଁ ଧରୁନି। ଦିନକୁ ଦିନ ମଣିପୁରରେ ହିଂସା ବଢ଼ିବାରେ ଲାଗିଛି। କେନ୍ଦ୍ର ଓ ରାଜ୍ୟ ସରକାର ଶାନ୍ତି ଫେରାଇ ଆଣିବାରେ ଏଯାଏ ସଫଳ ହୋଇ ନଥିବାରୁ ଆଜି ଦେଶର ସର୍ବୋଚ୍ଚ ଅଦାଲତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାରଙ୍କୁ ତୀବ୍ର ସମାଲୋଚନା କରି ମଣିପୁରରେ ୨ ମାସ ହେଲାଣି ସାମ୍ବିଧାନିକ ବିଧିବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Advertisment

ମଣିପୁରରେ ଦୁଇ ମହିଳାଙ୍କୁ ବିଚ୍‌ ରାସ୍ତାରେ ନିର୍ବସ୍ତ୍ର କରି ଚଲାଇବା ଓ ଏହାର ଭିଡିଓ ଭାଇରାଲ କରିବା ଘଟଣାର ତଦନ୍ତକୁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ମନ୍ଥର ଓ ଅଳସୁଆର ପ୍ରକୃତିର ବୋଲି କହିଛନ୍ତି।

ଘଟଣାକୁ ନେଇ ଏଫଆଇଆର ଓ ବୟାନ ରେକର୍ଡରେ ଅହେତୁକ ବିଳମ୍ବ ହୋଇଥିବା ମଧ୍ୟ ସେ ମତ ରଖିଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ଓ ଏହି ସମୟରେ ମଣିପୁର ପୁଲିସ୍‌ ଡିଜିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମଣିପୁର ହିଂସାକୁ ନେଇ ବିରୋଧୀ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଇସ୍ତଫା ଓ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କରୁଛନ୍ତି। ଆଜି ସୁପ୍ରିମକୋର୍ଟଙ୍କ ବୟାନ ବିରୋଧୀଙ୍କୁ ନିଜର ଦାବିକୁ ଆହୁରି ଶାଣିତ କରିବାକୁ ସୁଯୋଗ ମିଳିଛି।

ଆଜି ମଧ୍ୟାହ୍ନରେ ଯେତେବେଳେ ଶୁଣାଣି ଆରମ୍ଭ ହେଲା ସେତେବେଳେ ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟଙ୍କୁ ଜଣାଇଥିଲେ ଯେ ହିଂସାକୁ ନେଇ ମୋଟ ୬,୫୨୩ ଏଫଆଇଆର ହୋଇଛି। ଏହା ମଧ୍ୟରୁ ୧୧ଟି ମହିଳା ଓ ଛୋଟ ପିଲାଙ୍କ ବିରୋଧୀ ହିଂସା ସହ ଜଡ଼ିତ।

ଏହି ତଥ୍ୟ ଷ୍ଟାଟସ ରିପୋର୍ଟର ଅଂଶ ବିଶେଷ। ଏହାକୁ କୋର୍ଟରେ ମଧ୍ୟ ଉପସ୍ଥାପନ କରାଯାଇଥିବା ସେ ଜଣାଇଛନ୍ତି। ତୁଷାର ମେହେଟା ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠଙ୍କୁ କହିଛନ୍ତି, ଭାଇରାଲ ଭିଡିଓ ଘଟଣାରେ ଜଣେ ନାବାଳକ ସହ ୭ ଜଣକୁ ଗିରଫ କରାଯାଇଛି।

ଜଷ୍ଟିସ ଚନ୍ଦ୍ରଚୂଡ଼ ଶୁଣାଣି ବେଳେ ପଚାରିଥିଲେ ଯେ ପୁଲିସ୍‌ ଅଭିଯୁକ୍ତମାନଙ୍କ ହାତରେ ପୀଡ଼ିତାଙ୍କୁ ଟେକି ଦେଇଥିବା ଅଭିଯୋଗର ତଦନ୍ତ ହୋଇଛି କି? ଏହାର ଜବାବରେ ମେହେଟା କହିଛନ୍ତି, ରାତାରାତି ଏହାର ତଥ୍ୟ ଆଣିବା ସମ୍ଭବ ନୁହେଁ। ଏହାପରେ ସିଜେଆଇ ମଣିପୁରରେ ଆଉ ଦୁଇ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାର ବିସ୍ତୃତ ତଥ୍ୟ ମାଗିଥିଲେ।

ମେହେଟା କହିଥିଲେ, ଗୋଟିଏ ଜିରୋ ଏଫଆଇଆର ମେ’ ୧୫ରେ ହୋଇଥିଲା। ଏହା ଜୁନ ୧୬ରେ ନିୟମିତ ଏଫଆଇଆରରେ ପରିବର୍ତ୍ତନ ହୋଇଥିଲା। କ’ଣ କାହାକୁ ଗିରଫ କରାଯାଇଛି ବୋଲି ସିଜେଆଇ ପ୍ରଶ୍ନ କରିବାରୁ ସଲିସିଟର ଜେନେରାଲ କହିଥିଲେ, ତାଙ୍କ ପାଖରେ ଏନେଈ କୌଣସି ତଥ୍ୟ ନାହିଁ।

ମେହେଟା ଦେଇଥିବା ରିପୋର୍ଟକୁ ପଢ଼ି ସିଜେଆଇ କହିଥିଲେ ଯେ ଗୋଟିଏ ଭୟଙ୍କର ଘଟଣା ମେ’ ୪ରେ ଘଟିଥିବା ବେଳେ ଏଫଆଇଆର ଜୁଲାଇ ୨୬ରେ ରୁଜୁ ହେଉଛି। ଗୋଟିଏ ଦୁଇଟି ଘଟଣାକୁ ଛାଡ଼ି ଦେଲେ ଅଧିକାଂଶ ମାମଲାରେ ଗିରଫଦାରୀ କାହିଁକି ହୋଇନି? ତଦନ୍ତ ଅତ୍ୟନ୍ତ ମନ୍ଥର ଓ ଅଳସୁଆ ଭାବେ କରାଯାଇଛି। ଏଫଆଇଆର ରୁଜୁରେ ବିଳମ୍ବ ହୋଇଛି ଓ କାହାକୁ ଗିରଫ କରାଯାଇନି। ଦୁଇ ମାସ ହେଲା ସ୍ଥିତି ଏମିତି ଅଛି ଯେ ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ମଧ୍ୟ କ’ଣ ସମୟ ମିଳିନି ବୋଲି ସିଜେଆଇ ପ୍ରଶ୍ନ କରିଛନ୍ତି।

ଜଷ୍ଟିସ ଚନ୍ଦ୍ରଚୂଡ଼ ଅତ୍ୟନ୍ତ ରାଗିଯାଇ କହିଛନ୍ତି, “ରାଜ୍ୟ ପୁଲିସ୍‌ ତଦନ୍ତ ପାଇଁ ଅଯୋଗ୍ୟ ଓ ଅକ୍ଷମ। ସେମାନେ ନିୟନ୍ତ୍ରଣ ହରାଇଛନ୍ତି। ସେଠାରେ କୌଣସି ପ୍ରକାରର ଆଇନଶୃଙ୍ଖଳା ବ୍ୟବସ୍ଥା ନାହିଁ। ମଣିପୁରରେ ଗତ ୨ ମାସ ହେଲା ସାମ୍ବିଧାନିବ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି।”

ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, ୬୫୨୩ ଏଫଆଇଆର ରୁଜୁ କରାଯିବା ଘଟଣା ଏଯାଏ ମୋଟ ୨୫୨ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ତଦନ୍ତ ବେଳେ ସରକାରଙ୍କ ପକ୍ଷରୁ କୌଣସି ଅଳସୁଆମି ରହିବ ନାହିଁ ଓ କେନ୍ଦ୍ର ସରକାର ୧୧ ଏଫଆଇଆରକୁ ସିବିଆଇକୁ ପଠାଇବା ସପକ୍ଷରେ ରହିଛନ୍ତି ବୋଲି ଜଣାଇଥିଲେ।

ସିଜେଆଇ କହିଥିଲେ, “ପ୍ରାୟ ୬୫୦୦ ମାମଲା ରହିଛି। ଆମେ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ମାମଲା ଦେଖିବୁ। ଆପଣ ସବୁ କିଛି ସିବିଆଇକୁ ପଠାଇ ପାରିବେ ନାହିଁ। ଆମକୁ ଗୋଟିଏ ଉପଯୁକ୍ତ ବ୍ୟବସ୍ଥା କରିବାକୁ ପଡ଼ିବ।”

ସିଜେଆଇ ଶୁଣାଣି ବେଳେ ଗୋଟିଏ ତାଲିକା ପ୍ରସ୍ତୁତ କରିବାକୁ ମେହେଟାଙ୍କୁ କହିଥିଲେ। ଏଥିସହ ପରବର୍ତ୍ତୀ ଶୁଣାଣି ବେଳକୁ ଏହାର ଉତ୍ତର ଧରି ଆସିବାକୁ କହିଛନ୍ତି।

୧- ଘଟଣାର ତାରିଖ

୨- ଜିରୋ ଏଫଆଇଆର ରୁଜୁ କରାଯାଇଥିବା ତାରିଖ

୩- ନିୟମିତ ଏଫଆଇଆର ରୁଜୁ ହୋଇଥିବା ତାରିଖ

୪- ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଇଥିବା ତାରିଖ

୫- ଧାରା ୧୬୪ ଆଧାରାରେ କେବେ କୋର୍ଟଙ୍କ ଆଗରେ ବୟାନ ରେକର୍ଡ କରାଯାଇଥିଲା

୬- କେତେ ଜଣଙ୍କୁ ଓ କେବେ ଗିରଫ କରାଯାଇଥିଲା ।

Supreme Court Manipur Violence