Advertisment

କରୋନା ସ୍କାମ: IAS ଅଫିସରଙ୍କ ଠିକଣାରେ ଇଡିର ରେଡ୍‌

ଆଇଏଏସ୍‌ ଜୈସୱାଲ କରୋନା ସମୟରେ ଥାନେ ମ୍ୟୁନସିପାଲ କମିଶନର ରହିଥିବା ବେଳେ ବ୍ରିହାନ ମୁମ୍ବାଇ କର୍ପୋରେସନ ବା ବିଏମସିର ଅତିରିକ୍ତ କମିଶନର ମଧ୍ୟ ରହିଥିଲେ।

author-image
Hemant Lenka
ED

ED

ମହାମାରୀ କରୋନା ବେଳେ ସେବା ଯୋଗା ଦେବା ନାଁରେ କରାଯାଇଥିବା ଠକେଇର ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ଇଡି ଆଇଏଏସ୍‌ ଅଫିସର ସଞ୍ଜୀବ ଜୈସୱାଲଙ୍କ ବିଭିନ୍ନ ଠିକଣାରେ ରେଡ୍‌ କରିଛି। ଏହା ବ୍ୟତୀତ ଶିବସେନା (ୟୁବିଟି)ର ନେତା ଆଦିତ୍ୟ ଠାକେରଙ୍କ ସହଯୋଗୀ ସୂରଜ ଚୌହାନ ଓ ସାଂସଦ ସଞ୍ଜୟ ରାଉତଙ୍କ ଘନିଷ୍ଠ ବନ୍ଧୁ ତଥା ବ୍ୟବସାୟୀ ସୁଜିତ ପାଟକରଙ୍କ ଘରେ ମଧ୍ୟ ଇଡି ରେଡ୍‌ କରିଛି।

Advertisment

କରୋନା ବେଳେ ଫିଲ୍ଡ ହସ୍ପିଟାଲ ବା ଜିମ୍ବୋ ହସ୍ପିଟାଲର ପରିଚାଳନା ନାଁରେ ୩୮ କୋଟି ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମାମଲାରେ ଇଡିର ଟିମ୍‌ ଥାନେ, ନଭି ମୁମ୍ବାଇ ଓ ମୁମ୍ବାଇର ମୋଟ ୧୫ଟି ସ୍ଥାନରେ ଛାନିଭିନ କରିଛି।

ଆଇଏଏସ୍‌ ଜୈସୱାଲ କରୋନା ସମୟରେ ଥାନେ ମ୍ୟୁନସିପାଲ କମିଶନର ରହିଥିବା ବେଳେ ବ୍ରିହାନ ମୁମ୍ବାଇ କର୍ପୋରେସନ ବା ବିଏମସିର ଅତିରିକ୍ତ କମିଶନର ମଧ୍ୟ ରହିଥିଲେ। ଜାନୁଆରୀ ମାସରେ ଇଡି ବିଏମସି କମିଶନର ଇକବାଲ ସିଂହ ଚହଲଙ୍କ ବୟାନ ରେକର୍ଡ କରିଥିଲା। ଏଥିସହ କରୋନା ବେଳେ ଫିଲ୍ଡ ହସ୍ପିଟାଲ ପାଇଁ ଦିଆଯାଇଥିବା କଣ୍ଟ୍ରାକ୍ଟ ଓ ଏହା ସହ ଜଡ଼ିତ ବିଷୟବସ୍ତୁ ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିଲା।

Advertisment

ବୟାନ ରେକର୍ଡ ଓ ତଥ୍ୟ ମାଗିବା ପୂର୍ବରୁ ଇଡି ସୁଜିତ ପାଟକରଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା। ସୁଜିତ କରୋନା ବେଳେ ମୁମ୍ବାଇରେ ଫିଲ୍ଡ ହସ୍ପିଟାଲ ତିଆରି କରିବାର ଗୋଟିଏ କଣ୍ଟ୍ରାକ୍ଟ ପାଇଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ର ସହ ତାଙ୍କର କୌଣସି ଅଭିଜ୍ଞତା ନଥିବା ବେଳେ ତାଙ୍କୁ ଫିଲ୍ଡ ହସ୍ପିଟାଲର କଣ୍ଟ୍ରାକ୍ଟ ମିଳିଥିଲା।

କରୋନା ବେଳେ ଫିଲ୍ଡ ହସ୍ପିଟାଲ ତିଆରି ନାଁରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏପରି କି ବିଜେପି ନେତା କିରିତ ସୋମାୟା ଲାଇଫ ଲାଇନ ହସ୍ପିଟାଲ ମ୍ୟାନେଜମେଣ୍ଟ ସର୍ଭିସ ନାଁରେ ଗୋଟିଏ ଠକେଇ ଅଭିଯୋଗ ଆଣି ଆଜାଦ ମୈଦାନ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ହସ୍ପିଟାଲ ବ୍ୟତୀତ ସୁଜିତ ଓ ତାଙ୍କର ୩ ସହଯୋଗୀ ହେମନ୍ତ ଗୁପ୍ତା, ସଞ୍ଜୟ ଶାହ ଏବଂ ରାଜୁ ସାଲୁଙ୍ଖେଙ୍କ ବିରୋଧରେ ମଧ୍ୟ କିରିତ ଅଭିଯୋଗ କରିଥିଲେ।

ଏହି ୪ ଜଣ ମହାମାରୀ ବେଳେ କୋଭିଡ ଫିଲ୍ଡ ହସ୍ପିଟାଲ ପରିଚାଳନା କରିବାର କଣ୍ଟ୍ରାକ୍ଟ ବିଏମସି ଠାରୁ ପାଇଥିଲେ। ଏମାନେ ନକଲି କାଗଜପତ୍ର ଦ୍ୱାରା କଣ୍ଟ୍ରାକ୍ଟ ହାତେଇଥିବା କୁହାଯାଉଛି।

ମାମଲା ରୁଜୁ କରିବା ପରେ ପୁଲିସ୍‌ ଠକେଇ ଓ ହେରଫେର ଦିଗର ତଦନ୍ତ ଦାୟିତ୍ୱ ଅର୍ଥନୀତିକ ଅପରାଧ ଶାଖା ପାଖକୁ ପଠାଇ ଦେଇଥିଲେ। ଅର୍ଥନୀତିକ ଅପରାଧ ଶାଖା ଏହାର ତଦନ୍ତ କରୁଥିବା ବେଳେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଅଭିଯୋଗ ହୋଇଛି ଯେ ବିଏମସି ଉଚ୍ଚ ଦରରେ ଲାଇଫ ଲାଇନ ହସ୍ପିଟାଲ ମ୍ୟାନେଜମେଣ୍ଟ ସର୍ଭିସକୁ କଣ୍ଟ୍ରାକ୍ଟ ଦେଇଥିଲା।

ଏହା ଏକ ଅଣପଞ୍ଜୀକୃତ ସଂସ୍ଥା ଓ ସ୍ୱାସ୍ଥ୍ୟ ସେବା ଉପରେ ଏହାର କୌଣସି ଅଭିଜ୍ଞତା ନଥିବା ବେଳେ କଣ୍ଟ୍ରାକ୍ଟ ଦିଆଯାଇଥିଲା। ବିଏମସି ପ୍ରଥମେ କଣ୍ଟ୍ରାକ୍ଟ ଦେଇଥିଲା ଓ ବର୍ଷକ ପରେ ଏହା ସହ ଜଡ଼ିତ ଚୁକ୍ତି କମ୍ପାନୀ ସହ କରିଥିଲା।

୨୦୨୦ ଜୁନରେ ମୁମ୍ବାଇର ଖୋଲା ସ୍ଥାନଗୁଡ଼ିକରେ ବିଭିନ୍ନ ସରକାରୀ ଏଜେନ୍ସି ପକ୍ଷରୁ ଅନେକ ଫିଲ୍ଡ ହସ୍ପିଟାଲ ଖୋଲା ଯାଇଥିଲା। ବିଏମସି ଏଥିପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରି ନଥିଲେ। କିନ୍ତୁ ବିଏସ୍‌ସି ଏହାର ପରିଚାଳନା ଓ ହସ୍ପିଟାଲ କର୍ମଚାରୀଙ୍କୁ ନିଯୁକ୍ତି ଦାୟିତ୍ୱ ପାଇଥିଲା।

ED Raid Mumbai Coronavirus