କୁଚିଣ୍ଡା (ଦେବେନ୍ଦ୍ର ବେହେରା): ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ଅପରପାର୍ଶ୍ୱରୁ ଆସୁଥିବା ତେଲ ଟ୍ୟାଙ୍କର ସହ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ତବଲାକଟା ଛକ ନିକଟରେ ଏନ୍ଏଚ୍ ୪୯ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ମୃତକମାନେ ହେଲେ- ତବଲାକଟା ଗାଁର ସରସ୍ବତୀ ସିଂ (୩୦), ଭାତପୁରାର ତନୁଜା ଶର୍ମା (୪୪) ଓ ଟାଇଁସରର ଅତିଶ ନାୟକ (୫୫)। ଅତିଶ ନାୟକ ଅଟୋର ଡ୍ରାଇଭର ଥିଲେ।
ସମସ୍ତ ଗୁରୁତରଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ କୁଚିଣ୍ଡା-ଦେବଗଡ଼ ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ବୁଝିସୁଝା କରିବା ପରେ ଅବରୋଧ ପ୍ରତ୍ୟାହୃତ ହୋଇଥିଲା।
ଅଟୋଟି ଜମନକିରାରୁ କୁଚିଣ୍ଡା ଆସୁଥିବା ବେଳେ ତେଲ ଟ୍ୟାଙ୍କରଟି କୁଚିଣ୍ଡାରୁ ଜମନକିରା ଆଡ଼କୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଅଟୋଟି ଚୁରମାର ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।