ବାଲେଶ୍ୱର ଜିଲ୍ଲାର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାରେ ମୋଟ ୨୮୮ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୨୦୫ଜଣ ଯାତ୍ରୀଙ୍କ ମୃତଦେହକୁ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ବାକି ୮୩ଜଣ ମୃତ ଯାତ୍ରୀଙ୍କ ପରିଚୟ ଏବେବି ମିଳିପାରିନି । ରାଜ୍ୟ ସରକାର ଏସବୁ ଶବକୁ ବୈଜ୍ଞାନିକ ପଦ୍ଧତିରେ ସୁରକ୍ଷିତ ରଖିବା ସହ ଚିହ୍ନଟ ପାଇଁ ଏବେ ଡିଏନଏ ମ୍ୟାଚିଂ ଟେଷ୍ଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କେବଳ ଭୁବନେଶ୍ୱରରେ ଏବେ ଏହି ୮୩ଜଣ ମୃତଦେହ ରହିଥିବାରୁ ସେମାନଙ୍କ ସମ୍ପର୍କୀୟ ଆସିବା, ଚିହ୍ନଟ କରିବା ଓ ସେମାନଙ୍କ ଘରେ ନେଇ ଶବ ପହଂଚାଇବା ସହ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ଆଜି ଆଉ ୬ଜଣ ଓଏଏସ ଅଫିସରଙ୍କୁ ତୁରନ୍ତ ନିଜ ଦାୟିତ୍ୱରୁ ରିଲିଭ୍ ହୋଇ ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନରଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ବିଭିନ୍ନ ପର୍ଯ୍ୟାୟ ଯାଂଚ ପରେ ଟ୍ରେନ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ସଂଖ୍ୟା ୨୮୮ରେ ପହଂଚିଛି । ଏହି ମୃତ ୨୮୮ଜଣ ଯାତ୍ରୀଙ୍କ ମଧ୍ୟରୁ ସର୍ବାଧିକ ୧୯୩ଜଣଙ୍କ ଶବକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବାବେଳେ ବାଲେଶ୍ୱରରେ ୯୪ ଓ ଭଦ୍ରକରେ ଜଣକଙ୍କ ମୃତଦେହ ରହିଥିଲା । ତେବେ ଇତିମଧ୍ୟରେ ବାଲେଶ୍ୱର ଓ ଭଦ୍ରକରେ ଥିବା ସମସ୍ତ ମୃତଦେହ ଚିହ୍ନଟ ହୋଇସାରିଛି । ଭୁବନେଶ୍ୱରରେ ମଧ୍ୟ ୧୧୦ଟି ମୃତଦେହର ଚିହ୍ନଟ ହୋଇଛି । ଏଭଳି ଭାବେ ବାକି ୮୩ଜଣଙ୍କ ମୃତଦେହ ଏବେବି ଚିହ୍ନଟ ହୋଇପାରିନି ।
ଭୁବନେଶ୍ୱରସ୍ଥିତ ଏମସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ, ମୋଟ ୧୨୩ଜଣଙ୍କ ମୃତଦେହ ଭୁବନେଶ୍ୱର ଏମସକୁ ଆସିଥିଲା। ସେଥି ମଧ୍ୟରୁ ୭୧ଜଣଙ୍କ ଚିହ୍ନଟ ହୋଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ବାକି ୫୨ଜଣଙ୍କ ମୃତଦେହ ଏବେ ବୈଜ୍ଞାନିକ ପଦ୍ଧତିରେ କଣ୍ଟେନର ମଧ୍ୟରେ ରଖାଯାଇଛି । ସେମାନଙ୍କର ଡିଏନଏ ନମୂନା ସଂଗ୍ରହ କରାଯାଇଛି । ଏହି ମୃତକଙ୍କ ପରିବାର ସଦସ୍ୟ କିମ୍ବା ନିକଟ ସମ୍ପର୍କୀୟମାନେ ଆସିଲେ ଡିଏନଏ ମ୍ୟାଚିଂ କରାଯାଇ ଶବ ହସ୍ତାନ୍ତର କରାଯିବ । ଆଜି କେତେକ ମୃତକଙ୍କ ସମ୍ପର୍କୀୟମାନଙ୍କୁ ଡିଏନଏ ନମୂନା ସଂଗ୍ରହ କରାଯାଇଛି । ଭୁବନେଶ୍ୱରରେ ମୋଟ ୮୩ଟି ଶବ ଚିହ୍ନଟ ଅପେକ୍ଷାରେ ରହିଥିବାବେଳେ କେବଳ ୫୨ଟି ମୃତଦେହ ଏମ୍ସ ପରିସରରେ ରହିଛି । ରାଜ୍ୟ ସରକାର ୭୧ଟି ଆମ୍ବୁଲାନ୍ସ ମାଧ୍ୟମରେ ଯାତ୍ରୀଙ୍କ ମୃତଦେହକୁ ଗାଁକୁ ପଠାଇବା ବ୍ୟବସ୍ଥା କରିଛନ୍ତି ଓ ୩୮ଟିରୁ ଅଧିକ ଆମ୍ବୁଲାନ୍ସ ଏବେ ଏହି କାର୍ଯ୍ୟ ପାଇଁ ରିଜର୍ଭ ରଖାଯାଇଛି । ରାଜ୍ୟ ସରକାର ମାଗଣାରେ ଏହି ସେବା ଯୋଗାଇ ଦେଉଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।