ରାଜ୍ୟ ଦାବି ମାନିଲା କେନ୍ଦ୍ର, ଖଣି ଲିଜ୍‌ ସୀମା ବଢ଼ିଲା!

ଦେବେନ୍ଦ୍ର ପୃଷ୍ଟି

ଡ଼ିଶାର ଲୁହା ପଥର ଖଣି ଲିଜ୍‌ ଅଂଚଳ ସୀମା ପ୍ରାୟ ୬ ଗୁଣ ବଢ଼େଇବା ପାଇଁ ରାଜ୍ୟ ସରକାରଙ୍କ ଦାବିକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ସରକାରଙ୍କ ଦାବି ଅନୁସାରେ ଏଣିକି ରାଜ୍ୟରେ କୌଣସି କମ୍ପାନୀ ୫୮ ବର୍ଗ କିଲୋମିଟରରୁ ଅଧିକ ଅଂଚଳର ଲୁହା ପଥର ଖଣି ଲିଜ୍‌ ନେଇପାରିବ। ଖଣି ଓ ଖଣିଜ ବିକାଶ ଓ ନିୟନ୍ତ୍ରଣ ଆଇନ ବା ଏମଏମଡିଆର ୨୦୧୫ ସଂଶୋଧନ ଅନୁସାରେ ଓଡ଼ିଶାରେ ଏହି ସୀମା ୧୦ ବର୍ଗ କିଲୋମିଟର ଥିଲା। କେନ୍ଦ୍ର ସରକାର ଓଡ଼ିଶାର ଦାବି ମାନିନେବା ପରେ ରାଜ୍ୟରେ ଟାଟା, ରୁଙ୍ଗଟା, ଜେଏସପିଏଲ, ଜେଏସଡବ୍ଲ୍ୟୁ ପରି ଘରୋଇ କମ୍ପାନୀ ଓ ଭାରତୀୟ ଇସ୍ପାତ ପ୍ରାଧିକରଣ ବା ସେଲ୍‌ ପରି ସରକାରୀ କମ୍ପାନୀ ଉପକୃତ ହେବେ।

ଖଣି ଲିଜ୍‌ ଓ ଖନନ ନେଇ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଧରାପଡ଼ିବା ପରେ କେନ୍ଦ୍ର ସରକାର ଏମଏମଡିଆର ଆଇନରେ କେତେକ ସଂଶୋଧନ କରିଥିଲେ। ଏହି ସଂଶୋଧନ ଅନୁସାରେ କୌଣସି କମ୍ପାନୀକୁ ୧୦ ବର୍ଗ କିଲୋମିଟର ଅଞ୍ଚଳରୁ ଅଧିକ ଖଣି ଲିଜ୍‌ ଦିଆଯିବ ନାହିଁ। ଏହି ଆଇନ ଯୋଗୁଁ ଓଡ଼ିଶାରେ ବଡ଼ ବଡ଼ ଖଣି କମ୍ପାନୀ ଅଧିକ ଖଣି ଲିଜ୍‌ ନେବାକୁ ଆପେ ଆପେ ଅଯୋଗ୍ୟ ହୋଇଯାଇଥିଲେ। ତେଣୁ ସେମାନେ ନୂଆ ଆଇନ ଅନୁସାରେ ନିଲାମ ପ୍ରକ୍ରିୟାରେ ଭାଗ ନେଇପାରୁ ନଥିଲେ।

ଏହି କାରଣ ଦର୍ଶାଇ ଓଡ଼ିଶା ସରକାର ରାଜ୍ୟରେ ଏଯାଏଁ ଲିଜ୍‌ ସମୟ ଶେଷ ହେଉଥିବା ଏବଂ ସଂପୂର୍ଣ୍ଣ ନୂଆ ଖଣିର ନିଲାମ କରାଇ ନାହାନ୍ତି। ନିଲାମ ବ୍ୟବସ୍ଥା ଲାଗୁ ହେବା ପରେ ସମଗ୍ର ଦେଶରେ ୬୮ ଖଣି ନିଲାମ ହୋଇସାରିଲାଣି। କର୍ଣ୍ଣାଟକ ୧୮ ଖଣି ନିଲାମ କରାଇଥିବାବେଳେ ମହାରାଷ୍ଟ୍ର ୧୩ ଖଣିର ନିଲାମ କରାଇସାରିଛି। କିନ୍ତୁ ଓଡ଼ିଶାରେ ଏଯାଏଁ ମାତ୍ର ୫ଟି ଖଣି ନିଲାମରେ ଦିଆଯାଇଛି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ୧୧ଟି ଖଣିର ଲିଜ୍‌ ଅବଧି ଶେଷ ହେଉଛି। ସଂଶୋଧିତ ଆଇନ ଅନୁସାରେ ସେଗୁଡ଼ିକର ଲିଜ୍‌ ଅବଧି ଆଉ ବୃଦ୍ଧି କରାଯାଇ ପାରିବ ନାହିଁ। ସେଗୁଡ଼ିକୁ ନିଲାମ ଜରିଆରେ ଦିଆଯିବ। ସେହିପରି ରାଜ୍ୟ ସରକାର କେତେକ ନୂଆ ଖଣିକୁ ମଧ୍ୟ ନିଲାମ ପ୍ରକ୍ରିୟାରେ ଦେବାକୁ ଚାହୁଁଛନ୍ତି। କିନ୍ତୁ ନୂଆ ନିୟମ ଅନୁସାରେ ନିଲାମ ପ୍ରକ୍ରିୟାରେ କେତେକ ବଡ଼ ବଡ଼ କମ୍ପାନୀ ଭାଗ ନେଇପାରିବେ ନାହିଁ। ତେଣୁ ନିୟମ କୋହଳ କରିବାକୁ ରାଜ୍ୟ ସରକାର ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ରାଜ୍ୟ କହିଥିଲା ଯେ ଓଡ଼ିଶାରେ ସର୍ବାଧିକ ଖଣି ଲିଜ୍‌ ସୀମା ୧୦ ବର୍ଗ କିଲୋମିଟରରୁ ୭୫ ବର୍ଗ କିଲୋମିଟରକୁ ବୃଦ୍ଧି କରାଯାଉ। ଓଡ଼ିଶାର ଏହି ଅନୁରୋଧକୁ ଖାରଜ କରି କେନ୍ଦ୍ର କହିଥିଲା ଯେ ଯୁକ୍ତିଯୁକ୍ତ କାରଣ ଦର୍ଶାଇ ଆଉ ଥରେ ଆବେଦନ କର।

ଏହା ପରେ ଓଡ଼ିଶା ସରକାର ଅନ୍ୟ ଏକ ଅନୁରୋଧ କରିଥିଲେ। ସେଥିରେ କହିଥିଲେ ଯେ ଭାରତ ସରକାରଙ୍କ ଅଧୀନସ୍ତ ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ଼ ବା ସେଲ୍‌ ଓଡ଼ିଶାରେ ୫୫.୦୧ ବର୍ଗ କିଲୋମିଟରର ଖଣି ଲିଜ୍‌ ପାଇଛି। ସଂଶୋଧିତ ଏମଏମଡିଆର ଆଇନର ୬(୧)(ଖ) ଧାରା ଅନୁସାରେ ଏହି ସରକାରୀ ଉଦ୍ୟୋଗ ରାଜ୍ୟରେ ୧୦ ବର୍ଗ କିମିରୁ ଅଧିକ ଖଣି ପଟ୍ଟା ପାଇବାକୁ ଯୋଗ୍ୟ ନୁହେଁ। ତା’ଛଡ଼ା କେନ୍ଦ୍ର ସରକାର ଇତିମଧ୍ୟରେ ଲୁହା ପଥର ଖଣି କ୍ଷେତ୍ରରେ ଝାଡ଼ଖଣ୍ଡ ରାଜ୍ୟରେ ସର୍ବାଧିକ ଖଣି ଲିଜ ଏରିଆ ୭୫ ବର୍ଗ କିମି ଓ ଛତିଶଗଡ଼ରେ ୫୦ ବର୍ଗ କିମିକୁ ବୃଦ୍ଧି କରିଛନ୍ତି। ସେହିପରି ବକ୍ସାଇଟ ଖଣି କ୍ଷେତ୍ରରେ ଓଡ଼ିଶା, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ସର୍ବାଧିକ ଖଣି ଲିଜ୍‌ ଅଂଚଳ ସୀମା ବୃଦ୍ଧି କରାଯାଇଛି। ଚୁନ ପଥର ଖଣି କ୍ଷେତ୍ରରେ ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁ ଆଦି ରାଜ୍ୟରେ ଏହି ସୀମା ବୃଦ୍ଧି କରାଯାଇଛି। ଓଡ଼ିଶା କ୍ଷେତ୍ରରେ ଲୁହା ପଥର ଖଣି ପାଇଁ ଏହି ସୀମା ବୃଦ୍ଧି କରାଯାଉ ବୋଲି ରାଜ୍ୟ ସରକାର ଯୁକ୍ତି କରିଥିଲେ।

ଓଡ଼ିଶାର ଦାବି ଉପରେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କର ଏକ ଉଚ୍ଚ ସ୍ତରୀୟ କମିଟି ବୈଠକ ବସିଥିଲା। ଏହି କମିଟି ରାଜ୍ୟ ସରକାରଙ୍କ ଯୁକ୍ତିରେ ପ୍ରଭାବିତ ହୋଇ ଓଡ଼ିଶାରେ ଲୁହା ପଥର ଖଣି ଲିଜ୍‌ ଅଂଚଳ ସୀମା ୫୮ ବର୍ଗ କିଲୋମିଟରକୁ ବୃଦ୍ଧି କରିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ଏବେ ରାଜ୍ୟରେ ସେଲ୍‌ର ୫୫ ବର୍ଗ କିମି ଲିଜ୍‌ ଥିଲାବେଳେ ଏହି ସରକାରୀ ଉଦ୍ୟୋଗ ପାଇଁ ଆଉ ୨.୭୭ ବର୍ଗ କିମି ଖଣି ଅଂଚଳ ସଂରକ୍ଷିତ ରହିଛି। ତେଣୁ ରାଜ୍ୟର ଅନୁରୋଧ କ୍ରମେ କେନ୍ଦ୍ର ସରକାର ଗ୍ରହଣ କରିଥିବା ଏହି ନିଷ୍ପତ୍ତି କେବଳ ସେଲ୍‌ର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ବୋଲି ଯେକେହି ବିଶ୍ୱାସ କରିବେ।

ମାତ୍ର, ବାସ୍ତବରେ କେନ୍ଦ୍ରର ଏହି ନିଷ୍ପତ୍ତି ଯୋଗୁଁ ରାଜ୍ୟରେ ଟାଟା, ରୁଙ୍ଗଟା, ଜେଏସପିଏଲ, ଜେଏସଡବ୍ଲ୍ୟୁ ପରି ବଡ଼ବଡ଼ ସଂସ୍ଥା ମଧ୍ୟ ଲାଭବାନ ହେବେ। ଓଡ଼ିଶାରେ ଟାଟା କମ୍ପାନୀ ଏଯାଏଁ ମୋଟ ୪୯ ବର୍ଗ କିଲୋମିଟର ଖଣି ଲିଜ୍‌ ରଖିଛି। ନିୟମ କୋହଳ ହେବା ପରେ ଏହି କମ୍ପାନୀ ଆହୁରି ୯ ବର୍ଗ କିଲୋମିଟରର ଖଣି ନିଲାମରେ ନେଇପାରିବ। ସେହିପରି ଜେଏସପିଏଲ ରାଜ୍ୟରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା କରିଥିବାବେଳେ ଜେଏସଡବ୍ଲ୍ୟୁ ପାରାଦୀପ ନିକଟସ୍ଥ ପୋସ୍କୋ ଜମିରେ ଏକ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଚୁକ୍ତିବଦ୍ଧ ହୋଇଛି। ଏସବୁ କାରଖାନା ପାଇଁ କଞ୍ଚାମାଲ ବା ଲୁହା ପଥର ଯୋଗାଣ ନିଶ୍ଚିତ କରିବାକୁ ବଡ଼ ବଡ଼ ଖଣି ଲିଜ୍‌ ନେବାକୁ କମ୍ପାନୀଗୁଡ଼ିକ ଦାବି କରୁଛନ୍ତି। ସେମାନଙ୍କ ଦାବି ସପକ୍ଷରେ ରାଜ୍ୟ ସରକାର ଯୁକ୍ତି କରିଥିଲେ।

୨୦୩୦ ସୁଦ୍ଧା ଦେଶରେ ଇସ୍ପାତ ଉତ୍ପାଦନ ପରିମାଣ ୩୦୦ ନିୟୁତ ଟନ୍‌ରେ ପହଂଚାଇବାକୁ ମୋଦି ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ସେହି ଅନୁସାରେ ଅଧିକ କମ୍ପାନୀଙ୍କୁ ଇସ୍ପାତ କାରଖାନା ବସାଇବାକୁ ଅନୁମତି ଦିଆଯିବ, ଅଧିକ କମ୍ପାନୀଙ୍କୁ ଇସ୍ପାତ ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଅନୁମତି ଦିଆଯିବ ଏବଂ ଅଧିକ କମ୍ପାନୀଙ୍କୁ ଅଧିକ ଲୁହା ପଥର ଓ କୋଇଲା ଖଣି ଲିଜ୍‌ ଦିଆଯିବ। ୨୦୧୫ ମସିହାରେ ଏମଏମଡିଆର ଆଇନରେ ହୋଇଥିବା ସଂଶୋଧନକୁ ଦୃଢ଼ ଭାବେ କାର୍ଯ୍ୟକାରୀ କରାଗଲେ ରାଜ୍ୟରେ ଅଧିକ ଖଣି ଲିଜ୍‌ ନେବାକୁ ଆଗ୍ରହ ରଖିଥିବା ଅନେକ କମ୍ପାନୀ ନିଲାମ ପାଇଁ ଆବେଦନ କରିପାରିବେ ନାହିଁ। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଟାଟା ଓ ଜିନ୍ଦଲ ଗୋଷ୍ଠୀ ଅନ୍ତଭୁର୍କ୍ତ।

କେନ୍ଦ୍ର ସରକାର ନିୟମ କୋହଳ କରିଥିବାରୁ ଏଣିକି ଟାଟା ଓ ଜିନ୍ଦଲ ଗୋଷ୍ଠୀ ଓଡ଼ିଶାରେ ୫୮ ବର୍ଗ କିଲୋମିଟର ଯାଏଁ ଲୁହା ପଥର ଖଣି ନିଲାମ ଜରିଆରେ ଲିଜ୍‌ରେ ନେଇପାରିବେ।

ପ୍ରସଙ୍ଗକ୍ରମେ ଏଠାରେ ସୂଚନାଯୋଗ୍ୟ ଯେ ସଂପ୍ରତି ସମଗ୍ର ବିଶ୍ୱରେ ଇସ୍ପାତ ଶିଳ୍ପ କ୍ଷେତ୍ରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଦେଶର ଅନେକ ଇସ୍ପାତ କମ୍ପାନୀ ସେମାନଙ୍କର କ୍ଷମତା ଅନୁସାରେ ଉତ୍ପାଦନ କରୁନାହାନ୍ତି। ଓଡ଼ିଶାର ଇସ୍ପାତ କମ୍ପାନୀଗୁଡ଼ିକ ମଧ୍ୟ ଉତ୍ପାଦନ ହ୍ରାସ କରିଛନ୍ତି। ସେଲ୍‌କୁ ମାନ୍ଦାବସ୍ଥାରୁ ଉଦ୍ଧାର କରିବା ପାଇଁ ଏହାର ଗଚ୍ଛିତ ଲୁହା ପଥର ବିକ୍ରି କରିବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଏବେ ବଜାରରେ ଇସ୍ପାତ ଦର ଟନ୍‌ ପିଛା ୪୦ ହଜାର ଟଙ୍କା। ଲୁହା ପଥର ଦର ଟନ୍‌ ପିଛା ୪-୫ ହଜାର ଟଙ୍କା।