Advertisment

କୋରାପୁଟର ‘କଳାବତୀ’ ଗଲା ଆସାମ, ଯେଉଁଥିରେ ରହିଛି ବହୁ ଔଷଧୀୟ ଗୁଣ

୪ ଚକିଆ ଗାଡ଼ିରେ ୫୨ କ୍ଵିଣ୍ଟାଲ କଳାବତୀ ଧାନ ଆସାମର ହର୍ଟିକଲ୍ଚରାଲ ରିସର୍ଚ୍ଚ ଷ୍ଟେସନ ଓ ଆସାମ କୃଷି ବିଶ୍ୱବିଦ୍ୟାଳୟକୁ ଯାଇଛି। ଜିଲ୍ଲାର ଜୈବିକ ଶ୍ରୀ ଫାର୍ମସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ ପକ୍ଷରୁ ଏହି ଧାନ ପଠା ଯାଇଛି।

author-image
Manoranjan Sial
Black Miracle Rice

Black Miracle Rice

କଳାବତୀ ଚାଉଳରେ ରହିଛି କ୍ୟାନସର ଓ ମଧୁମେହ ଭଳି ରୋଗକୁ ରୋକିବାର ଶକ୍ତି। ଏହାଛଡ଼ା ଏହି ଚାଉଳରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ। ଏହି ଧାନ ଏବେ କୋରାପୁଟ ଜିଲ୍ଲାରେ ପ୍ରଚୁର ପରିମାଣରେ ହେଉଛି। ଓଡ଼ିଶାର ଗୌରବ ବହନ କରୁଥିବା ଏହି ଧାନ ଏବେ ଆସାମ ଯାଉଛି।

Advertisment

୪ ଚକିଆ ଗାଡ଼ିରେ ୫୨ କ୍ଵିଣ୍ଟାଲ କଳାବତୀ ଧାନ ଆସାମର ହର୍ଟିକଲ୍ଚରାଲ ରିସର୍ଚ୍ଚ ଷ୍ଟେସନ ଓ ଆସାମ କୃଷି ବିଶ୍ୱବିଦ୍ୟାଳୟକୁ ଯାଇଛି। ଜିଲ୍ଲାର ଜୈବିକ ଶ୍ରୀ ଫାର୍ମସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ ପକ୍ଷରୁ ଏହି ଧାନ ପଠା ଯାଇଛି। ଜିଲ୍ଲାପାଳ ଅବଦୁଲ ଏମ୍‌ ଅଖତର ସବୁଜ ପତାକା ଦେଖାଇ ଧାନ ଗାଡିର ଶୁଭାରମ୍ଭ କରିଛନ୍ତି।

କଳାବତୀ ଧାନକୁ ନେଇ ପ୍ରଡ୍ୟୁସର୍‌ କମ୍ପାନୀର ସିଇଓ ମୂରଲୀଧର ଅଧିକାରୀ କହିଛନ୍ତି, ଜିଲ୍ଲାର ବୋରିଗୁମ୍ମା, ଜୟପୁର, କୋଟପାଡ଼ ଓ ଦଶମନ୍ତପୁର ଅଞ୍ଚଳର କିଛି ଚାଷୀଙ୍କୁ କମ୍ପାନୀ ପକ୍ଷରୁ ବିହନ ଦେଇ ଚାଷ ପାଇଁ ପ୍ରୋତ୍ସାହନ କରାଯାଇଥିଲା। ସେମାନେ ଚାଷ କରି ଏହାର ବିହନ ପ୍ରସ୍ତୁତ କରିଛନ୍ତି। ଯାହାକୁ କମ୍ପାନୀ ପକ୍ଷରୁ କ୍ରୟ କରାଯାଇ ଆସାମକୁ ପଠା ଯାଇଛି।

Advertisment

କମ୍ପାନୀର ଏମ୍‌ଡି ତଥା ଚାଷୀ ସୁରେନ୍ଦ୍ର ମସ୍ତି କହିଛନ୍ତି, ତାଙ୍କ ନିକଟରେ ବହୁ ପାରମ୍ପରିକ ଧାନ ବିହନ ରହିଛି। କିଛି ଚାଷୀଙ୍କୁ ପ୍ରୋତ୍ସାହନ ଦେଇ ଚାଷ କରାଯାଉଛି। କୋରାପୁଟର ଧାନ ଅନ୍ୟ ରାଜ୍ୟରେ ଆଦୃତ ହେବା ନିହାତି ଭାବେ ଗର୍ବର ବିଷୟ। କଳାବତୀ ଧାନକୁ କଳାବଇଁଶୀ ବୋଲି କୁହାଯାଏ।

ଜିଲ୍ଲାର କୋଟପାଡ଼, ବୋରିଗୁମ୍ମା, ଜୟପୁର ଓ ଦଶମନ୍ତପୁର ଅଞ୍ଚଳରେ ଉତ୍ପାଦିତ ହେଉଥିବା କଳା ଚାଉଳରେ ରହିଛି କ୍ୟାନସର ଓ ମଧୁମେହ ଭଳି ରୋଗ ରୋକିବାର ଶକ୍ତି। ଏହି ଚାଉଳରେ ଅଛି ପ୍ରଚୁର ଆଣ୍ଟି ଅକ୍ସିଡେଣ୍ଟ, ଯାହାକି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ। ମଧୁମେହ ଓ ବାର୍ଦ୍ଧକ୍ୟ ଜନୀତ ରୋଗର ମୁକାବିଲା କରିବା କ୍ଷମତା ମଧ୍ୟ ରହିଛି ଏହି ଚାଉଳର। ହେଲେ ଆଶ୍ଚର୍ଯ୍ୟର କଥା ଏହି କଳା ଧାନ କୋରାପୁଟରେ ଉତ୍ପାଦନ ହେଉଥିଲେ ମଧ୍ୟ ଚାଉଳକୁ ବିକ୍ରି କରିବା ପାଇଁ ଉପଯୁକ୍ତ ବଜାର ନାହିଁ।

ସେହିପରି ଚାଷୀର ମନୋବଳକୁ ବଢାଇବା ପାଇଁ କୌଣସି ସରକାରୀ ପ୍ରୋତ୍ସାହନ ବ୍ୟବସ୍ଥା ନାହିଁ। ଫଳରେ ଏହି ଧାନ ଚାଷ କରୁଥିବା ଚାଷୀ ଅଧିକ ଲାଭବାନ ହୋଇପାରୁ ନାହାନ୍ତି। ପ୍ରଥମତଃ ଏହା ଅଧିକ ଅମଳକ୍ଷମ ହୋଇ ନଥିବା ବେଳେ ବିକ୍ରି ପାଇଁ ବଜାର ନଥିବାରୁ ଏହି ଧାନ ଓ ଚାଉଳର ପ୍ରଚାର ଓ ପ୍ରସାର ଠିକ୍‌ ଭାବରେ ହୋଇପାରୁ ନାହିଁ। କଳାବତୀ ବା କଳାବଇଁଶୀ ଏକ ପୁରୁଣା ଦେଶୀୟ ଧାନ। ଏହି ଧାନ ଏକର ପିଛା ୧୦ କ୍ୱିଣ୍ଟାଲ ଅମଳ ହୋଇଥାଏ। ଆର୍ନ୍ତଜାତୀୟ ବଜାରରେ ଏହାର ଚାହିଦା ବେଶ ରହିଛି।

ରିପୋର୍ଟ-କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Koraput Black Miracle Rice