ଦେବେନ୍ଦ୍ର ପୃଷ୍ଟି
ଜଳର ଅନ୍ୟ ନାମ ଜୀବନ। ଜୀବନ ପାଇଁ ଜଳର ଆବଶ୍ୟକତା କେତେ ତାହା କାହାକୁ ବୁଝେଇବା ଦରକାର ନାହିଁ। ଖାଦ୍ୟ ନଖାଇ ମଧ୍ୟ ଜଣେ ଲୋକ ସପ୍ତାହେ ପକ୍ଷେ ବଂଚିପାରେ। କିନ୍ତୁ ତିନି ଚାରି ଦିନ ଜଳ ନପିଇଲେ ଦେହ ଖରାପ ହୋଇପାରେ। ଦେହର ଜଳୀୟ ଅଂଶ ଶେଷ ହୋଇଗଲେ ମରଣ ନିକଟରେ ପହଂଚିଯାଇପାରେ। ମହାତ୍ମା ଗାନ୍ଧୀଙ୍କଠୁଁ ଆରମ୍ଭ କରି ଆନ୍ନା ହଜାରେଙ୍କ ପର୍ଯ୍ୟନ୍ତ ଅନେକ ମହାପୁରୁଷ ଦେଶ ଓ ଜାତି ପାଇଁ ଅନଶନ କରିବା ସମୟରେ ଖାଦ୍ୟ ବର୍ଜନ କରୁଥିଲେ ମଧ୍ୟ ଜଳ ବର୍ଜନ କରୁ ନଥିଲେ। ମଣିଷ ଶିଶୁ ଜନ୍ମ ହେବା ପରେ ପରେ ଆଗ ପ୍ରଶ୍ୱାସରେ ଅମ୍ଳଯାନ ଗ୍ରହଣ କରେ, ତା’ପରେ ମା’ କ୍ଷୀର। ମା’ କ୍ଷୀର ତରଳ, ଠିକ ଜଳ ପରି। ସେଥିରୁ ଶିଶୁ ପୁଷ୍ଟି ପାଏ, ଜଳ ବି ପାଏ। ଦିନଟିଏ ମା’ କ୍ଷୀର ନପିଇଲେ ଶିଶୁର ମୃତ୍ୟୁ ହୋଇଯାଇପାରେ। କାରଣ ତା’ ଦେହର ଜଳୀୟ ଅଂଶ ଶୁଖିଯାଏ।
ଏବେ କିନ୍ତୁ ଏହି ଜଳ ହୋଇଯାଇଛି ଜହର। ସହରରୁ ଆରମ୍ଭ କରି ଗାଁ ଗହଳ ଯାଏଁ ଜଳସୂତ୍ର ସବୁ ପ୍ରଦୂଷିତ। ଲୋକମାନେ ନିତିପ୍ରତି ଜଳ ନାଁରେ ଜହର ପିଉଥିଲେ ବି ସଚେତନ ନୁହନ୍ତି, ପ୍ରତିବାଦ କରନ୍ତି ନାହିଁ, ସହି ଯାଆନ୍ତି। ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗେଇବାର ସଂକଳ୍ପ ଗ୍ରହଣ କରିଥିବା ସରକାର ବି ଲୋକଙ୍କ ଅଜ୍ଞାନତାର ସୁଯୋଗ ନେଇ ଗାଲେଇ ଯାଆନ୍ତି, ପ୍ରତିକାର କରନ୍ତି ନାହିଁ। ସେଥିପାଇଁ ବିଷାକ୍ତ ଜଳ ପିଇପିଇ ଲୋକମାନଙ୍କୁ ନାନାଦି ରୋଗ ଯନ୍ତ୍ରଣା ଭୋଗ କରିବାକୁ ପଡ଼ୁଛି। ଦେହ ଓ ମନ ଅସୁସ୍ଥ ରହୁଛି। କହିବାକୁ ଗଲେ ସାରା ଜୀବନ ରୁଗ୍ଣ କିମ୍ବା ରୋଗ-ପ୍ରବଣ ରହୁଛି।
ଗାଁ କଥା ଛାଡ଼ନ୍ତୁ। ସବୁ ଗାଁରେ ତ ପାଇପ ଜଳ ବ୍ୟବସ୍ଥା ନାହିଁ। ଲୋକମାନେ କୂଅ, ପୋଖରୀ, ନଈ ଓ ନଳକୂପରୁ ଜଳ ପିଅନ୍ତି। ଖୋଲା ଜଳସୂତ୍ର ପ୍ରଦୂଷିତ ଓ ଅନେକ ଅଂଚଳରେ ଭୂତଳ ଜଳ ମଧ୍ୟ ପ୍ରଦୂଷଣରୁ ବାଦ ପଡ଼ିନାହିଁ। ରାସାୟନିକ ସାର ଓ କୀଟନାଶକ ସହିତ ଆଧୁନିକ ବିକାଶର ସହଜାତ ଆବର୍ଜନା ଯୋଗୁଁ ଗାଁ ଓ ସହରର ପ୍ରାୟ ସମସ୍ତ ଜଳସୂତ୍ରରେ ପ୍ରଚୁର ପରିମାଣରେ ଜହର ମିଶିସାରିଛି। ସମସ୍ତେ ବିନା ଦ୍ୱିଧାରେ ସେହି ଜଳ ପିଇଚାଲିଛନ୍ତି।
ଗାଁ ଲୋକ ଭାବୁଛନ୍ତି ସହରବାସୀ ପିଉଥିବା ଜଳ ଶୁଦ୍ଧ ଓ ନିର୍ମଳ। କାରଣ ସରକାର ପ୍ରାୟ ସବୁ ସହରରେ ପାଇପ ଜଳର ବ୍ୟବସ୍ଥା କରିଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗ କିମ୍ବା ପୌରସଂସ୍ଥା ଜରିଆରେ ଛୋଟରୁ ଆରମ୍ଭ କରି ବଡ଼ ବଡ଼ ସହର ଯାଏଁ ସବୁଠି ପାଇପ ଜଳ ଯୋଗେଇ ଦିଆଯାଏ। ମାତ୍ର, ସେଇ ପାଇପ୍ରେ ଆସୁଥିବା ଜଳ ଯେ ସଂପୂର୍ଣ୍ଣ ଶୁଦ୍ଧ ନୁହେଁ ଏବଂ ମଣିଷ ଜୀବନ ପ୍ରତି କ୍ଷତିକାରକ ତାହା ଏବେ ଜଣାପଡ଼ିଛି। ଏହା ଜଣେଇଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ। ଏ ସଂକ୍ରାନ୍ତରେ ସେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଦେଶର ୨୦ଟି ସହରର ପାଇପ୍ ଜଳର ମାନ ଭାରତ ସରକାରଙ୍କ ମାନକ ଅନୁସାରେ ଉପଯୁକ୍ତ ନୁହେଁ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଅନୁଧ୍ୟାନ ପାଇଁ ଦେଶର ୨୧ଟି ସହରର ଟ୍ୟାପ୍ ପାଣିର ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ କେବଳ ମୁମ୍ବାଇର ଟ୍ୟାପ୍ ପାଣି ଶୁଦ୍ଧ ପ୍ରମାଣିତ ହୋଇଛି। ବାକି ୨୦ ସହରର ଟ୍ୟାପ ପାଣି ସ୍ୱାସ୍ଥ୍ୟକର ନୁହେଁ। ଏସବୁ ସହର ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀ, ପୁରାତନ ରାଜଧାନୀ କୋଲକାତା ଓ ଦକ୍ଷିଣର ସାଂସ୍କୃତିକ ରାଜଧାନୀ ଚେନ୍ନାଇ ଅନ୍ତର୍ଭୁକ୍ତ। ସେହିପରି ଚଣ୍ଡିଗଡ଼, ତିରୁବନନ୍ତପୁରମ, ପାଟନା, ଲକ୍ଷ୍ନୌ, ଭୋପାଳ, ଗୁଆହାଟି, ବେଙ୍ଗାଲୁର, ଗାନ୍ଧୀନଗର, ଡେରାଡୁନ, ଜାମ୍ମୁ ଓ ଜୟପୁରର ଟ୍ୟାପ ପାଣି ମଧ୍ୟ ପିଇବା ଯୋଗ୍ୟ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ହାଇଦ୍ରାବାଦ, ଭୁବନେଶ୍ୱର, ଶିମଳା, ରାଞ୍ଚି, ରାୟପୁର ଓ ଅମରାବତୀ ସହରର ଟ୍ୟାପ ପାଣିର ସବୁଯାକ ନମୁନା ମଧ୍ୟ ଶୁଦ୍ଧ ବୋଲି ଜଣାପଡ଼ି ନାହିଁ। ଏସବୁ ସହରର ଏକାଧିକ ନମୁନା ଭାରତୀୟ ମାନକ ପୂରଣ କରୁନଥିବା ଧରାପଡ଼ିଛି। ତେବେ ଅନ୍ୟ ରାଜଧାନୀ ସହରଗୁଡ଼ିକର ଟ୍ୟାପ ପାଣି ତୁଳନାରେ ଏ ଛଅଟି ସହରର ଟ୍ୟାପ ପାଣି ମାନ ଟିକେ ଭଲ। ଆସନ୍ତା ବର୍ଷ ସୁଦ୍ଧା ଦେଶର ଅନ୍ୟ ସମସ୍ତ ରାଜ୍ୟ ରାଜଧାନୀ ଓ ଜିଲ୍ଲା ସଦର ମହକୁମାଗୁଡ଼ିକର ପାନୀୟ ଜଳ ମାନ ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ପ୍ରଚଳିତ ବ୍ୟବସ୍ଥା ଅନୁସାରେ ସରକାର ସହର ନିକଟସ୍ଥ ନଦୀରୁ ଜଳ ସଂଗ୍ରହ କରି ତାହାକୁ ବିଶୋଧିତ କରି ଲୋକମାନଙ୍କୁ ପାଇପ ଯୋଗେଇ ଯୋଗାଇଥାଆନ୍ତି। କୌଣସି କୌଣସି ଅଂଚଳରେ ଗଭୀର ନଳକୂପରୁ ମଧ୍ୟ ପାଣି ଉଠେଇ ବଡ଼ ବଡ଼ ଉଚ୍ଚ ଟାଙ୍କିରେ ରଖି ଲୋକଙ୍କୁ ପାଇପ ଯୋଗେ ଦିଆଯାଇଥାଏ। ଏସବୁ ଜଳ ବିଶୋଧିତ ଓ ସ୍ୱାସ୍ଥ୍ୟ ପାଇଁ ହିତକାରକ ବୋଲି ସରକାର ବିଶ୍ୱାସ ଜନ୍ମାଇ ଥାଆନ୍ତି। ଏବେ ଏସବୁ ଜଳ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ ନୁହେଁ ବୋଲି ମନ୍ତ୍ରୀ କହିବା ପରେ ରାଜ୍ୟ ସରକାରଗୁଡ଼ିକ ଏ ଦିଗରେ ଯେତେ ପଦକ୍ଷେପ ଗ୍ରହଣ କରିବା କଥା ତା’ଠାରୁ ସହରବାସୀମାନେ ଅଧିକ ଚିନ୍ତା ପ୍ରକଟ କରିବା ଉଚିତ। ଅନେକ ସହରବାସୀ ଅବଶ୍ୟ ବହୁ ପୂର୍ବରୁ ବୁଝିଛନ୍ତି ଯେ ସରକାର ଦେଉଥିବା ପାଇପ ଜଳ ଶୁଦ୍ଧ କି ସ୍ୱାସ୍ଥ୍ୟପ୍ରଦ ନୁହେଁ। ସେଥିପାଇଁ ସେମାନେ ଆକ୍ୱାଗାର୍ଡ଼ ପରି ଜଳ ବିଶୋଧନ ଯନ୍ତ୍ର ଲଗେଇଛନ୍ତି। ଆଜିକାଲି ଗାଁ ଗହଳର ଅନେକ ବିତ୍ତଶାଳୀ ଲୋକ ମଧ୍ୟ ନିଜ ଘରେ ଆକ୍ୱାଗାର୍ଡ଼ ଲଗେଇଲେଣି।
ଆକ୍ୱାଗାର୍ଡ଼ ମାଗଣା ନୁହେଁ। ଏହାର ଦାମ୍ ୮-୧୦ ହଜାରରୁ ଆରମ୍ଭ କରି ପ୍ରଯୁକ୍ତି ଓ ପରିମାଣ କ୍ଷମତା ଅନୁସାରେ ୨୦ ହଜାର ଟଙ୍କା ଟପିପାରେ। ସେଥିରେ ପୁଣି ପ୍ରତିବର୍ଷ ଦୁଇ ଦୁଇ ଥର ବିଶୋଧନକାରୀ ସିଲିଣ୍ଡର ବଦଳାଇବାକୁ ପଡ଼େ। ଅନେକ ସହରର ପାଇପ ଜଳରେ ଲୌହ ଅଂଶ ଅଧିକ ଥିବାରୁ ଆକ୍ୱାଗାର୍ଡ଼ କମ୍ପାନୀ ଅଲଗା ସିଲିଣ୍ଡର ଲଗାଇବାକୁ ପରାମର୍ଶ ଦେଲାଣି। ଲୋକେ ବି ଲଗେଇଲେଣି। ଆକ୍ୱାଗାର୍ଡ଼ ଯନ୍ତ୍ର ପବନରେ ଚାଲେ ନାହିଁ। ସେଥିପାଇଁ ବିଦ୍ୟୁତ ଖର୍ଚ୍ଚ ପଡ଼େ। ପାଇପ ଜଳ ପାଇଁ ବି ସରକାର କର ଆଦାୟ କରନ୍ତି। ଆଜିକାଲି ଘରେ ଘରେ ଜଳ ମିଟର ବସେଇବାକୁ ସରକାର ଚିନ୍ତା କଲେଣି।
ଏହି ପ୍ରକାରେ ପ୍ରକୃତି ମଣିଷକୁ ଦେଇଥିବା ମାଗଣା ଜଳ ଏକ ବିକ୍ରିଯୋଗ୍ୟ ବସ୍ତୁରେ ପରିଣତ ହୋଇଗଲାଣି। ଏହା ଏବେ ଏକ ଲାଭଜନକ ବ୍ୟବସାୟ। ବଜାରରୁ ଏବେ ବିଶୁଦ୍ଧ ଜଳ ଲିଟରେ କିଣିଲେ ହାରାହାରି ୨୦ ଟଙ୍କା ଦେବାକୁ ପଡ଼ୁଛି। ଡାକ୍ତରମାନଙ୍କ ଅନୁସାରେ ବୟସ୍କ ବ୍ୟକ୍ତିମାନଙ୍କର ଦିନକୁ ପାନୀୟ ଜଳ ଆବଶ୍ୟକତା ହେଉଛି ହାରାହାରି ୪ ଲିଟର। ଘରେ ଯଦି ୪ ଜଣ ଲୋକ ଥଆନ୍ତି ତେବେ ଦିନକ ପାନୀୟ ଜଳ ଆବଶ୍ୟକତା ହେଉଛି ୧୬ ଲିଟର। ଏହାକୁ ବଜାରରୁ କିଣି ପିଇଲେ ୩୨୦ ଟଙ୍କା ଲାଗେ। ଏ ହିସାବରେ ପରିବାରର ମାସିକ ଜଳ ଖର୍ଚ୍ଚ ହେବ ୯,୬୦୦ ଟଙ୍କା। ସହରର କେତେ ବାସିନ୍ଦା କେବଳ ଜଳ ବାବଦରେ ମାସକୁ ଏତେ ଟଙ୍କା ଖର୍ଚ୍ଚ କରିପାରିବେ? ପାଇପ ପାଣିକୁ ଆକ୍ୱାଗାର୍ଡ଼ରେ ବିଶୋଧିତ କରି ବ୍ୟବହାର କଲେ ଖର୍ଚ୍ଚ ଟିକେ କମ୍ ପଡ଼େ। ତେବେ ତାହା ମାଗଣା ନୁହେଁ।
ଜଳସୂତ୍ର ସବୁ ନଷ୍ଟ ହେଲା କିପରି? ସରକାର ଓ ସରକାରଙ୍କୁ ପ୍ରଭାବିତ ଓ ନିୟନ୍ତ୍ରିତ କରୁଥିବା ଶିଳ୍ପପତି ଓ ବ୍ୟବସାୟୀ ଗୋଷ୍ଠୀଙ୍କ ଦ୍ୱାରା ପ୍ରଚାରିତ ବିକାଶ ଓ ସମୃଦ୍ଧିର ପ୍ରକ୍ରିୟା ହିଁ ଜଳକୁ ଜହରରେ ପରିଣତ କରିଚାଲିଛି। ସହରବାସୀଙ୍କ ମଳ ନଦୀ, ନାଳ ପୋଖରୀ ଇତ୍ୟାଦିରେ ପଡ଼ୁଛି। କିଛି ଦିନ ତଳେ ମହାନଦୀ ଥିଲା ଓଡ଼ିଶା ସରକାର ଓ ଶାସକ ଦଳ ପାଇଁ ଏକ ବଡ଼ ରାଜନୀତିକ ପ୍ରସଙ୍ଗ। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ବହୁ ଦଳର ବହୁ ନେତା ‘ମହାନଦୀ ଆମର ମା’ ବୋଲି କହୁଥିଲେ। ଏଇ ମା’ ଦେହରେ କିନ୍ତୁ ସହରବାସୀଙ୍କ ମଳ ପ୍ରତିଦିନ ଡ୍ରେନ ଜରିଆରେ ନିଷ୍କାସିତ କରାଯାଉଛି। ସମ୍ବଲପୁରବାସୀଙ୍କ ମଳ କଟକବାସୀ ପିଉଛନ୍ତି ଓ କଟକବାସୀଙ୍କ ମଳ କେନ୍ଦ୍ରାପଡ଼ାବାସୀ ପିଉଛନ୍ତି। କେବଳ ସହରବାସୀଙ୍କ ମଳ ନୁହେଁ, ଅନେକ ଶିଳ୍ପର ଆବର୍ଜନା ପାଣି ମଧ୍ୟ ନଦୀରେ ଅବିଚାରିତ ଭାବେ ଛାଡ଼ି ଦିଆଯାଉଛି। ଏହା ଦ୍ୱାରା ଜଳରେ ନାନାଦି ବିଷାକ୍ତ ରସାୟନ ମିଶୁଛି। ତା’ଛଡ଼ା ନଦୀ ଅବବାହିକାର ଚାଷଜମିରେ ପ୍ରୟୋଗ ହେଉଥିବା ରାସାୟନିକ ସାର ଓ କୀଟନାଶକ ମଧ୍ୟ ବର୍ଷାଦିନେ ଧୋଇହୋଇ ନଦୀରେ ମିଶୁଛି। ଏଭଳି ଅନେକ ବିକାଶ ଧନ୍ଦାରେ ନଦୀ ଓ ଅନ୍ୟାନ୍ୟ ଜଳସୂତ୍ରଗୁଡ଼ିକ ପ୍ରଦୂଷିତ ହୋଇଚାଲିଛି।
ଏଭଳି ଏକ ସଙ୍ଗୀନ ବିଷୟରେ ଚିନ୍ତା କରିବାର ବେଳ ଆଖର ହୋଇନାହିଁ କି? ଲୋକମାନେ କାହିଁକି ସରକାରଙ୍କୁ କର ଓ ବେପାରୀଙ୍କୁ ଦର ଦେଇ ଜହର କିଣି ପିଉଛନ୍ତି? କେତେ ଦିନ ସେମାନ ନିଜ ଦେହର ଦାୟିତ୍ୱ ସରକାରଙ୍କ ଉପରେ ଛାଡ଼ିଦେବେ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।