ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ। ଏହି ପବିତ୍ର ଦିବସରେ ବୀର ପ୍ରସବା ଉତ୍କଳ ମାଟିର ଜନ୍ମ ଗ୍ରହଣ କରିଥିଲେ ୨ ବୀର ସନ୍ତାନ। ଚନ୍ଦନ ହଜୁରୀ ଆଉ ଚକାରା ବିଶୋଇ। ଉଭୟଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ କିଛି।
ଚନ୍ଦନ ହଜୁରୀ
୧୮୨୭ ମସିହା ଶାମ୍ବ ଦଶମୀ ତିଥିରେ ପୁରୀର ହରଚଣ୍ଡୀ ସାହିରେ ପିତା ରଘୁନାଥ ଖୁଣ୍ଟିଆ(ଭୀମସେନ ହଜୁରୀ) ଓ କମଳାବତୀ ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ଚନ୍ଦନ ହଜୁରୀ ଓରଫ୍ ଚାଖି ଖୁଣ୍ଟିଆ। ପିତା ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗଲାଗି ସେବକ। ମହାପ୍ରଭୁଙ୍କ ସେବାରେ ଥିବା ବେଳେ ଏହି ପବିତ୍ର ଦିନରେ ଘରୁ ଖବର ପହଞ୍ଚିଲା, ପୁଅଟିଏ ହେଉଛି। ଶ୍ରୀମନ୍ଦିରରେ ସେ ସମୟରେ ମହାପ୍ରଭୁଙ୍କ ଚନ୍ଦନ ଲାଗି ଚାଲିଥାଏ। ଦୀର୍ଘଦିନର ପ୍ରତୀକ୍ଷା ପରେ ଘରେ ପୁଅଟିଏ ହୋଇଛି ଆଉ ଏଇ ଖବର ଶୁଣି କାନ୍ଦି ପକାଇଲେ ଭୀମସେନ। ପୁଅ ମୁହଁ ଦେଖିବା ଆଗରୁ ନାମକରଣ ସରିଗଲା, ନାଁ ହେଲା ‘ଚନ୍ଦନ’। ଆଉ ଏଇ ନାଁରେ ପ୍ରସିଦ୍ଧ ହେଲେ ଚନ୍ଦନ ହଜୁରୀ।
ପିଲାଟିବେଳୁ ବଡ଼ ବିଚକ୍ଷଣ ଥିଲେ ଚନ୍ଦନ। କିଏ କୁହେ ସେ କୁଆଡେ ଛୁରୀ ଭଳୀ ତୀକ୍ଷ୍ନ ବୁଦ୍ଧିର ଅଧିକାରୀ ଥିଲେ, ପୁଣି କିଏ କୁହେ ଆନନ୍ଦ ବଜାର ବୁଲିବୁଲି ମହାପ୍ରସାଦ ଚାଖି ଚାଖି ଖାଇ ଦେଉଥିଲେ ସେ। ଆଉ ଏଇ କାରଣରୁ ଲୋକମତରେ ତାଙ୍କ ନାଁ ପଡିଗଲା ଚାଖି। ସମସ୍ତେ ଡାକିଲେ ଚାଖି ଖୁଣ୍ଟିଆ।
ମହାପ୍ରଭୁଙ୍କ ସେବା ସହ ଉତ୍କଳ ଜନୀନଙ୍କ ସେବା ଥିଲା ତାଙ୍କ ଜୀବନର ବ୍ରତ। ସେତେବେଳେ ଦେଶ ପରାଧୀନ ଥାଏ। ଇଂରେଜ ଶାସନାଧିକ ରାଜ୍ୟରେ ଗଜପତିଙ୍କ କର୍ତ୍ତୃତ୍ୱ ବିଶେଷ ନ ଥାଏ। ଖୋର୍ଦ୍ଧାଗଡ଼ ନହରଠୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସବୁ ଥାଏ ଇଂରେଜ ସରକାରଙ୍କ ନଜରରେ । ନିଜ ମାଟିରେ ନିଜକୁ କାହାର ନଜରବନ୍ଦି ରଖିବା ପସନ୍ଦ ଆସେନା ସ୍ୱାଧିନଚେତା ଚନ୍ଦନ ହଜୁରୀଙ୍କୁ । ବିଦ୍ରୋହର ରୂପ ନିଏ ଚାଖିଙ୍କ ଭାବନା। ସେ ପାଲଟି ଯାଆନ୍ତି ଇଂରେଜମାନଙ୍କ ଚିର ଶତ୍ରୁ।
ଚାଖୀଙ୍କ ପାଇଁ ମୁଣ୍ଡଜାମିନ୍ ଘୋଷଣା କରନ୍ତି ଇଂରେଜ ସରକାର। ହେଲେ କାଳିଆ କୃପାର ବିଚକ୍ଷଣ ଚାଖିଙ୍କୁ ଧରିବା ଇଂରେଜମାନଙ୍କ ପାଇଁ ଏକରକମ ଅସମ୍ଭବ କାର୍ଯ୍ୟ ହୋଇପଡେ। ସେ ଆଖିରେ ଧୂଳି ଦେଇ ଖସି ଯାଆନ୍ତି ଝାନ୍ସୀ। ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କ ଧର୍ମ ଭ୍ରାତା ହୋଇଥିବାରୁ ଝାନ୍ସିରେ ରାଣୀ ଲକ୍ଷ୍ମୀବାଈଙ୍କୁ ଯୁଦ୍ଧରେ ସାହାର୍ଯ୍ୟ କରି ଲେଉଟି ଆସନ୍ତି ପୁରୀ। ଦୀର୍ଘ ୧୨ ବର୍ଷ ପରେ ପତ୍ନୀଙ୍କୁ ଦେଇଥିବା କଥା ରକ୍ଷା କରନ୍ତି ସେ। ଶେଷ ପର୍ଯ୍ୟନ୍ତ ଇଂରେଜ ପୁଲିସ୍ ହାତରେ ଧରା ଦେଇ ନ ଥିବା ଏହି ମହାନ୍ ବୀରଙ୍କୁ ଆମର ଶ୍ରଦ୍ଧାଞ୍ଜଳି ।
ଚକରା ବିଶୋଈ
୧୮୨୩ ମସିହା ଶାମ୍ବ ଦଶମୀ ତିଥିରେ ଗଞ୍ଜାମ ଘୁମୁସର ତୋରାବଡିଠାରେ ଜନ୍ମ ଗ୍ରହଣ କରିଥିଲେ ପ୍ରଚଣ୍ଡ ସ୍ୱାଧୀନତା ସଂଗ୍ରାମୀ ଚକ୍ରଧର ବିଶୋଇ ଓରଫ୍ ଚକାରା ବିଶୋଇ। ଦେଶର ସ୍ୱାଧୀନତା ସଂଗ୍ରାମରେ ଉତ୍କଳ ଜନନୀଙ୍କ ଏହି ସୁଯୋଗ୍ୟ ସନ୍ତାନଙ୍କ ଭୂମିକା ଥିଲା ଅନସ୍ୱୀକାର୍ଯ୍ୟ। ଘୁମୁସରରେ ରାଜତ୍ୱ କରୁଥିବା ଭଞ୍ଜ ବଂଶୀୟ ରାଜାମାନଙ୍କ ବିଶ୍ୱସ୍ତ ଥିବା ଏହି ପରିବାରକୁ ସମ୍ପୁର୍ଣ୍ଣ ନିଶ୍ଚିହ୍ନ କରିବା ପରେ ବାଳକ ଚକରାଙ୍କୁ ଛାଡି ଦେଇଥିବା ଇଂରେଜ ସେନା ଯେ, ଦିନେ ଭୁଲ୍ କରିଥିଲା ତାହା ପରେ ପ୍ରମାଣିତ ହୋଇଥିଲା। କାରଣ ସେମାନେ ବାଳକ ଭାବି ଯେଉଁ ବାଳକୁ ଛାଡି ଦେଇଥିଲେ ସେ ପରବର୍ତ୍ତି ସମୟରେ ପାଲଟିଗଲା ସ୍ୱାଧୀନତାର ଅଗ୍ନି ସ୍ଫୁଲିଙ୍ଗ।
୮୩୨ ଖ୍ରୀଷ୍ଟାବ୍ଦ ବେଳକୁ ବୌଦ୍ଧରେ ଭଞ୍ଜ ବଂଶୀୟ ରାଜାଙ୍କ ରାଜତ୍ୱ ଥାଏ। ଏହି ସମୟରେ ଘୁମୁସର ରାଜ୍ୟ ପ୍ରତିଷ୍ଠା ହୁଏ। ମରହଟ୍ଟା, ମୋଗଲ, ଫରାସୀମାନଙ୍କ ଶାସନାଧିନ ହୋଇ ଶେଷରେ ଇଂରେଜମାନଙ୍କ ଦ୍ୱାରା ଶାସିତ ହୁଏ ଘୁମୁସର। ଓଡ଼ିଆଙ୍କ ସ୍ୱାଭିମାନ ଭୃଲୁଣ୍ଠିତ କରିବାକୁ ଗୋରା ସାହେବ ଚେଷ୍ଟା କରନ୍ତି। ୧୭୬୩ରେ ଆରମ୍ଭ ହୁଏ ସ୍ୱାଧୀନତା ପାଇଁ ଲଢ଼େଇ। ଶେଷରେ ୧୭୬୬ ଖ୍ରୀଷ୍ଟାଦ୍ଦରେ ମୋଗଲ ସମ୍ରାଟ ଶହାଆଲମ୍ଙ୍କ ସ୍ୱୀକୃତି ପରେ ଘୁମୁସର ମାଡ୍ରାସ୍ ପ୍ରେସିଡେନ୍ସିଭୁକ୍ତ ହୋଇ ଇଂରାଜ ଶାସନାଧିନ ହୁଏ। ସ୍ୱାଧୀନତାର ବହ୍ନି କୁହୁଳି ଉଠେ।
୧୮୩୬ ବେଳକୁ ଧନଞ୍ଜୟ ଭଞ୍ଜଙ୍କ ଶାସନାଧିନ ଘୁମୁସର ଇଂରେଜ ସରକାରଙ୍କୁ ରାଜସ୍ୱ ପଇଠ ନ କରି ବିଦ୍ରୋହ କରନ୍ତି। ଫଳସ୍ୱରୂପ ଗାଦିଚ୍ୟୁତ ହୁଅନ୍ତି ରାଜା। ସେନାପତି ଦୋହରା ବିଶୋଈ ନିଜ ବାଳୁତ ପୁଅ ଚକାରାଙ୍କୁ ନେଇ ଆନ୍ଦୋଳନ ଆଗକୁ ବଢାନ୍ତି। ୧୮୩୫ରୁ ୧୮୩୭ ପର୍ଯ୍ୟନ୍ତ ଏହି ଦୁଇ ପିତାପୁତ୍ର ଇଂରେଜ ସରକାରଙ୍କ ପ୍ରଭୂତ କ୍ଷତି ଘଟାନ୍ତି। ରକ୍ତାକ୍ତ ସଂଘର୍ଷ ହୁଏ। ଇଂରେଜଙ୍କ ଗୁଳି ଗୋଳା ବନ୍ଧୁକ ଆଗରେ ଦୋହରାଙ୍କ ଧନୁ ତୀର ତୁଚ୍ଛ ପଡେ। ସମ୍ପୁର୍ଣ୍ଣ ବିଶୋଈ ପରିବାରକୁ ନିଶ୍ଚିହ୍ନ କରିଦିଅନ୍ତି ଇଂରେଜ। ଛୋଟ ବାଳକ ଭାବି ଛାଡି ଦିଅନ୍ତି ଚକରାଙ୍କୁ। କିନ୍ତୁ ବିଦ୍ରୋହର ବହ୍ନି କୁହୁଳି ଉଠେ ଜୋର୍ରେ। ଚକାରଙ୍କ ନେତୃତ୍ୱରେ ଆନ୍ଦୋଳନ ତୀବ୍ର ହୁଏ। ଭାରତର ବଡଲାର୍ଟ ଲଡ୍ ଡେଲ୍ହାଉସି ମଧ୍ୟ ବିବ୍ରତ ହୋଇପଡନ୍ତି ଚକରାଙ୍କ ଆନ୍ଦୋଳନ ଲାଗି।
ଗରିଲା ଯୁଦ୍ଧର ସାହାରା ନିଅନ୍ତି ଚକରା। କିନ୍ତୁ ତାଙ୍କୁ ଧରିବା ଅସମ୍ଭବ ବୋଲି ସ୍ୱୀକାର କରେ ଇଂରେଜ ସେନା। ଶାକ୍ତ ଉପାସକ ହୋଇଥିବାରୁ ଜଙ୍ଗଲର ନିଭୃତ କନ୍ଦରରେ ରହି ସେ ଗରିଲା ଯୁଦ୍ଧ କରି ମା’ ମାଟିକୁ ମୁକ୍ତି କରିବାକୁ ଲାଗି ପଡନ୍ତି। ଶେଷ ପର୍ଯ୍ୟନ୍ତ ତାଙ୍କୁ ଇଂରେଜମାନେ ଧରିପାରନ୍ତି ନାହିଁ। ଏହି ମହାନ୍ ଯୋଦ୍ଧାଙ୍କ ଶେଷ ଜୀବନ ସମ୍ପର୍କରେ ଇତିହାସ ଆଜିବି ନୀରବ। ଏହି ମହାନ୍ ବରପୁତ୍ରଙ୍କୁ ଆମର ସଶ୍ରଦ୍ଧ ପ୍ରଣାମ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।