ଦିବ୍ୟାଙ୍ଗ ପିଲାଙ୍କ ମା’ ରେଣୁବାଳା

ଅନୁଗୋଳ (ବିରଜା ପ୍ରସାଦ ଦାଶ):  ନାଁ ରେଣୁବାଳା ସାହୁ। ଘର ଗଞ୍ଜାମ ଜିଲ୍ଲାରେ। ହେଲେ ସେ ରହନ୍ତି ଅନୁଗୋଳ ଜିଲ୍ଲା ତାଳଚେରର ବ୍ଳକ୍‌ ସାଉଥ୍ ବଲଣ୍ଡାରେ। ତାଙ୍କ ବାପା ଏମ୍‌ସିଏଲ୍‌ରେ ଚାକିରି କରୁଥିଲେ। ସେ ତାଳଚେରରେ ପାଠ ପଢ଼ିଛନ୍ତି। ପାଠପଢ଼ା ସରିଲା ପରେ ୨୦୦୧ ମସିହାରେ ସେ ଦିବ୍ୟାଙ୍ଗଙ୍କ ପାଇଁ କିଛି କରିବାକୁ  ଉଦ୍ୟମ ଆରମ୍ଭ କରିଥିଲେ। ଏଥିପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନର ସାହାଯ୍ୟ ମଧ୍ୟ ଲୋଡ଼ିଥିଲେ। ହେଲେ କିଛି ସହଯୋଗ ପାଇ ନଥିଲେ। ୨୦୦୧ ମସିହାରେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ତେବେ ସେ ଏଥିରେ ଭାଙ୍ଗି ନ ପଡ଼ି  ନିଜ କାର୍ଯ୍ୟରେ ଆଗେଇ ଚାଲିଲେ।  ୨୦୦୨ ମସିହାରେ ରେଣୁବାଳା ନିଜ ଉଦ୍ୟମରେ ବାପାଙ୍କ ନାଁରେ ଅନୁଗୋଳର ବଳରାମ ପ୍ରସାଦରେ ଦୃଷ୍ଟିବାଧିତ ତଥା ମୂକ ଓ ବଧିରମାନଙ୍କ ପାଇଁ ଏକ ସ୍କୁଲ୍ ପ୍ରତିଷ୍ଠା କଲେ। ସେତେବେଳେ ଏହି ସ୍କୁଲରେ ୨୨ ଜଣ ଦିବ୍ୟାଙ୍ଗ ପିଲା ସହ ୭ ଜଣ କର୍ମଚାରୀ ଥିଲେ। ଏବେ ଏହି ସ୍କୁଲ ଏକ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନରେ ପରିଣତ ହୋଇଛି।

ରେଣୁବାଳା କହିଛନ୍ତି, “ମୁଁ ଛୋଟ ବେଳୁ ସମାଜସେବା ପ୍ରତି ବହୁତ ଅନୁପ୍ରାଣିତ ଥିଲି। ଆଉ ମୋ ବାପାଙ୍କର ବି ଲକ୍ଷ୍ୟ ଥିଲା ଯେ ଆମେ ସବୁ ଭାଇଭଉଣୀ ସମସ୍ତଙ୍କ ସେବା କରୁ। ଯୁକ୍ତ ତିନି ପଢ଼ି ସାରିଲା ପରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ କୋର୍ସ କରିବାକୁ ବାପା କହିଥିଲେ। ଏହି ପାଠ ପଢ଼ିଲା ପରେ ଅନୁଗୋଳ ଜିଲ୍ଲାରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ କିଛି ଅନୁଷ୍ଠାନ ନଥିବାରୁ ଏଠି କିଛି କରିବାକୁ ଇଚ୍ଛା କରିଥିଲି। ଏହି ଅନୁଷ୍ଠାନ ଆରମ୍ଭ କରିବାକୁ ବହୁତ ବଡ଼ ବଡ଼ ଲୋକଙ୍କ ପାଖକୁ ଯାଇଥିଲି। ହେଲେ କେହି ମୋତେ ସହଯୋଗ କରି ନଥିଲେ। ମୁଁ ପ୍ରଥମେ ୨୨ ଜଣେ ଦୃଷ୍ଟିବାଧିତ, ମୂକ ଓ ବଧିର ପିଲାଙ୍କୁ ଆଣି ସ୍କୁଲ ଆରମ୍ଭ କରିଥିଲି।”

ଏହି ସ୍କୁଲ ଚଳାଇବାକୁ ରେଣୁବାଳାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଛି। ନିଜେ ଛେଳି ଗାଈଗୋରୁ ଭଳି ଗୃହପାଳିତ ପଶୁ ରଖି ସେମାନଙ୍କ ସେବା କରୁଥିଲେ। ସେଥିରୁ ଯାହା ଆୟ ହୁଏ ସେ ସ୍କୁଲ ପାଇଁ ଖର୍ଚ୍ଚ କରୁଥିଲେ। ଏହା ସହ ନିଜ ସ୍କୁଲ ପରିସରରେ ପନିପରିବା ଚାଷ କରି ପିଲାଙ୍କୁ ଖାଇବାକୁ ମଧ୍ୟ ଦେଉଥିଲେ। ବହୁ ଚେଷ୍ଟା ପରେ ୨୦୧୮ ମସିହାରେ ଏହି ସ୍କୁଲକୁ ସରକାରୀ ସହାୟତା ମିଳିଲା। ବର୍ତ୍ତମାନ ଏହି ସ୍କୁଲରେ ମୋଟ ୧୩୭ ଜଣ ଦିବ୍ୟାଙ୍ଗ ପିଲାମାନେ ପାଠ ପଢ଼ୁଛନ୍ତି। ସେଥିମଧ୍ୟରୁ ୮୦ ଜଣ ଛାତ୍ର ଓ ୪୭ ଜଣ ଛାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ଦୃଷ୍ଟିବାଧିତ ହୋଇଥିବା ବେଳେ ୫୨ ଜଣ କଥା କହି ପାରନ୍ତିନି କି ଶୁଣିପାରନ୍ତିନି। ସେହିପରି ସେହିଭଳି ୩୦ ଜଣ ମାନସିକ ବିକାରଗ୍ରସ୍ତ ପିଲା ମଧ୍ୟ ଅଛନ୍ତି। ରେଣୁବାଳାଙ୍କୁ ମିଶାଇ ୩୪ ଜଣ କର୍ମଚାରୀଙ୍କୁ ନେଇ ଏହି ସ୍କୁଲ ଚାଲିଛି।

ଏହି ବିଦ୍ୟାଳୟର କ୍ରାଫ୍ଟ ଶିକ୍ଷୟିତ୍ରୀ ଗୀତାଞ୍ଜଳି ନାୟକ କହିଛନ୍ତି, “ରେଣୁବାଳା ସାହୁ ପିଲାମାନଙ୍କ ସହ ଆମମାନଙ୍କୁ ବି ମାଆ ଭଳି ସ୍ନେହ କରନ୍ତି। ଏହି ସ୍କୁଲ ପାଇଁ ସେ ଲହୁଲୁହ ଢାଳି ପରିଶ୍ରମ କରିଛନ୍ତି। ପିଲାମାନେ ତାଙ୍କୁ ଛାଡ଼ି ରହିପାରନ୍ତି ନାହିଁ। ସେ ଦେଖାଇ ଦେଇଛନ୍ତି ଯେ ନାରୀ କୌଣସି ଗୁଣରେ ବି କମ୍ ନୁହେଁ। ଆମେ ତାଙ୍କଠାରୁ କିଛି ଶିକ୍ଷା କରିବା ଉଚିତ୍।”

ଏହି ସ୍କୁଲରେ ପଢୁଥିବା ଦିବ୍ୟାଙ୍ଗ ଛାତ୍ର ପର୍ଶୁରାମ ବେହେରା କହିଛନ୍ତି, “ସେ ମୋ ମା’ ଭଳି। ସେ ବହୁତ ସେବା କରିଛନ୍ତି। ଆମ ପାଠପଢ଼ା ଠାରୁ ଆରମ୍ଭ କରି ଦେହ ଖରାପ ପର୍ଯ୍ୟନ୍ତ ସବୁ କଥା ବୁଝନ୍ତି। ଦେହ ଖରାପ ହେଲେ ଡାକ୍ତରଖାନା ନେଇ ଯାଆନ୍ତି। ସେ ବହୁତ ହୃଦୟବାନ୍‌ ବ୍ୟକ୍ତି। ତାଙ୍କ ପାଖରେ ଥିଲେ ଘର କଥା କିଛି ମନେ ପଡ଼େ ନାହିଁ।”

ଏହି ସ୍କୁଲରେ ଦିବ୍ୟାଙ୍ଗ ପିଲାମାନଙ୍କୁ ସ୍ୱତନ୍ତ୍ର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଜରିଆରେ ଶିକ୍ଷା ଦିଆଯାଉଛି। ପିଲାମାନଙ୍କୁ ଖେଳ, ନାଚ, କ୍ରାଫ୍ଟ ଓ ଧନ୍ଦାମୂଳକ ଶିକ୍ଷା ମଧ୍ୟ ଦିଆଯାଉଛି। ସେହିଭଳି ମାନସିକ ବିକାରଗ୍ରସ୍ତ ପିଲାମାନଙ୍କୁ ଏଠାରେ ପାଠ ପଢ଼ାଯିବା ସହିତ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି। ଏହି ସ୍କୁଲ୍‌ ଏବେ ଜିଲ୍ଲାର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଭାବେ ମାନ୍ୟତା ପାଇଛି। ରେଣୁବାଳା ଆଜି ବି ସ୍କୁଲର ଉନ୍ନତି ପାଇଁ ପନିପରିବା ଚାଷ ସହ ଗୋପାଳନ କରୁଛନ୍ତି। ସେ ସ୍କୁଲର ପିଲାମାନଙ୍କର ସେବା, ଯତ୍ନ, ଖାଦ୍ୟପେୟର ସମସ୍ତ କଥା ନିଜେ ପ୍ରତ୍ୟକ୍ଷ ଭାବେ ବୁଝିବା ସହ ସେମାନଙ୍କ ଦାୟିତ୍ୱ ନେଇଥା’ନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।