ଭାରତର ସବୁଠାରୁ ବଡ଼ ମେଳା, କ’ଣ ପାଇଁ ଆଉ କେବେଠୁ, ପଢନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ପ୍ରୟାଗରାଜଠାରେ ମକର ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଛି ଅର୍ଦ୍ଧକୁମ୍ଭ ମେଳା। ଗଙ୍ଗା, ଯମୁନା ଓ ଲୁପ୍ତ ସରସ୍ୱତୀଙ୍କ ଅପୂର୍ବ ସଙ୍ଗମସ୍ଥଳରେ ଚାଲିଛି ଭାରତର ସବୁଠାରୁ ବଡ଼ ମେଳା। ଆପଣ ମଧ୍ୟ ଏହି କୁମ୍ଭ ମେଳା ବିଷୟରେ ଶୁଣିଥିବେ। ହେଲେ କେବେ ଭାବିଛନ୍ତି, କ’ଣ ଏହି କୁମ୍ଭ ମେଳା, କ’ଣ ଏହାର ଆୟୋଜନର ରହସ୍ୟ। କ’ଣ ପାଇଁ ଗିରୀ କନ୍ଦରାରେ ତପସ୍ୟାରତ ସାଧୁ ଏଠାକୁ ଆସନ୍ତି ?

ତା ହେଲେ ଆସନ୍ତୁ ଜାଣିବା କୁମ୍ଭ ସମ୍ପର୍କରେ କିଛି ଜଣାଅଜଣା ତଥ୍ୟ।

ପୌରାଣିକ ଉପାକ୍ଷ୍ୟାନ୍‌: ଦେବତା ଓ ଅସୁରମାନେ ସମୁଦ୍ର ମନ୍ଥନ କରିବା ପରେ ଅମୃତ କଳସ ଉତ୍ପନ୍ନ ହୋଇଥିଲା। ଯାହାକୁ ଦେବରାଜ ଇନ୍ଦ୍ରଙ୍କ ପୁଅ ଲୁଚାଇ ନେଇ ପଳାଇଥିଲେ। ଦେବତାମାନେ ଏହା ଜାଣି ଅମୃତ କଳସ ତାଙ୍କ ହାତରେ ଲାଗିଥିବା ଜାଣି ଖୁସି ହେଉଥିବା ବେଳେ ଅସୁରମାନେ ଚିନ୍ତାରେ ପଡ଼ିଗଲେ। ଏଣୁ ଉଭୟ ଦେବତା ଓ ଅସୁରଙ୍କ ମଧ୍ୟରେ ଭୀଷଣ ଲଢେଇ ହେଲା। ଅମୃତ କଳସ ଛଡାଇ ଆଣିବାକୁ ଚଷ୍ଟା କରିବା ବେଳେ ଏହା ମଧ୍ୟରୁ ୪ ଟୋପା ପ୍ରୟାଗ, ହରିଦ୍ୱାର, ଉଜୈନ୍‌ ଓ ନାସିକଠାରେ ପଡିଥିଲା। ଦୀର୍ଘ ୧୨ ବର୍ଷ କାଳ ଦେବତା ଓ ଅସୁରଙ୍କ ମଧ୍ୟରେ ସଂଘର୍ଷ ପରେ ଭଗବାନ ବିଷ୍ଣୁ ମୋହୀନୀ ସ୍ୱରୂପ ନେଇ ଦେବତାଙ୍କୁ ଅମୃତ ପାନ କରାଇଥିଲେ।

ଉପରୋକ୍ତ ପୌରାଣିକ ଆକ୍ଷାନ୍ ମୁତାବିକ ପ୍ରତି ୧୨ ବର୍ଷରେ ଥରେ ମହାକୁମ୍ଭ ଆୟୋଜିତ ହୁଏ। ଉପରବର୍ଣ୍ଣିତ ସ୍ଥାନମାନଙ୍କରେ କୁମ୍ଭ ମେଳାର ଆୟୋଜନ ହୁଏ। ଚଳିତ ବର୍ଷ ଏହି ଉତ୍ସବ ପ୍ରୟାଗରାଜଠାରେ ଅନୁଷ୍ଠିତ ହେଉଛି। ସେହିପରି ପ୍ରତି ୬ ବର୍ଷରେ ଅର୍ଦ୍ଧକୁମ୍ଭ ଓ ପ୍ରତିବର୍ଷ କୁମ୍ଭ ମେଳା ଆୟୋଜିତ ହୋଇଥାଏ।

ଇତିହାସ: ଇତିହାସରେ ମଧ୍ୟ କୁମ୍ଭ ମେଳାର ବର୍ଣ୍ଣନ ରହିଛି। କୁହାଯାଏ ଆଦି ଶଙ୍କରାଚାର୍ଯ୍ୟ ଖ୍ରୀଷ୍ଟପୂର୍ବ ୫୦୭ରେ ଜନ୍ମଗ୍ରହଣ କରି ଅତି ବାଲ୍ୟକାଳରୁ ସନାତନ ଧର୍ମର ସୁରକ୍ଷା ପ୍ରତି ଯତ୍ନବାନ୍‌ ହୋଇଥିଲେ। ସେ ସମୟରେ ସମଗ୍ର ଭାରତରେ ବୌଦ୍ଧ ଧର୍ମର ପ୍ରାବଲ୍ୟ ରହିଥିଲା। ଯାହା ଫଳରେ ନିଷ୍ପ୍ରଭ ହୋଇ ପଡୁଥିଲା ସନାତନ ହିନ୍ଦୁ ଧର୍ମ। ଶେଷରେ ଶଙ୍କରାଚାର୍ଯ୍ୟ ଭାରତୀୟ ସନାତନ ଧର୍ମକୁ ସୁରକ୍ଷା ଦେବାକୁ ଐକ୍ୟ ସ୍ଥାପନର ଚିନ୍ତା କରି ଦେଶର ୪ଗୋଟି ଦିଗରେ ୪ଟି ଧାମ(ବଦ୍ରିନାଥ, ଦ୍ୱାରକା, ରାମେଶ୍ୱରମ୍‌ ଓ ପୁରୀ) ଓ ୪ଟି ମଠ ସ୍ଥାପନ କରିଥିଲେ। ଏହି ମଠମାନଙ୍କ ନେତୃତ୍ୱର ଆଖଡାଗୁଡିକା ପ୍ରତିଷ୍ଠା କରାଯାଇଥିଲା। ନାଗାସାଧୁମାନଙ୍କୁ ସଙ୍ଗଠିତ କରି ସେ ଦୁଇଟି ଗୋଷ୍ଠୀ ସୃଷ୍ଟି କରିଥିଲେ ଗୋଟିଏ ‘ଶାସ୍ତ୍ରୀ’ ଓ ଅନ୍ୟଟି ‘ଶସ୍ତ୍ରୀ’। ଶାସ୍ତ୍ରୀମାନଙ୍କ ଉପରେ ଧର୍ମ ପ୍ରଚାର, ଶାସ୍ତ୍ରାର୍ଥ ଓ ସାଧାରଣ ଲୋକଙ୍କୁ ସଚେତନ କରିବାର କାର୍ଯ୍ୟଟି ରହିଥିବା ବେଳେ ଶସ୍ତ୍ରୀମାନଙ୍କୁ ଅସ୍ତ୍ରଧାରଣ ଓ ଯୁଦ୍ଧବିଦ୍ୟା ସହ ମୋହ ପରିତ୍ୟାଗ କରି ସମାଜରେ ଧର୍ମ ସ୍ଥାପନ କପରି କରାଯିବ ତା’ର ବ୍ୟବସ୍ଥା ହୋଇଥିଲା। ଅତଏବ ଏହି ଶସ୍ତ୍ରୀ ପନ୍ଥୀ ସାଧୁମାନଙ୍କୁ ସମାଜ ସମ୍ମୁଖକୁ ଆସିବାର ଅବସର ପ୍ରଦାନ କରିବାକୁ କୁମ୍ଭମେଳାର ଆୟୋଜନ ହେଉଥିବା କିଛି ଗବେଷକ ମତ ଦିଅନ୍ତି। କାରଣ କୁମ୍ଭ ସମୟରେ ହିଁ ବିଭିନ୍ନ ସାଧୁ ସାହିସ୍ନାନ କରିବାକୁ ଆସି ସାଧାରଣ ଲୋକଙ୍କୂ ଆଶିର୍ବାଦ ଦେଇଥାନ୍ତି। ଆଉ ଏହି ସାଧୁମାନଙ୍କ ମଧ୍ୟରେ ପ୍ରମୁଖତଃ ରହିଥାନ୍ତି ‘ନାଗା ସାଧୁ’।

କିଏ ଏହି ନାଗା ସାଧୁ: ନାଗାସାଧୁମାନେ ହେଉଛନ୍ତି ଶଙ୍କରାଚାର୍ଯ୍ୟ ସୃଷ୍ଟ ଶସ୍ତ୍ରୀ ଶ୍ରେଣୀର ସାଧୁ। ଅଧିକାଂଶ ବସ୍ତ୍ରହୀନ ଓ ଦିଗମ୍ବର। ଏମାନେ ବିକାର ଶୂନ୍ୟ ଭାବେ କେବଳ ମୋକ୍ଷ କାମନା ଆଶାରେ ପର୍ବତ କନ୍ଦରରେ ତପସ୍ୟା କରନ୍ତି। ଭସ୍ମ ବା ପାଉଁଶ ବୋଳି ହେଉଥିବା ଏହି ପର୍ଯ୍ୟାୟର ସାଧୁମାନେ ଶୈବ ସମ୍ପ୍ରଦାୟର ବା ଶିବଙ୍କ ଭକ୍ତ। ଧର୍ମ ବିପତ୍ତି ଆସିଲେ ଏମାନେ ଶସ୍ତ୍ର ଉଠାନ୍ତି ବୋଲି କୁହାଯାଏ। ତେବେ ପ୍ରତ୍ୟେକ କୁମ୍ଭ ମେଳାର ଏହି ଧରଣର ସାଧୁମାନଙ୍କ ସ୍ୱତନ୍ତ୍ରତା ରହିଛି। ସାଧାରଣ ଲୋକେ ଏମାନଙ୍କ ଆଶିର୍ବାଦ ନେବାକୁ ଏଠାକୁ ଆସନ୍ତି।

ତା ହେଲେ ଆସନ୍ତୁ ଭେଟିବା ଚଳିତ ଅର୍ଦ୍ଧକୁମ୍ଭରେ ସାମିଲ ହୋଇଥିବା କିଛି ନିଆରା ନାଗା ସାଧୁଙ୍କୁ

ରୁଦ୍ରାକ୍ଷ ବାବା:  ଇଏ ହେଉଛନ୍ତି ରୁଦ୍ରାକ୍ଷ ବାବା, ଯିଏ କି ପୂରା କୁମ୍ଭରେ ଚର୍ଚ୍ଚାରେ ଅଛନ୍ତି। ଏହି ବାବାଙ୍କର ପ୍ରକୃତ ନାଁ ହେଉଛି  ଶିବଯୋଗୀ ମୌନୀ ମହାରାଜ। ଏହି ବାବାଙ୍କ ସ୍ୱତନ୍ତ୍ରତା ହେଉଛି କି  ଏହି ବାବା ୧୧ ହଜାର ରୁଦ୍ରାକ୍ଷର ମାଳା ଧାରଣ କରିଛନ୍ତି।  ଆଶ୍ୟର୍ଯ୍ୟର କଥା ହେଉଛି ଏହି ବାବା ଗୋଟିଏ ବି ରୁଦ୍ରାକ୍ଷ କିଣି ନାହାନ୍ତି। ତାଙ୍କୁ ଏ ସମସ୍ତ ରୁଦ୍ରାକ୍ଷ ଉପହାର ସ୍ୱରୂପ  ମିଳିଛି। ନିକଟରେ ନେପାଲ ନରେସ ବି ତାଙ୍କୁ ୧୬ ମୁଖୀ  ରୁଦ୍ରାକ୍ଷ ଭେଟ ଆକାରରେ ଦେଇଥିଲେ।  ମୌନୀ ମହାରାଜ ସଂକଳ୍ପ ନେଇଛନ୍ତି ଯେ, ସେ ୫୧ ହଜାର ରୁଦ୍ରାକ୍ଷ ଧାରଣ କରିବେ। ତାଙ୍କ ମତରେ ଶିବ ପୁରାଣ ଅନୁଯାୟୀ ଯିଏ ଏଇ ୧୧ ହଜାର ରୁଦ୍ରାକ୍ଷ ବିଦ୍ଧିବଦ୍ଧ ଭାବେ ଧାରଣ କରିବେ ତାଙ୍କ ଶିବଙ୍କ ରୁଦ୍ର ସ୍ୱରୂପ ଜ୍ଞାନ ଯାଏ। ସେଥିପାଇଁ  ସେ ଏହାକୁ ଧାରଣ କରିଛନ୍ତି।

ରାଧେ ବାବା: କୁମ୍ଭରେ ଆସିଥିବା ଏହି ବାବାଙ୍କ ନାଁ ହେଉଛି ରାଧେ ବାବା।  ସେ ଜୁନା ଆଖଡା ସହ ଜଡ଼ିତ।  ତାଙ୍କର ସବୁଠୁ ଖାସ୍‌ ବିଶେଷତ୍ୱ ହେଉଛି ସେ ୯ ବର୍ଷରୁ ନିଜ ହାତ ଉପରକୁ ଉଠାଇ ରଖିଛନ୍ତି।  ସେ ସଂକଳ୍ପ ନେଇଛନ୍ତି ଯେ,  ଯେବେ ପର୍ଯ୍ୟନ୍ତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନ ହୋଇଛି ସେ ପର୍ଯ୍ୟନ୍ତ ସେ ତାଙ୍କ ହାତ ଉପରକୁ ଉଠାଇ ରଖିବେ।

ଗୋଲ୍ଡେନ୍‌ ବାବା ବା ସୁନା ବାବା: ଏହି ବାବାଙ୍କ ଚର୍ଚ୍ଚା ଟିକେ ଅଧିକା ନାଁ ତାଙ୍କର ଗୋଲ୍ଡେନ୍‌ ବାବା। ସେ ସବୁବେଳେ ସୁନାଗହଣାରେ ଛାଉଣି ହୋଇଥାଆନ୍ତି। ପ୍ରତି ବର୍ଷ ସେ କାଉଡ଼ୀ ଯାତ୍ରାରେ ଚର୍ଚ୍ଚାରେ ଥାଆନ୍ତି।  ଗତ ବର୍ଷ ପାଖାପାଖି ୨୦ କେଜି  ସୁନା ଗହଣା ପିନ୍ଧି ସେ କାଉଡ଼ି ଯାତ୍ରା କରିଥିଲେ।  କେବଳ ଏତିକି ନୁହେଁ, ଗୋଲ୍ଡେନ୍‌ ବାବା ନିଜ ହାତରେ  ୨୭ ଲକ୍ଷ ଟଙ୍କାର ଡାଇମଣ୍ଡ୍‌ ଘଣ୍ଟା ପିନ୍ଧିଛପି।

ଟୋପିବାବା: ଏହି ବାବାଙ୍କୁ ଲୋକେ ଟୋପି କୁହନ୍ତି। କାରଣ ଏହି ବାବା ନିଜ ମୁଣ୍ଡରେ ଟୋପି  ଓ ଚନ୍ଦ୍ର ଧାରଣ କରିଛନ୍ତି। ଯାହା ଲୋକମାନଙ୍କୁ ଖୁବ୍‌ ଆକୃଷ୍ଟ କରୁଛି। ସେ ନିଜକୁ ଶିବଙ୍କ ତୁଲ୍ୟ ଚିନ୍ତା କରି ଭଗବାନ ଶିବଙ୍କ ଭାବରେ ରହିବାକୁ ଏମିତି ବେଶ ଧାରଣ କରିଛନ୍ତି।

ଷ୍ଟାଣ୍ଡିଂ ବାବା: ଏହି ବାବାଙ୍କ ନାଁ ହେଉଛି ଷ୍ଟାଣ୍ଡିଂ ବାବା। ବାବାଙ୍କ ସ୍ୱତନ୍ତ୍ରତା ହେଉଛି  ସେ ଗତ  ୯ ବର୍ଷରୁ ଗୋଟିଏ କ୍ଷଣ ପାଇଁ ବି ବସି ନାହାନ୍ତି କି ଶୋଇ ନାହାନ୍ତି। ସେ ନିଜ ସମସ୍ତ  ନିତ୍ୟକ୍ରମ କଲାବେଳେ ଏମିତି ଛିଡ଼ା ହୁଅନ୍ତି। କିନ୍ତୁ କେବଳ ଚାଲିଲା ବେଳେ ଦୁଇ ଗୋଡ଼ର ସାହାଯ୍ୟ ନିଅନ୍ତି।