‘ମୁଁ ଚାହୁଁନି ମୋ ପୁଅର ମୃତଦେହ ଆଣିବାକୁ ଯାଇ ଆଉ କେହି ଯବାନ ବିପଦରେ ପଡ଼ନ୍ତୁ’

ନୂଆଦିଲ୍ଲୀ: ଯୁଦ୍ଧଭୂମିରେ ପୁଅ ସହିଦ ହୋଇଥିବା ଖବର ସେ ପାଇଥିଲେ। କିନ୍ତୁ ପୁଅର ମୃତଦେହ ଘରେ ପହଞ୍ଚିପାରି ନଥିଲା। କାରଣ ଶତ୍ରୁପକ୍ଷର ଅହରହ ଗୁଳିବର୍ଷଣ ଯୋଗୁ ତାଙ୍କର ମୃତଦେହକୁ ସେଠାରୁ ଉଦ୍ଧାର କରିବା ସମ୍ଭବ ହେଉ ନଥିଲା। ଏପରି ଏକ ସମୟରେ ତତ୍‌କାଳୀନ ସେନା ମୁଖ୍ୟ ଜେନେରାଲ୍‌ ଭି.ପି ମଲିକ ତାଙ୍କ ଦିଲ୍ଲୀସ୍ଥିତ ଘରକୁ ଆସିଥିଲେ ଓ କହିଥିଲେ, ଶତ୍ରୁପକ୍ଷର ଆକ୍ରମଣ ଜାରି ରହିଥିବାରୁ ଉକ୍ତ ସ୍ଥାନରୁ ତାଙ୍କ ପୁଅର ମୃତଦେହ ଅଣାଯାଇପାରୁନି। ଏହା ଶୁଣିବା ପରେ ସେ ସେନା ମୁଖ୍ୟଙ୍କ ଆଖିରେ ଆଖି ମିଶାଇ ସାହସର ସହିତ କହିଥିଲେ,‘ମୁଁ ଚାହୁଁନି ମୋ ପୁଅର ମୃତଦେହ ଆଣିବାକୁ ଯାଇ ଆଉ କେହି ଯବାନ ବିପଦରେ ପଡ଼ନ୍ତୁ। ଯୁଦ୍ଧ ଶେଷ ହେବା ପରେ ମୁଁ ନିଜେ ସେ ସ୍ଥାନକୁ ଯିବି, ଯେଉଁଠି ସେ ପ୍ରାଣ ହରାଇଛି।’

ଏ ହେଉଛି ଦେଶର ଅନ୍ୟତମ ବୀର ସନ୍ତାନ ତଥା ସହିଦ କ୍ୟାପ୍‌ଟେନ୍‌ ହନୀଫ୍‌ ଉଦ୍ଦିନ ଓ ତାଙ୍କ ମା’ ହେମା ଅଜିଜ୍‌ଙ୍କ କାହାଣୀ। ତାଙ୍କ ବାପା ମୁସ୍‌ଲିମ୍‌ ଓ ମା’ ହିନ୍ଦୁ। ତେଣୁ ଉଭୟ ଇଦ୍‌ ଓ ଦୀପାବଳୀ ପାଳି ବଡ଼ ହୋଇଥିବା ହନୀଫ୍ ୧୯୯୯ ମସିହାରେ କାର୍ଗିଲ୍ ଯୁଦ୍ଧରେ ସହିଦ ହୋଇଥିଲେ। ଇଣ୍ଡିଆନ୍‌ ମିଲିଟାରୀ ଏକାଡେମୀ (ଆଇଏମ୍‌ଏ)ରୁ ପାସ୍ କରିବାର ଦୁଇ ବର୍ଷ ପରେ ସେ ସହିଦ ହୋଇଥିଲେ। ସେ ‘୧୧ ରାଜସ୍ଥାନ ରାଇଫଲ୍ସ’ରେ ମୁତୟନ ହୋଇଥିଲେ।

ସେ ପ୍ରାଣ ହରାଇବାର ୪୩ ଦିନ ପରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଦିଲ୍ଲୀରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତେବେ ହେମା ଅଜିଜ୍‌ ତାଙ୍କର ଅନ୍ୟ ଦୁଇ ପୁଅଙ୍କ ସହିତ ଜମ୍ମୁ-କଶ୍ମୀରର ଲେହ ଜିଲ୍ଲାର ତୁରତକର ସେହି ସ୍ଥାନକୁ ଯାଇଥିଲେ, ଯେଉଁଠାରେ ତାଙ୍କ ପୁଅ କ୍ୟାପ୍‌ଟେନ୍ ହନୀଫ୍ ଉଦ୍ଦିନ ସହିଦ ହୋଇଥିଲେ।

ସହିଦ୍ କ୍ୟାପ୍‌ଟେନ୍ ହନୀଫ୍ ଉଦ୍ଦିନଙ୍କୁ ମରଣୋତ୍ତର ଭାବେ ବୀର ଚକ୍ର ପ୍ରଦାନ କରାଯାଇଥିଲା।