ହାତରେ ଚା’ କେଟ୍‌ଲି ଧରି କାର୍ଗିଲ୍ ଯୁଦ୍ଧରେ ସେନାକୁ ସାହାଯ୍ୟ କରିଥିଲେ ନସୀମ୍

‘ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଏପରି ଯୁଦ୍ଧର ପୁନରାବୃତ୍ତି ନ ହେଉ।’

ଶ୍ରୀନଗର: ୧୯୯୯ ମସିହାରେ ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତ ସୀମାରେ ଥିବା କାର୍ଗିଲ୍‌ ଅଞ୍ଚଳ ଭିତରକୁ ପଶି ଆସିଥିଲେ। ସେଠାରେ ଥିବା ଶ୍ରୀନଗର-ଲେହ ରାଜମାର୍ଗରେ ଥିବା ଟୋଲୋଲିଙ୍ଗ୍‌ ଶୃଙ୍ଗକୁ ନିଜ ଅକ୍ତିଆରକୁ ନେଇଥିଲେ। ଶ୍ରୀନଗର-ଲେହ ରାଜମାର୍ଗରେ ଥିବା ଏହି ଟୋଲୋଲିଙ୍ଗ୍‌ ଶୃଙ୍ଗଟି କାର୍ଗିଲ୍‌ ଯୁଦ୍ଧରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। କାର୍ଗିଲ୍‌ ଅଞ୍ଚଳରେ ଥିବା ଡ୍ରାସ ସହରର ୪ କିଲୋମିଟର ଦୂରରେ ରହିଥିଲା ଟୋଲୋଲିଙ୍ଗ୍‌ ଶୃଙ୍ଗ। ଯାହାକୁ ପାକିସ୍ତାନୀ ଅନୁପ୍ରେବଶକାରୀ ନିଜ ଅଧୀନକୁ ନେଇ ଯାଇଥିଲେ।

ଡ୍ରାସ୍‌ ସହର ସିଧାସଳଖ ଭାବରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଟାର୍ଗେଟ୍‌ରେ ରହିଥିଲା। କାର୍ଗିଲ୍‌ ଅଞ୍ଚଳରେ ଥିବା ଏହି ଟୋଲୋଲିଙ୍ଗ୍‌ ଶୃଙ୍ଗଟି ଅସମତଳ ଅର୍ଥାତ୍‌ ଆବଡ଼ାଖାବଡ଼ା ରହିଥିବାରୁ ଏହାକୁ ପୁଣି ଥରେ ଫେରାଇ ଆଣିବା ଭାରତୀୟ ସେନା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍‌ ଥିଲା। ଟୋଲୋଲିଙ୍ଗ୍‌ ଶୃଙ୍ଗକୁ ନିଜ ଅଧୀନକୁ ଆଣିବାରେ ନେତୃତ୍ୱ ନେଇଥିଲେ ଭାରତୀୟ ସେନାର ମେଜର ରାଜେଶ ଅଧିକାରୀ ଓ ଵୀଗେନ୍ଦ୍ର କୁମାର ଓ କର୍ଣ୍ଣେଲ୍‌ ରଵୀନ୍ଦ୍ର ନାଥ। ପରେ ଏମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ମେଜର ରାଜେଶ ଅଧିକାରୀ ଓ ଵୀଗେନ୍ଦ୍ର କୁମାର ମହାବୀର ଚକ୍ର ଓ କର୍ଣ୍ଣେଲ୍‌ ରଵୀନ୍ଦ୍ର ନାଥଙ୍କୁ ବୀରଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା।

ତେବେ କାର୍ଗିଲ୍‌ ଯୁଦ୍ଧରେ ଟୋଲୋଲିଙ୍ଗ୍‌ ଶୃଙ୍ଗକୁ ଫେରି ପାଇବା ପାଇଁ କେବଳ ଭାରତୀୟ ସେନା ନୁହେଁ, ସାଧାରଣ ନାଗରିକ ମଧ୍ୟ ଆଗେଇ ଆସି ସେନାକୁ ସାହାଯ୍ୟ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ନସୀମ୍‌ ଅହମ୍ମଦ୍‌। ପେସାରେ ସେ ଜଣେ ଚା’ ବ୍ୟବସାୟୀ ଥିଲେ। ଯୁଦ୍ଧ ସମୟରେ ନସୀମ୍‌ ଚାହିଁଥିଲେ ଉତ୍ତରାଖଣ୍ଡରେ ଥିବା ତାଙ୍କ ଘରକୁ ଚାଲିଯାଇ ପାରିଥାନ୍ତେ। କିନ୍ତୁ ଭୟଭୀତ ନ ହୋଇ ସେ ଟୋଲୋଲିଙ୍ଗ୍‌ ଶୃଙ୍ଗର ନିକଟବର୍ତ୍ତୀ ଡ୍ରାସ୍‌ ଅଞ୍ଚଳରେ ରହିଥିଲେ।

ବର୍ତ୍ତମାନ ନସୀମ୍‌ଙ୍କୁ ୬୧ ବର୍ଷ। କାର୍ଗିଲ୍‌ ଯୁଦ୍ଧକୁ ୨୦ ବର୍ଷ ବିତି ଯାଇଥିଲେ ମଧ୍ୟ ନସୀମ୍‌ ଏବେ ବି ତାଙ୍କ ପୁରୁଣା ଦୋକାନରେ ଚା’ ବିକ୍ରି କରୁଛନ୍ତି। ନସୀମ୍‌ ଡେରାଡୁନ୍‌ରୁ ଆସି ଜମ୍ମୁକଶ୍ମୀରରେ ଏହି ଦୋକାନ ଆରମ୍ଭ ବେଳେ କାର୍ଗିଲ୍‌ ଯୁଦ୍ଧ ହୋଇଥିଲା। ସେହି ସମୟର ଅନୁଭୂତିକୁ ନସୀମ୍‌ ଆଜି ବି ମନେରଖିଛନ୍ତି। ଯୁଦ୍ଧ ସମୟରେ ସେଠାରେ ଥିବା ସ୍ଥାନୀୟ ଲୋକେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। କିନ୍ତୁ ନସୀମ୍‌ ଡ୍ରାସ୍‌ରେ ରହି ପାକିସ୍ତାନୀ ସୈନ୍ୟଙ୍କ ସହିତ ଲଢ଼େଇ କରୁଥିବା ଭାରତୀୟ ସେନାଙ୍କୁ ଚା’ ଯୋଗାଇ ଦେଉଥିଲେ।

ସେହି ସମୟକୁ ମନେପକାଇ ନସୀମ୍‌ କୁହନ୍ତି, ‘ଡ୍ରାସ୍‌ରୁ ବାହାରି ଆସିବା ପାଇଁ ମୁଁ ଅନେକ ସୁଯୋଗ ପାଇଥିଲି। କିନ୍ତୁ ମୋ ମନ ସେଠାରୁ ପଳାଇ ଯିବା ପାଇଁ ଅନୁମତି ଦେଇନଥିଲା। ଏପରିକି ମୋ ଦୋକାନରେ ସାହାଯ୍ୟ କରୁଥିବା ଲୋକ ମଧ୍ୟ ମୋତେ ଛାଡ଼ି ଚାଲି ଯାଇଥିଲେ। ସେଠାରେ କେବଳ ଅଳ୍ପ କେତୋଟି ଚା’ ଦୋକାନ ରହିଥିଲା। କିନ୍ତୁ କାର୍ଗିଲ୍‌ ଯୁଦ୍ଧ ଯୋଗୁ ସେସବୁ ଚା’ ଦୋକାନ ବନ୍ଦ ରହିଥିଲା। କିନ୍ତୁ ମୁଁ ଦୋକାନ ବନ୍ଦ ନ କରି ଭାରତୀୟ ସେନାଙ୍କୁ ଚା’ ପରଷି  ଥିଲି।’ ନସୀମ୍‌ ଆହୁରି ମଧ୍ୟ କହିଛନ୍ତି, ‘ମୋତେ ଜଣାଥିଲା ସୈନିକମାନେ ଡ୍ରାସ୍‌ ଟାଉନ୍‌ ଦେଇ ଯିବେ ଏବଂ ମୋ ଚା’ ଷ୍ଟଲ୍‌ରେ ନିଶ୍ଚୟ ଅଟକିବେ। ମୁଁ ସେମାନଙ୍କୁ ଚା’ ଓ ଜଳଖିଆ ଖାଇବାକୁ ଦେବି। ମୋତେ ଜଣାଥିଲା ଯେ, ଏହା କରିବା ବିପଦପୂର୍ଣ୍ଣ। କିନ୍ତୁ ଏହି କାମ କରି ଦେଶ ସେବାରେ ସାମାନ୍ୟ ଯୋଗଦାନ କରିବାକୁ ମୋର ଇଚ୍ଛା ଥିଲା।’

‘ଭାରତୀୟ ସୈନ୍ୟବାହିନୀରେ ମୋର ଜନ୍ମସ୍ଥାନ ଡେରାଡୁନ୍‌ରୁ ଆସିଥିବା ଜଣେ ସେନା ଅଧିକାରୀ ରହିଥିଲେ, ଯିଏ ମୋତେ ସେଠାରେ ରହିବା ପାଇଁ ଉତ୍ସାହ ଦେଇଥିଲେ। ସେନା ଡିପୋରୁ ମୋତେ ସାମଗ୍ରୀ ମିଳୁଥିଲା ଏବଂ ମୁଁ ସେମାନଙ୍କ ପାଇଁ ଚା’ ଓ ଜଳଖିଆ ପ୍ରସ୍ତୁତ କରୁଥିଲି। ଏସବୁ କରି ମୋତେ ଆତ୍ମସନ୍ତୋଷ ମିଳୁଥିଲା। ଜୀବନର ସେହି ସମୟକୁ ମୁଁ କେବେହେଲେ ଭୁଲିପାରିବି ନାହିଁ ” ବୋଲି କୁହନ୍ତି ନସୀମ୍‌ ଅହମ୍ମଦ।

‘ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଏପରି ଯୁଦ୍ଧର ପୁନରାବୃତ୍ତି ନହେଉ। ଯୁଦ୍ଧ ସମୟରେ ଧ୍ଵସ୍ତବିଧ୍ଵସ୍ତ ହୋଇପଡ଼ିଥିବା ଡ୍ରାସ୍‌ ଟାଉନ୍‌ ବର୍ତ୍ତମାନ ବଦଳିଯାଇଛି। କେବଳ ଯୁଦ୍ଧ ଯୋଗୁ ଡ୍ରାସକୁ ସାରାଦୁନିଆର ଲୋକ ଜାଣିପାରିଲେ।’

ସେହି ସବୁ ଦିନକୁ ମନେ ପକାଇ ନସୀମ୍‌ ଅହମ୍ମଦ ଖୁସି ହୁଅନ୍ତି ଯେ ହାତରେ କେଟ୍‌ଲି ଧରି ସେ କାର୍ଗିଲ୍‌ ଯୁଦ୍ଧରେ ସେନାକୁ ସହଯୋଗ କରିଥିଲେ। ଜୁଲାଇ ମାସ ୨୬ ତାରିଖ ସ୍ଥାନୀୟ ଲୋକଙ୍କ ସମର୍ଥନ ଓ ଭାରତୀୟ ସେନାର ଅଦମ୍ୟ ସାହସିକତା ଯୋଗୁ ପାକିସ୍ତାନ ଅନୁପ୍ରବେଶକାରୀ ପଛକୁ ଫେରିବା ପାଇଁ ବାଧ୍ୟ ହୋଇଥିଲେ। ଭାରତ ଟୋଲୋଲିଙ୍ଗ୍‌ ଶୃଙ୍ଗରୁ ପାକ ସେନାକୁ ହଟାଇ ଏକ ଗୁରୂତ୍ଵପୂର୍ଣ୍ଣ ବିଜୟ ହାସଲ କରିଥିଲା।