ମହିଳା ବିଜେଡି ଟିମ୍‌ରେ ମୃତ ନେତ୍ରୀ : ନ୍ୟାୟ ନପାଇ କରିଥିଲେ ଆତ୍ମହତ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡି ନିଜର ମହିଳା ସଂଗଠନର ପୁର୍ନଗଠନ କରିଛି । ରାଜ୍ୟ କମିଟିରେ ୩୫୩ ଜଣିଆ ବିଶାଳକାୟ ଟିମ୍ ଓ ୩୩ଟି ସଂଗଠନ ଜିଲ୍ଲାରେ ୪୦ଜଣ ନେତ୍ରୀଙ୍କୁ ସାମିଲ କରି ଦଳ ସମସ୍ତଙ୍କୁ ଥଇଥାନ ପାଇଁ ପ୍ରୟାସ କରିଛି । ତେବେ ନ୍ୟାୟ ପାଇଁ ଗୁହାରି କରି ବିଫଳ ହେବା ପରେ ଆତ୍ମହତ୍ୟା କରିଥିବା ବ୍ରହ୍ମପୁରର ଜଣେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁକୁ ଅଢ଼େଇ ବର୍ଷ […]

Minaxi Mishra

Minaxi Mishra

Ordigital Desk
  • Published: Thursday, 01 September 2022
  • Updated: 01 September 2022, 09:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡି ନିଜର ମହିଳା ସଂଗଠନର ପୁର୍ନଗଠନ କରିଛି । ରାଜ୍ୟ କମିଟିରେ ୩୫୩ ଜଣିଆ ବିଶାଳକାୟ ଟିମ୍ ଓ ୩୩ଟି ସଂଗଠନ ଜିଲ୍ଲାରେ ୪୦ଜଣ ନେତ୍ରୀଙ୍କୁ ସାମିଲ କରି ଦଳ ସମସ୍ତଙ୍କୁ ଥଇଥାନ ପାଇଁ ପ୍ରୟାସ କରିଛି । ତେବେ ନ୍ୟାୟ ପାଇଁ ଗୁହାରି କରି ବିଫଳ ହେବା ପରେ ଆତ୍ମହତ୍ୟା କରିଥିବା ବ୍ରହ୍ମପୁରର ଜଣେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁକୁ ଅଢ଼େଇ ବର୍ଷ ବିତି ଯାଇଥିଲେ ବି ତାଙ୍କ ନାଁ ଗତକାଲି ଜାରି ମହିଳା ବିଜେଡି କର୍ମକର୍ତ୍ତା ତାଲିକାରେ ସାମିଲ ଥିବା ଜଣାପଡ଼ିଛି । ନ୍ୟାୟ ନପାଇ ତଥା ବ୍ରହ୍ମପୁର ପୁଲିସ ଏସପିଙ୍କ ଅଫିସ ଆଗରେ ୨୦୨୦ ଫେବୃୟାରୀ ୧୨ତାରିଖରେ କିରୋସିନ ଢ଼ାଳି ଆତ୍ମହତ୍ୟା କରିଥିବା ଶ୍ରୀମତୀ ମିଶ୍ରଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ତତକାଳୀନ ପୁଲିସ ଡିଜି ଦେଇଥିଲେ ମଧ୍ୟ ଉକ୍ତ ତଦନ୍ତ ରିପୋର୍ଟ ଏବେବି ରହସ୍ୟାବୃତ ହୋଇ ରହିଛି । ଏପଟେ ଗତକାଲି ବିଜେଡି ପକ୍ଷରୁ ଜାରି ତାଲିକାରେ ସ୍ୱର୍ଗତା ମିଶ୍ରଙ୍କୁ ମହିଳା ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀରେ ସାମିଲ କରାଯିବା ଦଳର ଆଭ୍ୟନ୍ତରୀଣ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନା ଅନୁସାରେ, ଗତକାଲି ବିଜେଡି ତା’ର ମହିଳା ସଂଗଠନର ପୁର୍ନଗଠନ କରିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନୁମୋଦନ ହୋଇଥିବା ଏହି ତାଲିକାରେ ବ୍ରହ୍ମପୁରର ମୃତ ନେତ୍ରୀ ମିନାକ୍ଷୀ ମିଶ୍ରଙ୍କୁ ୬୮ଜଣିଆ ରାଜ୍ୟ ମହିଳା ବିଜେଡି କାର୍ଯ୍ୟକାରିଣୀରେ ସାମିଲ କରାଯାଇଛି । ସ୍ୱର୍ଗତା ମିଶ୍ରଙ୍କ ନାଁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାଲିକାର ୧୯ ନମ୍ବରରେ ରହିଛି । ତେବେ ଶ୍ରୀମତୀ ମିଶ୍ରଙ୍କ ମୃତ୍ୟୁର ଅଢ଼େଇ ବର୍ଷ ପରେ ତାଙ୍କ ନାଁ କିଭଳି ରାଜ୍ୟ କାର୍ଯ୍ୟକାରିଣୀରେ ସାମିଲ ହେଲା ଓ ଏହି ରାଜ୍ୟ କମିଟିରେ ସାମିଲ ପାଇଁ ବିଜେଡି କେଉଁ ପ୍ରକ୍ରିୟାକୁ ଅବଲମ୍ବନ କରେ ତା’ର ନଗ୍ନ ଚେହେରା ପଦାରେ ପଡ଼ିଛି । ସ୍ୱର୍ଗତା ମିଶ୍ରଙ୍କ ନାଁ ତାଲିକାରେ ସାମିଲ ହେବାପରେ ସ୍ପଷ୍ଟ ହୋଇଛି ଯେ, ବିଜେଡିରେ କୌଣସି ନେତାଙ୍କ ସୁପାରିଶ ନୁହେଁ ବରଂ ମନମୁଖୀ ଭାବେ ୨-୩ଜଣ ନେତା ହିଁ ଏହି ତାଲିକା ପ୍ରସ୍ତୁତ କରି ଅନ୍ୟମାନଙ୍କ ଉପରେ ଥୋପି ଦେଉଛନ୍ତି । ସ୍ୱର୍ଗତା ମିଶ୍ରଙ୍କ ମୃତ୍ୟୁ ପରେ ବି ତାଙ୍କ ନାଁ ସାମିଲ ହେବାକୁ ନେଇ ଦଳୀୟ କର୍ମୀମାନେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିବା ସହ ହାତଗଣତି ୨-୩ଜଣ ନେତାଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ କେହି ମୁହଁ ଖୋଲୁନଥିଲେ ମଧ୍ୟ ଦଳ ଭିତରେ ଅସନ୍ତୋଷ ଜଳଜଳ ହୋଇ ଦିଶୁଛି ।

ଏ ସମ୍ପର୍କରେ ଗଞ୍ଜାମ ଜୋନ୍ ବିଜେଡି ମହିଳା ସଭାନେତ୍ରୀ ମମତା ବିଶୋୟୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମିନାକ୍ଷୀଙ୍କ ନାଁ ଭୁଲବଶତଃ ଗତକାଲି ପ୍ରକାଶିତ ତାଲିକାରେ ସାମିଲ ହୋଇଯାଇଛି । ସେ ଏ ସମ୍ପର୍କରେ ରାଜ୍ୟ ନେତୃତ୍ୱଙ୍କୁ ଅବଗତ କରାଇବେ ।

ପ୍ରଶ୍ନ ଉଠୁଛି, ଯେଉଁ ନେତ୍ରୀଙ୍କୁ ନ୍ୟାୟ ଦେବାରେ ଶାସକ ବିଜେଡି ବିଫଳ ହେଲା ଓ ଗୋଟିଏ ଜୀବନ ଅକାଳରେ ଝଡ଼ିଗଲା ସେହି ନେତ୍ରୀଙ୍କୁ ଏବେ ରାଜ୍ୟ କାର୍ଯ୍ୟକାରିଣୀରେ ସାମିଲ କରିବାକୁ କିଏ ସୁପାରିଶ କରିଥିଲେ ତଥା କିଭଳି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକାକୁ ଅନୁମୋଦନ କଲେ ତାହା ଚର୍ଚ୍ଚାର ବିଷୟ । ବିଜେଡି ସୁପ୍ରିମୋ ନିଜ ଜିଲ୍ଲା ଗଞ୍ଜାମର ଜଣେ ନେତ୍ରୀଙ୍କ ମୃତ୍ୟୁ କଥା କିଭଳି ଜାଣି ପାରିଲେନି ଓ ଏବେ ସମ୍ପୃକ୍ତା ମହିଳାଙ୍କୁ ରାଜ୍ୟ କାର୍ଯ୍ୟକାରିଣୀରେ ସାମିଲ କରାଗଲା ତାହା ବିଜେଡିର ଆଭ୍ୟନ୍ତରୀଣ ସାଂଗଠନିକ ବ୍ୟାପାରରେ ଚାଲିଥିବା ମନମୁଖୀ କାରବାରକୁ ପଦାରେ ପକାଇ ଦେଇଛି । ସ୍ୱର୍ଗତା ମିଶ୍ରଙ୍କୁ ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ସାମିଲ କରିବା ପରିବର୍ତ୍ତେ ଯଦି ତାଙ୍କର ମୃତ୍ୟୁ ପାଇଁ ଗଠିତ ହୋଇଥିବା ଉଚ୍ଚସ୍ତରୀୟ ତଦନ୍ତ କମିଟି ରିପୋର୍ଟକୁ ସରକାରୀ ଦଳ ସାର୍ବଜନୀନ କରିଥାନ୍ତେ ହୁଏତ ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାନ୍ତା।

ଘର ଆଗରେ ସାମାନ୍ୟ ଝଗଡ଼ା ପାଇଁ ନିଜ ପୁଅର ଗିରଫଦାରିର ପ୍ରତିବାଦ ଓ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ସମସ୍ତଙ୍କୁ ନେହୁରା ହୋଇ ଜୀବନ ହାରିଥିବା ସ୍ୱର୍ଗତା ମିଶ୍ର ସେତେବେଳେ ବ୍ରହ୍ମପୁର ମହିଳା ବିଜେଡିର କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ଥିଲେ । ବିଜେଡିର କେହି ତାଙ୍କୁ ସେତେବେଳେ ସହଯୋଗ କରିବା ତ ଦୂରର କଥା ତାଙ୍କ ମୃତ୍ୟୁରେ ସମବେଦନା ବି ଜଣାଇନଥିଲେ ବୋଲି ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos