Advertisment

ନବୀନଙ୍କ ଟ୍ୟୁସନ୍‌ ପରେ ମୟୂରଭଞ୍ଜ ବିଜେଡିର ମାନସ ମନ୍ଥନ; ଆସିଲେନି ସୁଦାମ

ମୟୂରଭଞ୍ଜ ବିଜେଡି ଖଣ୍ଡଖଣ୍ଡ ହେବା ପୂର୍ବରୁ ନବୀନ ପଟ୍ଟନାୟକ ଡାକିଥିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବୀନ ନିବାସରେ ବସିଥିବା ବୈଠକରେ କିଛି ବିଧାୟକ ପ୍ରାର୍ଥୀ ଓ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିପର୍ଯ୍ୟୟ ଘଟିଥିଲା। ପରେ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ ବଢ଼ିଛି ବିଜେଡିର ଟେନ୍‌ସନ। ଜିଲ୍ଲାରେ ବିଜେଡି ଦୁଇ ଫାଳ ହୋଇଥିବା ଚର୍ଚ୍ଚା ହେଉଛ। ତେବେ ସ୍ଥିତି ଅସମ୍ଭାଳ ହେଉଥିବା ଦେଖି ଦଳପତି ଜିଲ୍ଲାର ବିଜେଡି ନେତାମାନଙ୍କୁ ଡାକି ଟ୍ୟୁସନ୍‌ କରିଥିଲେ। ହେଲେ ଦଳପତିଙ୍କ ବୈଠକରେ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଦେଖିବାକୁ ମିଳିନଥିଲା। ଯାହାକୁ ନେଇ ନାନା କଳ୍ପଜଳ୍ପନା ଲାଗି ରହିଥିବା ବେଳେ ସୋମବାର ବାରିପଦାରେ ଜିଲ୍ଲା ବିଜେଡିର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନଥିଲେ ସୁଦାମ ଓ ତାଙ୍କ ସମର୍ଥକ।

Advertisment

ମୟୂରଭଞ୍ଜ ବିଜେଡି ଦୁଇ ଫାଳ ହୋଇଯାଇଛି! ଦୁଇ ଗୋଷ୍ଠୀ ନିଜ ନିଜର ସମର୍ଥକଙ୍କୁ ଧରି ମେଳି କରୁଥିବା ବେଳେ କୁଡୁମୀ ସମ୍ପ୍ରଦାୟର ଟାଣୁଆ ନେତ୍ରୀ ତଥା ରାଜ୍ୟସଭା ସାଂସଦ ମମତା ମହାନ୍ତ ଇସ୍ତଫା ଦେଇଥିଲେ। ଆଉ ଇସ୍ତଫା ଦେଲା ବେଳେ ମମତା ବିଜେଡି ଉପରେ ଅସନ୍ତୋଷ ଝାଡ଼ିଥିଲେ। ତା’ପର ଦିନ ସେ ବିଜେପିରେ ଯୋଗଦେଇଥିଲେ। ମମତା ବିଜେପିରେ ଯୋଗଦେବା ପରେ ମୟୂରଭଞ୍ଜ ବିଜେଡିରେ ସୃଷ୍ଟି ହୋଇଥିଲା ଅଶାନ୍ତ ଝଡ଼। ଅନେକ ବିଜେଡି ନେତା ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହେଲା।

ମୟୂରଭଞ୍ଜ ବିଜେଡି ଖଣ୍ଡଖଣ୍ଡ ହେବା ପୂର୍ବରୁ ନବୀନ ପଟ୍ଟନାୟକ ଡାକିଥିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବୀନ ନିବାସରେ ବସିଥିବା ବୈଠକରେ କିଛି ବିଧାୟକ ପ୍ରାର୍ଥୀ ଓ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇଥିଲେ। ହେଲେ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ତାଙ୍କ ପତ୍ନୀ ତଥା ବାଙ୍ଗିରିପୋଷି, ଯଶିପୁର ବିଧାୟକ ପ୍ରାର୍ଥୀ ଓ ଅନେକ ନେତା ଅନୁପସ୍ଥିତ ଥିଲେ। ବୈଠକରେ ଯୋଗଦେଇଥିବା ନେତାଙ୍କୁ ନବୀନ ଟ୍ୟୁସନ୍‌ କରିଥିଲେ। ଆଗାମୀ ରଣନୀତି ନେଇ ଟାକ୍ସ ଦେଇଥିଲେ। ଲୋକଙ୍କ ପାଖକୁ ଯାଆନ୍ତୁ, ଲୋକଙ୍କ ସୁଖ ଦୁଃଖରେ ଠିଆ ହୁଅନ୍ତୁ; ଏଥର ହେଲାନାହିଁ, କିନ୍ତୁ ଆର ଥରକୁ ଆମେ ଆଉ ଥରେ ସରକାର ଗଢ଼ିବା ବୋଲି ନବୀନ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

Advertisment

ଟ୍ୟୁସନ୍‌ ହେବା ପରେ ନେତାମାନେ ବାରିପଦା ଫେରିଥିଲେ। ଦଳର ବରିଷ୍ଠ କର୍ମକର୍ତ୍ତାଙ୍କୁ ଏକଜୁଟ୍‌ କରିବା ପାଇଁ ସୋମବାର ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଜିଲ୍ଲାର କିଛି ହାତଗଣତି ପୂର୍ବତନ ବିଧାୟକ, ବିଧାୟକ ପ୍ରାର୍ଥୀ ଓ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇଥିଲେ। ତେବେ ବୈଠକରେ କ’ଣ ଆଲୋଚନା ହେଲା, ତାହା ଜଣାପଡ଼ି ନାହିଁ। ଚର୍ଚ୍ଚା ହେଉଛି, ନବୀନ ଦେଇଥିବା ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ସମସ୍ତଙ୍କୁ କୁହାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିର୍ବାଚନ ପରାଜୟ ପରେ ବସିଥିବା ବୈଠକ। ହେଲେ ଦେଖିବାକୁ ମିଳିନଥିଲା ଜିଲ୍ଲା ବିଜେଡି ସଭାପତି ସୁଦାମ ମାରାଣ୍ଡିଙ୍କୁ। କେବଳ ମାରାଣ୍ଡି ନୁହେଁ, ବାଙ୍ଗିରିପୋଷି ଓ ଯଶିପୁର ବିଧାୟିକ ପ୍ରାର୍ଥୀଙ୍କ ସମେତ ବହୁ ନେତାଙ୍କୁ ଦେଖିବାକୁ ମିଳିନଥିଲା। ତାହାହେଲେ ସତରେ କ’ଣ ମୟୂରଭଞ୍ଜ ବିଜେଡି ଦୁଇ ଫାଳ ହୋଇଯାଇଛି?

ସୂଚନାରୁ ପ୍ରକାଶ, ମୟୂରଭଞ୍ଜ ଜିଲ୍ଲାରେ ୯ଟି ବିଧାନସଭାମଣ୍ଡଳୀ ରହିଛି। ୨୦୧୯ ସାଧାରଣ ନିର୍ବାଚନରେ ୯ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ୩ଟି ଜିତିଥିବା ବେଳେ ବିଜେପି ୬ଟିରେ ବିଜୟବାନା ଉଡାଇଥିଲା। ମୟୂରଭଞ୍ଜ ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପି ବିଜୟୀ ହୋଇଥିଲା। ବିଜେପିର ବିଜୟ ଦେଖି ଚିନ୍ତାରେ ପଡ଼ିଯାଇଥିଲା ବିଜେଡି। ତେଣୁ ବିଜେପିର ଅଙ୍କ ବିଗାଡ଼ିବା ପାଇଁ ରଣନୀତି ପ୍ରସ୍ତୁତି କରିଥିଲା।

ବିଜେଡିର ଫାୟାରବ୍ରାଣ୍ଡ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କୁ ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ଭାବେ ନିୟୋଜିତ କରିଥିଲେ ନବୀନ। ଏଥିସହ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ ପରିଚିତ ଭି.କେ ପାଣ୍ଡିଆନ୍‌ ବାରମ୍ୱାର ମୟୂରଭଞ୍ଜ ଗସ୍ତରେ ଯାଇଥିଲେ। ଭୋଟ୍‌କୁ ପ୍ରଭାବିତ କରିବା ପାଇଁ ଲୋଭନୀୟ ଅଫର ଦେଇଥିଲେ। ଯାହାର ପ୍ରଭାବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଥିଲା। ବିଜେଡିର ଦମ୍‌ଦାର ପ୍ରଦର୍ଶନ କରିଥିଲା।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ଜବରଦସ୍ତ ପ୍ରଦର୍ଶନ ପରେ ରାଜ୍ୟସ୍ତରୀୟ ନେତାଙ୍କ ଛାତି କୁଣ୍ଢେ ମୋଟ ହୋଇଯାଇଥିଲା। ଭାବିଥିଲେ ୨୦୨୪ ସାଧାରଣ ନିର୍ବାଚନରେ ଜିଲ୍ଲାରେ ବିଜେଡି କ୍ଲିନ୍‌ ସୁଇପ୍‌ କରିବ। ତେଣୁ ବିଜେପି ନେତାଙ୍କ ରଣନୀତିକୁ ହାଲ୍‌କା ଭାବେ ନେଇଥିଲା। ଯାହାର ଫଳ ଦେଖିବାକୁ ମିଳିଥିଲା ନିର୍ବାଚନରେ। ନବୀନ ଓ ପାଣ୍ଡିଆନ୍‌ଙ୍କ ଘନଘନ ପ୍ରଚାର ସତ୍ତ୍ୱେ ଗତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ସଫା ହୋଇଯାଇଛି। ଗୋଟିଏ ହେଲେ ଆସନ ଜିତି ପାରିନି। ଲୋକସଭା ଓ ୯ ବିଧାନସଭା ନିର୍ବାଜନମଣ୍ଡଳୀରେ ବିଜେପି ବିଜୟବାନା ଉଡାଇଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

BjD Baripada