Advertisment

ଅଧା ଅସ୍ମିତା ରାଜନୀତି, ପୂରା ଅସ୍ମିତା ଅର୍ଥନୀତି

ତେବେ କ’ଣ ଓଡ଼ିଆ ଅସ୍ମିତାର ଯୁଦ୍ଧ ଏଇଠି ଶେଷ ହେଲା? ଓଡ଼ିଆ ନେତା ଜଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ଯେ ସଂପୂର୍ଣ୍ଣ ଓଡ଼ିଆ ଅସ୍ମିତା ସୁରକ୍ଷିତ ରହିଲା ବା ତେଜୀୟାନ ହେଲା ତାହା କୁହାଯାଇ ପାରବ କି?

author-image
Debendra Prusty
Odia Asmita

Odia Asmita

ଦେବେନ୍ଦ୍ର ପୃଷ୍ଟି

୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ଥିଲା ଓଡ଼ିଶାର ସ୍ୱାଭିମାନ ବା ଓଡ଼ିଆ ଅସ୍ମିତା। ଏହା ସଂପୂର୍ଣ୍ଣ ଅସ୍ମିତାର ଲଢ଼େଇ ନଥିଲା। ଥିଲା କେବଳ ରାଜନୀତିକ ଅସ୍ମିତା ସୁରକ୍ଷାର ଲଢ଼େଇ। ସାଢ଼ ଚାରି କୋଟି ଓଡ଼ିଆଙ୍କର ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ହେବ, ବାହାର ରାଜ୍ୟର କୌଣସି ନେତା କି ବାବୁ ଏହି ପଦରେ ବସିପାରିବ ନାହିଁ- ଏହି ବିଚାରରେ ହିଁ ଭୋଟ୍‌ ହେଲା। ଯେଉଁ ଦଳ ଏହାକୁ ମୁଖ୍ୟ ପ୍ରସଙ୍ଗ କରିଥିଲା ସେ ସଫଳ ହେଲା। ଓଡ଼ିଆମାନେ ଅଣଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ କରିବା ବିପକ୍ଷରେ ଭୋଟ୍‌ ଦେଲେ।

Advertisment

ତେବେ କ’ଣ ଓଡ଼ିଆ ଅସ୍ମିତାର ଯୁଦ୍ଧ ଏଇଠି ଶେଷ ହେଲା? ଓଡ଼ିଆ ନେତା ଜଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ଯେ ସଂପୂର୍ଣ୍ଣ ଓଡ଼ିଆ ଅସ୍ମିତା ସୁରକ୍ଷିତ ରହିଲା ବା ତେଜୀୟାନ ହେଲା ତାହା କୁହାଯାଇ ପାରବ କି?

ଅସ୍ମିତା କହିଲେ ଅହଂକାର, ଅହଂଜ୍ଞାନ ବା ମୁଁ ଅଛି- ଏଇ ଭାବ। ଭୋଟ୍‌ରେ ଓଡ଼ିଶାର ରାଜନୀତିକ ଅସ୍ମିତାର ବିଜୟ ହେଲା। ଓଡ଼ିଆ ଲୋକେ ଅଣଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ କିମ୍ବା ରାଜନୀତିକ ମୁଖ୍ୟ ଭାବେ ଗ୍ରହଣ କଲେ ନାହିଁ। ଭୋଟ୍‌ ମାଧ୍ୟମରେ ଲୋକେ କହିଲେ, ଆମେ ଅଛୁ, ଆମର ଓଡ଼ିଆ ପୁଅଝିଅମାନେ ଅଛନ୍ତି, ସେମାନେ ନେତା ହେବେ। ଏହି ରାଜନୀତିକ ଅସ୍ମିତାର ମୁଖ୍ୟ ଆଧାର ହେଉଛି ଭାଷା। ଓଡ଼ିଆ ଭାଷା ଭିତ୍ତିରେ ହିଁ ଏହି ଲଢ଼େଇ ଲଢ଼ାଯାଇଥିଲା। ନିର୍ବାଚନ ପରେ ଓଡ଼ିଆ ଲେଖି, ପଢ଼ି, କହି ପାରୁଥିବା ଓ ଓଡ଼ିଆ ମା’ର ଗର୍ଭରୁ ଜନ୍ମ ହୋଇଥିବା ଜଣେ ନେତା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ। ତଥାପି, କହି ହେବ ନାହିଁ ଯେ ଓଡ଼ିଆ ଅସ୍ମିତା ଯୁଦ୍ଧର ସମାପ୍ତି ଘଟିଲା। କାରଣ ଅସ୍ମିତା କେବଳ ଭାଷାର ଲଢ଼େଇରେ ସୀମୀତ ନୁହେଁ। ସେ ଲଢ଼େଇ କେବଳ ରାଜନୀତିକ। ଓଡ଼ିଆଙ୍କର ଏହି ଅସ୍ମିତା ବା ପରିଚୟ ପାଇଁ ବ୍ରିଟିଶ ଭାରତରେ ବାରିଷ୍ଟର ମଧୁସୂଦନ ଦାସ ଓ ପାରଳା ମହାରାଜା ପ୍ରମୁଖ ରାଜନୀତିକ ଓ ପ୍ରାଶାସନିକ ସ୍ତରରେ ଅନେକ ଉଦ୍ୟମ କରିଥିଲେ, ଲୋକଙ୍କୁ ସଂଗଠିତ କରିଥିଲେ, ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଜାତୀୟତାର ବହ୍ନି ଜଳାଇଥିଲେ। ସେମାନଙ୍କର ଉଦ୍ୟମ ଫଳରେ ୧୯୩୬ ମସିହାରେ ସଂପୂର୍ଣ୍ଣ ଓଡ଼ିଆ ଅଧ୍ୟୁସିତ ଅଞ୍ଚଳକୁ ନେଇ ନହେଲେ ମଧ୍ୟ ଏକ ବୃହତ୍ତିର ଓଡ଼ିଆ ଭୂଗୋଳକୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଭାବେ ମାନ୍ୟତା ମିଳିଥିଲା। ପରବର୍ତ୍ତୀ ପିଢ଼ିର ନେତାମାନେ ଅନ୍ୟ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଓଡ଼ିଶାରେ ମିଶାଇ ନପାରିବା ସେମାନଙ୍କର ବ୍ୟକ୍ତିଗତ ବିଫଳତା ଓ ଓଡ଼ିଆ ଜାତିର ସାମୂହିକ ବିଫଳତା ଭାବେ ଆଜି ବି ଚର୍ଚ୍ଚା ଓ ଆଲୋଚନାର ବିଷୟ ହୋଇ ରହିଛି।

Advertisment

ଏବେକା ସମୟରେ ବୃହତ୍ତର ଓଡ଼ିଶା ଗଠନର ସ୍ୱପ୍ନ ପୁଣି ଏକ ଶକ୍ତିଶାଳୀ ରାଜନୀତିକ ଆନ୍ଦୋଳନର ଅପେକ୍ଷା ରଖେ। ଅସ୍ମିତାର ନିର୍ବାଚନ ଲଢ଼େଇ ସମୟରେ ଓଡ଼ିଆ ଭାଷାଭାଷୀ ଗୋଟିଏ ସଂଯୁକ୍ତ ଭୂଗୋଳକୁ ଗୋଟିଏ ରାଜନୀତିକ ମାନଚିତ୍ର ଭାବେ ପ୍ରତିଷ୍ଠା କରିବା ଏବେ ଓଡ଼ିଆ ନେତାମାନଙ୍କର ଲକ୍ଷ୍ୟ ହେବା ଉଚିତ। ମାତ୍ର, ଓଡ଼ିଶାର ଆର୍ଥନୀତିକ ଓ ସାଂସ୍କୃତିକ ଅସ୍ମିତାର ସୁରକ୍ଷା ଓ ବିକାଶ ପାଇଁ ସେମାନଙ୍କୁ କୌଣସି ଲଢ଼େଇର ଆବଶ୍ୟକତା ନାହିଁ। ବର୍ତ୍ତମାନ ଓଡ଼ିଶାର ବିଧାୟକ ଓ ସାଂସଦମାନେ ଚାହିଁଲେ ଅକ୍ଳେଶରେ ଏହା ହାସଲ କରିପାରିବେ।

ଓଡ଼ିଶାର ଆର୍ଥନୀତିକ ଅସ୍ମିତା ହେଉଛି ଓଡ଼ିଶାବାସୀଙ୍କର ବୃହତ୍ତର ସ୍ୱାର୍ଥ ନିମନ୍ତେ ଓଡ଼ିଶାକୁ ପ୍ରକୃତି ଦେଇଥିବା ସମସ୍ତ ସଂପଦର ବିନିଯୋଗ। ଓଡ଼ିଶାର ଖଣିଜ ସଂପଦ, ଜଙ୍ଗଲ ସଂପଦ, ଜଳ ସଂପଦ, ଭୂ ସଂପଦ ଆଦି ଏପରି ଭାବେ ଓଡ଼ିଶାରେ ବିନିଯୁକ୍ତ ହେବା ଆବଶ୍ୟକ ଯାହା ଫଳରେ ବାହାର ରାଜ୍ୟର ଲୋକଙ୍କ ଅପେକ୍ଷା ଓଡ଼ିଶାର ଅଧିକାଂଶ ଲୋକ ସେଥିରୁ ଅଧିକ ଆୟ କରିପାରିବେ ଓ ଓଡ଼ିଶା ସରକାର ଅଧିକ ରାଜସ୍ୱ ପାଇପାରିବେ। ସେଥିପାଇଁ ଏହିସବୁ ସଂପଦର ଅଭାବୀ ବିକ୍ରି ସହିତ ବାହାର ଲୋକଙ୍କ ଦ୍ୱାରା ଲୁଟ୍‌କୁ ରୋକିବାକୁ ହେବ। ସେଥିପାଇଁ ଓଡ଼ିଶାରେ ଷ୍ଟିଲ୍‌ ଓ ଅନ୍ୟାନ୍ୟ ଧାତୁର ବାସନକୁସନ, ଆସବାବପତ୍ର, ସାଜସଂରଜାମ ଓ ଯନ୍ତ୍ରପାତିର କାରଖାନା ହେବା ନିହାତି ଆବଶ୍ୟକ। ଏଠୁ ଲୁହା ପଥର କଞ୍ଚାମାଲ୍‌ ନେଇ ବାହାର ରାଜ୍ୟର ଶିଳ୍ପପତି ଓ ବ୍ୟବସାୟୀମାନେ ଅଚିରେ ଓ ଅକ୍ଳେଶରେ ଶହଶହ ହଜାରହଜାର କୋଟିର ମାଲିକ ହୋଇପାରୁଛନ୍ତି, ସହର ବସେଇ ପାରୁଛନ୍ତି, ଆର୍ଥନୀତିକ ସାମ୍ରାଜ୍ୟ ବିସ୍ତାର କରିପାରୁଛନ୍ତି ଅଥଚ ଆଖପାଖର ଓଡ଼ିଆ ଲୋକମାନଙ୍କର ଜୀବନଧାରଣ ମାନରେ ବିଶେଷ କୌଣସି ପରିବର୍ତ୍ତନ ହେଉନାହିଁ। କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ସମ୍ବଲପୁର, ଝାରସୁଗୁଡ଼ା, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାର ଆଦିବାସୀ, ବନବାସୀ ଓ ଜଙ୍ଗଲ ନିର୍ଭରଶୀଳ ଅନ୍ୟ ବହୁ ଜାତି ଓ ବର୍ଣ୍ଣର ଲୋକମାନଙ୍କୁ ଦେଖିଲେ ଯେକେହି ଏହା ସ୍ୱୀକାର କରିବାକୁ ବାଧ୍ୟ ହେବେ ଯେ ’ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟ’ ଓଡ଼ିଶାବାସୀଙ୍କ ପାଇଁ ଏକ ଅଭିଶାପ ନୁହେଁ ବରଂ ଏକ ‘ଯୋଜନାବଦ୍ଧ ଲୁଟ୍‌ର ପରିଣାମ’ ହୋଇଯାଇଛି। ପ୍ରାକୃତିକ ସଂପଦର ଏହି ‘ଯୋଜନାବଦ୍ଧ ଲୁଟ୍‌’କୁ ରୋକି ଓଡ଼ିଶାବାସୀଙ୍କର ସର୍ବାଧିକ ଲାଭ ନିମନ୍ତେ ଏହାକୁ ଏକ ‘ଯୋଜନାବଦ୍ଧ ବିକାଶର ଧାରା’ରେ ବିନିଯୋଗ କରାଯାଇ ପାରିବ।

ସେଥି ନିମନ୍ତେ ଏହି ସବୁ ସଂପଦର ମ୍ୟାପିଂ ସହିତ ସୁଚିନ୍ତିତ ପରିଚାଳନା ଯୋଜନା ହେବା ଜରୁରୀ। ଏହି ଯୋଜନା ଏପରି ହେବା ଉଚିତ ଯେ ତହିଁରୁ ଓଡ଼ିଆ ଭାଷାଭାଷୀ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କର ଆର୍ଥ-ସାମାଜିକ ଅବସ୍ଥା ଯେପରି ମୁମ୍ବାଇ, ଅହମ୍ମଦାବାଦ, ସୁରଟ, ଚେନ୍ନାଇ ଆଦି ସହରର ଧନୀ ଲୋକମାନଙ୍କ ପରି ହୋଇପାରିବ। ଏହା ଆଦୌ କଳ୍ପନା ବିଳାସ ନୁହେଁ। ସେଠାକା ଲୋକଙ୍କ ଧନୀ ହେବାର ରହସ୍ୟ ବୁଝିଲେ ଏହା ବୁଝିବା ଅତି ସହଜ। ସାତ ଦଶନ୍ଧି ଧରି ରାଜ୍ୟ ସରକାର ଯେପରି ଭାବେ ଖଣିଜ ଓ ଅନ୍ୟାନ୍ୟ ପ୍ରାକୃତି ସଂପଦର ପରିଚାଳନା କରୁଛନ୍ତି ବା ଆଦୌ କରୁନାହାନ୍ତି ତା’ ଫଳରେ ଯଦି ଓଡ଼ିଶା ଓ ଓଡ଼ିଆମାନେ ତଥାପି ଦରିଦ୍ର ହୋଇରହିଛନ୍ତି ତେବେ ବୁଝିବାକୁ ହେବ ଯେ ଲିଜ୍‌, ଲୁଟ୍‌, ନିଲାମ ସବୁ ଏକା କଥା।

ସମ୍ବଳର ସୁରକ୍ଷା ଓ ସୁବିନିଯୋଗ ସହିତ ସଂସ୍କୃତିର ସୁରକ୍ଷା ଓ ବିକାଶ ମଧ୍ୟ ଓଡ଼ିଆ ଅସ୍ମିତା ଅଭିଯାନ ବା ଆନ୍ଦୋଳନର ଅନ୍ୟ ଏକ ବିଭାଗ। ସଂସ୍କୃତି ମଧ୍ୟରେ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ, କଳା, କୌଶଳ, କାରିଗରୀ, ସ୍ଥାପତ୍ୟ, ନୃତ୍ୟ, ସଙ୍ଗୀତ, ନାଟକ, କୌଳିକ ଓ ସାମାଜିକ ଚଳଣି ଆଦି ଅନ୍ତର୍ଭୁକ୍ତ। ଓଡ଼ିଶାର ବିଭିନ୍ନ ସହରବଜାରରେ ଓଡ଼ିଆ ଭାଷା ଓ ସାହିତ୍ୟ ଯେପରି ଅବହେଳିତ ଓଡ଼ିଶାର ଖାଦ୍ୟ ଓ ପୋଷାକାଦି ସଂସ୍କୃତି ମଧ୍ୟ ସେହିପରି ବିଲୋପମୁଖୀ। ଓଡ଼ିଶାର କୌଣସି ସହରରେ ଓଡ଼ିଶାର ଭାସ୍କର୍ଯ୍ୟ ବା ସ୍ଥାପତ୍ୟ ଦୃଷ୍ଟିଗୋଚର ହେବା ବିରଳ ଉଦାହରଣ ହେବ। ଓଡ଼ିଶାର ଲୋକ ସଂଗୀତ, ଲୋକ ନୃତ୍ୟ ସହିତ ଲୋକ ପ୍ରଯୁକ୍ତି ଆଦି ମଧ୍ୟ ଏବେ ଦ୍ରୁତଗତିରେ କ୍ଷୟମାଣ। ଏସବୁ କେବଳ ଓଡ଼ିଆମାନଙ୍କର ସାମୂହିକ ଉଦାସୀନତା ଓ ପାଶ୍ଚାତ୍ୟବାଦୀ ଉନ୍ମାଦନା ପାଇଁ ନୁହେଁ, ଓଡ଼ିଶା ସରକାରଙ୍କର ଦ୍ୱାରା ଧାର୍ଯ୍ୟ ଅନେକ ନୀତିନିୟମ ଓ ଯୋଜନା ଯୋଗୁଁ ଓଡ଼ିଶାର ଜୀବନଧାରାରୁ ଓଡ଼ିଆତ୍ୱ ହଜିହଜି ଯାଉଛି।

ସରୁ ଚକୁଳି ବଦଳରେ ଦୋଷା, ବୁଢ଼ା ଚକୁଳି ବଦଳରେ ଉଥାପମ, ମଣ୍ଡା ଜାଗାରେ ମୋମୋ ଦୋକାନ ବଢ଼ିଚାଲିଛି। ଧୋତି ବଦଳରେ ପ୍ୟାଣ୍ଟ, ଗାମୁଛା ବଦଳରେ ଟାୱେଲ, ଶାଢ଼ୀ ବଦଳରେ ସାଲୱାର, ପଗଡ଼ି ବଦଳରେ କ୍ୟାପ୍‌ ଆମକୁ ଆବୋରି ଗଲାଣି। ବୁଢ଼ୀ ଅସୁରୁଣୀ ଗପ ଛାଡ଼ି ଏବେ ଆମେ ଜେକେ ରୋଲିଙ୍ଗର ହ୍ୟାରି ପୋର୍ଟର ପଛରେ ପଡ଼ିଛୁ। ଗୀତଗୋବିନ୍ଦ ନପଢ଼ି ଲୈଲାମଜୁନ୍‌ ପଢ଼ୁଛୁ। ଏହିପରି ବହୁ ପରିବର୍ତ୍ତନ ଯାହା ଅସ୍ମିତା ବା ସ୍ୱାଭିମାନର ହନନ କରିଚାଲିଛି।

ଏସବୁ ପଛରେ ଅନେକାଂଶରେ ଶାସନ କଳର ସାମୂହିକ ଅଜ୍ଞତା, ଉଦାସୀନତା ଓ ଅପରିଣାମଦର୍ଶୀତା ହିଁ ଦାୟୀ। ଲୋକଙ୍କର ଅଜ୍ଞତାସୁଲଭ ଅବଦାନ ମଧ୍ୟ କମ୍‌ ନୁହେଁ। ଏବେ ନିବାର୍ଚନ ଯୋଗୁଁ ସୃଷ୍ଟି ହୋଇଥିବା ଏହି ଅସ୍ମିତାର ଅଭିଯାନ କେବଳ ସରକାର ବା ଶାସକ ପରିବର୍ତ୍ତନରେ ସୀମୀତ ନରହି ଆଗକୁ ବଢ଼ିବା ବାଞ୍ଛନୀୟ। ନହେଲେ ଅଧା ଅସ୍ମିତାକୁ ଧରି ଲୋକେ ନାଚିବେ କି ତାତିବେ ତାହା ଭବିଷ୍ୟତରେ ଜଣାପଡ଼ିବ।

Odisha Odisha Forest Dept Odisha Mines Odia Pride