ଭାରତରେ ବ୍ୟାଙ୍କଗୁଡ଼ିକ ଅନେକ ପ୍ରକାରର ସେବା ପ୍ରଦାନ କରନ୍ତି। ସେବା ବଦଳରେ ବ୍ୟାଙ୍କ ଚାର୍ଜ ଆକାରରେ ଟଙ୍କା ନେଇଥାଏ। ପାଣ୍ଠି ସ୍ଥାନାନ୍ତର ଠାରୁ ଆରମ୍ଭ କରି ATM ଉଠାଣ ଓ ସର୍ବନିମ୍ନ ବାଲାନ୍ସ ଆଦି ବାବଦରେ ବ୍ୟାଙ୍କ ଗୁଡ଼ିକ ନିର୍ଦ୍ଦିଷ୍ଟ ପରିମାଣ ଟଙ୍କା ଚାର୍ଜ କରନ୍ତି।
ଗ୍ରାହକଙ୍କ ଆକାଉଣ୍ଟ ଓ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଅନୁଯାୟୀ ଚାର୍ଜ ରାଶି କମ/ବେଶୀ ହୋଇଥାଏ। ବ୍ୟାଙ୍କ ସେବା ପାଇଁ ନେଉଥିବା ଚାର୍ଜ ସମ୍ପର୍କରେ ସମସ୍ତେ ଜାଣିବା ଦରକାର। ଏହା ଦ୍ୱାରା ଅତିରିକ୍ତ ଖର୍ଚ୍ଚ ଓ ନିଜର ଆର୍ଥିକ ପରିଚାଳନାକୁ ଜଣେ ଗ୍ରାହକ ବେଶ ଭଲ ଜାଣି ପାରିବେ।
ଜଣେ ସଞ୍ଚୟ ଖାତାଧାରକ ହୁଅନ୍ତୁ କିମ୍ବା ଚାଲୁ ବା କରେଣ୍ଟ ଆକାଉଣ୍ଟଧାରୀ ହୁଅନ୍ତୁ, ସାଧାରଣ ବ୍ୟାଙ୍କ ଶୁଳ୍କ ସହିତ ଆପଣ ଅପଡେଟ୍ ରହିବା ଭଲ। ଏହା ଆପଣଙ୍କ ବ୍ୟାଙ୍କ ଅଭିଜ୍ଞତାରେ ଉନ୍ନତି ଆଣି ପାରିବ। ଭାରତରେ ବ୍ୟାଙ୍କ ଶୁଳ୍କ ଆକାଉଣ୍ଟର ପ୍ରକାର ଓ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଅନୁସାରେ ଭିନ୍ନଭିନ୍ନ ହୋଇଥାଏ।
କେଉଁ ସବୁ ସେବା ପାଇଁ ଟଙ୍କା ଚାର୍ଜ କରିଥାଏ ବ୍ୟାଙ୍କ?
୧- ସର୍ବନିମ୍ନ ବାଲାନ୍ସ ଚାର୍ଜ: ଅଧିକାଂଶ ସଞ୍ଚୟ ଖାତାଧାରୀମାନେ ସର୍ବନିମ୍ନ ବାଲାନ୍ସ ନିୟମରେ ବନ୍ଧା। ସର୍ବନିମ୍ନ ବାଲାନ୍ସ ନ ରଖି ପାରିଲେ ବ୍ୟାଙ୍କ ପକ୍ଷରୁ ଖାତାଧାରୀଙ୍କ ଉପରେ ଜୋରିମାନା ଲାଗିଥାଏ। ଏହା ସାଧାରଣତଃ ବ୍ୟାଙ୍କ ଓ ଆକାଉଣ୍ଟ ବର୍ଗୀକରଣ ଉପରେ ନିର୍ଭର କରିଥାଏ। କେଉଁ ବ୍ୟାଙ୍କ ଏଥିପାଇଁ ୩୦୦ ଟଙ୍କା ଆଦାୟ କରେ ତ ଆଉ କେଉଁ ବ୍ୟାଙ୍କ ୧ ହଜାର ଟଙ୍କା ଆଦାୟ କରିଥାଏ। ସର୍ବନିମ୍ନ ବାଲାନ୍ସ ଚାର୍ଜ ୩୦୦ରୁ ୧ ହଜାର ଟଙ୍କା ରହିଥାଏ।
୨- ATM ଉଠାଣ: ବ୍ୟାଙ୍କଗୁଡ଼ିକ ସାଧାରଣତଃ ନିଜସ୍ୱ ATMରୁ ଉଠାଣ ପାଇଁ ଅତିରିକ୍ତ ଶୁଳ୍କ ନିଅନ୍ତି ନାହିଁ। କିନ୍ତୁ ନିର୍ଦ୍ଦିଷ୍ଟ ସୀମା ପରେ ବ୍ୟାଙ୍କର ନେଟୱର୍କ ବାହାରେ ଥିବା ଏଟିଏମରୁ ଟଙ୍କା ଉଠାଣ କଲେ ଚାର୍ଜ ଦେବାକୁ ପଡ଼ିଥାଏ। ଏଟିଏମ ଉଠାଣ ଶୁଳ୍କ ଚାର୍ଜର ସୀମା ୨୦ରୁ ୫୦ ଟଙ୍କା ମଧ୍ୟରେ ବ୍ୟାଙ୍କଗୁଡ଼ିକ ରଖିବାକୁ ବାଧ୍ୟ।
୩- ଚେକ୍ ବାଉନ୍ସ ଫି: ଚେକ୍ ବାଉନ୍ସ ହେଲେ ବ୍ୟାଙ୍କଗୁଡ଼ିକ ଜୋରିମାନା ଲାଗୁ କରନ୍ତି। ଜରିମାନା ରାଶି ୨୫୦ ଟଙ୍କାରୁ ୫୦୦ ଟଙ୍କା ମଧ୍ୟରେ ରହିଥାଏ।
୪- ଚେକ୍ ବହି ଜାରି କରିବା ଫି: ମାଗଣା ଚେକ ବହି ଜାରି କରିବା ସୀମା ଶେଷ ହେବା ନୂଆ ଚେକ ବହି ଜାରି କରିବା ପାଇଁ ବ୍ୟାଙ୍କ ଶୁଳ୍କ ଆଦାୟ କରିଥାଏ। ୨୫ ପୃଷ୍ଠାର ପତ୍ରର ଚେକ୍ ବହି ପାଇଁ ବ୍ୟାଙ୍କ ପ୍ରାୟ ୧୦୦ ଟଙ୍କା ନେଇଥାଏ।
୫- ଫଣ୍ଡ ସ୍ଥାନାନ୍ତର ଫି: ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ୨.୨୫ ଟଙ୍କା ଓ ୨ ଲକ୍ଷରୁ ଅଧିକ ପାଇଁ ୨୪.୭୫ ଟଙ୍କା ବ୍ୟାଙ୍କଗୁଡ଼ିକ BEFT ଶୁଳ୍କ ଆକାରରେ ଆଦାୟ କରନ୍ତି।
୬- ଋଣ ପ୍ରୋସେସିଂ ଫି’ : ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନକୁ ଆଗକୁ ବଢ଼ାଇବା ପାଇଁ ଜଣେ ଗ୍ରାହକଙ୍କ ଠାରୁ ତାଙ୍କ ଋଣ ପରିମାଣ ଅନୁସାରେ ୦.୫ ରୁ ୨% ଶୁଳ୍କ ନିଅନ୍ତି।
୭- ଆକାଉଣ୍ଟ ରକ୍ଷଣାବେକ୍ଷଣ ପାଇଁ ଶୁଳ୍କ: ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରୁ ନଥିବା କରେଣ୍ଟ ଆକାଉଣ୍ଟଗୁଡ଼ିକ ପାଇଁ ଏହି ଚାର୍ଜ ମାସିକ ନିଆଯାଏ। ଏବାବଦରେ ବାର୍ଷିକ ଶୁଳ୍କ ୫୦୦ରୁ ୧୫୦୦ ଟଙ୍କା ମଧ୍ୟରେ ରହିଥାଏ।
୮- ଓଭରଡ୍ରାଫ୍ଟ ଶୁଳ୍କ: ଯେଉଁ ଆକାଉଣ୍ଟଗୁଡ଼ିକରେ ଓଭରଡ୍ରାଫ୍ଟ (ନେଗେଟିଭ୍ ବାଲାନ୍ସ) ରହିଛି, ବ୍ୟାଙ୍କଗୁଡ଼ିକ ସେମାନଙ୍କ ଉପରେ ଏହି ଶୁଳ୍କ ଲଗାନ୍ତି। ଏହି ଶୁଳ୍କ ପ୍ରତି ଇଭେଣ୍ଟ ପାଇଁ ଆଦାୟ କରାଯାଏ ଓ ପ୍ରତ୍ୟେକ ଥର ପ୍ରାୟ ୪୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ ହୁଏ।
୯- ଅତିରିକ୍ତ ସେବା ଶୁଳ୍କ: ବ୍ୟାଙ୍କଗୁଡ଼ିକ ପ୍ରାୟତଃ ଅତିରିକ୍ତ ସେବା ପାଇଁ ଶୁଳ୍କ ଆଦାୟ କରନ୍ତି ଯେପରିକି ବାଲାନ୍ସ ନିଶ୍ଚିତକରଣ ପ୍ରଦାନ କରିବା ପାଇଁ ପ୍ରାୟ ୫୦ରୁ ୧୦୦ ଟଙ୍କା , ଷ୍ଟପ୍ ପେମେଣ୍ଟ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ପାଇଁ ପ୍ରାୟ ୧୨୦ ଟଙ୍କା ଓ ପାୱାର ଅଫ୍ ଆଟର୍ଣ୍ଣି ମାଧ୍ୟମରେ କାରବାର କରିବା ପାଇଁ ପ୍ରାୟ ୨୫୦ ଟଙ୍କା ଆଦାୟ ହୁଏ।
୧୦- IMPS ଶୁଳ୍କ: IMPS (ତୁରନ୍ତ ପେମେଣ୍ଟ ସେବା) ଭାରତରେ ପାଣ୍ଠି ସ୍ଥାନାନ୍ତର କରିବାର ଏକ ସୁବିଧାଜନକ ଓ ଦ୍ରୁତ ମାଧ୍ୟମ। କିନ୍ତୁ IMPS କାରବାର ପାଇଁ ଶୁଳ୍କ ବିଭିନ୍ନ ବ୍ୟାଙ୍କରେ ଭିନ୍ନଭିନ୍ନ ହୋଇଥାଏ। ପ୍ରତ୍ୟେକ ବ୍ୟାଙ୍କ କାରବାରର ପରିମାଣକୁ ଦେଖି ନିଜସ୍ୱ ଫି ନିର୍ଦ୍ଧାରଣ କରନ୍ତି। କିଛି ବ୍ୟାଙ୍କ କମ୍ ପରିମାଣ ପେମେଣ୍ଟ ପାଇଁ କୌଣସି ଫି’ ଆଦାୟ କରୁ ନଥିବା ବେଳେ ଆଉ କିଛି ବହୁତ କମ ଶୁଳ୍କ ଆଦାୟ କରନ୍ତି।
ଅଯଥା ଚାର୍ଜ କେମିତି ଦେବେ ନାହିଁ?
୧- ରକ୍ଷଣାବେକ୍ଷଣ ଶୁଳ୍କକୁ ଏଡ଼ାଇବା ପାଇଁ ସର୍ବଦା ନିଜ ଆକାଉଣ୍ଟରେ ଧାର୍ଯ୍ୟ ସୀମାର ଟଙ୍କା ଜମା କରି ରଖନ୍ତୁ।
୨- ଉଠାଣ ଶୁଳ୍କ ଦୂର କରିବା ପାଇଁ ଆପଣଙ୍କ ବ୍ୟାଙ୍କ ସହିତ ଜଡ଼ିତ ATMରୁ ଟଙ୍କା ଉଠାନ୍ତୁ।
୩- ଖର୍ଚ୍ଚ ପରିଚାଳନା କରିବାର ଏକ ଉତ୍ତମ ଉପାୟ ହେଉଛି ନିୟମିତ ସିଧାସଳଖ ଅର୍ଥ ଜମା କରିବାର ସୁବିଧା ଥିବା ଆକାଉଣ୍ଟର ବ୍ୟବହାର କରନ୍ତୁ। କାରଣ କିଛି ବ୍ୟାଙ୍କ ଏହି ଆକାଉଣ୍ଟଗୁଡ଼ିକ ପାଇଁ ଶୁଳ୍କ ଆଦାୟ କରନ୍ତି ନାହିଁ।
୪- ଅପ୍ରତ୍ୟାଶିତ ଚାର୍ଜ ଉପରେ ନଜର ରଖିବା ଓ ଚାର୍ଜର ଆଧାରକୁ ଜାଣିବା ପାଇଁ ବ୍ୟାଙ୍କ ଷ୍ଟେଟମେଣ୍ଟ ଉପରେ ନଜର ରଖନ୍ତୁ।
୫- ଫେସ ଟୁ ଫେସ କାରବାର ଓ ପେପର ଷ୍ଟେଟମେଣ୍ଟ ସହିତ ଜଡ଼ିତ ଖର୍ଚ୍ଚକୁ ଦୂରେଇ ରଖିବା ପାଇଁ ଅନଲାଇନ୍ ବ୍ୟାଙ୍କିଂ ଓ ଇ-ଷ୍ଟେଟମେଣ୍ଟର ବ୍ୟବହାର କରନ୍ତୁ।
୬- ATM ସହ ଜଡ଼ିତ ଚାର୍ଜରୁ ବର୍ତ୍ତିବା ପାଇଁ ଟଙ୍କା ଉଠାଣ ସମୟରେ ଅଧିକ ପରିମାଣ ନଗଦ ଅର୍ଥ ଉଠାଇ ରଖନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।