ମୁମ୍ବାଇ: ଜଣାଶୁଣା କୋରିଓଗ୍ରାଫର ଓ ଫିଲ୍ମ ନିର୍ଦ୍ଦେଶକ ରେମୋ ଡି’ସୌଜାଙ୍କୁ ଡିସେମ୍ବର ୧୧ ତାରିଖରେ ହୃଦଘାତ ହୋଇଥିଲା। ଯାହା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ହସ୍ପିଟାଲରେ ହିଁ ରେମୋଙ୍କ ଚିକିତ୍ସା ଚାଲିଥିବା ଏବଂ ଡିସେମ୍ବର ୧୯ ତାରିଖରେ ସେ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ। ବର୍ତ୍ତମାନ ରେମୋ ପରିବାର ସହ ଅଛନ୍ତି ଏବଂ ସୁସ୍ଥ ମଧ୍ୟ ଅଛନ୍ତି। ଯେଉଁଦିନ ରେମୋଙ୍କୁ ହୃଦଘାତ ହୋଇଥିଲା, ସେଦିନର ମୁହୂର୍ତ୍ତକୁ ସେ ମନେ ପକାଇଛନ୍ତି।
ଏକ ସାକ୍ଷାତକାରରେ ରେମୋ ସେଦିନର କଥାକୁ ମନେ ପକାଇ କହିଛନ୍ତି, ପ୍ରତିଦିନ ଭଳି ସବୁକିଛି ଠିକଠାକ୍ ଚାଲିଥିଲା। ମୁଁ ଟିଫିନ୍ କରିବା ପରେ ଜିମ୍ ଗଲି। ମୋ ପତ୍ନୀ ଲିଜେଲ୍ ଓ ମୋର ଟ୍ରେନର ହେଉଛନ୍ତି ଜଣେ। ଜିମରେ ଟ୍ରେନର ଲିଜେଲଙ୍କୁ ଟ୍ରେନିଂ ଦେଉଥିଲେ, ମୁଁ ନିଜ ପାଳିକୁ ଅପେକ୍ଷା କରିଥିଲି। ଏହା ମଧ୍ୟରେ ମୁଁ ଟ୍ରେଡମିଲରେ ଦ୍ରୁତ ଗତିରେ ଚାଲିବାକୁ ଲାଗିଲି ଏବଂ ଫୋମ୍ ରୋଲର୍ ମଧ୍ୟ କଲି।
ଏହା ପରେ ଯେତେବେଳେ ମୋ ନମ୍ବର ଆସିଲା, ମୁଁ ହଠାତ୍ ଉଠି ପଡ଼ିଲି। କିନ୍ତୁ ସେହି ସମୟରେ ମୋ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭୂତ କଲି। ପ୍ରଥମେ ମୋତେ ଲାଗିଲା ଏହା ଏସିଡିଟି କାରଣରୁ ହୋଇଥାଇପାରେ। ଏହା ପରେ ମୁଁ ପାଣି ପିଇଲି, କିନ୍ତୁ ଯନ୍ତ୍ରଣା ତଥାପି କମିନଥିଲା। ଏହା ପରେ ମୁଁ ଟ୍ରେନରଙ୍କୁ କହିଲି ଯେ ଆଜି ଆଉ ଟ୍ରେନିଂ କରିବାନି।
କିଛି ସମୟ ପରେ ମୁଁ ହସ୍ପିଟାଲ ଗଲି, ଯେଉଁଠାରେ ଡାକ୍ତର କହିଲେ ଏହା ଏକ ମେଜର ହାର୍ଟ ଆଟାକ୍। ଡାକ୍ତର କହିଲେ ଯେ ମୋ ଡାହାଣ ଧମନୀରେ ୧୦୦ ପ୍ରତିଶତ ବ୍ଲକେଜ୍ ଥିଲା। ସାଧାରଣତଃ ଜଣେ ମଣିଷର ହୃଦୟ ୫୫ ପ୍ରତିଶତ କାମ କରିଥାଏ। ହେଲେ ଯେତେବେଳେ ମୋତେ ହସ୍ପିଟାଲ ନିଆଗଲା, ମୋ ହାର୍ଟ ମାତ୍ର ୨୫ ପ୍ରତିଶତ କାମ କରୁଥିଲା। ବହୁତ ଲୋକେ ଭାବନ୍ତି ଯେ ମୁଁ ଷ୍ଟେରୋଏଡ୍ ନିଏ, ଯାହା ଆଦୌ ସତ୍ୟ ନୁହେଁ। ମୁଁ ଏକ ନ୍ୟାଚୁରାଲ୍ ବଡିରେ ବିଶ୍ୱାସ ରଖେ।
ସୂଚନାଯୋଗ୍ୟ, କୋରିଓଗ୍ରାଫର ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ରେମୋ ଏକାଧିକ ଡାନ୍ସ ଶୋ'ରେ ଜଜ୍ ଭୂମିକା ତୁଲାଇଛନ୍ତି। କିନ୍ତୁ ସମୟ ବଦଳିବା ସହ ସେ ଫିଲ୍ମ ନିର୍ଦ୍ଦେଶନାରେ ପାଦ ଥାପିଥିଲେ ଏବଂ ଏଥିରେ ସଫଳ ମଧ୍ୟ ହେଲେ। ସେ ଡାନ୍ସକୁ ନେଇ ଆଧାରିତ ABCD, ABCD 2, ଷ୍ଟ୍ରୀଟ୍ ଡାନ୍ସର ଓ ସଲମାନ୍ ଖାନଙ୍କ ଅଭିନୀତ 'ରେସ୍ ୩'ର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।