/odisha-reporter/media/post_attachments/uploadimage/library/16_9/16_9_0/IMAGE_1721296687.jpg)
Nelson Mandela
ନେଲସନ ମଣ୍ଡେଲାଙ୍କ ପରିଚୟ ପାଇଁ ତାଙ୍କ ନାମ ହିଁ ଯଥେଷ୍ଟ। ଦକ୍ଷିଣ ଆଫ୍ରିକାର 'ଗାନ୍ଧି' ଭାବରେ ସେ ବିଶ୍ୱ ବିଖ୍ୟାତ। ବର୍ଣ୍ଣଭେଦ କୁପ୍ରଥା ବିରୁଦ୍ଧରେ ଲଢେଇ କରି ସମଗ୍ର ବିଶ୍ୱରେ ପରିଚୟ ସୃଷ୍ଟି କରିଥିଲେ ମଣ୍ଡେଲା। ଭାରତରେ ମହାତ୍ମା ଗାନ୍ଧି ଯେପରି ଦୀର୍ଘ ଦିନ ଅହିଂସା ପଥ ଆପଣାଇ ସ୍ୱାଧୀନତାର ଲଢେଇ ଲଢିଥିଲେ, ସେହିପରି ନେଲସନ ମଣ୍ଡେଲା ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ନୀତି ବିରୁଦ୍ଧରେ ଲଢେଇ କରିଥିଲେ।
ଦେଶଦ୍ରୋହ ମାମଲାରେ ତାଙ୍କୁ ୨୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରା ଯାଇଥିଲେ ମଧ୍ୟ ସେ ହାର୍ ମାନି ନଥିଲେ। ଶେଷରେ ସେ ସେହି ଦେଶରେ ଅର୍ଥାତ୍ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ସମାଜିକ କୁପ୍ରଥା ପରିବର୍ତ୍ତନ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୧୮ ଜୁଲାଇକୁ ନେଲସନ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ପାଳନ କରାଯାଏ। ମଣ୍ଡେଲାଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଏ। ତେବେ ଏହି ଅବସରରେ ନେଲସନ ମଣ୍ଡେଲାଙ୍କ ଜୀବନ କାହାଣୀ ବିଷୟରେ ଜାଣନ୍ତୁ...
ସଂଘର୍ଷରେ ବିତିଥିଲା ଜୀବନ
୧୮ ଜୁଲାଇ ୧୯୧୮ରେ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ ନେଲସନ ମଣ୍ଡେଲା। ତାଙ୍କ ପୂରା ନାମ ଥିଲା ନେଲସନ ରୋଲିହ୍ଲଲା ମଣ୍ଡେଲା। ବାପାଙ୍କ ମୃତ୍ୟୁ ପରେ ତାଙ୍କ ଜୀବନ ସଂଘର୍ଷମୟ ହୋଇ ଯାଇଥିଲା। ସେ ୧୯୪୪ରେ ଆଫ୍ରିକାନ ନ୍ୟାସନାଲ କଂଗ୍ରେସରେ ଯୋଗ ଦେଇଥିଲେ। ଏହାପରେ ବର୍ଣ୍ଣବୈଷମ୍ୟ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ। ସେହି ବର୍ଷ ସେ, ତାଙ୍କ ସହଯୋଗୀଙ୍କ ସହ ମିଶି ଆଫ୍ରିକାନ ନ୍ୟାସନାଲ କଂଗ୍ରେସ ୟୁଥ୍ ଲିଗ୍ ପ୍ରତିଷ୍ଠା କରିଥିଲେ।
ଆଜୀବନ କାରାଦଣ୍ଡ
୧୯୪୭ ମସିହାରେ ସେ ଆଫ୍ରିକାନ ନ୍ୟାସନାଲ କଂଗ୍ରେସ ୟୁଥ ଲିଗର ସଚିବ ଭାବରେ ନିର୍ବାଚିତ ହୋଇଥିଲେ। ୧୯୬୧ରେ ମଣ୍ଡେଲା ଏବଂ ତାଙ୍କର କିଛି ବନ୍ଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର କରାଯାଇଥିଲା। ତେବେ ସେ ଏଥିରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲେ। କିନ୍ତୁ ଏହା ପରେ ୧୯୬୨ରେ ସେ ଶ୍ରମିକମାନଙ୍କୁ ବିନା ଅନୁମତିରେ ଦେଶ ଛାଡି ଚାଲିଯିବାକୁ ଉତ୍ସାହିତ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ଏଥିପାଇଁ ୧୯୬୪ରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ପରେ ସେ ତାଙ୍କ ଜୀବନର ୨୭ ବର୍ଷ ଜେଲରେ ବିତାଇଥିଲେ। ୧୯୯୦ରେ ଜେଲରୁ ମୁକୁଳି ଥିଲେ ମଣ୍ଡେଲା।
ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି
୧୯୯୪ରେ ଦକ୍ଷିଣ ଆଫ୍ରିକାରେ ରଙ୍ଗଭେଦ ମୁକ୍ତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ​​ମଣ୍ଡେଲା ପୂର୍ଣ୍ଣ ସମର୍ଥନ ପାଇ ସରକାର ଗଠନ କରିଥିଲେ। ମେ ୧୦, ୧୯୯୪ରେ ନେଲସନ ମଣ୍ଡେଲା ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇଥିଲେ। ସେ ଜେଲରେ ଥିବାବେଳେ ନିଜ ଜୀବନ କାହାଣୀ ଲେଖିଥିଲେ। ଏହା ପରବର୍ତ୍ତୀ ସମୟରେ 'ଲଙ୍ଗ୍ ୱାକ୍ ଟୁ ଫ୍ରିଡମ୍' ନାମକ ଏକ ପୁସ୍ତକ ଭାବରେ ପ୍ରକାଶିତ ହୋଇଥିଲା।
ଭରତ ରତ୍ନ ଜିତିଥିବା ବିଦେଶୀ
୧୯୯୦ ମସିହାରେ ଭାରତ ସରକାର ମଣ୍ଡେଲାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ' ସମ୍ମାନରେ ସମ୍ମାନିତ କରିଥିଲେ। ୧୯୯୩ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ନଭେମ୍ବର ୨୦୦୯ରେ ମିଳିତ ଜାତିସଂଘ ଆନୁଷ୍ଠାନିକ ଭାବରେ ୧୮ ଜୁଲାଇକୁ ନେଲସନ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ଭାବରେ ଘୋଷଣା କରିଥିଲା। ଏହା ପରେ ୨୦୧୦ରେ ପ୍ରଥମ ନେଲସନ ମଣ୍ଡେଲା ଦିବସ ପାଳନ କରାଯାଇଥିଲା। ୫ ଡିସେମ୍ବର ୨୦୧୩ରେ ୯୫ ବର୍ଷ ବୟସରେ ପ୍ରାଣ ହରାଇଥିଲେ ମଣ୍ଡେଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
