ତଟ ରାଜପଥ- ଭଲ ପ୍ରକଳ୍ପ ଭେଲ ନହେଉ !

ଦେବେନ୍ଦ୍ର ପୃଷ୍ଟି

ଓଡ଼ିଶାର ତଟ ରାଜପଥ ଏକ ଭଲ ପ୍ରକଳ୍ପ। ଦୀଘାରୁ ଗୋପାଳପୁର ଯାଏଁ ସମୁଦ୍ର କୂଳରେ ପ୍ରାୟ ୪୫୧ କିଲୋମିଟର ଦୀର୍ଘ ଏହି ରାଜପଥ ନିର୍ମାଣ ହେଲେ ତାହା ସାମୁଦ୍ରିକ ବାତ୍ୟାର ପ୍ରତିବନ୍ଧକ ଭାବେ କାର୍ଯ୍ୟ କରିବା ସହିତ ଉପକୂଳୀୟ ପର୍ଯ୍ୟଟନ ଶିଳ୍ପର ବିକାଶ ଓ ଅଭିବୃଦ୍ଧିରେ ସହାୟକ ହେବ। ତେବେ, ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପକୂଳ ପରିବେଶ ଓ ସାମୁଦ୍ରିକ ପରିବେଷ୍ଟନୀର ସୁରକ୍ଷା ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଦରକାର। ତା’ ନହେଲେ ଉପକୂଳ ଓଡ଼ିଶା ପାଇଁ ଏହି ପ୍ରକଳ୍ପ ମରଣକୁ ଘୋଷରା ବୁକେଇଯିବା ପରି କଥା ହେବ।

୧୯୯୯ ମହାବାତ୍ୟା ପରେ ଉପକୂଳ ଓଡ଼ିଶାକୁ ସାମୁଦ୍ରିକ ବାତ୍ୟା ଦାଉରୁ ରକ୍ଷା କରିବା ପାଇଁ ଉପକୂଳ ରାଜପଥର ପରିକଳ୍ପନା କରାଯାଇଥିଲା। ଓଡ଼ିଶା ସରକାରଙ୍କର ତତ୍କାଳୀନ ପୂର୍ତ୍ତ ମନ୍ତ୍ରୀ ନଳିନୀ ମହାନ୍ତି ଏପରି ଏକ ପ୍ରସ୍ତାବ ଦେଇଥିଲେ ଓ ଅଟଳ ବିହାରୀ ବାଜପେୟଙ୍କର ତତ୍କାଳୀନ କେନ୍ଦ୍ର ସରକାର ଏହି ପ୍ରସ୍ତାବ ପ୍ରତି ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ। କିନ୍ତୁ କ’ଣ ହେଲା କେଜାଣି ନଳିନୀ ମହାନ୍ତିଙ୍କ ବହିଷ୍କାର ପରେ ପରେ ସେ ପ୍ରକଳ୍ପ ବିଷୟ ଆଉ ଉଠିଲା ନାହିଁ। ଏହାର ବହୁ ବର୍ଷ ପରେ ୨୦୧୫ ଏପ୍ରିଲ ମାସରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କାରୀ ପିପିଲି ଜନସଭାରେ ପୁଣି ଥରେ ଏହି ପ୍ରକଳ୍ପ ବିଷୟରେ ଘୋଷଣା କଲେ। କିନ୍ତୁ ଓଡ଼ିଶା ସରକାରଙ୍କ ଅସହଯୋଗ କାରଣରୁ ଏଯାଏଁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। କେନ୍ଦ୍ର ସରକାରଙ୍କ ମୂଳ ପ୍ରସ୍ତାବ ଅନୁସାରେ ଦୀଘା, ଚାନ୍ଦିପୁର, ଧାମରା, ରତନପୁର, ଅସ୍ତରଙ୍ଗ, ପୁରୀ, ସାତପଡ଼ା ଓ ଗୋପାଳପୁର ମଧ୍ୟରେ ଲମ୍ବିବାକୁ ଥିବା ତଟୀୟ ରାଜପଥରେ ମୋଟ ୭୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ ୬୦୦୦ କୋଟି ଟଙ୍କା ରାସ୍ତା ନିର୍ମାଣ ଓ ୧୫୦୦ କୋଟି ଟଙ୍କା ଜମି ଅଧିଗ୍ରହଣରେ ବ୍ୟୟ ହେବ। ମାତ୍ର, ଓଡ଼ିଶା ସରକାର ଏହି ରାଜପଥକୁ ସମୁଦ୍ର କୂଳେକୂଳେ ନେବାକୁ ପ୍ରସ୍ତାବ ଦେଇ ମୂଳ ନକ୍ସାକୁ ବିରୋଧ କରି ଏକ ସଂଶୋଧିତ ନକ୍ସା ସୁପାରିଶ କରିଥିଲେ। କିନ୍ତୁ ଓଡ଼ିଶା ସରକାରଙ୍କ ସଂଶୋଧିତ ନକ୍ସାକୁ ଜଙ୍ଗଲ ଓ ପରିବେଶ ମଂଜୁରୀ ମିଳିଲା ନାହିଁ। ସେହିପରି ଏହି ଓଡ଼ିଶା ସରକାରଙ୍କ ନକ୍ସାକୁ ତଟୀୟ ନିୟନ୍ତ୍ରଣ ଅଂଚଳ ବା ସିଆରଜେଡ୍‌ ଅନୁମୋଦନ ମଧ୍ୟ ମିଳିଲା ନାହିଁ। କାରଣ ଓଡ଼ିଶା ସରକାରଙ୍କ ନକ୍ସା ଭିତରକନିକା, ଲୁଣା ନଦୀ, ଚିଲିକା ଆଦି ପରିବେଶ ଓ ପରିବେଷ୍ଟନୀ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଚଳ ଦେଇ ଗତି କରୁଥିଲା। ଯଦି ତଟୀୟ ରାଜପଥ ଏହିସବୁ ଅଂଚଳ ମଧ୍ୟରେ ଗତି କରନ୍ତା ତେବେ ଭିତରକନିକା ଅଭୟାରଣ୍ୟ, ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ପ୍ରଜନନ ସ୍ଥଳୀ, ଚିଲିକାର ଜଳ-ପରିବେଶ ଆଦିର ଅକଳଣ କ୍ଷତି ହୋଇଥାନ୍ତା। ତେବେ ଏହି କାରଣରୁ ମଂଜୁରୀ ନମଳିବାରୁ ଏବେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ମୂଳ ନକ୍ସାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ତାହା ପୁଣି ଅଧା। ଓଡ଼ିଶା ସରକାର କହିଛନ୍ତି ଯେ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ ବା ଏନଏଚଏଆଇ ମୂଳ ନକ୍ସା ଅନୁସାରେ ଦୀଘାରୁ ସାତପଡ଼ା ଯାଏଁ କାର୍ଯ୍ୟ ଆରମ୍ଭ କରିପାରିବ। ସାତପଡ଼ାରୁ ଗୋପାଳପୁର ଖଣ୍ଡର ଅନୁମୋଦନ ପରେ ଦିଆଯିବ।

ଏହି ରାଜପଥ ନିର୍ମାଣ ହେଲେ ଉପୂକଳ ଓଡ଼ିଶାର ଅନେକ ଲାଭ ହେବ। ପ୍ରଥମରେ ତଟ ରାଜପଥ ପ୍ରାୟ ପ୍ରତିବର୍ଷ ଉପକୂଳ ବାସିନ୍ଦାମାନଙ୍କର କ୍ଷୟକ୍ଷତି କରୁଥିବା ସାମୁଦ୍ରିକ ବାତ୍ୟା ବିରୋଧରେ ଏକ ପ୍ରତିବନ୍ଧକ ଭାବେ କାର୍ଯ୍ୟ କରିବ। ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଯଦି ଝାଉଁ, କାଜୁ, ବାଉଁଶ, ଖଜୁରୀ, ହେନ୍ତାଳ ଆଦିର ଜଙ୍ଗଲ ସୃଷ୍ଟି କରାଯାଏ ତେବେ ତାହା ଏକ ସୁଦୃଢ଼ ସବୁଜ ପ୍ରାଚୀର ଭାବେ କାର୍ଯ୍ୟ କରିବ। ରାଜପଥ ଯୋଗୁଁ ଉପକୂଳର ଅନେକ ଚାଷଜମି ଲୁଣା ପ୍ଲାବନରୁ ସୁରକ୍ଷିତ ରହିବ। ଅନେକ ଅଂଚଳର ଉଦବୃତ୍ତ ବର୍ଷା ଜଳ ତଟ ରାଜପଥ ଯୋଗୁଁ ସମୁଦ୍ରକୁ ବୋହି ନଯାଇ ସଂରକ୍ଷିତ ରହିବ ଓ ତାହାକୁ ବ୍ୟବହାର କରି ସଂପୃକ୍ତ ଅଂଚଳର ଲୋକମାନେ ବର୍ଷ ସାରା ବିଭିନ୍ନ ପ୍ରକାରର ମାଛ ଓ ଫସଲ ଅମଳ କରିପାରିବେ। ବିଶେଷକରି ସେହିସବୁ ଅଂଚଳରେ ଅଳ୍ପ ପୁଞ୍ଜିରେ ପାରମ୍ପାରିକ ମାଛଚାଷ ସହିତ ସ୍ଥାନୀୟ ଅଂଚଳର ଆବଶ୍ୟକତା ମେଣ୍ଟାଇଲା ଭଳି ପନିପରିବା ଚାଷ କରାଯାଇ ପାରିବ। ସମୁଦ୍ର ଉପକୂଳଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଏହି ରାଜପଥ ନିର୍ମିତ ହେବାର ପ୍ରସ୍ତାବ ଥିବାରୁ ଏହା ଉପକୂଳୀୟ ପର୍ଯ୍ୟଟନ ଶିଳ୍ପର ବିକାଶ ଓ ଅଭିବୃଦ୍ଧିରେ ସହାୟକ ହେବ। ଏହି ରାଜପଥର ଉଭୟ ପାର୍ଶ୍ୱରେ ହୋଟେଲ ଓ ବଜାର ଖୋଲିବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ସାମୁଦ୍ରିକ ଜଳକ୍ରୀଡ଼ାର ବିକାଶ ମଧ୍ୟ ହୋଇପାରିବ। ଉପକୂଳୀୟ ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶାର ପାରମ୍ପାରିକ ଚାରୁ ଓ କାରୁ କଳାର ବଜାର ସୃଷ୍ଟି ହୋଇପାରିବ। ସେହିପରି ଓଡ଼ିଶାର ପାରମ୍ପାରିକ ଖାଦ୍ୟ ବଜାର ଜରିଆରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରାଯାଇପାରିବ। ସର୍ବୋପରି ଏହି ରାଜପଥ ଦୀଘାରୁ ଗୋପାଳପୁର ଯାଏଁ ୧୭୮ ଖଣ୍ଡ ଗାଁକୁ ଯୋଡ଼ିବ। ତାହା ଏହି ସବୁ ଅଚଂଳର ଗମାନଗମନ ସୁବିଧା ସୁଦୃଢ଼ କରିବ। ବାତ୍ୟା ଓ ବନ୍ୟା ସମୟରେ ରିଲିଫ ଓ ପୁନରୁଦ୍ଧାର ଆଦି କାର୍ଯ୍ୟ ପାଇଁ ଏହି ରାଜପଥ ବହୁ ଭାବରେ ସହାୟକ ହୋଇପାରିବ। ସେହିପରି ଧାମରା, ପାରାଦୀପ ଓ ଗୋପାଳପୁର ବନ୍ଦର ସମେତ ଅନ୍ୟାନ୍ୟ ପ୍ରସ୍ତାବିତ ବନ୍ଦରକୁ ଯୋଡ଼ି ଏହି ରାଜପଥ ଭବିଷ୍ୟତରେ ଏକ ବାଣିଜ୍ୟ ପଥ ଭାବେ ମଧ୍ୟ କାର୍ଯ୍ୟ କରିପାରିବ।

ତେବେ, ତଟ ରାଜପଥ ଯେତେ ଭଲ ସେତେ ଭେଲ ବି ହୋଇପାରେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପକୂଳ ଓଡ଼ିଶାର ପରିବେଶ ଓ ପ୍ରକୃତି ସହିତ ମଣିଷ, ବନ୍ୟପ୍ରାଣୀ ଓ ସାମୁଦ୍ରିକ ଜୀବଙ୍କର ସୁରକ୍ଷା ଦିଗରେ ସଚେତନ ରହି ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଉଚିତ। ପ୍ରସ୍ତାବିତ ଏହି ରାଜପଥ ପରିବେଶ ଦୃଷ୍ଟିରୁ ସ୍ପର୍ଶକାତର ଉପକୂଳ ଓଡ଼ିଶାର ହେନ୍ତାଳ ବଣ, ପକ୍ଷୀ ଅଭୟାରଣ୍ୟ, କୁମ୍ଭୀର ପ୍ରଜନନ କେନ୍ଦ୍ର, ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମିଳନ ଓ ପ୍ରଜନନ ସ୍ଥଳ, ବାଲି ହରିଣଙ୍କ ଆଶ୍ରୟ ସ୍ଥଳ ଦେଇ ଗତି କରିବ। ତେଣୁ ତଟ ରାଜପଥ ନିର୍ମାଣ ସମୟରେ ଏସବୁ ପ୍ରାକୃତିକ ସଂପଦର ଯେପରି କୌଣସି କ୍ଷତି ନହୁଏ ସେଥିପ୍ରତି ଦୃଷ୍ଟି ରହିବା ଦରକାର। ବଡ଼ ଗଛ କାଟି ଚାରା ଲଗାଇବା ଯେପରି ଅମ୍ଳଯାନ ଉତ୍ପାଦନ ଓ ପରିବେଶ ସୁରକ୍ଷା ଦୃଷ୍ଟିରୁ ଫାଇଦାଜନକ ନୁହେଁ ଠିକ ସେହିପରି ସାମୁଦ୍ରିକ ବାତ୍ୟା ବିରୋଧରେ ପ୍ରାକୃତିକ ପ୍ରାଚୀର ଭାବେ କାର୍ଯ୍ୟ କରୁଥିବା ହେନ୍ତାଳ ଓ ଝାଉଁ ଜଙ୍ଗଲ ଆଦି ଧ୍ୱଂସ କରି ଏକ ସଡ଼କ ପ୍ରାଚୀର ନିର୍ମାଣ କରିବା କୌଣସି ଦୃଷ୍ଟିରୁ ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ। ଯେଉଁ ଅଂଚଳର ଦେଇ ଏହି ପ୍ରସ୍ତାବିତ ରାଜପଥ ଗତି କରିବ ସେହିସବୁ ଅଂଚଳ ବର୍ଷା ଦିନେ ଜଳଜମାଟି ସମସ୍ୟାର ସମ୍ମୁଖୀନ ହୋଇଥାଏ। ଉଦବୃତ୍ତ ବର୍ଷା ଜଳ ସମୁଦ୍ରକୁ ବୋହିଯିବାରେ ମାନବକୃତ ଓ ପ୍ରାକୃତିକ ପ୍ରତିବନ୍ଧକ ରହିଥିବାରୁ ଉପକୂଳ ଓଡ଼ିଶାର କେତେକ ଅଂଚଳରେ ବର୍ଷକ ପ୍ରାୟ ୩-୪ ମାସ ଜଳମଗ୍ନ ରହି ସାଧାରଣ ଜୀବନଯାତ୍ରା ବ୍ୟାହତ କରିଥାଏ। ପ୍ରସ୍ତାବିତ ତଟ ରାଜପଥ ନିର୍ମାଣ ସମୟରେ ଏହି ସମସ୍ୟା ପ୍ରତି ମଧ୍ୟ ଦୃଷ୍ଟି ଦିଆଯିବା ଜରୁରୀ। ତା’ ନହେଲେ ସଡ଼କ ନିର୍ମାଣ କରୁକରୁ ଜଳ ନିଷ୍କାସନ ପାଇଁ ଥିବା ପ୍ରାକୃତିକ ବାଟଗୁଡ଼ିକ ବନ୍ଦ ହୋଇଗଲେ ଏ ସମସ୍ୟା ଅଧିକ ଉତ୍କଟ ହୋଇପାରେ। ସେମିତି ହେଲେ ଉପକୂଳର ଅଧିକ ଜମି ଜଳମଗ୍ନ ହେବାର ଆଶଙ୍କା ରହିଛି। ପୁଣି ବାତ୍ୟା ଓ ବନ୍ୟା ସମୟରେ ପ୍ରାୟ ପ୍ରତି ବର୍ଷ ଅସ୍ଥାୟୀ ଭାବେ ବାସଚ୍ୟୁତ ହେଉଥିବା ଲୋକମାନଙ୍କୁ ଏହି ପ୍ରକଳ୍ପ ପାଇଁ ଯଦି ସ୍ଥାୟୀ ଭାବେ ବାସଚ୍ୟୁତ ହେବାକୁ ପଡ଼େ ତେବେ ତାହା ମଧ୍ୟ କୌଣସି ଦୃଷ୍ଟିରୁ ଗ୍ରହଣୀୟ ହୋଇନପାରେ। ସେହିପରି ପର୍ଯ୍ୟଟନ ଓ ବାଣିଜ୍ୟ ବିକାଶ ଜରିଆରେ ନିଯୁକ୍ତି ଓ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ଯାଇଁ ଏହି ରାଜପଥ ଯଦି ଶିଶୁ ଓ ମହିଳାଙ୍କ ଯୌନ ଶୋଷଣର ମାଧ୍ୟମ ହୁଏ, ବହିରାଗତ ମଦ୍ୟପଙ୍କ ବିକୃତ ମନୋରଂଜନର ସଡ଼କ ପାଲଟେ ତେବେ ତାହା ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପ୍ରଦୂଷଣର ରାଜପଥରେ ପରିଣତ ହୋଇପାରେ।

ତେଣୁ, ଉଭୟ କେନ୍ଦ୍ର ସରକାର ଓଡ଼ିଶା ଓ ଓଡ଼ିଶାବାସୀଙ୍କର ସର୍ବାଧିକ ଲାଭ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ରାଜପଥ ନିର୍ମାଣ କରିବା ଉଚିତ। ଏହା ଏକ ଭଲ ପ୍ରକଳ୍ପ। ଏହାର ପରିଣାମ ମଧ୍ୟ ଭଲ ହେବା ଉଚିତ। ରାଜନୀତିକ, ଆଞ୍ଚଳିକ ଓ ଗୋଷ୍ଠୀଗତ ସ୍ୱାର୍ଥକୁ ଗୁରୁତ୍ୱ ଦିଆଗଲେ ପ୍ରକଳ୍ପର ପରିଣାମ ଭଲ ଜାଗାରେ ଭେଲ ହୋଇଯିବାର ଆଶଙ୍କା ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।