ପାଗ ଭିଡ଼ୁ ଭିଡ଼ୁ କଚେରୀ ବରଖାସ୍ତ !

ଦେବେନ୍ଦ୍ର ପୃଷ୍ଟି

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତା ତଥା ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ୱରେ ୨୦୦୪-୨୦୧୪ ମଧ୍ୟରେ କ୍ଷମତାସୀନ ଥିବା ଉପା ସରକାରଙ୍କ ବିରୋଧରେ ମୁଖ୍ୟ ବିରୋଧୀ ଦଳ ବିଜେପି ତଥା ଏହା ନେତୃତ୍ୱାଧୀନ ଏନଡିଏର ମୁଖ୍ୟ ଅଭିଯୋଗ ଥିଲା ଦୁର୍ନୀତି। ଏହା ବ୍ୟତିତ ଉପା ସରକାର ବିରୋଧରେ ଅନ୍ୟ ଏକ ଅଭିଯୋଗ ଥିଲା। ତାହା ହେଉଛି ନୀତି ଓ ନିଷ୍ପତ୍ତିଗତ ଅଚଳାବସ୍ଥା। ବିଜେପିର ଦିବଙ୍ଗତ ନେତା ଅରୁଣ ଜେଟଲୀ ଏହି ଅବସ୍ଥାକୁ କହୁଥିଲେ ପଲିସି ପାରାଲିସିସ ବା ନୀତିଗତ ପକ୍ଷାଘାତ। ଯାହା ଜଣାପଡ଼ୁଛି କ୍ଷମତା ହରେଇବାର ୬ ବର୍ଷ ପରେ ମଧ୍ୟ କଂଗ୍ରେସ ଏହି ନୀତି-ପକ୍ଷାଘାତ ଓ ନିଷ୍ପତ୍ତି ନେବାର ଅଚଳାବସ୍ଥାରୁ ଉଦ୍ଧାର ପାଇନାହିଁ। କଂଗ୍ରେସ ଦଳର ନିଷ୍ପତ୍ତି ନେବାରେ ବିଳମ୍ବ କାରଣରୁ ହିଁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁଯୋଗ ମିଳିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଓଡ଼ିଆରେ ଗୋଟେ କଥା ଅଛି- ପାଗ ଭିଡ଼ୁ ଭିଡ଼ୁ କଚେରୀ ବରଖାସ୍ତ। ଏହି ରୁଢ଼ିଟି ଅନେକ ଲୋକପ୍ରିୟ। ଅନେକ ଅଂଚଳରେ ଏହାର ସମାର୍ଥବୋଧ ରୁଢ଼ି ମଧ୍ୟ ଚଳେ। ତାହା ହେଉଛି, ଠେଙ୍ଗା ତୁଲଉଁ ତୁଲଉଁ ଘୁଷୁରୀ ଯାଇଁ ମଙ୍ଗଳପୁରରେ ହାଜର। ସେହିପରି ଅନ୍ୟ କେହ କହନ୍ତି, ଖଣ୍ଡା ପଜଉ ପଜଉ ମହାଭାରତ ଯୁଦ୍ଧ ଶେଷ। ସାଂପ୍ରତିକ ମହାରାଷ୍ଟ୍ର ରାଜନୀତି  ପରିପ୍ରେକ୍ଷୀରେ ସୋନିଆ ଗାନ୍ଧୀ ଓ କଂଗ୍ରେସ ପ୍ରତି ଏହି ରୁଢ଼ି ପ୍ରଯୁଜ୍ୟ। ସରକାର ଗଠନ ପାଇଁ ଶିବସେନାକୁ ଭିତରୁ ହେଉ ବା ବାହାରୁ ସମର୍ଥନ କରିବାର ନିଷ୍ପତ୍ତି ନେବାରେ ବିଳମ୍ବ କାରଣରୁ ହିଁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ସୁପାରିଶ କରିବାକୁ ରାଜ୍ୟପାଳ ଭାଗତସିଂହ କୋଶିୟାରୀ ସୁଯୋଗ ପାଇଲେ ବୋଲି କୁହାଯାଇ ପାରେ। ଏହା ପଛରେ ଅବଶ୍ୟ କେନ୍ଦ୍ର ସରକାରଙ୍କର ଭୂମିକା ରହିଥିବ। ନହେଲେ ଏତେ ତରବରରେ ରାଜ୍ୟପାଳ ଏପରି ସୁପାରିଶ କରିନଥାନ୍ତେ। ତେବେ ସେଥିପାଇଁ କଂଗ୍ରେସର ନୀତିଗତ ପକ୍ଷାଘାତ ରୋଗ ହିଁ ଦାୟୀ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇଲା ଅକ୍ଟୋବର ୨୪ ତାରିଖରେ। ସେହିଦିନ ହରିଆନା ବିଧାନସଭା ନିର୍ବାଚନ ଫଳ ମଧ୍ୟ ଘୋଷଣା କରାଯାଇଥିଲା। ମହାରାଷ୍ଟ୍ର ପରି ହରିଆନାରେ ମଧ୍ୟ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନଥିଲା। ରାଜ୍ୟର ୯୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୪୦, କଂଗ୍ରେସ ୩୧, ଜେଜେପି ୧୦ ଓ ଅନ୍ୟ ଛୋଟଛୋଟ ଦଳ ଓ ସ୍ୱାଧୀନ ସଦସ୍ୟ ମିଶି ୯ ଆସନ ଜିତିଥିଲେ। ସରକାର ଗଢ଼ିବା ପାଇଁ ୪୬ ଆସନ ଦରକାର ଥିଲା। କଂଗ୍ରେସ ସରକାର ଗଢ଼ିବା ପାଇଁ ସଂଖ୍ୟା ଖୋଜିବା ଆରମ୍ଭ କରିବା ପୂର୍ବରୁ ବିଜେପି ୮ ଜଣ ସ୍ୱାଧୀନ ସଦସ୍ୟଙ୍କ ସମର୍ଥନ ହାସଲ କରିଥିଲା। ସ୍ୱାଧୀନ ସଦସ୍ୟଙ୍କୁ ଏକାଠି କରି ବିଜେପି ନେତାଙ୍କୁ ଭେଟେଇଥିବା ଗୋପାଳ କାଣ୍ଡାଙ୍କ ବିବାଦୀୟ ଅତୀତକୁ ନେଇ ବିପକ୍ଷ ଦଳଗୁଡ଼ିକ ସମାଲୋଚନା କରିବା ପରେ ଦିନକ ଭିତରେ ବିଜେପି ନେତାମାନେ ଜେଜେପି ନେତାମାନଙ୍କ ସହିତ ମୂଲଚାଲ କରି ସେମାନଙ୍କ ସମର୍ଥନ ହାସଲ କଲେ। ଜେଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ମଧ୍ୟ ବିଜେପି ତିଳେ ହେଲେ କୁଣ୍ଠାବୋଧ କଲା ନାହିଁ। ଫଳରେ ସେଠାରେ ଏବେ ବିଜେପି-ଜେଜେପି ସରକାର କ୍ଷମତାସୀନ ହୋଇଛି।

ମହାରାଷ୍ଟ୍ରରେ ମଧ୍ୟ ସମାନ ନହେଲେ ବି ସମାନ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଠାରେ ବିଜେପି ଓ ଶିବସେନା ଏକାଠି ମିଶି ନିର୍ବାଚନ ଲଢ଼ିଥିଲେ। ଅକ୍ଟୋବର ୨୪ ତାରିଖରେ ଘୋଷିତ ଫଳାଫଳ ଅନୁସାରେ ବିଜେପି ୧୦୫ ଓ ଶିବସେନା ୫୬ ଆସନ ଜିତି ସରକାର ଗଢ଼ିବା ପାଇଁ ୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ୧୪୫ ଆସନରୁ ଅଧିକ ୧୬ଟି ଆସନ ହାସଲ କରିଥିଲେ। ଏହି ସଂଖ୍ୟକ ସମର୍ଥନ ଥାଇ ସ୍ୱାଭାବିକ ଭାବେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ କରିବା କଥା। ମାତ୍ର, ସରକାରରେ ଅଂଶିଦାରୀ ନେଇ ଉଭୟ ଦଳ ମଧ୍ୟରେ ମତଭେଦ ସୃଷ୍ଟି ହେବାରୁ ସରକାର ଗଠନ ହୋଇପାରିନଥିଲା। ଶିବସେନା ୫୦:୫୦ ଭାଗିଦାରୀ ପାଇଁ ଦାବି କରୁଥିଲା। ଦଳର ଦାବି ଅନୁସାରେ ବିଜେପିର ମୁଖ୍ୟମନ୍ତ୍ରୀ ଅଢ଼େଇ ବର୍ଷ ଓ ଶିବସେନାର ମୁଖ୍ୟମନ୍ତ୍ରୀ ଅଢ଼େଇ ବର୍ଷ ଶାସନ କରିବେ। ଏହି ବୁଝାମଣାରେ ଉଭୟ ଦଳ ମେଣ୍ଟ ବାନ୍ଧିଥିଲେ ବୋଲି ଦଳ ଦାବି କରୁଥିଲା। କିନ୍ତୁ ବିଜେପି ଏହି ଦାବିକୁ ଗ୍ରହଣ ନକରିବାରୁ ବିକଳ୍ପ ସରକାର ଗଠନ ପାଇଁ ବାଟ ସଫା ହୋଇଯାଇଥିଲା।

ସାମ୍ବିଧାନିକ ନିୟମ ଅନୁସାରେ ରାଜ୍ୟପାଳ କୋଶିୟାରୀ ପ୍ରଥମେ ଏକକ ସଂଖ୍ୟାଗରିଷ୍ଠ ଦଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ନଭେମ୍ବର ୯ ତାରିଖରେ ରାଜ୍ୟପାଳ ବିଜେପିକୁ ଡାକିଥିଲେ ଓ ୧୧ ତାରିଖ ସୁଦ୍ଧା ଆସ୍ଥା ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଜେପି ୧୦ ତାରିଖରେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା। ଦଳ ପାଖରେ ସଂଖ୍ୟାର ସମର୍ଥନ ନଥିବାରୁ ସରକାର ଗଢ଼ିବାକୁ ବିଜେପି ଅସମର୍ଥ ବୋଲି ରାଜ୍ୟପାଳଙ୍କୁ ଜଣେଇ ଦେଇଥିଲା। ସେତେବେଳକୁ ଶିବସେନା ଓ ଏନସିପି ମଧ୍ୟରେ ସରକାର ଗଠନ ନେଇ ପ୍ରଚ୍ଛଦପଟ ଆଲୋଚନା ଆରମ୍ଭ ହୋଇସାରିଥିଲା ଓ ଉଭୟ ଦଳ ହାତ ମିଳେଇବାକୁ ରାଜି ହୋଇସାରିଥିଲେ। କିନ୍ତୁ ୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାର ଶିବସେନାର ୫୬ ଓ ଏନସିପିର ୫୪ ସଦସ୍ୟ ମିଶି ୧୧୦ ହେଉଥିବାରୁ ସରକାର ଗଠନ ପାଇଁ ଆହୁରି ୩୫ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଥିଲା। ବିଧାନସଭା ନିର୍ବାଚନରେ ଏନସିପି ଓ କଂଗ୍ରେସ ଏକାଠି ଲଢ଼ିଥିଲେ। କଂଗ୍ରେସ ୪୪ ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ ଯଦି ଠିକ ସମୟରେ ସମର୍ଥନ ଦେଇଥାନ୍ତା ତେବେ ଶିବସେନା, ଏନସିପି ଓ କଂଗ୍ରେସ ସଦସ୍ୟ ସଂଖ୍ୟା ମିଶି ୧୫୪ ହୋଇଥାନ୍ତା। ଶିବସେନାକୁ ସରକାର ଗଠନ ପାଇଁ ୭ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ସମର୍ଥନ କରୁଥିଲେ ବୋଲି ଦଳ ଦାବି କରୁଥିଲା। ତେଣୁ କଂଗ୍ରେସ ସମର୍ଥନ ମିଳିଥିଲେ ମହାରାଷ୍ଟ୍ରରେ ଏକ ଅଣବିଜେପି ସରକାର ଗଠନ ହେବାରେ କୌଣସି ଅସୁବିଧା ନଥିଲା। ସରକାରରେ କିଏ କେଉଁ ପଦ ପାଇବେ ସେନେଇ ମଧ୍ୟ ଗଣମାଧ୍ୟମ ଜରିଆରେ ଶିବସେନା ଓ ଏନସିପି ନେତାମାନେ ଆଲୋଚନା ଆରମ୍ଭ କରିସାରିଥିଲେ। ଜଣାପଡ଼ୁଥିଲା ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇବ, ଏନସିପି ଉପମୁଖ୍ୟମନ୍ତ୍ରୀ ପଦ ପାଇବ ଓ କଂଗ୍ରେସ ବିଧାନସଭା ବାଚସ୍ପତି ପଦ ପାଇବ। ଏହି ସମ୍ଭାବ୍ୟ ଚିତ୍ର ପଦାକୁ ଆସିବା ପରେ ଜଣାପଡ଼ୁଥିଲା ଯେମିତି ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପି ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କୌଟିଲ୍ୟ ବୁଦ୍ଧି ପରାସ୍ତ ହୋଇଛି। ଏହାକୁ ଲକ୍ଷ୍ୟ କରି ଏନସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ଅନେକ ଥର କହିଥିଲେ ଯେ ସେ ଶାହାଙ୍କ ସରକାର ଗଠନ ଦକ୍ଷତା ଦେଖିବାକୁ ଚାହାନ୍ତି। ତାଙ୍କ କଥାରୁ ଜଣାପଡ଼ୁଥିଲା ଯେ ସେ ମଧ୍ୟ ଏକରକମ ନିଶ୍ଚିତ ଥିଲେ ଯେ ବିଜେପି ସରକାର ଗଢ଼ି ପାରିବ ନାହିଁ।

କିନ୍ତୁ ସୋନିଆ ଗାନ୍ଧୀ ଓ ତାଙ୍କ କଂଗ୍ରେସ ନିଷ୍ପତ୍ତି ନେବାରେ ବିଳମ୍ବ କରିବାରୁ ତାହା ହୋଇପାରିଲା ନାହିଁ। ବିଜେପି ସରକାର ଗଢ଼ିବାକୁ ଅସାମର୍ଥ୍ୟ ପ୍ରକାଶ କରିବା ପରେ ରାଜ୍ୟପାଳ କୋଶିୟାରୀ ଶିବସେନାକୁ ଡାକିଥିଲେ ଓ ନଭେମ୍ବର ୧୧ ତାରିଖ ସନ୍ଧ୍ୟା ୭.୩୦ ଘଣ୍ଟା ସୁଦ୍ଧା ସମର୍ଥକଙ୍କ ସଂଖ୍ୟା ଜଣେଇବାକୁ କହିଥିଲେ। ନଭେମ୍ବର ୧୦ ତାରିଖରୁ ନଭେମ୍ବର ୧୧ ତାରିଖ ସନ୍ଧ୍ୟା ମଧ୍ୟରେ ପ୍ରାୟ ୪୮ ଘଣ୍ଟାର ସମୟ ଥିଲା। ମାତ୍ର ଏତେ ଲମ୍ବା ସମୟ ମଧ୍ୟରେ ବି କଂଗ୍ରେସ ପାର୍ଟି ନିଷ୍ପତ୍ତି ନେଇପାରିଲା ନାହିଁ। କୁହାଯାଏ ରାଜନୀତିରେ ଗୋଟିଏ ସପ୍ତାହ ମଧ୍ୟ ବହୁତ ଏକ ଲମ୍ବା ସମୟ। ଅନ୍ୟାର୍ଥରେ କହିଲେ, ରାଜନୀତିରେ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟେ। ଗୋଟେ ମିନିଟରେ ମଧ୍ୟ ରାଜନୀତିକ ଦୃଶ୍ୟପଟ ଓଲଟପାଲଟ ହୋଇଯିବାର ନଜୀର ଅଛି। ଅଥଚ ଦିଲ୍ଲୀରେ କଂଗ୍ରେସ ପାର୍ଟିର ଦୁଇ ଦୁଇ ଥର ବୈଠକ ବସିବା ପରେ ମଧ୍ୟ ଶିବସେନାକୁ ସରକାର ଗଠନ ପାଇଁ ଭିତରୁ କିମ୍ବା ବାହାରୁ ସମର୍ଥନ ଦେବାକୁ ନିଷ୍ପତ୍ତି ହୋଇପାରିଲା ନାହିଁ। ତେଣୁ ନଭେମ୍ବର ୧୧ ତାରିଖ ସନ୍ଧ୍ୟା ୭.୩୦ ଘଣ୍ଟା ସୁଦ୍ଧା ଶିବସେନା ରାଜ୍ୟପାଳଙ୍କ ପାଖରେ ଆବଶ୍ୟକ ସଂଖ୍ୟା ଥିବାର ପ୍ରମାଣ ନଦେଇପାରି ଆଉ ୪୮ ଘଣ୍ଟା ସମୟ ମାଗିଲା। ଏଇଠି ବୁଦ୍ଧି ସହିତ ବାଟବଣା ହୋଇଗଲା କଂଗ୍ରେସ। ରାଜ୍ୟପାଳ ତୁରନ୍ତ ତୃତୀୟ ବୃହତ୍ତମ ଦଳ ଏନସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ ଓ ନଭେମ୍ବର ୧୨ ତାରିଖ ସନ୍ଧ୍ୟା ୮.୩୦ ଘଣ୍ଟା ଯାଏଁ ସମୟ ଦେଲେ। ମାତ୍ର, କଂଗ୍ରେସର ହାବଭାବ ଲକ୍ଷ୍ୟ କରି ଏନସିପି ମଧ୍ୟ ନଭେମ୍ବର ୧୨ ସକାଳେ ସରକାର ଗଠନ ପାଇଁ ଅସମର୍ଥ ବୋଲି ଜଣେଇଦେଲା।

ଏଥିରେ ତିନିଟି ଯାକର କସରତ ପାଣିରେ ପଡ଼ିଲା। ରାଜ୍ୟରେ ସାମ୍ବିଧାନିକ ନିୟମ ଅନୁସାରେ ସରକାର ଗଠନ ହୋଇପାରୁ ନାହିଁ ବୋଲି ରାଜ୍ୟପାଳ କେନ୍ଦ୍ର ସରକାରଙ୍କୁ ସୁପାରିଶ କଲେ। ଏହି ଦିନ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ବ୍ରାଜିଲ ଯିବାର ଥିଲା। ତଥାପି ସେ ଦେଶ ଛାଡ଼ିବା ପୂର୍ବରୁ ତୁରନ୍ତ ତାଙ୍କ କ୍ୟାବିନେଟର ଏକ ଜରୁରୀକାଳୀନ ବୈଠକ ଡକାଇ ରାଜ୍ୟପାଳଙ୍କ ରିପୋର୍ଟ ଭିତ୍ତିରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ। ରାଷ୍ଟ୍ରପତି ଭବନରୁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଲା। ମହାରାଷ୍ଟ୍ରରେ ଏକ ଅଣବିଜେପି ସରକାରର ସମ୍ଭାବନା ଆପାତତଃ ମଉଳିଗଲା।

କଂଗ୍ରେସ ନିଷ୍ପତ୍ତି ନେବାରେ ବିଳମ୍ବ କରିବାର କାରଣ ବାବଦରେ ଯାହା କୁହାଯାଉଛି ତାହା ହେଲା ଶିବସେନା ଏକ ସାଂପ୍ରଦାୟିକ ଦଳ ହୋଇଥିବାରୁ ଏହି ଦଳକୁ ସରକାର ଗଠନ ପାଇଁ ସହଯୋଗ କଲେ କଂଗ୍ରେସର ଧର୍ମନିରପେକ୍ଷ ଭାବମୂର୍ତ୍ତି ପ୍ରଭାବିତ ହୋଇଥାନ୍ତା। କିନ୍ତୁ କଂଗ୍ରେସ ନେତାମାନେ ନିଜ ଦଳର ସାଂପ୍ରଦାୟିକ ଆଚରଣ ସଂପର୍କରେ ଆତ୍ମସମୀକ୍ଷା କଲେ ନାହିଁ। ଏହି ଦଳ ହିନ୍ଦୁ ଭୋଟ ଆଶାରେ ଅନେକ ଥର ସାଂପ୍ରଦାୟିକ ନିଷ୍ପତ୍ତି ଗ୍ରହଣ କରିଛି। ୧୯୪୯ରେ କଂଗ୍ରେସ ସରକାର ଥିଲାବେଳେ ହିଁ ଅଯୋଧ୍ୟାର ବିବାଦୀୟ ମସଜିଦରେ ରାମଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା। ୧୯୮୭ରେ କଂଗ୍ରେସ ସରକାର ଅମଳରେ ହିଁ ରାମଙ୍କ ମୂର୍ତ୍ତିର ପୂଜା ପାଇଁ ବିବାଦୀୟ ପୀଠର ଦ୍ୱାର ଖୋଲା ଯାଇଥିଲା। ୧୯୯୨ରେ କେନ୍ଦ୍ରର କଂଗ୍ରେସ ସରକାର ନିଷ୍କ୍ରିୟ ରହିବାରୁ ହିଁ ବାବ୍ରି ମସଜିଦକୁ କରସେବକମାନେ ଭାଙ୍ଗି ଦେଇଥିଲେ। କେବଳ ସେତିକି ନୁହେଁ, ମୁସଲିମ ଭୋଟ ଆଶାରେ ମଧ୍ୟ କଂଗ୍ରେସର ରାଜୀବ ଗାନ୍ଧୀ ସରକାର ଶାହା ବାନୋ ମାମଲାରେ ସୁପ୍ରିମ କୋର୍ଟ ଦେଇଥିବା ରାୟକୁ ବିଧି ପ୍ରଣୟନ କରି ଅକାମୀ କରିଦେଇଥିଲେ। କଂଗ୍ରେସର ନରମ ହିନ୍ଦୁତ୍ୱ ଓ ମୁସଲିମ ସନ୍ତୁଷ୍ଟୀକରଣ ନୀତି ବିଜେପିର ଉଗ୍ର ହିନ୍ଦୁତ୍ୱ ଓ ରାଷ୍ଟ୍ରବାଦ ଆଗରେ ଫିକା ପଡ଼ିବା ପରେ ୨୦୧୪ ନିର୍ବାଚନରୁ ଦଳ ତାହାର ଆଭିମୁଖ୍ୟରେ କିଛି କିଛି ପରିବର୍ତ୍ତନ କରିଛି। ସେଥିପାଇଁ ରାହୁଳ ଗାନ୍ଧୀ ନିର୍ବାଚନ ସମୟରେ ଅନେକ ମନ୍ଦିର ଓ ମସଜିଦ ଯାଇ ପୂଜାପାଠ କରିଛନ୍ତି, ନିଜକୁ ବ୍ରାହ୍ମଣ ଓ ଶିବଭକ୍ତ ଭାବେ ଉପସ୍ଥାପିତ କରିଛନ୍ତି। ଏହା ଯଦି ସାଂପ୍ରଦାୟିକ ରାଜନୀତି ଥିଲା ତେବେ ଶିବସେନା ସହିତ ସଂପର୍କ ବାନ୍ଧିବାରେ ଅସୁବିଧା କେଉଁଠି ଥିଲା?