ଦେବେନ୍ଦ୍ର ପୃଷ୍ଟି
ମନିଷା କୋଇରାଲା, ପ୍ରୀତି ଜିଣ୍ଟା ଓ ଶାହରୁଖ ଖାଁଙ୍କୁ ପ୍ରମୁଖ ଚରିତ୍ରରେ ନେଇ ୧୯୯୮ ମସିହାରେ ମଣି ରତ୍ନମ ତିଆରି କରିଥିଲେ ଏକ ସିନେମା। ଉତ୍ତରପୂର୍ବାଂଚଳର ବିଦ୍ରୋହ ସମୟର କାହାଣୀ ଉପରେ ପର୍ଯ୍ୟବସିତ ଏହି ଫିଲ୍ମର ନାଁ ଥିଲା ‘ଦିଲ୍ ସେ’। ଏହାର ପ୍ରଯୋଜନା କରିଥିଲେ ମଣି ରତ୍ନମଙ୍କ ସହିତ ଶେଖର କାପୁର ଓ ରାମ ଗୋପାଳ ବର୍ମା। କାହାଣୀ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ନିଜେ ମଣି ରତ୍ନମ। ଏହା ଥିଲା ପ୍ରୀତି ଜିଣ୍ଟାଙ୍କର ପ୍ରଥମ ଫିଲ୍ମ। ଅମର ଓ ମେଘନା ଓରଫ ମଇନାଙ୍କର ପ୍ରେମ କାହାଣୀ କିପରି ଆସାମର ଏକ ରେଳ ଷ୍ଟେସନରେ ଆରମ୍ଭ ହୋଇ ଦିଲ୍ଲୀର ଏକ ଛକରେ ଶେଷ ହେଉଛି ତାହା ହିଁ ହେଉଛି ଫିଲ୍ମର ବିଷୟବସ୍ତୁ। ଅଲ୍ ଇଣ୍ଡିଆ ରେଡିଓର ଜଣେ ସାମ୍ବାଦିକ ଭାବେ ଅମର ଆସାମ ଯାଇଥିବା ସମୟରେ ନାଟକୀୟ ଢଙ୍ଗରେ ଭେଟ ହୁଏ ମେଘନା ଓରଫ ମଇନା। ସେତେବେଳେ ଅମରକୁ ମଇନାର ଅସଲ ପରିଚୟ ଜଣା ନଥାଏ। ପରିଚୟ ଜାଣିବା ପୂର୍ବରୁ ମଇନାକୁ ଭଲପାଇ ବସେ ଅମର। ଶେଷରେ ମଇନାର ଅସଲ ପରିଚୟ ପାଇଛି ଅମର। ସେ ହେଉଛି ଜଣେ ଉଗ୍ରବାଦୀ ବିଦ୍ରୋହୀ। ଦିଲ୍ଲୀରେ ଆତ୍ମଘାତୀ ବିସ୍ଫୋରଣ ଘଟାଇବାରୁ ତାକୁ ନିବୃତ୍ତ କରିବାକୁ ଯାଇଁ ଅମର ଶେଷ ଥର ତାକୁ ପ୍ରେମ ନିବେଦନ କରିଛି ଏବଂ ଆଲିଙ୍ଗନରେ ଜଡ଼େଇ ଧରିଛି। ଉଭୟ ଆଲିଙ୍ଗନାବଦ୍ଧ ଥିବା ସମୟରେ ମଇନା ପିନ୍ଧିଥିବା ବୋମା ଫୁଟିଛି ଓ ଉଭୟଙ୍କ ମୃତ୍ୟୁ ହୋଇଯାଇଛି।
ଏକୋଇଶ ବର୍ଷ ପରେ ପୁଣି ଥରେ ଏ ଫିଲ୍ମର କାହାଣୀ ତାଜା ହୋଇଛି। କାରଣ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅକ୍ଟୋବର ୧୯ ତାରିଖରେ ଫିଲ୍ମ ତାରକା ଶାହରୁଖ୍ ଖାଁଙ୍କର ଏକ କୃତଜ୍ଞତା ଟୁଇଟ୍ର ଜବାବ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶର ନାଗରିକମାନେ ଯଦି ଦିଲ୍ ସେ କାମ କରିବେ ତେବେ ପରିଣାମ ଅସାଧାରଣ ହେବ। ଶାହରୁଖ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣେଇଥିଲେ ଏଇଥିପାଇଁ ଯେ ମହାତ୍ମା ଗାନ୍ଧୀଙ୍କ ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ଉତ୍ସବକୁ ସେ ତାଙ୍କୁ ଡାକିଥିଲେ। ଏହି ଉତ୍ସବକୁ ଶାହରୁଖ ଖାଁ, ଅମୀର ଖାଁ, ଅନୁରାଗ ବାସୁ, ବୋନି କାପୁର, ଇମ୍ତିଆଜ ଅଲୀ, ଜ୍ୟାକୁଲିନ୍ ଫର୍ଣ୍ଣାଣ୍ଡେଜ, କଙ୍ଗନା ରାଣାବତ, ସୋନମ କପୁର ଓ ଏକତା କାପୁରଙ୍କ ସମେତ ବଲିଉଡ଼୍ର ବହୁ ନାମୀଦାମୀ କଳାକାର, ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଡକା ଯାଇଥିଲା। ପ୍ରଧାନମନ୍ତ୍ରୀ ସେମାନଙ୍କ ସହିତ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଆଲୋଚନା କରିଥିଲେ। ସେମାନଙ୍କୁ ସେ କହିଥିଲେ ଯେ କଳାକାରମାନଙ୍କର ଅପରିସୀମ ଶକ୍ତି। ସେମାନ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଫିଚର ଫିଲ୍ମ ଓ ପ୍ରାମାଣିକ ଚଳଚିତ୍ର ଆଦି ନିର୍ମାଣ କରନ୍ତୁ। ସେମାନଙ୍କ କୃତୀ ଜରିଆର ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ପୁଣି ଥରେ ସମସ୍ତ ଭାରତୀୟ ଜାଣିବାକୁ ପାଆନ୍ତୁ। ଏହି ଅବସରରେ ସେ ମହାତ୍ମାଙ୍କ ସଂପର୍କରେ ଚାରିଟି ଭିଡିଓ ଚିତ୍ର ମଧ୍ୟ ରିଲିଜ୍ କରିଥିଲେ।
ଏହି ଉତ୍ସବରେ ଯୋଗଦେଇ ଶାହରୁଖ ଖାଁ କହିଥିଲେ ଯେ ପରିବର୍ତ୍ତିତ ପୃଥିବୀରେ ମହାତ୍ମା ଗାନ୍ଧୀଙ୍କର ପୁନର୍ବାର ଆବଶ୍ୟକତା ଦେଖା ଦେଇଛି। ସେଥିପାଇଁ ମହାତ୍ମା ଗାନ୍ଧୀ ୨.୦ ଉପରେ ସମସ୍ତ ଗୁରୁତ୍ୱ ଦେବା ଉଚିତ। ଏହି ସଭାରୁ ଫେରି ଶାହରୁଖ ଟୁଇଟ୍ କରି ଏହି ସଭାକୁ ଡାକିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜଣେଇଥିଲେ। ଏହି ଟୁଇଟ୍ର ଉତ୍ତର ଦେବାକୁ ଯାଇଁ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ ମାଧ୍ୟମରେ କହିଛନ୍ତି ଯେ ସମସ୍ତ ଦେଶବାସୀ ଯଦି ‘ଦିଲ୍ ସେ’ କାମ କରିବେ ତେବେ ପରିଣାମ ଅସାଧାରଣ ହେବ। ଅବଶ୍ୟ ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ଅନୁସାରେ ‘ଦିଲ୍ ସେ’ କାମ କରିବାକୁ ପରାମର୍ଶ ଦେଇଛନ୍ତି କି ଗଡ଼ସେଙ୍କ ନୀତି ଓ ଆଦର୍ଶ ଅନୁସାରେ ‘ଦିଲ୍ ସେ’ କାମ କରିବାକୁ କହିଛନ୍ତି ତାହା ଅସ୍ପଷ୍ଟ। କିନ୍ତୁ ଯେହେତୁ ଏହି ସମସ୍ତ ଟୁଇଟରାଳାପର ମୂଳ ହେଉଛି ମହାତ୍ମା ଗାନ୍ଧୀଙ୍କ ୧୫୦ ବର୍ଷ ପୂର୍ତ୍ତି ଏବଂ ତାଙ୍କ ସଂପର୍କୀତ ଚାରିଟି ଭିଡିଓ ତେଣୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ମହାତ୍ମାଙ୍କ ପରି ଏବଂ ତାଙ୍କ ଆଦର୍ଶ ଅନୁସାରେ ଦିଲ୍ ସେ ବା ଆନ୍ତରିକତାର ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ବୋଲି ବୁଝିବା ଅଧିକ ପ୍ରାସଙ୍ଗିକ, ଆବଶ୍ୟକ ମଧ୍ୟ।
ସାରା ପୃଥିବୀରେ ଏବେ ମଣିଷର ବସ୍ତୁ ଓ ବିଷୟ ଲୋଭରୁ ଜାତ ବିଶ୍ୱ ତାପନ ଏବଂ ପାଗ ପରିବର୍ତ୍ତନ ଜନିତ ଅସ୍ଥିରତା ଓ ଆତଙ୍କ। ସାରା ପୃଥିବୀରେ ଏବେ କ୍ଷମତାର ଲୋଭରୁ ମାଡ଼ି ଚାଲିଛି ଆତଙ୍କବାଦ। ସାରା ପୃଥିବୀରେ ବ୍ୟାବସାୟିକ ଲାଭର ଲୋଭରୁ ଶକ୍ତିଶାଳୀ ହେଉଛି ମୁଷ୍ଟିମେୟଙ୍କ ଆର୍ଥନୀତିକ ସାମ୍ରାଜ୍ୟ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହେଉଛନ୍ତି ସଂଖ୍ୟାଧିକ ଜନତା। ପୃଥିବୀ ଉପରେ ସଂକୁଚିତ ହେଉଛି ସଂଖ୍ୟାଗରିଷ୍ଠ ଲୋକମାନଙ୍କର ଅଧିକାର। ପୃଥିବୀର ପ୍ରାୟ ସଂପତ୍ତି ଓ ସମ୍ବଳର ମାଲିକ ହୋଇଯାଇଛନ୍ତି କତିପୟ ହାତଗଣନ୍ତା ଲୋକ ଓ ସେମାନଙ୍କ କମ୍ପାନୀ। ଏହାରି ଭିତରେ ମାଡ଼ି ଚାଲିଛି ସାଂପ୍ରଦାୟିକ ଦ୍ୱେଷ, ଧର୍ମଯୁଦ୍ଧ, ଆତଙ୍କବାଦ, ଘୃଣା, କ୍ରୋଧ ଓ ହିଂସାର ରାଜନୀତି। ଭୋକ ଓ ଭୟର ଶାସନତନ୍ତ୍ର।
ଏଭଳି ଏକ ବିଶ୍ୱରେ, ବିଶେଷକରି ସାଂପ୍ରତିକ ଭାରତବର୍ଷରେ, ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ନିଶ୍ଚୟ ଏକ ସମାଧାନ। ତାଙ୍କର ସତ୍ୟ, ଅହିଂସା ଓ ସରଳତାର ମନ୍ତ୍ର ବିଶ୍ୱର ଅନେକ ସମସ୍ୟାର ସମାଧାନ। ଏକଥା ସମଗ୍ର ବିଶ୍ୱ ବୁଝିଗଲାଣି। ସେଥିପାଇଁ ପୃଥିବୀର ଅଧିକାଂଶ ଦେଶ ଗାନ୍ଧୀଙ୍କୁ ସେମାନଙ୍କର ରାଜନୀତିକ, ସାମାଜିକ ଓ ଆର୍ଥନୀତିକ ଆଦର୍ଶ ଭାବେ ଗ୍ରହଣ କରିଛନ୍ତି। ନିଜେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶ ଭିତରେ ଓ ଦେଶ ବାହାରେ ମହାତ୍ମାଙ୍କ ଆଦର୍ଶ ବୈଶ୍ୱିକ ସଂକଟର ସମାଧାନ ବୋଲି ଭାଷଣ ଦେଉଛନ୍ତି। କେବଳ ସେ ନୁହନ୍ତି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସେଇ କଥା କହୁଛନ୍ତି। ଆଉ ତ ଆଉ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭଗବତ ମଧ୍ୟ ମହାତ୍ମାଙ୍କ ଗୁଣଗାନ କରିବା ଆରମ୍ଭ କଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଲେ ଏହି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ପ୍ରଚାରକ। ସେ ଓ ସଂଘରେ ତାଙ୍କର ସମସାମୟିକ ମୋହନ ଭଗବତ ଗାନ୍ଧୀନୀତି ଉପରେ ଗୁରୁତ୍ୱ ଦେଉଥିବାବେଳେ ତାଙ୍କର ଅନୁଗାମୀମାନେ ଏବେ ବି ଗାନ୍ଧୀହତ୍ୟାକୁ ଯଥାର୍ଥ ବୋଲି ଯୁକ୍ତି କରୁଛନ୍ତି, ଅହିଂସା ବଦଳରେ ହିଂସା ଆଚରଣ କରୁଛନ୍ତି, ସତ୍ୟ ପରିବର୍ତ୍ତେ ଘୃଣା ସଂଚାରଣ କରୁଛନ୍ତି। ଭାରତ ସରକାର ମଧ୍ୟ କାହିଁ କେତେ ବର୍ଷ ତଳୁ ଗାନ୍ଧୀଙ୍କ ସ୍ୱଦେଶୀ ଓ ସ୍ୱାବଲମ୍ବନ ଅର୍ଥନୀତିକୁ ପରିହାର କରି ପୁଞ୍ଜିବାଦୀ ଶିଳ୍ପ ଅର୍ଥନୀତି ଗ୍ରହଣ କରିସାରିଛି। ମୋଦୀଙ୍କ ସରକାର ସେହି ପୁଞ୍ଜିବାଦୀ ଶିଳ୍ପ ଅର୍ଥନୀତିକୁ ଅଧିକ ଦୃଢ଼ ଓ ବ୍ୟାପକ କରିବାରେ ଲାଗିଛି। କେବଳ କେନ୍ଦ୍ର ସ୍ତରରେ ନୁହେଁ, ରାଜ୍ୟ ସ୍ତରରେ ମଧ୍ୟ ଏଭଳି ଅନେକ ନେତା ଅଛନ୍ତି ଯେଉଁମାନେ କେବଳ ଆଳଙ୍କାରିକ ଦୃଷ୍ଟିକୋଣରୁ ଗାନ୍ଧୀନୀତି କଥା କହୁଛନ୍ତି, କିନ୍ତୁ ବାସ୍ତବରେ ଗାନ୍ଧୀନୀତି ବିରୋଧରେ ବିଭିନ୍ନ କାର୍ଯ୍ୟକ୍ରମ ଚଳେଇଛନ୍ତି।
ଏହି ନେତାମାନେ ଯଦି ‘ଦିଲ୍ ସେ’ ଗାନ୍ଧୀ ନୀତି ଅନୁସରଣ କରନ୍ତି, ଭାରତ ସରକାରଙ୍କୁ ସେହି ନୀତିରେ ପରିଚାଳିତ କରନ୍ତି ତେବେ ଭାରତର ଅନେକ ସମସ୍ୟା ଅଚିରେ ଦୂର ହେବା ନିଶ୍ଚିତ। ବିଶ୍ୱ ମଧ୍ୟ ଗାନ୍ଧୀନୀତିକୁ କାର୍ଯ୍ୟରେ ପରିଣତ କଲେ ଆର୍ଥନୀତିକ ଅସ୍ଥିରତା, ଧନୀ-ଗରୀବ ଭେଦାଭେଦ, ବିଶ୍ୱ ତାପନ, ଆତଙ୍କବାଦ, ସାମରିକବାଦ ଆଦି ଅନେକ ସମସ୍ୟାର ସୂକ୍ଷ୍ମ ସମାଧାନ ହୋଇପାରିବ। ସେଥିପାଇଁ ଗାନ୍ଧୀବାଦୀ ଦିଲ୍ ବା ହୃଦୟ ଦରକାର, ମୁହଁ ବା ମୁଖୋଟା ନୁହେଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।