Advertisment

ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଓ ଦ୍ୱନ୍ଦ୍ୱ

ଓଡ଼ିଶା ବିଧାନସଭା ଓ ଭାରତର ଳୋକସଭା ପାଇଁ ୨୦୨୪ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ସେହି ନିର୍ବାଚନରେ ପାଣ୍ଡିଆନ୍‍ଙ୍କର ପ୍ରଭାବକୁ ନେଇ ଏବେଠାରୁ ଯେଉଁସବୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ତାହା ଆସ୍ତେ ଆସ୍ତେ ସାଧାରଣରେ ଚର୍ଚ୍ଚିତ ହେବ। ଗତ ନିର୍ବାଚନମାନଙ୍କରେ ଶ୍ରୀ ପାଣ୍ଡିଆନ ଗୁପ୍ତରେ ତାଙ୍କର ଗୋଟି ପରିଚାଳନା କରୁଥିଲେ। ଏବେ ପ୍ରକାଶ୍ୟରେ କଲାବେଳେ ଦୁଇ ଦଳକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେବେ।

author-image
Debendra Prusty
VK Pandian Joins BJD

VK Pandian Joins BJD

ପଞ୍ଚାନନ କାନୁନଗୋ

ଗତ କାର୍ତ୍ତିକ ପୂର୍ଣ୍ଣିମା ଦିନ ମୁଖ୍ୟମନ୍ତ୍ରୀଙ୍କର ପ୍ରାକ୍ତନ ବ୍ୟକ୍ତିଗତ ସଚୀବ ଓ ଅଳ୍ପଦିନ ତଳେ ସରକାରୀ ଚାକିରିରୁ ଅବ୍ୟାହତ ନେଇ ଫାଇବ୍‍-ଟି ଚେୟାରମ୍ୟାନ୍‍ ଭାବେ କ୍ୟାବିନେଟ୍‌ ପାହ୍ୟା ପାଇଥିବା ଭି. କେ. ପାଣ୍ଡିଆନ୍‍ ବିଜୁ ଜନତା ଦଳରେ ଯୋଗ ଦେଲେ। ସେ ସ୍ୱତନ୍ତ୍ର ଓ ସ୍ୱାଧୀନ ଭାବେ କାର୍ଯ୍ୟ ଆରମ୍ଭ କରିବାର ଅଳ୍ପଦିନ ମଧ୍ୟରେ ଦଳରେ ଯୋଗ ଦେଲେ। ଏପରି ଯୋଗଦାନ ଆଦୌ ଆକସ୍ମିକ ନଥିଲା। ସମସ୍ତେ ଏହା ଜାଣି ସାରିଥିଲେ ଯେ ସେ ଖୁବ୍‍ ଶୀଘ୍ର ବିଜୁ ଜନତା ଦଳର ପ୍ରତ୍ୟକ୍ଷ ରାଜନୀତିକୁ ଆସିବେ।

Advertisment

ଏହି ଯୋଗଦାନ ପ୍ରସଙ୍ଗରେ ଉପରୁ ତଳ ସ୍ତର ଯାଏଁ ସଂପ୍ରତି ବଡ଼ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚା’ ଖଟିରୁ ଆରମ୍ଭ କରି ପ୍ରାତଃ ଭ୍ରମଣକାରୀଙ୍କ ମଧ୍ୟରେ ଏହି ଆଲୋଚନା ଚାଲିଛି। ଚର୍ଚ୍ଚାର ବିଷୟବସ୍ତୁ ହେଉଛି, ପାଣ୍ଡିଆନ୍‍ ନବୀନ ପଟ୍ଟନାୟକଙ୍କର ବିଶ୍ୱସ୍ତ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ ଏବଂ ବିଶ୍ୱସ୍ତ ଭାବେ ଦଳକୁ ପରିଚାଳନା କରିବେ। ତାଙ୍କର ପରିଚାଳନା ନିଶ୍ଚୟ ଉନ୍ନତ ଧରଣ ରହିବ ଏବଂ ବିଜୁ ଜନତା ଦଳକୁ ଷଷ୍ଠ ଥର ପାଇଁ କ୍ଷମତାକୁ ଆଣିବାରେ ସାହାଯ୍ୟ କରିବ। ଅପରପକ୍ଷରେ ଯୁକ୍ତ ଆସୁଛି ଯେ ଶ୍ରୀ ପାଣ୍ଡିଆନ ପୂର୍ବରୁ ମଧ୍ୟ ଅନେକ ବର୍ଷ ଧରି ବିଜୁ ଜନତା ଦଳକୁ ପରୋକ୍ଷ ଭାବରେ ପରିଚାଳନା କରି ଆସୁଥିଲେ। କିଛି ନୁଆ କଥା ନୁହେଁ। ସେ ସରକାରରେ ଥିବାରୁ ସରକାରରେ ଥିବା ସମସ୍ତ ସରକାରୀ କର୍ମଚାରୀ ତାଙ୍କୁ ମାନି କାର୍ଯ୍ୟ କରୁଥିଲେ। ଯେଉଁଥିରେ ଦଳକୁ ଅଧିକ ସଫଳତା ମିଳୁଥିଲା। ଏବେ ସେ ସରକାରରୁ ଅଲଗା ହୋଇ ଯାଇଛନ୍ତି। ଜଣେ ଦଳୀୟ ନେତା ଭାବେ ଉପସ୍ଥାପିତ ହେଲେ। ଏ ସମୟରେ ତାଙ୍କ କଥା ସମସ୍ତ ସରକାରୀ ପଦସ୍ତ ଅଫିସରମାନେ ପୂର୍ବ ପରି ମାନିବେ ନା ନାହିଁ ତାକୁ ନେଇ ସନ୍ଦେହ ରହିଛି। ସେହି ଅଫିସରମାନଙ୍କ ଭିତରେ ଅନେକ ସୁଯୋଗ ଅପେକ୍ଷାରେ ଥିଲେ।

ଦ୍ୱିତୀୟତଃ ଶ୍ରୀ ପାଣ୍ଡିଆନ୍‍ଙ୍କର ଭାରତୀୟ ଜନତା ପାର୍ଟି ନେତା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ହାଙ୍କ ସହିତ ଗୁପ୍ତ ଆଲୋଚନା ଏ ମଧ୍ୟରେ ଏକ ହୋଟେଲ୍‍ କକ୍ଷରେ ହୋଇଯାଇଛି। ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ଉଭୟ କର୍ମୀଙ୍କ ଭିତରେ ସନ୍ଦେହ ଓ ଆଶଙ୍କା ସୃଷ୍ଟି କରିଛି। ଉଭୟ ଦଳ ଭିତରେ ଯଦିଓ ତୁ ତୁ ମେ ମେ ଚାଲିଛି ତଥାପି ଉଭୟ ଦଳଙ୍କ ଭିତରେ କୋଉଠି ନା କୋଇଠି ଏକ ବୁଝାମଣା ସୃଷ୍ଟି ହୋଇଥିବା ଅନେକ ମନେ କରନ୍ତି। ଫଳତଃ ଦଳର କର୍ମୀମାନେ ବୀତସ୍ପୃହ ଓ ଦଳ ପ୍ରତି ଅନାସକ୍ତ ହେବାର ଆଶଙ୍କା ଉପୁଜିଛି। ଏହି ଆଶଙ୍କାର ସୂତ୍ରଧର ବା ମୂଳ ବ୍ୟକ୍ତି ହେଉଛନ୍ତି ଶ୍ରୀ ପାଣ୍ଡିଆନ୍‍।

Advertisment

ଏବେ ମନେ ହେଉଛି ଯେ ବିଜୁ ଜନତା ଦଳ ପ୍ରତି ଯେତିକି ଆନୁଗତ୍ୟ ପ୍ରକାଶ କରିବେ ସେହି ପରିମାଣରେ ବା ତା’ଠାରୁ ଅଧିକ ଭାରତୀୟ ଜନତା ପାର୍ଟି ପ୍ରତି ଆନୁଗତ୍ୟ ଦେଖାଇବେ। ଏ ସମସ୍ତ ଚର୍ଚ୍ଚାକୁ ଦୃଷ୍ଟିରେ ରଖି ରାଜନୈତିକ ସମୀକ୍ଷକମାନେ ମତ ଦିଅନ୍ତି ଯେ ପାଣ୍ଡିଆନ୍‍ଙ୍କର ପୂର୍ବ କାର୍ଯ୍ୟଧାରାଠାରୁ ବର୍ତ୍ତମାନର କାର୍ଯ୍ୟ ଅଧିକ ଶକ୍ତିଶାଳୀ ବା ନବୀନଙ୍କ ସପକ୍ଷରେ ଯିବ ନାହିଁ। ଯେଉଁଥିରେ ତାଙ୍କଠାରୁ ଆଶା କରାଯାଉଥିବା ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଶ୍ରୀ ପାଣ୍ଡିଆନ୍‍ଙ୍କର ଦଳ ଭିତରେ ପ୍ରାଧାନ୍ୟକୁ ନା ବିଜୁ ଜନତା ଦଳ ଭିତରେ ଥିବା ଅଳ୍ପ କିଛି ସ୍ୱାଭିମାନୀ ରାଜନେତା ମୁହଁରେ ଯାହା କହିଲେ ବି ଭିତରେ ଗ୍ରହଣ କରିପାରି ନାହାନ୍ତି। ସେହିପରି ଭାରତୀୟ ଜନତା ପାର୍ଟିର ନେତା ପାଣ୍ଡିଆନ୍‍ଙ୍କ ଉପରେ ମନ୍ତବ୍ୟ ଦେବା ପ୍ରକାଶ୍ୟରେ ବନ୍ଦ କରି ଦେଇଥିଲେ ମଧ୍ୟ ଭିତରେ ସେମାନଙ୍କର ବିଦ୍ରୋହୀ ମନୋଭାବ ଏବେ ବି କୁହୁଳୁଛି।

ଟିକେଟ୍‍ ବଣ୍ଟନ ବେଳେ ଏ ସମସ୍ତ କଥା ପଦାକୁ ଆସିବ। ଉଭୟ ଦଳର ବିଦ୍ରୋହୀ ସଂଖ୍ୟା ବୃଦ୍ଧି ପାଇବ। ତା’ର ପ୍ରମାଣ ଗତ ବିଧାନସଭା ଅଧିବେଶନ ସମୟରେ ମିଳିଛି। ଆଦିବାସୀମାନଙ୍କ ଜମି ହସ୍ତାନ୍ତର ନେଇ ଆସିଥିବା ବିଲ୍‍ ହଠାତ୍‍ ପ୍ରତ୍ୟାହୃତ ହେଲା ଓ ଚାରି ଦିନ ଭିତରେ ବିଧାନସଭା ବନ୍ଦ ହୋଇଗଲା। ଏଥି ସହିତ ଜନସାଧାରଣଙ୍କ ଭିତରେ ଗତ କିଛି ଦିନ ତଳେ ପାଣ୍ଡିଆନ୍‍ଙ୍କର ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ହୋଇଥିବା ଭୃକୁଞ୍ଚନ ଏପର୍ଯ୍ୟନ୍ତ ସତେଜ ରହିଛି ଓ ସାଧାରଣ ଜନତା ବିଚାର କରୁଛନ୍ତି ଯେ ଅମଲାତାନ୍ତ୍ରିକ ପ୍ରାଧାନ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ କ୍ଷୁର୍ଣ୍ଣ କରିଛି ଓ ଲୋକ ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଏସବୁକୁ ଅଧିକ ସମୟ ବରଦାସ୍ତ କରାଯିବା ଉଚିତ୍‍ ନୁହେଁ।

ଅନ୍ୟ ଏକ ବଡ଼ ଚର୍ଚ୍ଚା ପାଣ୍ଡିଆନ୍‍ଙ୍କର ନିର୍ବାଚନରେ ପ୍ରତ୍ୟକ୍ଷ ଯୋଗଦାନ ତଥା ନବୀନଙ୍କ ଉତ୍ତରାଧିକାରୀ ହେବାକୁ ନେଇ ଚାଲିଛି। ସେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ? ଯଦି କରନ୍ତି କେଉଁ ନିର୍ବାଚନ ମଣ୍ଡଳିକୁ କରିବେ? ନବୀନବାବୁ ରାଜନୀତିରୁ ଅବସର ନେବା ପରେ ସେ ତାଙ୍କର ଉତ୍ତରାଧିକାରୀ ହେବେ କି? ଚର୍ଚ୍ଚାରେ ଆସୁଥିବା ଏହିସବୁ ପ୍ରଶ୍ନ ଯେତେବେଳେ ବ୍ୟାପକ ହେବ ତାହା ଆସନ୍ତା ନିର୍ବାଚନକୁ ନିଶ୍ଚୟ ପ୍ରଭାବିତ କରିବ। ଓଡ଼ିଶା ବିଧାନସଭା ଓ ଭାରତର ଳୋକସଭା ପାଇଁ ୨୦୨୪ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ସେହି ନିର୍ବାଚନରେ ପାଣ୍ଡିଆନ୍‍ଙ୍କର ପ୍ରଭାବକୁ ନେଇ ଏବେଠାରୁ ଯେଉଁସବୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ତାହା ଆସ୍ତେ ଆସ୍ତେ ସାଧାରଣରେ ଚର୍ଚ୍ଚିତ ହେବ। ଗତ ନିର୍ବାଚନମାନଙ୍କରେ ଶ୍ରୀ ପାଣ୍ଡିଆନ ଗୁପ୍ତରେ ତାଙ୍କର ଗୋଟି ପରିଚାଳନା କରୁଥିଲେ। ଏବେ ପ୍ରକାଶ୍ୟରେ କଲାବେଳେ ଦୁଇ ଦଳକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେବେ। ଏହିସବୁ ଚର୍ଚ୍ଚାକୁ ଲକ୍ଷ୍ୟ କରି ରାଜନୈତିକ ସମୀକ୍ଷକମାନେ ସିଦ୍ଧାନ୍ତରେ ପହଂଚିବାକୁ ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଛନ୍ତି। ଶ୍ରୀ ପାଣ୍ଡିଆନ୍‍ ତାଙ୍କର ନିଷ୍ପତ୍ତିକୁ ଆଗକୁ ବଢ଼ି ପାରିବେ କି ନାହିଁ ତାହା ହିଁ ଆଜିର ଦ୍ୱନ୍ଦ୍ୱ।

ଫୋ - ୯୪୩୮୩୬୦୮୪୯

BjD Naveen Patnaik Vk Pandian