ଦେବେନ୍ଦ୍ର ପୃଷ୍ଟି
‘ଆଗାମୀ ପିଢ଼ି କେବେ ବିଶ୍ୱାସ କରିବେ ନାହିଁ ଯେ ଏମିତି ଜଣେ ରକ୍ତମାଂସଧାରୀ ମଣିଷ ଏ ପୃଥିବୀ ଉପରେ ଚାଲି ଯାଇଛନ୍ତି।’
ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ସଂପର୍କରେ ଏଇ ମନ୍ତବ୍ୟ ଦେଇଥିଲେ ବିଂଶ ଶତାବ୍ଦୀର ପ୍ରଖ୍ୟାତ ପଦାର୍ଥବିତ ଆଲବର୍ଟ ଆଇନ୍ଷ୍ଟାଇନ୍। ଆଇନ୍ଷ୍ଟାଇନ୍ ତାଙ୍କର ଥିଓରି ଅଫ୍ ରିଲେଟିଭିଟି ବା ଆପେକ୍ଷିକ ତତ୍ତ୍ୱ ଜରିଆରେ ବିଶ୍ୱ ବିଜ୍ଞାନ ଜଗତକୁ ବଦଳାଇ ଦେଇଥିଲେ। ମୋହନଦାସ କରମଚାନ୍ଦ ଗାନ୍ଧୀ ମଧ୍ୟ ତାଙ୍କର ଅହିଂସା ଓ ସତ୍ୟାଗ୍ରହ ଜରିଆରେ ବିଶ୍ୱର ରାଜନୀତିକ ଚିତ୍ରପଟକୁ ଏପଟସେପଟ କରିଦେଇଥିଲେ।
କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ପାଇଁ ମୋହନଦାସ କରମଚାନ୍ଦା ଗାନ୍ଧୀ ବା ଏମକେ ଗାନ୍ଧୀ ତାଙ୍କର ପରିଚୟ ହଜାଇ ସାରିଛନ୍ତି। ଏବେ ସେ କେବଳ ମହାତ୍ମା ଗାନ୍ଧୀ। ୧୮୬୯ ଅକ୍ଟୋବର ୨ ତାରିଖରୁ ୧୯୪୮ ଜାନୁଆରୀ ୩୦- ୭୯ ବର୍ଷର ଗୋଟିଏ ଛୋଟିଆ ଜୀବନ ଭିତରେ ଭାରତ ସମେତ ସମଗ୍ର ପୃଥିବୀର ରାଜନୀତିକ ଆଦର୍ଶ ଓ ପନ୍ଥାକୁ ପରିବର୍ତ୍ତନ କରିଦେଇଥିବା ଏଇ ଲୋକଟି ସତରେ ଥିଲେ ଏକ ଅବିଶ୍ୱସନୀୟ ମାନବାତାର। କେହି ବିଶ୍ୱାସ କରିବେ ନାହିଁ ଏତେ କମ୍ ସମୟ ଭିତରେ ସେ ଏତେ କାମ କଲେ କିପରି? ଶାନ୍ତି ଓ ଅହିଂସାର ଅସ୍ତ୍ରରେ ବିଶ୍ୱବିଜୟୀ ବ୍ରିଟିଶ ସାମ୍ରାଜ୍ୟକୁ ପରାସ୍ତ କଲେ କେମିତି? ତାଙ୍କୁ ତୀବ୍ର ସମାଲୋଚନା କରିଥିବା, ହତ୍ୟା କରିଥିବା ଲୋକମାନଙ୍କର ଜୟଜୟକାର କରୁଥିବା ସଂଗଠନର ସର୍ବୋଚ୍ଚ ଓ ସର୍ବମାନ୍ୟ ନେତା ମଧ୍ୟ ତାଙ୍କର ଜୟଜୟକାର କରୁଛନ୍ତି କିପରି? ସେ ସତରେ ଥିଲେ ମହାତ୍ମା। ଆଉ ତାଙ୍କ ନୀତି ଓ ଆଦର୍ଶକୁ ପୁଣି ଥରେ ବିଶ୍ୱ ଦରବାର ଆଗରେ ଉପସ୍ଥାପିତ କରିବାରେ କିଞ୍ଚିତ ଭୂମିକା ନିର୍ବାହ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ରଭାଇ ଦମୋଦରଦାସ ମୋଦୀ ମଧ୍ୟ ନିଜ ମହାନତାର ପରିଚୟ ଦେଇଛନ୍ତି।
ନିଉ ୟର୍କ ଟାଇମ୍ସରେ ଆଜି ପ୍ରକାଶ ପାଇଥିବା ତାଙ୍କର ପ୍ରବନ୍ଧ ‘ହ୍ୱାଇ ଇଣ୍ଡିଆ ଆଣ୍ଡ ୱାର୍ଲଡ୍ ନିଡ୍ ଗାନ୍ଧୀ?’ ଶୀର୍ଷକ ପ୍ରବନ୍ଧରେ ମୋଦୀ ମହାତ୍ମାଙ୍କର ଆବଶ୍ୟକତା ନେଇ ଯେଉଁ ମତ ଉପସ୍ଥାପନ କରିଛନ୍ତି ତାହା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବିଶ୍ୱ ହିନ୍ଦୁ ପରିଷଦ, ଅଖିଳ ଭାରତୀୟ ହିନ୍ଦୁ ମହାସଭା, ବଜରଙ୍ଗ ଦଳ ଏବଂ ସର୍ବୋପରି ଭାରତୀୟ ଜନତା ପାର୍ଟିର ଅନେକ ଗାନ୍ଧୀବିରୋଧୀ ତତ୍ତ୍ୱଙ୍କୁ ଅସନ୍ତୁଷ୍ଟ କରିପାରେ। କିନ୍ତୁ ମୋଦୀଙ୍କ ପ୍ରଭାବରୁ ଯଦି ଏହିସବୁ ସଂଗଠନ ସେମାନଙ୍କର ଚିନ୍ତାଧାରା ଓ ଆଚରଣରେ ପରିବର୍ତ୍ତନ କରି ଗାନ୍ଧୀବାଦକୁ ଅଧୁନା ଭାରତ ଓ ଆଗାମୀ ବିଶ୍ୱର ଜୀବନ ଓ ବିକାଶର ମନ୍ତ୍ର ଭାବରେ ଗ୍ରହଣ କରନ୍ତି ତେବେ ତାହା ହେବ ମୋଦୀଙ୍କ ପ୍ରଚେଷ୍ଟାର ପ୍ରକୃତ ପ୍ରତିଫଳନ। ନହେଲେ କେଇ ଦିନ ତଳେ ସେ ଯେମିତି ଆମେରିକାରେ ଜାତିସଂଘର ପାଗ ପରିବର୍ତ୍ତନ ସଂପର୍କୀତ ସଭାରେ କହିଥିଲେ, ‘ଏବେ କଥା ନୁହେଁ, କାମ ଜରୁରୀ’ ଠିକ ସେହିଭଳି ତାଙ୍କର ଗାନ୍ଧୀ-ପ୍ରବନ୍ଧକୁ ଲୋକମାନେ ମଧ୍ୟ କେବଳ ବାଚନିକ ବଣିକତା ଭାବେ ଗ୍ରହଣ କରିବେ। ମହାତ୍ମାଙ୍କ ଆଦର୍ଶ ଓ ଆଚରଣ ସଂପର୍କରେ ଅନେକ ପ୍ରଚାର ହୋଇସାରିଛି, ହେବ ବି। କିନ୍ତୁ ଆଜିର ଆବଶ୍ୟକତା ହେଉଛି ମହାତ୍ମାଙ୍କ ଆଦର୍ଶର ପ୍ରତିଷ୍ଠା ଓ ପରିବ୍ୟାପ୍ତି।
ସେ ଥିଲେ ମାତ୍ର ୫ ଫୁଟ ୫ ଇଞ୍ଚର ଜଣେ ଶୀର୍ଣ୍ଣକାୟ ମଣିଷ। ଓଜନ ଥିଲା ମାତ୍ର ୪୬.୭ କିଲୋଗ୍ରାମ। ୧୯୩୭-୧୯୪୭ ମଧ୍ୟରେ ହୋଇଥିବା ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ଅନୁସାରେ ମଝିରେ ମଝିରେ ତାଙ୍କର ରକ୍ତଚାପ ବଢ଼ି ଯାଉଥିଲା। ହାଇପରଟେନ୍ସନ୍ ବା ହାଇ ବ୍ଲଡ ପ୍ରେସର ପାଇଁ ସେ କିନ୍ତୁ କୌଣସି ଆଲୋପ୍ୟାଥି ଔଷଧ ଗ୍ରହଣ କରୁ ନଥିଲେ। ୧୯୧୩-୪୮ ମଧ୍ୟରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିବା ଏଇ ଲୋକଟି ଏଇ ସମୟ ମଧ୍ୟରେ ଚାଲିଥିଲେ ପ୍ରାୟ ୭୯,୦୦୦ କିଲୋମିଟର! ଅର୍ଥାତ ପୃଥିବୀକୁ ଦୁଇ ଥର ପରିକ୍ରମା କରିଥିଲେ ଯେତିକି ବାଟ ଯାଇଥାନ୍ତେ ସେତିକି ବାଟ ଭାରତବର୍ଷ ଭିତରେ ଚାଲିଥିଲେ ଗାନ୍ଧୀ ମହାତ୍ମା। ନିଜ ପାଇଁ ନୁହେଁ, ନିଜ ଆଦର୍ଶ ପାଇଁ, ଲକ୍ଷ୍ୟ ପାଇଁ ଏବଂ ଭାରତକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ଦେଖିବା ପାଇଁ, ଭାରତବାସୀଙ୍କୁ କେବଳ ବିଦେଶୀ ଶାସନ କବଳରୁ ମୁକ୍ତ କରିବା ପାଇଁ ନୁହେଁ, ଭାରତର ଆତ୍ମାର ପୁନରୁଦ୍ଧାର କରିବା ପାଇଁ।
ଆଜି ଯେତେବେଳେ ଲୋକମାନେ ମୋଟା ଅଙ୍କର ଦରମା ପାଇଁ ଦେଶ ଛାଡ଼ି ବିଦେଶ ପଳାଉଛନ୍ତି ସେତେବେଳେ କେହି କ’ଣ ବିଶ୍ୱାସ କରିପାରିବେ ଯେ ଆଜିକୁ ୧୦୭ ବର୍ଷ ତଳେ ସ୍ୟୁଟ୍ବୁଟ୍ର ପୋଷାକ, ମୋଟା ଅଙ୍କର ଆୟ ଏବଂ ମାରବାଡ଼ି ଓ ଗୁଜରାଟୀ ବ୍ୟବସାୟୀଙ୍କ ପ୍ରଦତ୍ତ ହୀରା ଓ ନୀଳାର ଅଳଙ୍କାର ସବୁ ତ୍ୟାଗ କରି ସନ୍ନ୍ୟାସ ଜୀବନକୁ ଲମ୍ଫ ପ୍ରଦାନ କରିଥିଲେ ଏହି ଛୋଟକାଟର ମଣିଷଟି! କେହି କ’ଣ ବିଶ୍ୱାସ କରିପାରିବେ ସୁନ୍ଦରୀ ପତ୍ନୀ ଓ ଚାରି ଚାରିଟି ପୁଅଙ୍କର ସ୍ନେହ ଓ ପ୍ରେମର ପରିବାର, ସେମାନଙ୍କର ଭବିଷ୍ୟତ ବିଷୟରେ ସାମାନ୍ୟ ଚିନ୍ତା ନକରି ଅନ୍ୟାୟ ଓ ଶୋଷଣ ବିରୋଧରେ ସଂଗ୍ରାମ କରିବାକୁ ଏକଲା ବାହାରି ପଡ଼ିଥିବା ଏଇ ଲୋକଟି ସତରେ କେମିତି ଏହା କରିପାରିଲା? କେମିତି ସେ ପରିବାରକୁ ସାଙ୍ଗରେ ନେଇ ପାଲଟିଗଲା ସାବରମତୀର ସନ୍ଥ?
ତାଙ୍କରି ଭାଷାରେ ତାଙ୍କ ଜୀବନ ଥିଲା ତାଙ୍କର ବାର୍ତ୍ତା। ସେ ନିଜ ଜୀବନରେ ଯାହା କରୁଥିଲେ ତାହା କରିବାକୁ ଅନ୍ୟମାନଙ୍କୁ କହୁଥିଲେ। ତେଣୁ ତାଙ୍କ ସହିତ ସମାନୁଗାମୀ ହୋଇଯାଇଥିଲେ ଭାରତବାସୀ। ତାଙ୍କ ଉଚ୍ଚାରଣ ଓ ଆଚରଣ ଭିତରେ କିଛି ପ୍ରଭେଦ ନଥିଲେ। ସେ ଚା, କଫି, ଚକୋଲେଟ୍, ମଦ, ଆମିଷ, ଧୂମାଦି ତାମସିକ ଖାଦ୍ୟ, ପାନୀୟ ଓ ନିଶାଠାରୁ ସଂପୂର୍ଣ୍ଣ ଦୂରରେ ଥିଲେ। ସତ୍ୟର ସନ୍ଧାନ ଥିଲା ତାଙ୍କର ସାଧନା। ଦୁଃଖୀ, ଦରିଦ୍ର, ଦଳିତ, ନିଷ୍ପେଷିତଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ଓ ଧନୀ-ଗରୀବ, ଶାସକ-ଶାସିତ, ଉଚ୍ଚ-ନୀଚଙ୍କ ମଧ୍ୟରେ ସମାନତା, ଭ୍ରାତୃତ୍ୱଭାବ ପ୍ରତିଷ୍ଠା କରିବା ଥିଲା ତାଙ୍କର ବ୍ରତ। ସେଥିପାଇଁ ସେ ମାର୍କ୍ସ, ଲେନିନ କି ମାଓଙ୍କ ପରି ପ୍ରୋଲେଟାରିଆଟ୍ ଏକଛତ୍ରବାଦ, ସଶସ୍ତ୍ର ବିପ୍ଳବ କିମ୍ବା ସାମରିକ ବିଦ୍ରୋହକୁ ପନ୍ଥା ଭାବେ ଗ୍ରହଣ କରି ନଥିଲେ। ତାଙ୍କର ପନ୍ଥା ଥିଲା ସତ୍ୟ, ଅହିଂସା ଓ ଅସହଯୋଗ। ସେ କହୁଥିଲେ ଅନ୍ୟାୟ ସହିବା ହେଉଛି ଅନ୍ୟାୟ। ଶୋଷଣକୁ ବିରୋଧ ନକରିବା ହେଉଛି ଆତ୍ମଶୋଷଣ। ଶାସିତମାନେ ଶାସକକୁ ଶାସନର ଅଧିକାର ଦେଉଛନ୍ତି ବୋଲି ସେ ଶାସିତ ହୋଇରହୁଛି। ଲୋକମାନଙ୍କର ବିନା ସହମତି ଓ ନିଷ୍କ୍ରିୟତାରେ ଭେଦାଭେଦର ଜୋରଜବରଦସ୍ତି ଚାଲିପାରିବ ନାହିଁ।
ଏଇ ମହାତ୍ମାଙ୍କ ବିଷୟ ଲେଖିବାକୁ ଯାଇଁ ପ୍ରଧାନମନ୍ତ୍ରୀ ମୋଦୀ, ଟ୍ରଷ୍ଟିଶିପ୍, ପରିପୋଷଣୀୟ ବିକାଶ, ଅନ୍ତର୍ଜାତୀୟ ଏକତା, ବର୍ଣ୍ଣବୈଷମ୍ୟବାଦ, ମାର୍ଟିନ ଲୁଥାର କିଙ୍ଗ, ନେଲ୍ସନ୍ ମାଣ୍ଡେଲା ଆଦି ବିଷୟ ଓ ବ୍ୟକ୍ତିଙ୍କ ସଂପର୍କରେ ଗାନ୍ଧୀବାଦର ଯେଉଁ ଅବତାରଣା କରିଛନ୍ତି ତାହା କେବଳ ଖବରକାଗଜର ଆଲେଖ୍ୟ ହୋଇରହିଲେ ତାହା ହେବ ଗାନ୍ଧୀଙ୍କ ପ୍ରତି ପ୍ରତାରଣା। ଅଧୁନା ଭାରତର ସର୍ବାଧିକ ଲୋକପ୍ରିୟ ରାଜନେତା ଭାବେ, ଏ ଦେଶର ପ୍ରଧାନମନ୍ତ୍ରୀ ଭାବେ ଏବଂ ଅଧୁନା ବିଶ୍ୱର ଅନ୍ୟତମ ପ୍ରଭାବଶାଳୀ ରାଷ୍ଟ୍ରନେତା ଭାବେ ନରେନ୍ଦ୍ରଭାଇ ଦାମୋଦରଦାସ ମୋଦୀ ଚାହିଁଲେ ମହାତ୍ମାଙ୍କ ସତ୍ୟ, ଶାନ୍ତି, ଅହିଂସା, ସରଳତା ଓ ସମବାୟକୁ ନିଜ ଘରୁ ବା ଭାରତ ଶାସନରୁ ସଂପ୍ରସାରିତ କରିପାରିବେ। ସେ ଓ ତାଙ୍କ ଦଳର ସଦସ୍ୟମାନେ ଯଦି ଏହିସବୁ ଆଦର୍ଶକୁ ନିଜ ଜୀବନ ଓ ଅଂଚଳରେ ଆଚରଣରେ ପରିବର୍ତ୍ତନ ନକରିବେ, ଭାରତ ସରକାର ଯଦି ପରିପୋଷଣୀୟ ବିକାଶ ପରିବର୍ତ୍ତେ ଧ୍ୱଂସକାରୀ ବିକାଶକୁ ପ୍ରୋତ୍ସାହନ ଦେଇଚାଲିବେ, ସମବାୟ ଓ ଟ୍ରଷ୍ଟିଶିପ୍ ପରିବର୍ତ୍ତେ ପୁଂଜିବାଦୀ ଓ ଆର୍ଥନୀତିକ ସାମ୍ରାଜ୍ୟବାଦୀମାନଙ୍କୁ ସହଯୋଗ କରିଚାଲିବେ, ହିଂସା ଓ ଘୃଣାର ରାଜନୀତି ଜରିଆରେ ମଣିଷ ମଣିଷ ମଧ୍ୟରେ ବିଭେଦ ଓ ବିଦ୍ୱେଷର ବ୍ୟବଧାନକୁ ବ୍ୟାପ୍ତ କରିଚାଲିବେ ତେବେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ଯେ କେବଳ ଏକ ରାଜନୀତିକ ଆଡ଼ମ୍ବର ଥିଲା ବୋଲି କହିବାକୁ କେହି ଦ୍ୱିଧାବୋଧ କରିବେ ନାହିଁ। ଲୋକେ ହୁଏତ କହିବେ, ଗଡ୍ସେବାଦୀମାନେ ଗାନ୍ଧୀବାଦର ଜୟଜୟକାର କରିବା ରାଜନୀତିକ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ। କିନ୍ତୁ ମୋଦୀ ଯଦି ଲୋକମାନଙ୍କର ଧାରଣା ଭ୍ରମ ବୋଲି ପ୍ରମାଣିତ କରିବାକୁ ଚାହାନ୍ତି ତେବେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ପରି ଆଗ ନିଜ ଘରୁ ଅର୍ଥାତ ଭାରତବର୍ଷରୁ ଆରମ୍ଭ କରନ୍ତୁ ଗାନ୍ଧୀ ସଂସ୍କାର। ଜାତିସଂଘରେ ସେ କହିଥିଲେ ‘ଭାରତ ବିଶ୍ୱକୁ ଯୁଦ୍ଧ ନୁହେଁ ବୁଦ୍ଧ ଦେଇଛି’।
ଏବେ ନିଉୟର୍କ ଟାଇମ୍ସରେ ସେ ଲେଖିଛନ୍ତି, ‘ଭାରତ ଓ ବିଶ୍ୱ ପାଇଁ ଗାନ୍ଧୀ ଆବଶ୍ୟକ’। ବୁଦ୍ଧ ଓ ଗାନ୍ଧୀ ଭିନ୍ନଭିନ୍ନ କଥା କହି ନଥିଲେ କି ଭିନ୍ନଭିନ୍ନ ପନ୍ଥା ପ୍ରଦର୍ଶନ କରିନଥିଲେ। ଉଭୟଙ୍କର ପନ୍ଥା ଓ ଲକ୍ଷ୍ୟ ଥିଲା ସମାନ। ମୋଦୀଜୀ ଭାରତକୁ ସେଇ ବୁଦ୍ଧ ଓ ଗାନ୍ଧୀଙ୍କ ଦେଶରେ ପରିଣତ କରନ୍ତୁ, ଭାରତ ଶାସନକୁ ସେଇ ଦୁଇ ମହାତ୍ମାଙ୍କ ଆଦର୍ଶ ଅନୁସାରେ ସଂସ୍କାରିତ କରନ୍ତୁ ସେ ବି ଜଣେ ମହାତ୍ମା ହୋଇପାରିବେ, ବିରୋଧୀମାନେ ଯାହା କୁହନ୍ତୁ ପଛେ!
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।