ଦେବେନ୍ଦ୍ର ପୃଷ୍ଟି
ଏବେ ଶୀତ ଋତୁ। ଧାନକଟା ସରିଛି ବା ସରି ଆସୁଛି। ତା’ ସାଙ୍ଗକୁ ଇଂରାଜୀ ବର୍ଷର ଶେଷ ସପ୍ତାହ। ନୂଆ ବର୍ଷ ଆଗତ ପ୍ରାୟ। ସ୍କୁଲ କଲେଜ ଛୁଟି। ବଣଭୋଜି ବା ଇଂରାଜୀରେ କହିଲେ ପିକ୍ନିକ୍ ପାଇଁ ପ୍ରକୃଷ୍ଟ ସମୟ। ଭଲ କଥା। ବର୍ଷ ସାରା ପାଠ ପଢ଼ି ପଢ଼ି ପିଲାମାନେ ମାନସିକ ଭାରାକ୍ରାନ୍ତ। ବର୍ଷ ସାରା ଖଟି ଖଟି ସେମାନଙ୍କ ବାପାମା’ମାନେ ବି କ୍ଳାନ୍ତ ଓ ଶ୍ରାନ୍ତ। ଏଇ ସମୟରେ ପ୍ରାୟ ସବୁ ଲୋକ କିଛି ନୂଆ ଜାଗା ଦେଖିବାକୁ ମନ କରନ୍ତି, ନୂଆ ଜାଗାରେ ଭୋଜିଭାତ ଜରିଆରେ ମନୋରଂଜନ କରିବାକୁ ଇଚ୍ଛା କରନ୍ତି। ନିହାତି ଗରୀବଙ୍କ କଥା ଅଲଗା। ସେମାନଙ୍କ ପାଇଁ ମନୋରଂଜନର ବ୍ୟୟଭାର ବହନ କରିବା କଷ୍ଟ। ତଥାପି ଯେଉଁମାନଙ୍କର ସାଧନ ଅଛି ସେମାନଙ୍କ ଘର ପରିବାର ବର୍ଷ ଶେଷ ଓ ଆରମ୍ଭରେ ବଣଭୋଜି, ନୂଆ ଜାଗାରେ ରାତ୍ରିଯାପନ ଆଦି ଜୀବନରେ ନୂଆ ଉତ୍ସାହ ଆଣେ। କିଛି ପରିବର୍ତ୍ତନ, କିଛି ଉଦ୍ଦିପନା, କିଛି ଉଚ୍ଚଟ, କିଛି ଉତ୍ତେଜନା- ଏଇ ଆଶାରେ ବଣଭୋଜି କରୁଥିବା ଲୋକଙ୍କ ସଂଖ୍ୟା ବଢ଼ୁଛି। କିଏ ସାଙ୍ଗ ମେଳରେ କରୁଛି। କିଏ ପରିବାର ମେଳରେ କରୁଛି। କିଏ ଅଫିସ ସହକର୍ମୀଙ୍କ ସହ କରୁଛି ତ କିଏ ପୁଣି ଗାଁ ସାଇ ପଡ଼ିବା ବା ସହରୀ କଲୋନିବାସୀଙ୍କ ସହିତ ବଣଭୋଜି କରୁଛି। ସବୁଠି ଏବେ ଆନନ୍ଦ ଓ ଉପଭୋଗର ସମୟ। ବହୁତ ଭଲ କଥା। ଜୀବନକୁ ଉପଭୋଗ କରିବା ପାଇଁ ଇଏ ବି ଏକ ମାର୍ଗ, ଏକ ଉପାୟ।
ତେବେ, ଜୀବନକୁ ଉପଭୋଗ କରିବା ମଧ୍ୟ ମୁକ୍ତ ଓ ଅବାଧ ନୁହେଁ- ପିକ୍ନିକର୍ ବା ବଣଭୋଜକମାନେ ଏହା ବି ବୁଝିବା ଦରକାର। ଏହା ବି କଟକଣା, ଏକ ସତର୍କତା ଓ ଏକ ଉତ୍ତରଦାୟିତ୍ୱର କଥା। ଆମେ ଯେଉଁଠି ପାର ସେଠି ବଣଭୋଜି କରିପାରିବା ନାହିଁ। ଯେଉଁଠି ପାର ଯେମିତି ପାର ସେମିତି ଭୋଜି କରିପାରିବା ନାହିଁ। ଆମେ ବଣଭୋଜିର ଆନନ୍ଦ ନେବା ପାଇଁ ଅନ୍ୟ କାହାର ଶାନ୍ତି ଓ ଆନନ୍ଦରେ ବ୍ୟାଘାତ ସୃଷ୍ଟି କରିବା ନାହିଁ। ଆମର ମନୋରଂଜନ ଅନ୍ୟ କାହାର ମନୋରଂଜନରେ ପ୍ରତିବନ୍ଧକ ସୃଷ୍ଟି କରିବା ମଧ୍ୟ ଠିକ ନୁହେଁ। ଠିକ ସେହିପରି ଜୀବନକୁ ଉପଭୋଗ କରିବାକୁ ଯାଇଁ କେହି ଜୀବନକୁ ନଷ୍ଟ କଲା ଭଳି କାମ ମଧ୍ୟ କରିବା ଉଚିତ ନୁହେଁ। କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର କଥା ଯେ ଏଭଳି ଘଟଣା ବଢ଼ି ବଢ଼ି ଚାଲିଛି। ଜୀବନର ଆନନ୍ଦ ନେବାର ଦୌଡ଼ରେ ଅନେକ ଲୋକ ହିତାହିତ ଜ୍ଞାନଶୂନ୍ୟ ହୋଇଯାଉଛନ୍ତି। ସେମାନଙ୍କର ଆନନ୍ଦ ଓ ଉପଭୋଗ ଅନ୍ୟମାନଙ୍କର ଜୀବନରେ ବ୍ୟାଘାତ ସୃଷ୍ଟି କରୁଛି। ବେଳେବେଳେ ତାହା ଆନନ୍ଦ ବଦଳରେ ଦୁଃଖ ଓ ଯନ୍ତ୍ରଣାରେ ପରିଣତ ହେଉଛି।
ଏଇ ଦିନକ ତଳର ଘଟଣା। କିଛି ଯୁବ ବନ୍ଧୁ ବଣଭୋଜି କରିବାକୁ ମୟୂରଭଞ୍ଜିର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୀମାନ୍ତରେ ଥିବା ପୀଠବଟ ଜଙ୍ଗଲ ରେଞ୍ଜ ଶେଷ ସୀତାବିଞ୍ଜି ନିକଟରେ ଡେରା ପକେଇଥିଲେ। ବଣଭୋଜି ସାଜ ସରଞ୍ଜାମ ସହିତ ସେମାନେ ଡିଜେ ବି ନେଇଥିଲେ। ଡିଜେ ହେଉଛି ଜୋର ଶବ୍ଦ କରୁଥିବା ଏକ ସଂଗୀତ ଯନ୍ତ୍ର। ଏହାକୁ ଘରେ ବା ଘର ନିକଟରେ ବଜେଇଲେ ମଧ୍ୟ କାନ ତାବ୍ଦା ହୋଇଯାଏ। ଆଜିକାଲି ବାହାଘର ଓ ମୂର୍ତ୍ତି ବିସର୍ଜନ ରୋଷଣିରେ ଏଗୁଡ଼ିକର ବହୁଳ ବ୍ୟବହାର ଦେଖାଯାଉଛି। ଏପରିକି କିଛି ତଥାକଥିତ ଶିବ ଭକ୍ତ ମଧ୍ୟ ଶ୍ରାବଣ ମାସରେ ପାଣି ଚଢ଼େଇବାକୁ ଗଲାବେଳେ ଡିଜେରେ ବାଜୁଥିବା ଉଚ୍ଚ ଶବ୍ଦର ସଂଗୀତ ତାଳେ ତାଳେ ପାଦ ପକାଇବାକୁ ଭକ୍ତିରସର ଅନନ୍ୟ କ୍ଷରଣ ଭାବେ ଗ୍ରହଣ କରିଥାନ୍ତି। ସେଇ ଜଙ୍ଗଲରେ ବଣୁଆ ହାତୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଜଙ୍ଗଲ ବିଭାଗ ତରଫରୁ କୁଙ୍କି ବା ତାଲିମପ୍ରାପ୍ତ ହାତୀଟିଏ ଥିଲା। ତା’କୁ ତା’ର ମାହାନ୍ତ ଗୋଟେ ଗଛରେ ଲୁହା ଶିକୁଳିରେ ବାନ୍ଧି ରଖିଥିଲେ। କିନ୍ତୁ ବଣଭୋଜି କରୁଥିବା ପିଲାମାନେ ଏତେ ଜୋର୍ରେ ଡିଜି ବଜେଇଲେ ଯେ ତାହା ସେହି ଶିକୁଳିବଦ୍ଧ ହାତୀର ଶାନ୍ତି ଭଙ୍ଗ କଲା। ସେ ଉଚକିତ ହୋଇ ଟାଣାଭିଡ଼ା କରିବା ଫଳରେ ଶିକୁଳି ଛିଡ଼ିଗଲା ଏବଂ ହାତୀଟି ମୁକ୍ତ ହୋଇ ଉଚ୍ଚ ଶବ୍ଦ ଆସୁଥିବା ଜାଗା ଆଡ଼କୁ ମାଡ଼ିଗଲା। ସେଠି ଦେଖିଲାବେଳକୁ ଭୂରି ଭୋଜନ। ପିଲାଙ୍କ ବଣଭୋଜି ଫିକା ପଡ଼ିଲା। ଜୀବନ ବିକଳରେ କିଏ କୁଆଡ଼େ ଦୌଡ଼ି ଲୁଚିଲେ। ହାତୀ ସେମାନଙ୍କ ପନିପରିବା ସବୁ ଖାଇବା ସହିତ ଜିନିଷପତ୍ର ଫୋପଡ଼ା ଫୋପଡ଼ି କଲା। ଖବର ପାଇଁ ମାହୁନ୍ତ ଓ ବନ ବିଭାଗ କର୍ମଚାରୀମାନେ ଆସି ହାତୀକୁ ନିୟନ୍ତ୍ରଣକୁ ନେଲେ। ପରେ ପିଲାମାନେ ପୁଣି ଥରେ ଆୟୋଜନ କରି ବଣଭୋଜି କଲେ ବୋଲି ଖବର ପ୍ରକାଶ ପାଇଛି।
ବଣଭୋଜି କରିବାକୁ ବଣକୁ ଯାଉଥିବା ପିଲାମାନଙ୍କୁ କିମ୍ବା ଏହି ଦୃଷ୍ଟିକୋଣରୁ ବଡ଼ମାନଙ୍କୁ କ’ଣ ଆଉ କେହି ଜଣେ ବୁଝେଇବା ଦରକାର ଯେ ବଣରେ ବହୁ ପ୍ରକାର ଜୀବଯନ୍ତୁ ବାସ କରନ୍ତି। ସେମାନଙ୍କର ମଧ୍ୟ ଗୋଟେ ଜୀବନ ଅଛି। ସେମାନେ ବି ଜୀବନକୁ ଉପଭୋଗ କରନ୍ତି। ସେମାନଙ୍କୁ ଉଚ୍ଚ ଶବ୍ଦ ଜରିଆରେ ବ୍ୟସ୍ତ ଓ ବିବ୍ରତ କରିବା କ’ଣ ମାନବିକତା? ବଣରେ ଥିବା ଜୀବଯନ୍ତୁମାନେ ଘଡ଼ଘଡ଼ି ଓ ବାଘ ଗର୍ଜନ ବ୍ୟତିତ ଅନ୍ୟ କୌଣସି ବଡ଼ ଶବ୍ଦ ଶୁଣିବା ବିରଳ। ସେମାନଙ୍କୁ ଉଚ୍ଚ ଶବ୍ଦର ଯାନ୍ତ୍ରିକ ବାଦ୍ୟସଙ୍ଗୀତ ଅସ୍ୱାଭାବିକ ଲାଗିବା ସ୍ୱାଭାବିକ। ସେହିପରି ବଣରେ ମଦ୍ୟପାନ, ଧୂମପାନ, ଖାମଖିୟାଲି ଭାବେ ନିଆଁଜଳା, ଜରି ବା ପ୍ଲାଷ୍ଟିକ ପରି ବର୍ଜ୍ୟବସ୍ତୁ ବର୍ଜନର କୁପ୍ରଭାବ ମଧ୍ୟ ଜଙ୍ଗଲର ପରିବେଷ୍ଟନୀ ଓ ବନ୍ୟପ୍ରାଣୀଙ୍କ ଜୀବନକୁ ଆକ୍ରାନ୍ତ କରିବାର ଆଶଙ୍କା ରହିଛି। ଲୋକେ ଏଥିପ୍ରତି ସଚେତନ ରହିବା ଜରୁରୀ। ମଣିଷର ବଣଭୋଜି ବନ ଓ ବନ୍ୟଯନ୍ତୁଙ୍କ ବିଷଭୋଜି କେବେ ବି ଠିକ ନୁହେଁ। ଏହା ଆଇନ ବିରୁଦ୍ଧ ବି ହୋଇପାରେ। ବନ କର୍ମଚାରୀମାନେ ଚାହିଁଲେ ବଣଭୋଜି ଆୟୋଜକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରିପାରନ୍ତି। ତେବେ ଅନେକ ସମୟରେ ଏହି ବନ କର୍ମଚାରୀମାନେ ହିଁ ବଣରେ ଭୋଜି କରିବାକୁ ଅନୁମତି ଦେଇଥାନ୍ତି। ବନ-ପ୍ରଦୂଷଣ ରୋକିବା ଦିଗରେ ସେମାନଙ୍କର ଯଥେଷ୍ଟ ଦାୟିତ୍ୱ ରହିଛି। ସେ ଦାୟିତ୍ୱରେ ସେମାନେ ଖିଲାଫ କରିବା ମଧ୍ୟ ଅପରାଧ।
ଅନେକ ସମୟରେ ଦେଖାଯାଏ ଯେ ନୂଆବର୍ଷର ଆନନ୍ଦ ନେବାକୁ ଯାଇ କେତେକ ପିଲା ସମୁଦ୍ର ବା ନଈ ପୋଖରୀରେ ଗାଧୋଉ ଗାଧୋଉ ନିଖୋଜ ହୋଇଯାଆନ୍ତି। ଏଭଳି ପିଲାମାନେ ବିଛା ମନ୍ତ୍ର ନଜାଣି ସାପ ଗାତରେ ହାତ ପୂରେଇଲା ଭଳି କାମ କରିଥାନ୍ତି ଅର୍ଥାତ ପହଁରା ନଜାଣି ଗଭୀର ଜଳକୁ ଡେଇଁଥାନ୍ତି। ଅନେକ ସମୟରେ ଏଭଳି ପିଲାମାନେ ମଧ୍ୟ ନିଶାଗ୍ରସ୍ତ ଥାଆନ୍ତି। ନିଶାସକ୍ତ ଅବସ୍ଥାରେ ସେମାନେ ନିଜେ କ’ଣ କରୁଛନ୍ତି ଜାଣି ପାରନ୍ତି ନାହିଁ ବା ଅଧିକ ଆନନ୍ଦ ଓ ଉତ୍ତେଜନାର ବଶବର୍ତ୍ତୀ ହୋଇ ନିଜର ଔକାତ ଭୁଲି ଯାଇଥାନ୍ତି। ସେମାନଙ୍କର ଭୁଲ ପାଇଁ ଆନନ୍ଦର ଭୋଜି ଦୁଃଖର ଲୁହରେ ବୋହିଯାଏ। ଏଇ ସମୟରେ ମଧ୍ୟ ଅଧିକ ସଂଖ୍ୟକ ସଡ଼କ ଦୁର୍ଘଟଣା ଘଟେ। ଅନେକ ପିକ୍ନିକର୍ ମୃତାହତ ହୁଅନ୍ତି, ଗାଡ଼ି ଭାଙ୍ଗିଯାଏ। ଏହା ବି କମ୍ ଦୁଃଖ ଓ ଯନ୍ତ୍ରଣାର ଖବର ଆଣେ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।