ସରସଙ୍ଘଚାଳକଙ୍କ ଶୁଭ ସଂକେତ !

ଦେବେନ୍ଦ୍ର ପୃଷ୍ଟି

ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସରସଂଘଚାଳକ ବା ମୁଖ୍ୟ ମୋହନ ଭଗବତ ମୋରାଦାବାଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ଅନୁଷ୍ଠିତ ଏକ ସଭାରେ ଯାହା କହିଛନ୍ତି ତାହାକୁ ଯଦି ସେ ତାଙ୍କର ବିଶାଳ ସଂଗଠନ ଜରିଆରେ କାର୍ଯ୍ୟକାରୀ କରାନ୍ତି ତେବେ ତାହା ନିଶ୍ଚୟ ଭାରତବର୍ଷ ପାଇଁ ଏକ ଶୁଭ ସୂଚନା ହେବ। ତାଙ୍କର ବକ୍ତିବ୍ୟ କେବଳ ସଂକେତ। କିନ୍ତୁ ତାହାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଆଗ ତାଙ୍କ ସଂଘର ସମସ୍ତ ସଦସ୍ୟଙ୍କୁ ତାଙ୍କ କଥା ମାନିବାକୁ ପଡ଼ିବ। ଏହା ହେଲେ ସରକାର ସେ ଦିଗରେ କାର୍ଯ୍ୟ କରିବାକୁ ନିଶ୍ଚୟ ଚାପଗ୍ରସ୍ତ ହେବେ ଓ ଜନମତ ମଧ୍ୟ ସେ ଦିଗରେ ସରକାରଙ୍କୁ ଉତପ୍ରେରିତ କରିବ। କିନ୍ତୁ ସେ ଯଦି ଅନ୍ୟ ବହୁ ରାଜନେତା ଓ ସଂଘ ସଦସ୍ୟଙ୍କ ପରି କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏପରି କହିଥାନ୍ତି ତେବେ ତାଙ୍କ କଥାର କିଛି ମୂଲ୍ୟ ନାହିଁ ବୋଲି ବୁଝିବାକୁ ହେବ।

ମୋରାଦାବାଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ଉଦବୋଧନ ଦେଇ ସଂଘ ମୁଖ୍ୟ ମୋହନ ଭଗବତ ମୁଖ୍ୟତଃ ତିନିଟି କଥା କହିଛନ୍ତି। ତିନିଟି ଯାକ ଭାରତବର୍ଷର ସାଂପ୍ରଦାୟିକ ଏକତା ଓ ସାମଗ୍ରିକ ପ୍ରଗତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ କଥାଟି ହେଲା ଅଯୋଧ୍ୟାର ରାମ ମନ୍ଦିର ପରେ କାଶୀ ଓ ମଥୁରା ସଂଘର ଆଜେଣ୍ଡା ବା ଇସ୍ତାହାରରେ ନାହିଁ। ରାମ ମନ୍ଦିର ପ୍ରସଙ୍ଗରେ ସଂଘର ଭୂମିକା କେବଳ ଟ୍ରଷ୍ଟ ଗଠନ ପର୍ଯ୍ୟନ୍ତ ସୀମୀତ। ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ପ୍ରକ୍ରିୟା ଶେଷ ହେବା ପରେ ମନ୍ଦିର ନିର୍ମାଣ ପ୍ରକ୍ରିୟାରୁ ସଂଘ ଓହରି ଆସିବ ଓ ସେ ବାବଦରେ ଆଉ ମୁଣ୍ଡ ଖେଳାଇବ ନାହିଁ। ଏହା ପରେ କାଶୀ ଓ ମଥୁରାର ମନ୍ଦିର ଓ ମସଜିଦକୁ ନେଇ ସଂଘ ଆଉ ଆନ୍ଦୋଳନ କରିବ ନାହିଁ ସେ ବିଷୟରେ ମୁଣ୍ଡ ଖେଳାଇବ ନାହିଁ। ଭାରତର ସାଂପ୍ରଦାୟିକ ଏକତା ଦିଗରେ ଏହା ନିଶ୍ଚୟ ଏକ ଶୁଭ ସଂକେତ। କାରଣ ଅଯୋଧ୍ୟାର ରାମ ମନ୍ଦିର ଓ ବାବ୍ରି ମସଜିଦ ବିବାଦକୁ କେନ୍ଦ୍ର କରି ଭାରତୀୟ ସମାଜର ଅନେକ କ୍ଷତି ହୋଇସାରିଛି। ଭାରତର ଦୁଇ ବୃହତ୍ତର ସଂପ୍ରଦାୟ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଏହାକୁ ନେଇ ବିଭେଦ ଓ ବିଦ୍ୱେଷ ପ୍ରଶସ୍ତ ହୋଇସାରିଛି, ବ୍ୟବଧାନ ବୃଦ୍ଧି ପାଇଛି। ସଂଘ ଆଦର୍ଶରେ ଅନୁପ୍ରାଣୀତ ଭାରତୀୟ ଜନତା ପାର୍ଟିର ମନ୍ଦିର ରାଜନୀତି ଓ ୧୯୯୨ ମସିହାର ବାବ୍ରି ମସଜିଦ ଭଙ୍ଗ ଘଟଣା ଭାରତୀୟ ସମାଜ ଓ ସଭ୍ୟତାର ବହୁ ପ୍ରାଚୀନ ସହନଶୀଳତା ଓ ଧର୍ମନିରପେକ୍ଷତା ମୂଲ୍ୟବୋଧ ମୂଳରେ କୁଠାରଘାତ କରିଛି। ଏହାକୁ କେନ୍ଦ୍ର କରି ଉଭୟ ସଂପ୍ରଦାୟ ମଧ୍ୟରେ ପରସ୍ପର ବିରୋଧରେ ସନ୍ଦେହ ଓ ଘୃଣାର ବାତାବରଣ ସୃଷ୍ଟି ହୋଇଛି। ଧର୍ମ ଓ ବିଶ୍ୱାସକୁ ଅସ୍ତ୍ର କରି ଉଭୟ ପକ୍ଷର ରାଜନେତାମାନେ ଉଭୟ ସଂପ୍ରଦାୟ ମଧ୍ୟରେ କ୍ରୋଧ ଓ ପ୍ରତିଶୋଧର ନିଆଁ ଲଗେଇ ଦେଇଛନ୍ତି। ଏ ନିଆଁ କେବେ ଓ କିଭଳି ଲିଭିବ ତାହା ଜଣାନାହିଁ।

ଏହି ବିବାଦର ସମାଧାନ କରିବାକୁ ଯାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ଦେଇଛନ୍ତି ତାହାକୁ ଉଭୟ ସଂପ୍ରଦାୟର ମାମଲତକାରମାନେ ଗ୍ରହଣ କରିନେଇଛନ୍ତି। ଏବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦାୟିତ୍ୱ ଓ କର୍ତ୍ତବ୍ୟ ହେଉଛି ସାଂପ୍ରଦାୟିକ ସଂହତି ଓ ସଦଭାବ ପ୍ରତିଷ୍ଠା। ଯେହେତୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏହି ପ୍ରସଙ୍ଗକୁ ଏତେ ଆଗକୁ ନେଇଛି ଓ ଏହାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ବିଭାଜନ ଭାରତବର୍ଷର ଅନେକ କ୍ଷତି କରିଛି ଏବେ ସେହି ସଂଘ ହିଁ ଏହାର ପ୍ରାୟଶ୍ଚିତ କରିବା ଦରକାର। ସଂଘ ଏ ଦିଗରେ କିଛି କାର୍ଯ୍ୟକ୍ରମ ଗ୍ରହଣ କଲେ ମୁସଲିମ ପକ୍ଷ ମଧ୍ୟ ସେ ଦିଗରେ କଦମ ବଢ଼ାଇପାରେ। ନହେଲେ ସେମାନଙ୍କର ସଂକୀର୍ଣ୍ଣତା ପଦାରେ ପଡ଼ିବ। ଆଧୁନିକ ଭାରତର ସବୁଠୁ ବଡ଼ ସାଂସ୍କୃତିକ ଓ ସାମାଜିକ ସଂଗଠନ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। ଏଥିରେ କାହାର ଦ୍ୱିମତ ନାହିଁ। ତେଣୁ ଏହି ସଂଘ ଉପରେ ହିଁ ଭାରତର ସଂପ୍ରଦାୟଗୁଡ଼ିକୁ ଯୋଡ଼ି ରାଷ୍ଟ୍ରୀୟ ଏକତା ଓ ସଂହତି ସୁଦୃଢ଼ କରିବାର ଦାୟିତ୍ୱ ପଡ଼ିବା ସ୍ୱାଭାବିକ। ସରସଂଘଚାଳକ ମୋହନ ଭଗବତ କାଶୀ ଓ ମଥୁରା ପ୍ରସଙ୍ଗ ଆଜେଣ୍ଡାରେ ନାହିଁ ବୋଲି ଯେଉଁ ବୟାନ ଦେଇଛନ୍ତି ତାହାକୁ ସମସ୍ତ ସଂଘୀ ବେଦବାକ୍ୟ ଭାବେ ଗ୍ରହଣ କରିବା ଉଚିତ। ଏହା ପରଠାରୁ କୌଣସି ସଂଘୀ କାଶୀ ଓ ମଥୁରା ସମେତ ଅନ୍ୟାନ୍ୟ ସାଂପ୍ରଦାୟିକ ପ୍ରସଙ୍ଗ ଉଠାଇବା ରାଷ୍ଟ୍ରଦ୍ରୋହ ଭାବେ ଗୃହୀତ ହେବା ଉଚିତ। ସେଭଳି ସଂଘୀମାନଙ୍କୁ ବହିଷ୍କାର କରାଯିବା ଦରକାର। ସରକାର ମଧ୍ୟ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଏହା ପରଠାରୁ ସଂଘର ସମସ୍ତ ସଦସ୍ୟ ସଂପ୍ରଦାୟ ଯୋଡ଼ ଅଭିଯାନ ଆରମ୍ଭ କରିବା ଉଚିତ। ହିନ୍ଦୁ ସମାଜକୁ ଯୋଡ଼ିବା ପାଇଁ ସଂଘର ସାମାଜିକ ସମରସ୍ତା କାର୍ଯ୍ୟକ୍ରମ ପରି ଭାରତୀୟ ସଂପ୍ରଦାୟଗୁଡ଼ିକୁ ଭାରତୀୟ ସମ୍ବିଧାନ ଓ ଭାରତୀୟ ପତାକା ତଳେ ଯୋଡ଼ିବା ପାଇଁ ସଂଘ ବିସ୍ତୃତ କାର୍ଯ୍ୟକ୍ରମ ଗ୍ରହଣ କରିବା ଦରକାର। ସଂଘ ସେଥିରେ ସଫଳ ହେଲେ ଭାରତର ତଥାକଥିତ ଉଦାରବାଦୀ ବା ସଂଘୀଙ୍କ ଭାଷାରେ ଲିବ୍‌ଟାର୍ଡ଼ ଓ ସିକୁଲାରଙ୍କଠାରୁ ଆରମ୍ଭ କରି ସମଗ୍ର ବିଶ୍ୱ ବୁଝିବ ଯେ ଆରଏସଏସ ବାସ୍ତବରେ ଏକ ବିଭାଜନକାରୀ ସଂଗଠନ ନୁହେଁ, ବରଂ ଏହା ହେଉଛି ଏକ ଗଠନମୂଳକ ଅନୁଷ୍ଠାନ।

ମୋରାଦାବାଦରେ ଭଗବତ ଦେଇଥିବା ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୟାନ ହେଉଛି ଜନସଂଖ୍ୟା ନିୟନ୍ତ୍ରଣ। ତାଙ୍କ ମତରେ ଭାରତର ଦ୍ରୁତ ବିକାଶ ଓ ସମୃଦ୍ଧି ପାଇଁ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ଜାରି ହେବା ଉଚିତ। ଏ ଦିଗରେ ଏକ ଆଇନର ଆବଶ୍ୟକତା ରହିଛି। ସେହି ଆଇନ କୌଣସି ନିର୍ଦ୍ଦିଷ୍ଟ ଧର୍ମ ଓ ସଂପ୍ରଦାୟର ଲୋକଙ୍କ କ୍ଷେତ୍ରରେ ଲାଗୁ ହେବା ଉଚିତ ନୁହେଁ। ଏହା ଦେଶର ସବୁ ଲୋକଙ୍କ କ୍ଷେତ୍ରରେ ଲାଗୁ ହେବା ଦରକାର। ଭାରତବର୍ଷର ବର୍ତ୍ତମାନର ରାଜନୀତିକ ପରିସ୍ଥିତି ଯାହା ସେଥିରେ ଏବେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରିବା ଓ ତାହାକୁ ଲାଗୁ କରିବା କେତେ ସମ୍ଭବ ତାହା ସରକାର ବିଚାର କରିବା ଉଚିତ। ତେବେ ଭାରତର ଜନସଂଖ୍ୟା ବିସ୍ଫୋରଣ ଦୃଷ୍ଟିରୁ ସେଭଳି ଏକ ଆଇନର ଆବଶ୍ୟକତା ରହିଛି ନିଶ୍ଚୟ। ଏଭଳି ଏକ ଆଇନ ପ୍ରଣୟନ କରିବା ପୂର୍ବରୁ ଭାରତ ସରକାର ଜରୁରୀକାଳୀନ ପରିସ୍ଥିତି ସମୟରେ ସଞ୍ଜୟ ଗାନ୍ଧୀଙ୍କ ଡାକରାରେ ଗ୍ରହଣ କରାଯାଇଥିବା ନସବନ୍ଦି ବା ଜନ୍ମନିୟନ୍ତ୍ରଣ କାର୍ଯ୍ୟକ୍ରମର ସଫଳତା ଓ ବିଫଳତା ଉପରେ ବିଚାର କରିବା ଉଚିତ। ଧର୍ମ ଓ ବିଶ୍ୱାସ ଯୋଗୁଁ ଭାରତର ମୁସଲମାନ ସଂପ୍ରଦାୟ ଏବେ ବି ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ହୃଦୟର ସହିତ ଗ୍ରହଣ କରୁନାହାନ୍ତି। ଏପରିକି ଅନେକ ମୁସଲିମ ପରିବାର ପୋଲିଓ ଟୀକା କାର୍ଯ୍ୟକ୍ରମରେ ମଧ୍ୟ ନିଜ ପିଲାକୁ ସାମିଲ କରୁନାହାନ୍ତି। ଏଭଳି ଏକ ସଂପ୍ରଦାୟ ଉପରେ ଜନ୍ମନିୟନ୍ତ୍ରଣ ବା ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲଦି ଦିଆଗଲେ ତାହା ଭାରତରେ ସାଂପ୍ରଦାୟିକ ବିଭାଜନ ପାଇଁ ଆଉ ଏକ ଦୁଆର ଖୋଲି ଦେବ। ତେଣୁ ଭାରତ ସରକାର ଏ ଦିଗରେ ସତର୍କତାର ସହିତ ବାଟ ଚାଲିବା ଦରକାର।

ଏବେ ଭାରତର ଜନସଂଖ୍ୟା ହେଉଛି ୧୩୫ କୋଟି। ଭାରତର ପ୍ରତି କିଲୋମିଟର ଜାଗାରେ ହାରାହାରି ୩୮୨ ଜଣ ଲୋକ ବସବାସ କରନ୍ତି। ୧୯୭୫ରୁ ୨୦୧୦ ମଧ୍ୟରେ ଭାରତର ଜନସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଥିଲା। ଏବେ ସେଥିରେ ଆହୁରି ୧୫ କୋଟି ଯୋଗ ହୋଇସାରିଲେରି। ୨୦୨୪ ସୁଦ୍ଧା ଭାରତର ଜନସଂଖ୍ୟା ପୃଥିବୀର ସବୁଠୁ ଜନବହୁଳ ଦେଶ ଚୀନକୁ ଟପିଯିବ ବୋଲ ଆକଳନ କରାଯାଉଛି। ଚଳିତ ହାରରେ ଜନସଂଖ୍ୟା ବୃଦ୍ଧି ଘଟିଲେ ଭାରତର ଜନସଂଖ୍ୟା ୨୦୩୦ ସୁଦ୍ଧା ୧୫୦ କୋଟି ଓ ୨୦୫୦ ସୁଦ୍ଧା ୧୭୦ କୋଟି ଟପିଯିବ। ଏତେ ବିଶାଳ ଜନସଂଖ୍ୟା ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି ମୌଳିକ ସେବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ପାଇଁ କାଠିକର ପାଠ ହେବ। ଏହି ବିଶାଳ ଜନ ସମୁଦାୟକୁ ଆବଶ୍ୟକ ଖାଦ୍ୟ ଯୋଗାଇବା ମଧ୍ୟ ଏକ ବଡ଼ ସମସ୍ୟା ହୋଇ ଦେଖାଦେବ। ଜନ ବିସ୍ଫୋରଣ ସମସ୍ୟା ସମାଧାନ କରିବାକୁ ଯାଇଁ ଚୀନ ସରକାର ସେହି ଦେଶରେ ଏକ-ସନ୍ତାନ ନୀତି ଲାଗୁ କରିଛନ୍ତି। ତା’ ଫଳରେ ଚୀନର ଜନସଂଖ୍ୟା ବୃଦ୍ଧି ହାର ଭାରତଠାରୁ କମ୍‌ ରହିଛି। ଭାରତକୁ ମଧ୍ୟ ସେହିପରି ଏକ ନୀତି ଗ୍ରହଣ କରିବାକୁ ହେବ। ତେବେ, ଏ ଦିଗରେ ଭାରତ ସରକାର କୌଣସି ନୀତି ଓ ଆଇନ ପ୍ରଣୟନ କରିବା ପୂର୍ବରୁ ଆରଏସଏସର ସଦସ୍ୟମାନେ ଯଦି ନିଜନିଜ ପରିବାରରେ ତାହାକୁ ପାଳନ କରନ୍ତେ ତେବେ ତାହା ଅନ୍ୟମାନଙ୍କ ପାଇଁ ଅନୁସରଣୀୟ ଆଦର୍ଶରେ ପରିଣତ ହୁଅନ୍ତା। ମହାତ୍ମା ଗାନ୍ଧୀ ନିଜେ ଯାହା କହୁଥିଲେ ତାହାକୁ ଆଗ ନିଜ କ୍ଷେତ୍ରରେ ପ୍ରୟୋଗ କରୁଥିଲେ ବୋଲି ସମଗ୍ର ଭାରତ ତାଙ୍କ କଥାରେ ପ୍ରଭାବିତ ହେଉଥିଲା। ଆଜି ସେଇଥିପାଇଁ ବିଶ୍ୱରେ ବନ୍ଦନୀୟ। ସଂଘକୁ ସେହି ସ୍ତରକୁ ନେବାକୁ ହେଲେ ସଂଘୀମାନେ ଆଗ ନିଜେ କହୁଥିବା ଆଦର୍ଶକୁ ନିଜ ଉପରେ ପ୍ରୟୋଗ କରିବା ଉଚିତ। ତେବେ ଅନ୍ୟ ସଂପ୍ରଦାୟ ସେମାନଙ୍କୁ ଓ ସେମାନଙ୍କର ଆଦର୍ଶକୁ ବିନା କୌଣସି ସନ୍ଦେହରେ ଗ୍ରହଣ କରିବେ।

ସେହିପରି ଭଗବତଙ୍କର ତୃତୀୟ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନାଗରିକତା ସଂଶୋଧନ ଆଇନ ନେଇ ସଚେତନତାର ଆବଶ୍ୟକତା। ମୋରାଦାବାଦରେ ଭଗବତ କହିଛନ୍ତି ଯେ ଭାରତ ପାଇଁ ଏଭଳି ଏକ ଆଇନର ଆବଶ୍ୟକତା ରହିଛି। ତେବେ ଏ କ୍ଷେତ୍ରରେ ଜନ ସଚେତନତା ଆବଶ୍ୟକ। ଏଭଳି ବୟାନ ଦେଇ ସେ ସ୍ପଷ୍ଟ କରିଛନ୍ତି ଯେ ଭାରତ ସରକାର ପୂର୍ବରୁ ଏ ବିଷୟରେ ସର୍ବ ସାଧାରଣରେ କୌଣସି ଚର୍ଚ୍ଚା, ବିତର୍କ ଓ ଆଲୋଚନା ଆଦି ନକରି ଆଇନ ପ୍ରଣୟନ କରିଛନ୍ତି। ଯେଉଁଥିପାଇଁ ଏହା ବିରୋଧରେ ଜନମତ ପ୍ରକାଶ ପାଇଛି ଓ ଦେଶର ବିଭିନ୍ନ ଭାଗରେ ଏହା ବିରୋଧରେ ଆନ୍ଦୋଳନ ଚାଲିଛି। କେରଳ ଓ ପଞ୍ଜାବ ବିଧାନସଭାରେ ଏହି ଆଇନ ବିରୋଧରେ ସଂକଳ୍ପ ଗୃହୀତ ହୋଇଥିବାବେଳେ ପଶ୍ଚିମ ବଙ୍ଗ, ବିହାର ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ ନାହିଁ ବୋଲି ସେଠା ସରକାରମାନେ ଘୋଷଣା କରିଛନ୍ତି। ଏହି ଆଇନକୁ ନେଇ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭାଜନର ଅନ୍ୟ ଏକ ଘାଇ ମେଲା ହୋଇଛି। ମୋହନ ଭଗବତ ଏପରି ମତ ପୋଷଣ କରିଥିଲେ ମଧ୍ୟ ତାଙ୍କ ସଂଗଠନର ସଦସ୍ୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭକ୍ତମାନେ ଏହି ଆଇନ ନେଇ ଅଡ଼ି ବସିଛନ୍ତି ଓ ଏହା ବିରୋଧରେ ମତ ଦେଉଥିବା ଲୋକମାନଙ୍କୁ ରାଷ୍ଟ୍ରଦ୍ରୋହୀ ବୋଲି ଗାଳି କରୁଛନ୍ତି। ଭଗବତ ସେମାନଙ୍କୁ ବୁଝେଇବା ଦରକାର। ବୁଝେଇବା ଦରକାର ଯେ ପୂର୍ବରୁ ଏହା ଉପରେ ବିତର୍କ ହେବାର ଥିଲା। ହୁଏତ ବିତର୍କ ହୋଇଥିଲେ ଏହି ଆଇନର ରୂପରେଖ ଅନ୍ୟ କିଛି ହୋଇଥାନ୍ତା। ଏହି ଆଇନ ଜରିଆରେ ଭାରତ ସରକାର କେବଳ ନିର୍ଦ୍ଦିଷ୍ଟ ଛଅଟି ଧର୍ମର ଲୋକଙ୍କ ପାଇଁ କରୁଣାର ବାରି ନବର୍ଷି ସବୁ ଧର୍ମର ଶରଣାର୍ଥୀଙ୍କ ପ୍ରତି ସମାନ ଆଚରଣ ପ୍ରଦର୍ଶନ କରିପାରିଥାନ୍ତେ। ସେପରି ହୋଇଥିଲେ କେହି ସେହି ଆଇନକୁ ବିରୋଧ କରିନଥାନ୍ତେ। ବରଂ ମୋଦୀ ସରକାରଙ୍କୁ ସମଗ୍ର ବିଶ୍ୱରୁ ବାହାବାହା ମିଳିଥାନ୍ତା। ଭଗବତ ହୁଏତ ସବୁ କଥା ଫିଟେଇ କହିନାହାନ୍ତି। କିନ୍ତୁ ତାଙ୍କ କଥାକୁ ସଂଘୀମାନେ ଏହି ଅର୍ଥରେ ବୁଝିବା ଉଚିତ।