ଟିଆରପି କେଳେଙ୍କାରୀ

ସରଳ କୁମାର ଦାସ

ବିଭିନ୍ନ ସମୟରେ ଟିଆରପି ବା ଟେଲିଭିଜନ ରେଟିଂ ପଏଣ୍ଟରେ ହେରଫେର ହେଉଥିବାର ଅଭିଯୋଗମାନ ଶୁଣିବାକୁ ମିଳୁଥିଲା। ହେଲେ ଟିଆରପିକୁ ନେଇ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ସମ୍ପର୍କରେ ମୁମ୍ୱାଇ ପୁଲିସ କମିଶନର ଏକ ସାମ୍ୱାଦିକ ସମ୍ମିଳନୀରେ ଜଣାଇବା ସହ ସେଥିରେ ଚର୍ଚ୍ଚିତ ସାମ୍ୱାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ‘ରିପବ୍ଲିକ ଟିଭି’ ଚ୍ୟାନେଲ ସମେତ ‘ଫକ୍ତ ମରାଠୀ’ ଓ ‘ବକ୍ସ ସିନେମା’ ନାମକ ଆଉ ଦୁଇଟି ଚ୍ୟାନେଲ ସମ୍ପୃକ୍ତ ଥିବା କଥା ଘୋଷଣା କରିବା ପରେ ଗଣମାଧ୍ୟମ ସହ ସମ୍ପୃକ୍ତ କିଛି ବ୍ୟକ୍ତିବିଶେଷଙ୍କ କୁତ୍ସିତ ଚେହେରା ଓ ଗତିବିଧି ପଦାରେ ପଡିବା ସହ ସମଗ୍ର ଟିଆରପି ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି। ଭାରତୀୟ ଟେଲିଭିଜନ ଇତିହାସରେ ଏହା ହେଉଛି ପ୍ରଥମ ବଡ଼ ଧରଣର କେଳେଙ୍କାରୀ। ନିଜ ଚ୍ୟାନେଲକୁ ନମ୍ୱର ଏକ ଚ୍ୟାନେଲ ବୋଲି ପ୍ରତିପାଦିତ କରିବା ଲାଗି ହେଉଥିବା ପ୍ରତିଯୋଗିତାରେ ଜନସାଧାରଣଙ୍କ ଅଗୋଚରରେ ଯେଉଁ ସବୁ ଅସଲ ଖେଳ ଖେଳା ଯାଇଥାଏ, ତାହା ବୁଝିବାକୁ ହେଲେ ଦର୍ଶକଙ୍କୁ ଏହି ଟିଆରପି ବ୍ୟବସ୍ଥାଟି ସମ୍ପର୍କରେ ଅବଗତ ହେବାର ଆବଶ୍ୟକତା ରହିଛି।

ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଓ ସେମାନଙ୍କ ଦ୍ୱାରା ପ୍ରସାରିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଲୋକପ୍ରିୟତାକୁ ମାପିବା ପାଇଁ ଟିଆରପି ବା ଟେଲିଭିଜନ ରେଟିଂ ପଏଣ୍ଟ ଏକ ସୂଚକାଙ୍କ ବା ଇଣ୍ଡେକ୍ସ ଭଳି ବ୍ୟବହୃତ ହୋଇଥାଏ। ସେହି ଚ୍ୟାନେଲ ଓ କାର୍ଯ୍ୟକ୍ରମଗୁଡିକୁ ମିଳୁଥିବା ଟିଆରପି ରେଟିଂକୁ ଭିତ୍ତି କରି ବିଜ୍ଞାପନ ଦାତା ଓ ବିଜ୍ଞାପନ ପ୍ରଦାନକାରୀ ସଂସ୍ଥାଗୁଡିକ ବିଜ୍ଞାପନ ଦର ନିର୍ଦ୍ଧାରଣ କରିଥାଆନ୍ତି ଓ ସେହି ଅନୁସାରେ ବିଜ୍ଞାପନ ପ୍ରଦାନ କରା ହୋଇଥାଏ। ଭାରତରେ ଟେଲିଭିଜନ ବିଜ୍ଞାପନ ବଜାରର ଆକାର ପ୍ରାୟ ୩୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଥିବାରୁ ଏହାର ଯେତେ ଅଧିକ ଅଂଶ ଗୋଟିଏ ଚ୍ୟାନେଲ ହାସଲ କରି ପାରିବ, ତାର ଆୟ ସେତେ ଅଧିକ ହୋଇ ପାରିବ। କାର୍ଯ୍ୟକ୍ରମର ଗୁଣ ଓ ମାନ ଉନ୍ନତ କରି ଗୋଟିଏ ଚ୍ୟାନେଲ ସ୍ୱାଭାବିକ ଭାବେ ଓ ସ୍ୱଚ୍ଛତାର ସହ ଏହି ଟିଆରପି ହାସଲ କରି ପାରିଲେ କାହାରି ଆପତ୍ତି କରିବାର ଅବକାଶ ନାହିଁ। ମାତ୍ର ଟିଆରପି ହାସଲର ଦୌଡ଼ରେ ସଂଖ୍ୟାଧିକ ଟେଲିଭିଜନ ଚ୍ୟାନେଲ ଅନ୍ଧ ଭାବେ ଅଂଶ ଗ୍ରହଣ କରି ଅନୈତିକ ଉପାୟ ଅବଲମ୍ୱନ କରିବାକୁ କୁଣ୍ଠାବୋଧ କରୁ ନ ଥିବାର ଖବରମାନ ମଧ୍ୟ ଶୁଣିବାକୁ ମିଳୁଛି, ଯାହାର ସୁଦୂର ପ୍ରସାରୀ ପ୍ରଭାବ ଥିବାରୁ, ତାହା ଉଦବେଗଜନକ।

ଭାରତ ବର୍ଷରେ ଏହି ଟିଆରପି ମାପିବା କାର୍ଯ୍ୟଟି ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ (ବାର୍କ) ନାମକ ଘରୋଇ ସଂସ୍ଥା ତୁଲାଇଥାଏ। ଏହା ବିଶ୍ୱର ସର୍ବବୃହତ୍ ଟିଭି ଦର୍ଶକ ପରିମାପକ ସଂସ୍ଥା। ଭାରତରେ ଏହି ସଂସ୍ଥା ବାର୍କ ଇଣ୍ଡିଆ ନାମରେ ୨୦୧୪ରୁ କାମ କରି ଆସୁଛି। ଏଥି ପୂର୍ବରୁ ଦେଶରେ ଟାମ ନାମକ ଅନ୍ୟ ଏକ ସଂସ୍ଥା ମଧ୍ୟ ଟିଭି ଦର୍ଶକ ମାପିବା କାମଟି କରି ଆସୁଥିଲା। ତେବେ ୨୦୧୫ରେ ବାର୍କ ଇଣ୍ଡିଆ ସହ ଟାମର ଦର୍ଶକ ପରିମାପକ ଏକକର ବିଲୟ ପରେ ବାର୍କ ହିଁ ଦେଶରେ ଏକମାତ୍ର ଟିଭି ଦର୍ଶକ ପରିମାପକ ସଂସ୍ଥା ଭାବେ ଉଭା ହୋଇଛି। ବାର୍କ ଦ୍ୱାରା ଟିଆରପି ମାପିବା ପାଇଁ କିଛି ଘରେ ‘ବାର-ଓ-ମିଟର’ ନାମକ ଏକ ଯନ୍ତ୍ର ଟିଭିରେ ଲଗା ଯାଇଥାଏ। ସେହି ଘରର ଟେଲିଭିଜନଟି ଚାଲୁଥିବା ସମୟରେ ପରିବାର ସଦସ୍ୟ କେଉଁ ଚ୍ୟାନେଲ ଓ କେଉଁ କାର୍ଯ୍ୟକ୍ରମକୁ କେତେ ସମୟ ଦେଖୁଛନ୍ତି ତାହା ଆପେ ଆପେ ସେହି ଯନ୍ତ୍ରରେ ଲିପିବଦ୍ଧ ହୋଇ ଯାଇଥାଏ। ଏହି ପଦ୍ଧତିରେ ତଥ୍ୟ ସଂଗ୍ରହକୁ ‘ପିପୁଲ ମିଟର’ ମଧ୍ୟ କୁହା ଯାଇଥାଏ। ‘ପିକଚର ମ୍ୟାଚିଂ’ ନାମକ ଅନ୍ୟ ଏକ ପଦ୍ଧତିରେ ଦେଖୁଥିବା କାର୍ଯ୍ୟକ୍ରମର କିଛି ଅଂଶର ଚିତ୍ର ଉତ୍ତୋଳିତ ହୋଇ ଯାଇଥାଏ ଓ ତାକୁ ପିପୁଲ ମିଟର ତଥ୍ୟ ସହ ମେଳ କରା ଯାଇଥାଏ। ଏବେ ବାର୍କ ଦ୍ୱାରା ସାରା ଦେଶରେ ପ୍ରାୟ ୪୪,୦୦୦ ଘରେ ଟେଲିଭିଜନରେ ‘ବାର-ଓ-ମିଟର’ ଖଞ୍ଜା ଯାଇଛି। ଏଥି ମଧ୍ୟରୁ ପ୍ରାୟ ୨୦୦୦ ବାର-ଓ-ମିଟର ବମ୍ୱେରେ ‘ହଂସା ରିସର୍ଚ୍ଚ ଗ୍ରୁପ’ ନାମକ ଏକ ସଂସ୍ଥା ମାଧ୍ୟମରେ ଲଗାଯାଇଛି। ତଥ୍ୟ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ବିଶ୍ୱସନୀୟ କରିବା ପାଇଁ କେଉଁ ଘରେ ଏହା ଲଗାଯାଇଛି ତାକୁ ଗୋପନ ରଖା ଯାଇଥାଏ। ଦେଶବ୍ୟାପି ‘ବାର-ଓ-ମିଟର’ରୁ ସଂଗୃହୀତ ତଥ୍ୟ ଆଧାରରେ ବାର୍କ ସଂସ୍ଥା ପ୍ରତି ସପ୍ତାହରେ ଟେଲିଭିଜନ ଚ୍ୟାନେଲ ଓ କାର୍ଯ୍ୟକ୍ରମଗୁଡିକର ରାଙ୍କିଙ୍ଗ ପ୍ରସ୍ତୁତ କରି ତାହା ଗୁରୁବାର ଦିନ ପ୍ରକାଶ କରିଥାନ୍ତି।

କେତୋଟି ନିର୍ଦ୍ଦିଷ୍ଟ ଚ୍ୟାନେଲର ଟିଆରପି ହଠାତ୍ ଅତି ମାତ୍ରାରେ ବୃଦ୍ଧି ପାଇବାରେ ସନ୍ଦେହ ପ୍ରକାଶ କରି ବାର୍କ ଓ ହଂସା ସଂସ୍ଥା ଦ୍ୱୟ ତରଫରୁ ଏକ ମିଳିତ ଅନୁସନ୍ଧାନ କରା ଯାଇଥିଲା, ଯେଉଁଥିରେ କିଛି ଚ୍ୟାନେଲଙ୍କ ସମ୍ପୃକ୍ତିରେ ଟିଆରପି ତଥ୍ୟ ହେରଫେର (ଟାମ୍ପରିଙ୍ଗ) ହୋଇଥିବା ଜଣାପଡିଲା। ଫଳରେ ବାର୍କ ଓ ହଂସା ତରଫରୁ ମୁମ୍ୱଇ ପୁଲିସ ନିକଟରେ ଏକ ଏଫଆଇଆର ରୁଜ୍ଜୁ କରା ଯାଇଥିଲା। ଟିଆରପି କେଳେଙ୍କାରୀର ଅନୁସନ୍ଧାନରେ ଏ ଯାବତ୍ ଯାହା କିଛି ସାମନାକୁ ଆସିଛି ସେଥିରୁ ପ୍ରାରମ୍ଭିକ ଭାବେ ଜଣାପଡୁଛି ଯେ ମୁମ୍ୱଇରେ କେଉଁ କେଉଁ ଘରେ ବାର-ଓ-ମିଟର ଲଗା ଯାଇଛି ତାହା ଗୋପନୀୟ ହୋଇଥିଲେ ବି ବାର-ଓ-ମିଟର ଲଗାଯିବା ଦାୟିତ୍ୱରେ ଥିବା ହଂସା ରିସର୍ଚ୍ଚ ଗ୍ରୁପ ସଂସ୍ଥାର କିଛି ପ୍ରାକ୍ତନ କର୍ମଚାରୀ ପ୍ରଲୋଭନର ବଶବର୍ତ୍ତୀ ହୋଇ ସେହି ତଥ୍ୟ ନିର୍ଦ୍ଦିଷ୍ଟ କେତୋଟି ଚ୍ୟାନେଲକୁ ଜଣାଇ ଦେଇ ଥିବାର ସନ୍ଦେହ କରାଯାଉଛି। ସମ୍ପୃକ୍ତ ଚ୍ୟାନେଲର ଅଧିକାରୀମାନେ ଏହାକୁ ଟିଆରପି ହାସଲର ଏକ ସୁବର୍ଣ୍ଣ ସୁଯୋଗ ଭାବେ ବ୍ୟବହାର କରିଥିଲେ। ସେହି ଘରଗୁଡିକ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରି ସେମାନଙ୍କୁ ଅର୍ଥର ପ୍ରଲୋଭନ ଦେଖାଇ ସେମାନଙ୍କ ଚ୍ୟାନେଲ ଓ କାର୍ଯ୍ୟକ୍ରମ ଅଧିକ ସମୟ ପାଇଁ ଦେଖିବାକୁ ପ୍ରରୋଚିତ କରିଥିଲେ। ଏଥିପାଇଁ ଘର ପିଛା ମାସିକ ଚାରି ଶହରୁ ପାଞ୍ଚ ଶହ ଟଙ୍କା ପର୍ଯ୍ୟନ୍ତ ଦିଆ ଯାଇଥିବାର ପ୍ରମାଣମାନ ମଧ୍ୟ ମିଳିବାକୁ ଲାଗିଲାଣି। କାର୍ଯ୍ୟକ୍ରମ ଦେଖନ୍ତୁ କି ନ ଦେଖନ୍ତୁ, ଚ୍ୟାନେଲକୁ ଚାଲୁ ରଖିବା ପାଇଁ ବି ସେମାନଙ୍କୁ ନିର୍ଦ୍ଦେଶ ଦିଆ ଯାଉଥିଲା। ସ୍ଥଳ ବିଶେଷରେ ଇଂରାଜୀ ଜାଣି ନ ଥିବା ବା ବୁଝି ପାରୁ ନ ଥିବା ଘରଗୁଡିକୁ ମଧ୍ୟ ରିପବ୍ଲିକ ଟିଭିର ଇଂରାଜୀ ଖବର ଓ ଆଲୋଚନା ଶୁଣିବାକୁ ପ୍ରବର୍ତ୍ତା ଯାଇଥିବା ଓ ସେମାନେ ସେହିପରି କରିଥିବାର ମଧ୍ୟ ଅଭିଯୋଗ ହେଉଛି। ଅନୁସନ୍ଧାନ ପରେ ସତ୍ୟ ଜଣା ପଡିବାକୁ ଥିଲେ ବି ଏହା ଆପାତତଃ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମ ଉପରେ ଅବିଶ୍ୱାସର ଏକ କଳା ବାଦଲ ଢାଙ୍କି ଦେଇଛି।

୨୦୧୧ ମସିହା ଜନଗଣନା ଅନୁଯାୟୀ ଭାରତରେ ୪୭ ପ୍ରତିଶତ ପରିବାରଙ୍କ ନିକଟରେ ଟିଭି ସେଟଟିଏ ଥିଲା। ତେବେ ବାର୍କ ଦ୍ୱାରା ୨୦୧୮ ମସିହାରେ ହୋଇଥିବା ସର୍ଭେ ଅନୁଯାୟୀ ଦେଶର ୨୯.୮ କୋଟି ପରିବାର ମଧ୍ୟରୁ ୧୯.୭ କୋଟି ବା ୬୬ ପ୍ରତିଶତ ପରିବାରଙ୍କ ନିକଟରେ ଟିଭି ସେଟ ଅଛି। ଏମାନଙ୍କ ମଧ୍ୟରୁ ମାତ୍ର ୪୪,୦୦୦ ପରିବାରଙ୍କ ନିକଟରୁ ସଂଗୃହୀତ ତଥ୍ୟ ଆଧାରରେ ପ୍ରସ୍ତୁତ ଟିଆରପିକୁ ଭିତ୍ତି କରି ୨୦ କୋଟି ପରିବାରର ଟେଲିଭିଜନ ଦର୍ଶକୀୟ ପସନ୍ଦର ନିର୍ଦ୍ଧାରଣ କରିବା କେତେ ଦୂର ଯୁକ୍ତିସଙ୍ଗତ? କାରଣ ନମୁନାର ଆକାର ଏତେ କ୍ଷୁଦ୍ର ହୋଇଥିବାରୁ ତାହା କୁଶଳତା ପୂର୍ବକ ସଠିକ ଭାବେ କରା ନ ଗଲେ ତାହା ହେରଫେର ହେବାର ଆଶଙ୍କା ଦେଖା ଦେଇ ଏହି ଭଳି ଅବିଶ୍ୱସନୀୟ ପରିଣାମ ମିଳିଥାଏ। ତା’ ଛଡ଼ା ଯେନତେନ ପ୍ରକାରେଣ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରି ଶସ୍ତା ଲୋକପ୍ରିୟତା ହାସଲ କରିବା ଲାଗି କିଛି ସମ୍ୱାଦ ଚ୍ୟାନେଲ ତ ସମ୍ୱାଦକୁ ମନୋରଞ୍ଜନ ପର୍ଯ୍ୟାୟକୁ ନେଇ ଯାଉଛନ୍ତି। ବିଗତ ଦିନମାନଙ୍କରେ ସୁଶାନ୍ତ ସିଂହ-ରିୟା ଚକ୍ରବର୍ତ୍ତୀ ପ୍ରସଙ୍ଗ ହେଉ ବା ବଲିଉଡରେ ଡ୍ରଗ ରାକେଟର ମାମଲା ହେଉ ମାସ ମାସ ଧରି ସେହି ପ୍ରସଙ୍ଗକୁ ମସଲାଦିଆ ରୋଚକ ଓ ମନୋରଞ୍ଜକ ଢଙ୍ଗରେ ପ୍ରସ୍ତୁତ କରିବା ଲାଗି କିଛି ଚ୍ୟାନେଲଙ୍କ ମଧ୍ୟରେ ସତେ ଯେମିତି ବେଲଗାମ ପ୍ରତିଯୋଗିତା ପରିଲକ୍ଷିତ ହୋଇଥିଲା, ଯାହା ସମାଜ ପାଇଁ ଆଦୌ ହିତକର ନୁହେଁ। ଏହା ସେହି ଟିଆରପି ବଢାଇବା ପାଇଁ ଚ୍ୟାନେଲମାନଙ୍କ ଅଣନିଃଶ୍ୱାସୀ ଦୌଡର ଭିନ୍ନ ଏକ ରୂପ।

ଟେଲିଭିଜନ ଚ୍ୟାନେଲଗୁଡିକ ନିଜ ଟିଆରପି ବୃଦ୍ଧି କରିବା ପାଇଁ ତ ଯେ କୌଣସି ଅନୈତିକ ଉପାୟକୁ ଆଦରିବାକୁ କୁଣ୍ଠା ପ୍ରକାଶ କରି ନ ପାରନ୍ତି, କିନ୍ତୁ ତା’ ଅର୍ଥ କ’ଣ ଦର୍ଶକମାନେ ବି ସେମାନଙ୍କ ହାତରେ କିଛି ନାହିଁ ବୋଲି ଧରି ନେଇ ନୀରବ ରହିବା ଉଚିତ ହେବ? ସିରିଆଲ ଓ ସିନେମା ଭଳି ମନୋରଞ୍ଜନଧର୍ମୀ ଚ୍ୟାନେଲଗୁଡିକ କଥା ତଥାପି ଭିନ୍ନ। ହେଲେ ଜନମତକୁ ପ୍ରଭାବିତ କରିବାରେ ନିଉଜ ଚ୍ୟାନେଲଗୁଡିକର ଅଖଣ୍ଡ କ୍ଷମତା ଥିବାରୁ ଟିଆରପି ବୃଦ୍ଧି ପାଇଁ ସେମାନଙ୍କ ଦ୍ୱାରା କୌଣସି ପ୍ରକାର ଅନୈତିକ ଉପାୟ ଅବଲମ୍ୱନ ନା ଜନହିତରେ ନା ଦେଶହିତରେ। ଏଣିକି କେତେକ ନିଉଜ ଚ୍ୟାନେଲରେ ହେଉଥିବା ଆଲୋଚନାର ବିଷୟବସ୍ତୁ ସମ୍ପୃକ୍ତ ଚ୍ୟାନେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ନ ହୋଇ ଉଭୟ ରାଜ୍ୟ ଓ କେନ୍ଦ୍ରର ଶାସକ ଦଳର ନିର୍ଦ୍ଦିଷ୍ଟ ବା ମୁଷ୍ଟିମେୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସ୍ଥିର ହେଉଥିବାର ସଙ୍ଗୀନ ଅଭିଯୋଗମାନ ମଧ୍ୟ ଶୁଣିବାକୁ ମିଳୁଛି ଓ ଏଥିପାଇଁ ‘ମିଡିଆ ମ୍ୟାନେଜ’ କରା ହେଉଛି ବୋଲି ବହୁଳ ଭାବେ ଶୁଣାଯାଉଛି। ଏହାଦ୍ୱାରା ସେହି ଚ୍ୟାନେଲଗୁଡିକ କେବଳ ଯେ ନିଜ ଦାୟିତ୍ୱ ନିର୍ବାହରେ ନିଷ୍ଠା ପ୍ରଦର୍ଶନରୁ ବିଚ୍ୟୁତ ହୋଇ ନିଜ ବିଶ୍ୱସନୀୟତା ହରାଉଛନ୍ତି ତାହା ନୁହେଁ, ବରଂ ଏହା ଦ୍ୱାରା ଗଣତନ୍ତ୍ର ମଧ୍ୟ ବିପଦଗ୍ରସ୍ତ ହେଉଛି। ଉଦାହରଣ ସ୍ୱରୂପ, କାଳେ ସରକାର ଅସୁବିଧାରେ ପଡିବେ, ସେଥିପାଇଁ ଜନ ସାଧାରଣଙ୍କ ସ୍ୱାର୍ଥ ସମ୍ୱଳିତ ପ୍ରସଙ୍ଗଗୁଡିକୁ ଉତ୍ଥାପନ କରାଇ ନ ଦେଇ ସୁଶାନ୍ତ ସିଂହ ରାଜପୁତ-ରିୟା ଚକ୍ରବର୍ତ୍ତୀ ଭଳି ଜନସ୍ୱାର୍ଥବିହୀନ ପ୍ରସଙ୍ଗ ଉପରେ ମାସ ମାସ ଧରି ଟେଲିଭିଜନ ଡିବେଟ ଚାଲି ପାରୁଛି। ବେଳେବେଳେ ଓଡିଆ ନିଉଜ ଚ୍ୟାନେଲଗୁଡିକ ବି ଜାତୀୟ ନିଉଜ ଚ୍ୟାନେଲଗୁଡିକ ଦ୍ୱାରା ପ୍ରଭାବିତ ହୋଇ ସେହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ନ କଲେ କାଳେ ପଛୁଆ ବୋଲି ଗଣା ହେବେ, ସେଥିପାଇଁ ଅନୁରୂପ ଭାବେ ସେହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଫଳରେ ସାଧାରଣ ଜନତାଙ୍କ ଜୀବନ-ଜୀବିକାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକ ଗୁରୁତ୍ୱ ହରାଇ ଗୌଣ ପାଲଟି ଯାଉଛି। ‘ଦର୍ଶକଙ୍କୁ ଯାହା ଦେଖାଇଲେ ସେମାନେ ଦେଖିବେ’ ମାନସିକତାରେ ଗ୍ରସ୍ତ କିଛି ଚ୍ୟାନେଲ କର୍ତ୍ତୃପକ୍ଷଙ୍କ ମାନସିକତାରେ ପରିବର୍ତ୍ତନ କରି ଏହି ସ୍ଥିତିକୁ ବଦଳାଇ ସାଧାରଣ ଜନତାଙ୍କ ପ୍ରସଙ୍ଗଗୁଡିକୁ ଟେଲିଭିଜନ ଆଲୋଚନାର ମୁଖ୍ୟମଞ୍ଚକୁ ଆଣିବାକୁ ହେବ। ଏଥିପାଇଁ ଦର୍ଶକଙ୍କୁ ସକ୍ରିୟ ଭୂମିକା ଗ୍ରହଣ କରି ଅର୍ଥ ଓ ଗୁରୁତ୍ୱହୀନ ପ୍ରସଙ୍ଗ ଉଠାଇ ନିଉଜ ଚ୍ୟାନେଲକୁ ମନୋରଞ୍ଜନ ଚ୍ୟାନେଲରେ ପରିଣତ କରୁଥିବା ଚ୍ୟାନେଲ ଓ କାର୍ଯ୍ୟକ୍ରମଗୁଡିକୁ ବହିଷ୍କାର କରିବାର ଆବଶ୍ୟକତା ଦେଖା ଦେଲାଣି। ସଂଗଠିତ ଓ ଖୋଲାଖୋଲି ଭାବେ ଅଧିକ ସଂଖ୍ୟାରେ ଦର୍ଶକ ସେହିଭଳି ପେଡ ଚ୍ୟାନେଲଗୁଡିକୁ ନିଜ ପସନ୍ଦରୁ ବାଦ ଦେବା ସହ ମାଗଣା ଚ୍ୟାନେଲଗୁଡିକୁ ଦେଖିବା ବନ୍ଦ କଲେ, ତା’ର ଏକ କଠୋର ବାର୍ତ୍ତା ସମ୍ପୃକ୍ତ ଚ୍ୟାନେଲଗୁଡିକ ନିକଟରେ ପହଞ୍ଚି ପାରିବ ଓ ସେମାନେ ହୁଏତ ତାଙ୍କ କାର୍ଯ୍ୟକ୍ରମରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରିବେ। ଉଲ୍ଲେଖଯୋଗ୍ୟ, ଏବେ ଚ୍ୟାନେଲଗୁଡିକର ଆୟ ମୁଖ୍ୟତଃ ଟିଆରପି ଆଧାରିତ ବିଜ୍ଞାପନରୁ ଆସୁଥିବାରୁ ଓ ସେହି ଟିଆରପି କିଛି ମାତ୍ରାରେ ମ୍ୟାନେଜ କରି ହେଉଥିବାରୁ କିଛି ଚ୍ୟାନେଲ ତ ଦର୍ଶକମାନଙ୍କ ସ୍ୱାର୍ଥକୁ ଅଣ ଦେଖା କରିବାକୁ କୁଣ୍ଠା ପ୍ରକାଶ କରୁନାହାନ୍ତି। କିନ୍ତୁ ଯେଉଁ ମୁହୂର୍ତ୍ତରେ ଦର୍ଶକଙ୍କ ଦ୍ୱାରା ଚ୍ୟାନେଲ ଓ କାର୍ଯ୍ୟକ୍ରମ ବର୍ଜନ ମାଧ୍ୟମରେ ପ୍ରତିବାଦ ବ୍ୟାପକ ହେବ, ତାହା ନିଶ୍ଚିତ ଭାବେ ବିଜ୍ଞାପନ ଆୟକୁ ପ୍ରଭାବିତ କରିବ ଓ ସମ୍ପୃକ୍ତ ଚ୍ୟାନେଲଗୁଡିକ ଚେତିବାକୁ ବାଧ୍ୟ ହେବେ। ସେହିପରି ପାଠକ ସଂଖ୍ୟାକୁ ଅଧିକ କରି ଦେଖାଇ ବିଜ୍ଞାପନ ହାସଲ କରିବା ଉଦ୍ଦେଶ୍ୟରେ କିଛି ସମ୍ୱାଦପତ୍ର ମଧ୍ୟ ଅନୈତିକ ଉପାୟ ଅବଲମ୍ୱନ କରୁଥିବାର ଅଭିଯୋଗ ହୋଇଥାଏ। ଗଣମାଧ୍ୟମ ଉପରେ ଲୋକଙ୍କ ଅଗାଧ ବିଶ୍ୱାସ ଥିବାରୁ ଟିଆରପି କେଳେଙ୍କାରି ଭଳି ଦୁର୍ନୀତିରେ ଲିପ୍ତ ହୋଇଗଲେ ଗଣମାଧ୍ୟମ କେବଳ ଯେ ନିଜ ବିଶ୍ୱସନୀୟତା ହରାଇବ ତାହା ନୁହେଁ ବରଂ ତାହା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିବ। ତେଣୁ ଗଣମାଧ୍ୟମ ଦର୍ଶକୀୟ ଓ ପାଠକୀୟ ପସନ୍ଦକୁ ବଢାଇ ଚଢାଇ ଦେଖାଇବା ମାନସିକତାରୁ କ୍ଷାନ୍ତ ହୋଇ ଏ ନେଇ ନିଜେ ନିଜକୁ ନିୟନ୍ତ୍ରିତ କରିବା ଆବଶ୍ୟକ ଏବଂ ପ୍ରଶାସନ ଓ ଜନ ସାଧାରଣ ମଧ୍ୟ ଏଥି ପ୍ରତି ସତର୍କ ଦୃଷ୍ଟି ରଖିବା ପ୍ରୟୋଜନ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।