ପଞ୍ଚାନନ କାନୁନଗୋ
କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟ ମଧ୍ୟରେ ଏକ ଆଇନଗତ ସଂପର୍କ ପରିବର୍ତ୍ତେ ପ୍ରଚାର ସର୍ବସ୍ୱ ସଂପର୍କ ସୃଷ୍ଟି ହୋଇଛି। ସମ୍ବିଧାନର ତର୍ଜମା ଅବା ସୁରକ୍ଷା ପରିବର୍ତ୍ତେ ଶାସନ କଳକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଇନର ତର୍ଜମା ହେଉଛି। ନ୍ୟାୟାଳୟ ପୂର୍ଣ୍ଣ କେନ୍ଦ୍ରାଭିମୁଖୀ ନୁହେଁ, ଏପରି ଭାବି ହୁଏନାହିଁ।
ବିଚାର କ୍ଷେତ୍ରରେ ରାଜ୍ୟମାନେ କେନ୍ଦ୍ରର ଅଧସ୍ତନ। ରାଜ୍ୟରେ ଚଳଣି, ଲୋକନୀତି, ଆଚାର ବିଚାର ଯାହା ହେଉନା କାହିଁକି ‘ସର୍ବଭାରତୀୟ’ ଭାବକୁ ସ୍ୱୀକାର କରିନେବାର ବାଧ୍ୟବାଧକତା ଭାରତୀୟ ସଂବିଧାନ ସୃଷ୍ଟି କରିଛି। ଜଣେ ନାଗରିକ ଶେଷ ବିଚାର ଶୁଣିବାକୁ ଶକ୍ତି, ସାମର୍ଥ୍ୟ ଓ ଧୈର୍ଯ୍ୟ ଥିଲେ ଦିଲ୍ଲୀସ୍ଥ ଉଚ୍ଚତମ ବିଚାରାଳୟ ବା ସୁପ୍ରିମ କୋର୍ଟକୁ ଯାଇଥାଏ। ଧାରା ୧୩୨ ଓ ୧୩୩ ଅନୁସାରେ ରାଜ୍ୟର ଉଚ୍ଚ ବିଚାରଳାୟ ବା ହାଇ କୋର୍ଟର ଯେକୌଣସି ନିଷ୍ପତ୍ତି ବିରୁଦ୍ଧରେ ସୁପ୍ରିମ କୋର୍ଟ ଯିବାର ବ୍ୟବସ୍ଥା ରହିଛି। ଏହା ଜମିଜମା ସଂକ୍ରାନ୍ତୀୟ ହୋଇଥାଉ ବା ଫୌଜଦାରୀ ମକଦ୍ଦମା ହୋଇଥାଉ ଅଥବା ସାମ୍ବିଧାନିକ ତ୍ରୁଟି ହୋଇଥାଉ। ସମ୍ବିଧାନର ଧାରା ୧୩୪(କ)ରେ ଆବେଦନକାରୀକୁ ସୁପ୍ରିମକୋର୍ଟକୁ ପଠାଇବାର ଅନୁମତି ହାଇକୋର୍ଟ ଦେବାର ବିଧାନ ରହିଛି। ସୁପ୍ରିମକୋର୍ଟ ସ୍ୱତନ୍ତ୍ର କ୍ଷମତା ବଳରେ ଯେକୌଣସି ବିଚାରାଳୟ ନିଷ୍ପତ୍ତି ବିରୁଦ୍ଧରେ ଶୁଣାଣି ପାଇଁ ଅନୁମତି ପ୍ରଦାନ କରିଥାଏ। ସମ୍ବିଧାନର ୧୪୧ ଧାରା କୁହେ “The Law declared by the supreme court shall be binding on all courts within the territory of India.”
ସେହିପରି ସମ୍ବିଧାନର ୧୪୪ ଧାରାରେ କୁହା ଯାଇଛି, “All authorities civil and judicial in the territory of India shall act in aid of the supreme court.” ଭାରତୀୟ ସମ୍ବିଧାନରେ ସୁପ୍ରିମକୋର୍ଟ ଠାରେ ପ୍ରଭୂତ କ୍ଷମତା କେନ୍ଦ୍ରୀଭୁତ ହୋଇଥିବା ସ୍ଥଳେ ରାଜ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚ ନ୍ୟାୟାଳୟ ଏକ ଅଧୀନସ୍ଥ ବିଚାରାଳୟ “Subordinate Court” କହିଲେ ଅତ୍ୟୁକ୍ତି ହେବ ନାହିଁ। ସମ୍ବିଧାନର ୨୧୭ ଧାରାର ନିର୍ଦ୍ଦେଶ ଅନୁସାରେ ରାଜ୍ୟର ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରି ରାଷ୍ଟ୍ରପତି ଅନ୍ୟ ବିଚାରପତିମାନଙ୍କୁ ନିଯୁକ୍ତି କରିଥାନ୍ତି। ଧାରା ୨୬୨ ଅନୁସାରେ ରାଷ୍ଟ୍ରପତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ପରାମର୍ଶ ଅନୁଯାୟୀ ହାଇକୋର୍ଟର ବିଚାରପତିମାନଙ୍କୁ ବଦଳି କରି ପାରିବେ।
ବିଚାର ବିଭାଗ କ୍ଷେତ୍ରରେ ବାସ୍ତବ ସଂଘୀୟ ବ୍ୟବସ୍ଥାରେ ଅନ୍ୟ ପ୍ରକାରର। ପ୍ରଦେଶ ବା ରାଜ୍ୟମାନଙ୍କରେ ନିଜସ୍ୱ ସ୍ୱତନ୍ତ୍ର ବିଚାର ବ୍ୟବସ୍ଥା ରହିଛି ବୋଲି କୁହାଯାଇଥାଏ। “The system of State courts enforcing state laws end up with the state Supreme Courts.” ଭାରତରେ ପ୍ରଚଳିତ ବ୍ୟବସ୍ଥାକୁ ନେଇ ଦେଖିଲେ ସଂଘୀୟ ବ୍ୟବସ୍ଥା ଅତ୍ୟନ୍ତ ଅସ୍ପଷ୍ଟ ମନେ ହୁଏ। ବିଚାର ବିଭାଗ କଥା ମନକୁ ଆସିଲେ ସଂଘୀୟ ବ୍ୟବସ୍ଥା ହାସ୍ୟାସ୍ପଦ ମନେହୁଏ। ଏହା ଆମୂଳଚୂଳ ସୁପ୍ରିମ କୋର୍ଟ ଠାରୁ ନିମ୍ନ ଅଦାଲତ ପର୍ଯ୍ୟନ୍ତ ଏକ ଐକିକ ବ୍ୟବସ୍ଥା ନେଇ ଗଠିତ। ରାଜ୍ୟ ବିଚାରାଳୟ ସବୁ ବିଭିନ୍ନ ଭାବରେ ଦେଶର ମୁଖ୍ୟ ବିଚାରାଳୟର ଅଧସ୍ତନ।
ସର୍ବଭାରତୀୟ ବିଚାର ବିଭାଗୀୟ ଚାକିରୀ (All India Judiciary Service) ହେବାର ଉଦ୍ୟମ ଚାଲିଛି। ଆନ୍ତଃରାଜ୍ୟ ବିଚାରପତି ବଦଳି ବ୍ୟବସ୍ଥା ଚାଲୁ ହୋଇଯିବା କ୍ଷଣି ଏ କ୍ଷେତ୍ରରେ କେନ୍ଦ୍ରର ପ୍ରାଧାନ୍ୟ ମଧ୍ୟ ସ୍ପଷ୍ଟ ହୋଇଉଠିଛି। ଉଚ୍ଚ ନ୍ୟାୟାଳୟ ଯଥା ବିଭିନ୍ନ ରାଜ୍ୟ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରପତି ନିଯୁକ୍ତି ବ୍ୟବସ୍ଥାରେ ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ବ୍ୟବସ୍ଥା ପଛରେ କେନ୍ଦ୍ରୀୟ କ୍ଷମତାର ପ୍ରାଧାନ୍ୟ ଏବେ ଅତି ସ୍ପଷ୍ଟ ହୋଇଗଲାଣି। ଏହା ଆହୁରି ଅଧିକ ସ୍ପଷ୍ଟ ହୋଇଗଲା ସୁପ୍ରିମ କୋର୍ଟର ପାଞ୍ଚ ଜଣିଆ ବେଞ୍ଚ ବିଚାରପତି ନିଯୁକ୍ତି କ୍ଷମତା କାହା ପାଖରେ ଓ କିପରି ଭାବରେ ରହିବ ତାକୁ ନେଇ କଲେଜିୟମ୍ ବନାମ ଜାତୀୟ ବିଚାରପତି ନିଯୁକ୍ତି କମିଶନକୁ ନେଇ ନଭେମ୍ବର ୩ ତାରିଖ ଦିନ ୧୦୦୦ ପୃଷ୍ଠାରୁ ଅଧିକ ସୁବିସ୍ତୃତ ବିଚାର - ସିଦ୍ଧାନ୍ତ ଥୋଇଲେ। ଯେଉଁଥିରେ ନୂଆ ଭାବେ ଦାୟିତ୍ୱ ନେଇଥିବା ନରେନ୍ଦ୍ର ମୋଦି ସରକାର ସଂବିଧାନ ସଂଶୋଧନ କରି ଗୋଟିଏ ନୂତନ ଆଇନ କରି ଏନ୍.ଜେ.ଏ.ସି. କରିବା କଥା କୁହାଯାଇଥିଲା। ତାହା ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ଫଳରେ ଅକାମୀ ହୋଇଗଲା। ଏହାପରେ ଆରମ୍ଭ ହୋଇଗଲା କ୍ଷମତାସୀନ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟ ବିଚାରପତିମାନଙ୍କ ମଧ୍ୟରେ ଦାୟିତ୍ୱହୀନ ମନ୍ତବ୍ୟର ବିତର୍କ। କେନ୍ଦ୍ର ଅର୍ଥମନ୍ତ୍ରୀ ଖୋଲାଖୋଲି ଭାବେ ଏହି ଜଜମେଣ୍ଟକୁ ସମାଲୋଚନା କଲେ। କଲେଜିୟମ ଏବଂ ଏନ୍.ଜେ.ଏ.ସି. ମଧ୍ୟରେ ଗୁଣାତ୍ମକ ତଫାତ୍ କ’ଣ ଅଛି ସେ ଆଲୋଚନା ଏକ ବିରାଟ ବୌଦ୍ଧିକ ବିତର୍କ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ କେନ୍ଦ୍ରରେ ଗାଦିନସୀନ ସରକାର ବିଚାରପତି ନିଯୁକ୍ତିରେ ସରକାରଙ୍କର ହସ୍ତକ୍ଷେପ ଅଧିକ ପସନ୍ଦ କରୁଥିବା ବେଳେ ସୁପ୍ରିମକୋର୍ଟ ବିଚାରପତି ସମସ୍ତ କ୍ଷମତା ନିଜ ପାଖରେ କେନ୍ଦ୍ରୀଭୂତ କରି ରଖିବାକୁ ଚାହାଁନ୍ତି। ଏହି ଉଦ୍ୟମ ଏବେ ସ୍ପଷ୍ଟ ହୋଇଯାଇଛି।
ଏହି ପ୍ରକ୍ରିୟା ଗତ ଶତାବ୍ଦୀର ଷାଠିଏ ଦଶକରୁ ଆରମ୍ଭ ହୋଇ ଯାଇଥିବାର ଅନେକ ପ୍ରମାଣ ଅଛି। ଭାରତ ବର୍ଷର ବିଚାର ବ୍ୟବସ୍ଥାର ଏକ ଚର୍ଚ୍ଚିତ ମକଦ୍ଦମା ୧୯୬୭ (ଗୋଲକନାଥ କେସ୍) ସାମନାକୁ ଆସିଥିଲା। ଏହି କେସ ମାନ୍ୟବର ସୁପ୍ରିମ କୋର୍ଟ ବିଚାର କରି ଭାରତ ବର୍ଷର ପାର୍ଲାମେଣ୍ଟ ସଂବିଧାନ ଦତ୍ତ ମୌଳିକ ଅଧିକାର ବଦଳେଇ ପାରିବ ନାହିଁ ଅବା ଏଥିରେ ହସ୍ତକ୍ଷେପ କରିପାରିବ ନାହିଁ ବୋଲି ମତ ଦେଲେ। ଏଇଠୁ ହିଁ ଆରମ୍ଭ ହେଲା ପାର୍ଲାମେଣ୍ଟ ଓ ସୁପ୍ରିମ କୋର୍ଟ ମଧ୍ୟରେ ଗୋଟିଏ ସଂଘର୍ଷର ସୂତ୍ରପାତ। ଏହା ପରେ ପରେ ସୁପ୍ରିମକୋର୍ଟ ୧୯୭୦ ମସିହାରେ ଭାରତ ସରକାର ନେଇଥିବା ବ୍ୟାଙ୍କ ଜାତୀୟକରଣ ଓ ରାଜାରାଜୁଡ଼ାଙ୍କ ହାତପାଣ୍ଠି ଉଚ୍ଛେଦ ନିଷ୍ପତ୍ତିକୁ ରଦ୍ଦ କରିଦେଲେ। ଚମତ୍କାର ଲଢ଼େଇ ଆରମ୍ଭ ହେଲା। କିଏ ବଡ଼? ପାର୍ଲାମେଣ୍ଟ ନା ସୁପ୍ରିମକୋର୍ଟ? ଏହା ପରେ ୧୯୭୧ ମସିହାରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଏକ ନିରଙ୍କୁଶ ସଂଖ୍ୟା ନେଇ ବହୁଜନ ସମର୍ଥନରେ ସରକାର ଗଢ଼ିଲେ। ସମ୍ବିଧାନର ପ୍ରଣେତାମାନେ ଲୋକ ପ୍ରତିନିଧି। ଏଣୁ ସେମାନେ ଚାହିଁଲେ ସମ୍ବିଧାନର ଧାରା ବଦଳାଇ ଦେଇପାରିବେ। ସଂବିଧାନ ସଂଶୋଧନ ହେଲା। ଏପରିକି ମୁଖବନ୍ଧ ବା ପ୍ରିୟେମ୍ବଲ୍ରେ ମଧ୍ୟ ପରିବର୍ତ୍ତନ ଘଟିଲା। ସୁପ୍ରିମକୋର୍ଟରେ ୧୯୭୩ ମସିହାରେ କେଶବାନନ୍ଦ ଭାରତୀ ମକଦ୍ଦମାରେ ସମ୍ବିଧାନ ସଂଶୋଧନକୁ ସ୍ୱୀକାର କରିବା ସହ ଏହାର ମୁଖ୍ୟାଂଶ ମୌଳିକ ସଂରଚନା ବା ବେସିକ୍ ଷ୍ଟ୍ରକ୍ଚର ପରିବର୍ତ୍ତନ ନ କରିବାକୁ ଏହି ରାୟରେ ପ୍ରକାଶ ପାଇଥିଲା। ଏହାସତ୍ତ୍ୱେ ମୁଖବନ୍ଧ ବା ପ୍ରୟେମ୍ବଲ୍ରେ ଦୁଇ ଦୁଇ ଥର ସଂଶୋଧନ କରାଯାଇଥିଲା। ଗୋଟିଏ ଥର ‘ସୋଶିଆଲିଷ୍ଟ’ ବା ସମାଜବାଦୀ ଓ ଅନ୍ୟ ଥର ‘ସେକୁଲାର୍’ ବା ଧର୍ମନିରପେକ୍ଷ ଶବ୍ଦ ଯୋଡ଼ାଗଲା। ଏଇଠାରେ ଲୋକ ଶାସନର, ବିଚାର ବ୍ୟବସ୍ଥା ଉପରେ ହସ୍ତକ୍ଷେପ ଅଧିକ ସ୍ପଷ୍ଟ ହେଲା।
ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ସରକାର ତିନି ଜଣ ବରିଷ୍ଠ ବିଚାରପତିଙ୍କୁ ଆଡ଼େଇଦେଇ ଜଷ୍ଟିସ୍ ଏ. ଏନ୍. ରାୟଙ୍କୁ ମୁଖ୍ୟ ବିଚାରପତି କରିଦେଲେ। ଜାତୀୟ ନିରାପତ୍ତା ଆଇନ ବା ଜରୁରୀକାଳୀନ ପରିସ୍ଥିତିକୁ ଜଷ୍ଟିସ୍ ଏଚ୍. ଆର ଖାନ୍ନା ସମର୍ଥନ ଦେଇ ନଥିବାରୁ ତାଙ୍କୁ ଅତିକ୍ରମ କରି ଜଷ୍ଟିସ୍ ଏଚ୍. ଆର୍. ବେଗ୍ଙ୍କୁ ପ୍ରଧାନ ବିଚାରପତି କରାଗଲା। ସାମ୍ବିଧାନିକ ବ୍ୟବସ୍ଥା ଯାହା ଥାଉନା କାହିଁକି ବିଚାର ବ୍ୟବସ୍ଥାକୁ କେନ୍ଦ୍ରୀଭୂତ କରିବାର ଉଦ୍ୟମ ଖୁବ୍ ଜୋରରେ ଚାଲୁ ହେଲା। ଏହି ସମୟରେ ଉପେକ୍ଷିତ ଦୁଇ ବିଚାରପତି ଜଷ୍ଟିସ୍ ଖାନ୍ନା ଓ ଜଷ୍ଟିସ୍ ଶାହାଙ୍କୁ ୧୯୭୭ ପରେ କେନ୍ଦ୍ର ସରକାର ଗଢ଼ିଥିବା ଜନତା ପାର୍ଟି ସରକାର ବିଭିନ୍ନ ଭାବେ ପୁରସ୍କୃତ କରିଥିଲେ। ଏହା ମଧ୍ୟ ପ୍ରମାଣ କରେ ଯେ ଦଳୀୟ ସମର୍ଥନ ବିଚାରପତିମାନଙ୍କୁ ସନ୍ତୁଷ୍ଟ କରି ପକ୍ଷଭୁକ୍ତ କରିବା ନିମନ୍ତେ କରାଯାଇଥାଏ। ୧୯୯୩ ମସିହାରେ ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ଏକ ଭିନ୍ନ ଧରଣର ପରିବର୍ତ୍ତନ କରାଗଲା। ବିଚାରପତି ଜେ.ଏସ୍. ବର୍ମାଙ୍କ ବିଚାର ସିଦ୍ଧାନ୍ତ ଭିତ୍ତିରେ କଲେଜିୟମ ସୃଷ୍ଟି ହେଲା। ବିଚାରପତି ନିଯୁକ୍ତି ଦାୟିତ୍ୱ ଏହା ଉପରେ ନ୍ୟସ୍ତ ହେଲା। ଏହି ବ୍ୟବସ୍ଥାକୁ ପରବର୍ତ୍ତୀ ଅଟଳ ବିହାରୀ ବାଜପାୟୀଙ୍କ ଏନଡିଏ ସରକାର ମଧ୍ୟ ଚଳାଇ ରଖିଥିଲା। କେବଳ ୧୯୯୯ ମସିହାରେ ସୁପ୍ରିମକୋର୍ଟଙ୍କ ତରଫରୁ ଏକ ସ୍ପଷ୍ଟୀକରଣ ଲୋଡ଼ା ଯାଇଥିଲା। କଲେଜିୟମ୍ ବ୍ୟବସ୍ଥାର ମୂଳ ଲକ୍ଷ୍ୟ ଯାହା ଥାଉନା କାହିଁକି ଏହା ଉପରେ ନରେନ୍ଦ୍ର ମୋଦିଙ୍କ ସରକାର ଏକ ବିରାଟ ପରିବର୍ତ୍ତନ ଆଣିବାର ଉଦ୍ୟମ କରି ଗୋଟିଏ ନୂଆ ଆଇନ୍ ଜରିଆରେ ଏନ୍.ଜେ.ଏ.ସି. ଗଠନ ବ୍ୟବସ୍ଥା ସୃଷ୍ଟି କଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଚାରପତି ନିଯୁକ୍ତିରେ ସ୍ୱଚ୍ଛତା ରଖିବା ସହ ବିଚାର ପଦ୍ଧତି ଅଂଗୀକାର ବଦ୍ଧତା ସାବ୍ୟସ୍ତ କରିବା। ଏହି ଅଂଗୀକାରବଦ୍ଧତା କାହାପାଖରେ, ଆଇନ୍ ପାଖରେ ନା ସରକାରଙ୍କ ପାଖରେ ପ୍ରଶ୍ନଟି ଆଜି ଉଠିଛି।
ଏ ସମସ୍ତ ପ୍ରମାଣ କରୁଛି ଯେ ଗୋଟିଏ ଉଦ୍ୟମ ଜାରି ରହିଛି ବିଚାର ବ୍ୟବସ୍ଥାକୁ ଅଧିକରୁ ଅଧିକ କେନ୍ଦ୍ରାଭିମୁଖୀ କରିବାକୁ। ସେ ସରକାର ହୁଅନ୍ତୁ ବା ସୁପ୍ରିମ କୋର୍ଟ ହୁଅନ୍ତୁ। ବିଶାଳ ରାଜ୍ୟର ଜନଗଣଙ୍କଠାରୁ ବିଚାର ବା ନ୍ୟାୟିକ ବ୍ୟବସ୍ଥାକୁ ଦୂରେଇ ଦେବାର ପ୍ରୟାସ କେବେ ଗ୍ରହଣୀୟ ନୁହେଁ।
ମୋଟ ଉପରେ ବିଚାରପତି ଏବଂ ପ୍ରଶାସକ ଗୋଷ୍ଠୀ ‘ଜାତୀୟ ମହାସ୍ରୋତ’ରେ ଲୀନ ହୋଇ କେନ୍ଦ୍ର ପ୍ରତି ଅନୁଗତ ରହିଲେ ରାଜ୍ୟ ଓ ସାଧାରଣ ଲୋକଙ୍କ ସ୍ୱାର୍ଥରକ୍ଷା କେତେଦୂର ସମ୍ଭବ ତାହା ବିଚାର୍ଯ୍ୟ। ଗୋଟିଏ ମୂଳ ବେତନଭୋଗୀ ତଳସ୍ତରର କର୍ମଚାରୀ ବିଭିନ୍ନ ସ୍ତର ଦେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନ୍ୟାୟ ପାଇଁ ଲଢ଼ିବା ସମ୍ଭବ କି? ତା’ ବିରୁଦ୍ଧରେ କିଏ ଲଢ଼ିଥାନ୍ତି, କରଦାତାଙ୍କ ଧନନେଇ ସରକାର ଲଢ଼ନ୍ତି। ବିଚରା ଗରିବ ପ୍ରତିପକ୍ଷ କେତେବାଟ ଯିବ? ଏବେ ସମୟ ଆସିଛି ପୂରା ବିଚାର ବ୍ୟବସ୍ଥାର ପୁନଃ ବିନ୍ୟାସ କରି ସଂଘୀୟ ବ୍ୟବସ୍ଥାକୁ ମଜଭୁତ କରିବା ନିମନ୍ତେ।
ସଂଘୀୟ ବ୍ୟବସ୍ଥା ପାଇଁ ଗୋଟିଏ ଫେନେରାଲ କୋର୍ଟର ବ୍ୟବସ୍ଥା ରହିଛି। “The Federal Courts enforcing federal laws begin with the district courts and lead up to the Supreme Court.” ବାସ୍ତବ କ୍ଷେତ୍ରରେ ଏହାର ସ୍ୱରୂପଟି ଭାରତୀୟ ସମ୍ବିଧାନରେ ଭିନ୍ନ।
ବିଶିଷ୍ଟ ସମ୍ବିଧାନବିତ୍ ଏମ. ସି. ସିତାଲବାଦଙ୍କ ମତରେ, “Our constitutional structure is not a federation in the traditional system. The Indian constitution has invested the higher judiciary with vast powers. It has expressly provided what is known as the power of judicial review. This power is not to be found in all federal politics.”
ଏକପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ଭାବେ ସୁପ୍ରିମ କୋର୍ଟର ସ୍ଥିତି ସାବ୍ୟସ୍ତ, ଅନ୍ୟପକ୍ଷରେ ହାଇକୋର୍ଟ ବିଚାରପତି ନିଯୁକ୍ତି ଓ ବଦଳି କ୍ଷେତ୍ରରେ ନିୟନ୍ତ୍ରଣକାରୀ ଭାବେ ସୁପ୍ରିମ କୋର୍ଟ ରହିଛି। ଠିକ୍ ଏହିପରି ହାଇକୋର୍ଟ ତା’ର ତଳ କୋର୍ଟମାନଙ୍କ ଉପରେ ଗୁରୁତ୍ୱ ଜାହିର କରିଥାଏ। ତେବେ ହାଇକୋର୍ଟର କୌଣସି ସ୍ୱତନ୍ତ୍ର ସତ୍ତା ଓ ଶେଷ ସିଦ୍ଧାନ୍ତ ନଥାଇ ଏହା ସୁପ୍ରିମକୋର୍ଟର ଅଧସ୍ତନ ରହିଥିବାରୁ ରାଜ୍ୟ ବା ରାଜ୍ୟବାସୀଙ୍କୁ ଶେଷ ନିଷ୍ପତ୍ତି ଶୁଣିବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବାକୁ ହୋଇଥାଏ। ବିଚାର କ୍ଷେତ୍ରରେ ଦେଶରେ ଆଦୌ ସଂଘୀୟ ବ୍ୟବସ୍ଥା ନାହିଁ। ଲୋକଙ୍କୁ ସହଜରେ ଅଳ୍ପ ସମୟରେ ନ୍ୟାୟ ମିଳିବାର ବ୍ୟବସ୍ଥା ନାହିଁ। ପୂର୍ଣ୍ଣ ସଂଘୀୟ ବ୍ୟବସ୍ଥାକୁ ଆଖି ଆଗରେ ରଖି ଦୁଇଟି କ୍ଷମତା ତାଲିକା ଓ ଗୋଟିଏ ତୃତୀୟ ତାଲିକା ଉଭୟ ତାଲିକାକୁ ବାଦଦେଇ ପ୍ରସ୍ତୁତ କରାଯିବା ଦରକାର। ଯାହାକୁ ନେଇ କେନ୍ଦ୍ରୀୟ ଫେଡେରାଲ କୋର୍ଟ ଓ ରାଜ୍ୟମାନଙ୍କର ସୁପ୍ରିମ କୋର୍ଟ ତର୍ଜମା କରିବାର କ୍ଷମତାପ୍ରାପ୍ତ ହେବେ। ରାଜ୍ୟର ସୁପ୍ରିମ କୋର୍ଟ ଜିଲ୍ଲାମାନଙ୍କରେ ଥିବା ହାଇକୋର୍ଟର ଅପିଲ୍କୋର୍ଟ ଓ ସିଦ୍ଧାନ୍ତ କୋର୍ଟ ଭାବେ ରହିବା ଦରକାର। ରାଜ୍ୟ ସୁପ୍ରିମ କୋର୍ଟରେ(ବର୍ତ୍ତମାନ ହାଇକୋର୍ଟ) କୌଣସି ବିଚାରପତି ବାହାର ରାଜ୍ୟର ବ୍ୟକ୍ତି ନିଯୁକ୍ତି ଆଦୌ ହେବା ଉଚିତ୍ ନୁହେଁ ଏବଂ ସେହି ରାଜ୍ୟର ଭାଷାରେ ସମସ୍ତ ନ୍ୟାୟିକ କାର୍ଯ୍ୟ ହେବା ଦରକାର। ଆମ ରାଜ୍ୟରେ ହାଇକୋର୍ଟରେ ସ୍ୱାଧୀନତା ପରଠାରୁ ଏକ ସମୟରେ ରହି ଆସିଥିବା ବିଚାରପତି ଜଷ୍ଟିସ୍ ଖଲିଲ୍ ଅହମ୍ମଦ, ଜଷ୍ଟିସ୍ ନରସିଂହମ୍, ଜଷ୍ଟିସ୍ ବର୍ମାଙ୍କ ପ୍ରତି ଶ୍ରଦ୍ଧା ସମ୍ମାନ ପ୍ରଦର୍ଶନ କଲାବେଳେ ପ୍ରଶ୍ନ ଉଠେ ଯେ, ଆମ ରାଜ୍ୟର ଜଷ୍ଟିସ୍ ବି.କେ ରାୟ, ଜଷ୍ଟିସ୍ ଗତିକୃଷ୍ଣ ମିଶ୍ର, ଜଷ୍ଟିସ୍, ଏସ୍.କେ. ରାୟ, ଜଷ୍ଟିସ୍ ରଙ୍ଗନାଥ ମିଶ୍ର କ’ଣ କୌଣସି ଦୃଷ୍ଟିରୁ ନ୍ୟୁନ ଥିଲେ? ବରଂ ଅନେକ ବିଚାରରେ ରାଜ୍ୟର ପାରିପାର୍ଶ୍ୱକ ବ୍ୟବସ୍ଥା ସହ ବେଶ୍ ପରିଚିତ ଥିବା ବିଚାରପତିମାନଙ୍କର ବିଚାର ସ୍ୱଚ୍ଛ ଓ ପ୍ରାସଂଗିକ ହେବା ସ୍ୱଭାବିକ।
ରାମ ଜନ୍ମଭୂମି ସଂପର୍କୀୟ ବିବାଦ ହେଉ ଅବା ସମ୍ବିଧାନକୃତ ଧାରା ୩୭୦ ଉଚ୍ଛେଦର ବୈଧତାକୁ ନେଇ ରାୟ ହେଉ, ସେସବୁ ଦେଖିଲେ ଜଣାଯାଏ ଏବେକାର ନ୍ୟାୟ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ବିଜ୍ଞାପନ କାର୍ଯ୍ୟକୁ ରୂପାୟିତ କରିବାରେ ଅବା ସାବ୍ୟସ୍ତ କରିବାରେ ବ୍ୟଗ୍ର ଅଛି। ଗତ ୧୧ ଡିସେମ୍ବର ୨୦୨୩ରେ ଉଚ୍ଚତମ ନ୍ୟାୟାଳୟ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ବୈଧ ଘୋଷଣା କଲେ। ସେଥିରେ କୌଣସିବି ଶବ୍ଦ ଏହାର ଐତିହାସିକ ପଟ୍ଟଭୂମି ଉପରେ ଉଲ୍ଲେଖ ନଥିଲା। ଅର୍ଥାତ୍ ୧୯୫୬ ମସିହାରେ ଜବାହାରଲାଲ ନେହେରୁଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ସୃଷ୍ଟି ହୋଇଥିବା ବ୍ୟବସ୍ଥା The State Jammu & Kashmir is and shall be an integral part of India.. ଏହା ସ୍ପଷ୍ଟ କରିଥିଲା ଯେ ଜାମ୍ମୁ କାଶ୍ମୀର ବହୁପୂର୍ବରୁ ଭାରତର ଏକ ଅଂଶବିଶେଷ ହୋଇ ରହି ଆସିଛି ଓ ଏଥିପାଇଁ ସମସ୍ତ ଶ୍ରେୟ ଜବାହାରଲାଲ ନେହରୁଙ୍କୁ ହିଁ ଯିବ। ଠିକ୍ ସେହିପରି ୧୯୬୪ ମସିହା ଡିସେମ୍ବର ୪ ତାରିଖରେ ତତ୍କାଳୀନ ଗୃହମନ୍ତ୍ରୀ ଗୁଲଜାରିଲାଲ ନନ୍ଦା କହିଥିଲେ ଯେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଭିତରକୁ ଭାରତର ସମ୍ବିଧାନକୁ ନେବାର ଏକମାତ୍ର ବାଟ କୁହାଯାଉଥିବା ଧାରା ୩୭୦କୁ ରଖ ବା ନରଖ, ଏହା ବିଷୟବସ୍ତୁ ଶୂନ ହୋଇଗଲାଣି। ଅର୍ଥାତ୍ ଧାରା ୩୭୦ ଏକ ଫନ୍ଦା ବ୍ୟବସ୍ଥାରେ ପରିଣତ ହୋଇଥିବା କଥା ନନ୍ଦା କହିଥିଲା।
ଆବେଦନକାରୀଙ୍କ ମଧ୍ୟରୁ ଅନେକ ହୁଏତ ଆଶା କରିଥିଲେ ଯେ ମାନ୍ୟବର ସୁପ୍ରିମ କୋର୍ଟ ରାୟ ବୈଧତା ସଂପର୍କରେ ଦେବାବେଳେ ନିଶ୍ଚୟ ଏଗୁଡ଼ିକ ଉଲ୍ଲେଖ କରିବେ। ଯାହାକି ସାରା ବିଶ୍ୱବାସୀଙ୍କୁ ଜଣାଇ ଦେବ ଯେ ୩୭୦କୁ ନେଇ ଉଠୁଥିବା ତୁମ୍ବି ତୋଫାନ ମୁଲ୍ୟହୀନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରମୋଦିତ। ତା’ ହେଲାନାହିଁ। ବରଂ ଏହି ରାୟକୁ ନେଇ ସରକାର ବା ଶାସନ ବ୍ୟବସ୍ଥା ନିଜକୁ ଅଧିକରୁ ଅଧିକ ବିଜ୍ଞପିତ କରିବାରେ ଲାଗିଲେ। ଗୋଟିଏ ପୂର୍ଣ୍ଣ ରାଜ୍ୟ ଜାମ୍ମୁ-କାଶ୍ମୀରକୁ ଭାଙ୍ଗିଦେଇ କେନ୍ଦ୍ରଶାସିତ ଅଞ୍ଚଳ କରିବା ଯେ ସଂପୂର୍ଣ୍ଣ ଭୁଲ ଏହା ମଧ୍ୟ ମାନ୍ୟବର ରାୟରେ ପ୍ରକାଶ ପାଇଲା ନାହିଁ। ବରଂ ରାୟଟି ସେହି ରାଜ୍ୟଟିକୁ ‘ଦୁର୍ବଳ’ କରିଦେବାର ଦେଖାଗଲା। କିଏ ସୁରକ୍ଷା ଦେବ ସଂବିଧାନକୁ, ରାଜ୍ୟକୁ, ନାଗରିକଙ୍କୁ? ମାନ୍ୟବର ସୁପ୍ରିମ କୋର୍ଟ ଶାସନ ତଥା ଶାସକ ବର୍ଗର ଇଚ୍ଛା ଆଗରେ ଅସହାୟ ବୋଧ କରୁଥିବା ସ୍ପଷ୍ଟ ବାରି ହୋଇଯାଉଛି।
ବିଚାରପତି ନିଯୁକ୍ତିରେ କୌଣସି ଚାପ ବା ହସ୍ତକ୍ଷେପ ରହିବା ଉଚିତ ନୁହେଁ। ଏହା ସଂପୂର୍ଣ୍ଣଭାବେ ସ୍ୱାଧୀନ ଓ ସଚ୍ଚୋଟତାର ଦକ୍ଷ ଓ ଜ୍ଞାନ ସଂପନ୍ନ ବିଚାରପତି ନିଯୁକ୍ତିକାରୀ ସଂସ୍ଥା ଦ୍ୱାରା ହେବା ଦରକାର। ମୋଟାମୋଟି ଭାବେ ନ୍ୟାୟ-ବିଚାରକୁ ଆଇନ ପାଖରେ ଉତ୍ତରଦାୟୀ ଓ ଲୋକାଭିମୁଖି କରାଯିବା ଦରକାର ଓ ୟୁନିଟାରୀ ଫର୍ମ ଅଫ୍ ଜୁଡିସିଆରୀ ପରିବର୍ତ୍ତେ ଫେଡ଼େରାଲ କୋର୍ଟ ପ୍ରତିଷ୍ଠା ଦିଗରେ ଯତ୍ନବାନ ଦରକାର।
ଫୋ- ୯୪୩୮୩୬୦୮୪୯
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।