ନାଗରିକ ହେବେ କି ଇସ୍କନ ଭକ୍ତ?

ଦେବେନ୍ଦ୍ର ପୃଷ୍ଟି

ଭାରତୀୟ ସଭ୍ୟତାର ମୂଳମନ୍ତ୍ର ହେଉଛି ‘ସର୍ବଜନ ହିତାୟ’, ‘ବସୁଧୈବ କୁଟୁମ୍ବକମ୍‌’ ଓ ‘ସର୍ବେ ଭବନ୍ତୁ ସୁଖିନୋ’। ସନାତନ ସଂସ୍କୃତି ଯାହା ଏବେ ସଂକୀର୍ଣ୍ଣ ଭାବେ ହିନ୍ଦୁ ଧର୍ମ ନାମରେ ପ୍ରସିଦ୍ଧି ଅର୍ଜନ କରିଛି ତାହା କେବେ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ, ସଂପ୍ରଦାୟ, ଜାତି ଓ ବର୍ଗ ମଧ୍ୟରେ ବିଭେଦକୁ ସ୍ୱୀକାର କରେ ନାହିଁ। ବେଦ ଓ ଉପନିଷଦରେ ଯେଉଁସବୁ ପ୍ରାର୍ଥନା କରାଯାଇଛି ସେଥିରେ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ନିରାମୟ ଜୀବନ କାମନା କରାଯାଇଛି। ସମସ୍ତଙ୍କ ପାଇଁ ସମୃଦ୍ଧି, ନ୍ୟାୟ ଓ ସମାନତାର ମନ୍ତ୍ର ଉଚ୍ଚାରଣ କରିଯାଇଛନ୍ତି ବୈଦିକ ଋଷି।

ଏହି ଦୃଷ୍ଟିକୋଣରୁ ବିଚାର କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ସରକାର ଯେଉଁ ନାଗରିକତା ସଂଶୋଧନ ବିଲ୍‌କୁ ଆଇନରେ ପରିଣତ କରିବାର ପ୍ରୟାସ ପ୍ରକଟ କରିଛି ତାହା ସଂକୀର୍ଣ୍ଣ ଓ ସାଂପ୍ରଦାୟିକ ବୋଧ ହୁଏ। କାରଣ ଏହି ବିଲ୍‌ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ୨୦୧୪ ଡିସେମ୍ବର ୩୧ ତାରିଖ ସୁଦ୍ଧା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ଯେଉଁ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖୀରସ୍ତାନ ଲୋକମାନେ ଭାରତକୁ ପଳାଇ ଆସିଥିବେ ସେମାନଙ୍କୁ ଭାରତର ନାଗରିକ ଭାବେ ସ୍ୱୀକୃତି ମିଳିବ। ବିଲ୍‌ରେ ମୁସଲମାନ ଶବ୍ଦ ନଥିବାରୁ ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ଯେଉଁ ମୁସଲିମ ଲୋକମାନେ ଭାରତକୁ ପଳାଇ ଆସିଥିବେ ସେମାନଙ୍କୁ ଏହି ସୁବିଧା ମିଳିବ ନାହିଁ।

ତେବେ, ଏନଡିଏ ସରକାରଙ୍କ ଯୁକ୍ତି ହେଉଛି, ମୂଳତଃ ଧର୍ମ ଭିତ୍ତିରେ ହିଁ ଭାରତ ବିଭାଜିତ ହୋଇଥିଲେ। ମୁସଲମାନ ଧର୍ମର ଲୋକମାନେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପାକିସ୍ତାନ ରାଷ୍ଟ୍ର ପାଇଥିଲେ। ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢ଼ିବାରୁ ଅଣମୁସଲମାନ ଲୋକମାନେ ଭାରତକୁ ପଳାଇ ଆସିଛନ୍ତି। ପରେ ପାକିସ୍ତାନରୁ ବିଚ୍ଛିନ୍ନ ହୋଇଥିବା ବାଂଲାଦେଶରେ ମଧ୍ୟ ସାଂପ୍ରଦାୟିକ ଅତ୍ୟାଚାର ବଢ଼ିବାରୁ ସେଠାରୁ ବି ବହୁ ଅଣମୁସଲମାନ ଲୋକ ଭାରତ ପଳାଇ ଆସିଛନ୍ତି। ଏହି ବିଲ୍‌ ଜରିଆରେ ଏସବୁ ଲୋକମାନଙ୍କୁ କୋଳେଇ ନେବାକୁ ଭାରତ ସରକାର ଏହି ଆଇନର ଆବଶ୍ୟକତା ଅନୁଭବ କରିଛନ୍ତି।

ମାତ୍ର, ବିପକ୍ଷ ଦଳଗୁଡ଼ିକର ଯୁକ୍ତି ହେଲା ଯେ ଏହି ବିଲ୍‌ ଭାରତର ଧର୍ମନିରପେକ୍ଷତା ଓ ସମାନତା ନୀତିର ବିରୁଦ୍ଧାଚରଣ କରୁଛି। ସମ୍ବିଧାନର ୧୪, ୧୫ ଓ ୧୬ ଧାରାରେ ପ୍ରଦତ୍ତ ସମାନତା ଅଧିକାର ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। କିନ୍ତୁ ଏହି ବିଲ୍‌ ଜରିଆରେ ଭାରତ ସରକାର ମୁସଲମାନଙ୍କୁ ଏହି ଅଧିକାରରୁ ବଂଚିତ କରୁଛନ୍ତି। ତା’ଛଡ଼ା ଏହି ବିଲ୍‌ ଜରିଆରେ ସରକାର ମୁସଲମାନ ଓ ଅଣମୁସଲମାନଙ୍କ ମଧ୍ୟରେ ଏକ ମାନସିକ ବିଭେଦ ସୃଷ୍ଟି କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି। ଏହା ଭାରତୀୟ ଜନତା ପାର୍ଟିର ଧାର୍ମିକ ରାଜନୀତିର ପ୍ରତିଫଳନ ବୋଲି ବିପକ୍ଷ ସାଂସଦମାନେ ମତ ଦେଇଛନ୍ତି।

ତେବେ କଥା ହେଉଛି, ଭାରତୀୟ ସମ୍ବିଧାନରେ ପ୍ରଦାନ କରାଯାଇଥିବା ସମାନତା ଅଧିକାର ଭାରତର ନାଗରିକମାନଙ୍କ ପାଇଁ ପ୍ରଯୁଜ୍ୟ। ଯେଉଁମାନେ ଭାରତର ନାଗରିକ ନୁହନ୍ତି ସେମାନଙ୍କ ପାଇଁ ଏଇ ଅଧିକାର ନାହିଁ। ଭାରତୀୟ ସମ୍ବିଧାନ ଅନୁସାରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ନାଗରିକମାନେ ଶାସିତ ହେଉନାହାନ୍ତି। ତେଣୁ ଯେଉଁମାନେ ଭାରତର ନାଗରିକ ହୋଇନାହାନ୍ତି ସେମାନଙ୍କ ପ୍ରତି ଭାରତର ସମ୍ବିଧାନ ପ୍ରଯୁଜ୍ୟ ବୋଲି କହିହେବ ନାହିଁ। ରାଜନୀତିକ ଦୃଷ୍ଟିରୁ ବିଚାର କଲେ ଭାରତୀୟ ଜନତା ପାର୍ଟି ଏହି ବିଲ୍‌ ଜରିଆରେ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛି ବୋଲି କହିହେବ। କାରଣ ଉଭୟ ୨୦୧୪ ଓ ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏପରି ଏକ ଆଇନ ଆଣିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଉଭୟ ନିର୍ବାଚନରେ ଭାରତର ଲୋକମାନେ ଏହି ଦଳକୁ ସରକାର ଗଠନ କରିବାର ସୁଯୋଗ ଦେଇଛନ୍ତି। ତେଣୁ ଏବେ ଏହି ଦଳ ଏପରି ଏକ ଆଇନ ପ୍ରଣୟନ କରିବାକୁ ନିଜର କର୍ତ୍ତବ୍ୟ ଭାବେ ଗ୍ରହଣ କରିଛି।

ଶାସକ ଓ ବିପକ୍ଷ ଦଳ ମଧ୍ୟରେ ଏହି ବିଲ୍‌କୁ ନେଇ ପ୍ରକାଶ ପାଇଥିବା ଏହି ମତଭେଦ ସଂଖ୍ୟାମତ ଆଗରେ ମଳିନ ପଡ଼ିଯାଇପାରେ। ଶାସକ ଏନଡିଏ ନିକଟରେ ସଂଖ୍ୟାମତ ରହିଥିବାରୁ ଏହି ବିଲ୍‌ ଲୋକସଭାରେ ଗୃହୀତ ହେବାରେ କୌଣସି ଅସୁବିଧା ନାହିଁ। ସେହିପରି ଓଡ଼ିଶାର ଆଞ୍ଚଳିକ ବିଜୁ ଜନତା ଦଳ ପରି କେତେକ ଦଳକୁ ନିଜ ସପକ୍ଷରେ ନେବାରେ ଭାରତୀୟ ଜନତା ପାର୍ଟି ସମର୍ଥ ହୋଇଥିବାରୁ ରାଜ୍ୟସଭାରେ ମଧ୍ୟ ଏହି ବିଲ୍‌ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି।

ମାତ୍ର ଏହି ବିଲ୍‌ ଆଇନରେ ପରିଣତ ହେଲେ ଭାରତର ଜନତତ୍ତ୍ୱରେ କୌଣସି ପରିବର୍ତ୍ତନ ହେବ କି? ଏଭଳି ଏକ ଆଶଙ୍କା ମଧ୍ୟ ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଛି। ଉପର ଠାଉରିଆ ଭାବେ ଦେଖିଲେ ଏଭଳି ଆଶଙ୍କା ରହିଛି। ମାତ୍ର, ବାସ୍ତବ ପରିସ୍ଥିତିର ଅନୁଧ୍ୟାନ କଲେ ଏପରି ହେବାର ସମ୍ଭାବନା ନାହିଁ। କାରଣ ୨୦୧୪ ଡିସେମ୍ବର ୩୧ ତାରିଖ ସୁଦ୍ଧା ଏହି ତିନି ଦେଶରୁ କେତେ ହିନ୍ଦୁ, ଖୀରସ୍ତାନ, ଶିଖ, ଜୈନ, ବୌଦ୍ଧ ଓ ପାର୍ସୀ ପଳାଇ ଆସିଥିବେ? ସେମାନଙ୍କ ସଂଖ୍ୟା କ’ଣ ଭାରତରେ ରହିଥିବା ହିନ୍ଦୁ ଓ ମୁସଲମାନଙ୍କ ସଂଖ୍ୟାଠାରୁ ଅଧିକ ହେବ? କହି ହେବ ଆଦୌ ନୁହେଁ। ଭାରତରେ ଏବେ ହିନ୍ଦୁଙ୍କ ସଂଖ୍ୟା ୧୦୦ କୋଟି, ମୁସଲମାନଙ୍କ ସଂଖ୍ୟା ପାଖାପାଖି ୨୦ କୋଟି। ଜୈନ, ବୌଦ୍ଧ ଓ ଶିଖ ଧର୍ମର ଲୋକମାନଙ୍କୁ ହିନ୍ଦୁ ଧର୍ମର ଅଂଶବିଶେଷ ଭାବେ ଗ୍ରହଣ କରାଯାଉଛି। ଭାରତକୁ ଛାଡ଼ିଦେଲେ ବିଶ୍ୱର ଆଉ କୌଣସି ଦେଶରେ ବୋଧହୁଏ ପାର୍ସୀ ଆଉ ନାହାନ୍ତି। ଭାରତେ ମଧ୍ୟ ପାର୍ସୀଙ୍କ ସଂଖ୍ୟା ବହୁତ ନଗଣ୍ୟ। ଭାରତକୁ ଏହି ତିନି ଦେଶରୁ ପଳାଇ ଆସିଥିବା ଖୀରସ୍ତାନଙ୍କ ସଂଖ୍ୟା ମଧ୍ୟ ଏତେ ନୁହେଁ ଯାହା ଭାରତର ମୁସଲମାନ ଓ ହିନ୍ଦୁଙ୍କ ସଂଖ୍ୟାକୁ ଟପିଯିବ।

ବଡ଼ କଥା ହେଉଛି, ୧୯୪୭ ଅଗଷ୍ଟ ୧୪-୧୫ ରାତିରେ ଭାରତର ବିଭାଜନ ପରେ ଏବଂ ୧୯୫୫ ମସିହାରେ ମୂଳ ନାଗରିକତା ଆଇନ ପ୍ରଣୀତ ହେବା ମଧ୍ୟରେ ଭାରତକୁ ଯେଉଁ ଲୋକମାନେ ଆଫଗାନିସ୍ତାନ ଓ ପାକିସ୍ତାନରୁ ପଳାଇ ଆସିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଇତିମଧ୍ୟରେ ଭାରତର ନାଗରିକ ଭାବେ ପ୍ରତିଷ୍ଠା ଅର୍ଜନ କରିସାରିଲେଣି। ୧୯୭୧ ମସିହାରେ ବାଂଲାଦେଶ ଯୁଦ୍ଧ ସମୟରେ ଭାରତକୁ ପଳାଇ ଆସିଥିବା ଅନେକ ଲୋକଙ୍କୁ ମଧ୍ୟ ଭାରତ ସରକାର ଭାରତର ନାଗରିକ ଭାବେ ଗ୍ରହଣ କରିସାରିଛନ୍ତି। ଏହା ପରେ ଯେଉଁ ଅଣମୁସଲମାନ ଲୋକମାନେ ଭାରତକୁ ଆସିଥିବେ ସେମାନଙ୍କୁ ଏହି ଆଇନ ଜରିଆରେ ନାଗରିକତା ପ୍ରଦାନ କରାଯିବ। ମଜାର କଥା ହେଉଛି ଏହିପରି ଅନେକ ଲୋକଙ୍କୁ ବେଆଇନ ଅନୁପ୍ରବେଶକାରୀ ଆଖ୍ୟା ଦେଇ ଭାରତୀୟ ଜନତା ପାର୍ଟି ଦେଶରୁ ବହିଷ୍କାର କରିବା ପାଇଁ ଦାବି କରି ଆସୁଥିଲା। ତେବେ ଏହି ଦଳର ଟାର୍ଗେଟରେ ଥିଲେ ଏବଂ ଏବେ ବି ଅଛନ୍ତି ସଂଖ୍ୟାଲଘୁ ମୁସଲମାନ। ହିନ୍ଦୁ ଓ ଅନ୍ୟ ଧର୍ମର ଅନୁପ୍ରବେଶକାରୀଙ୍କ ବିରୋଧରେ ଏହି ଦଳର ନେତାମାନେ ଏତେ କଠୋର ନୁହନ୍ତି। ଏହା ହିଁ ଅସମାନତା ଓ ସାଂପ୍ରଦାୟିକତା।

ତେବେ, ଏସବୁ ବିଚାର ଊର୍ଦ୍ଧ୍ୱରେ ଗୋଟିଏ କଥା ଅଧିକ ଗୁରୁତ୍ୱପୂର୍ଣ୍ଣ ଯାହା ହେଉଛି ଦେଶର ସୁରକ୍ଷା ଓ ଜନତତ୍ତ୍ୱ। କୌଣସି ଦେଶ ଚିର କାଳ ପାଇଁ ଏଭଳି ଅନୁପ୍ରବେଶକାରୀମାନଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ଆଇନ ଓ ଦେଶର ସୀମାକୁ ମୁକୁଳା ରଖିବେ ନାହିଁ। ଭାରତ ମଧ୍ୟ ସେପରି କୋହଳ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ନୁହେଁ। ଭାରତର ମୁକୁଳା ସୀମା ଓ କୋହଳ ବ୍ୟବସ୍ଥାର ସୁଯୋଗ ନେଇ ଯିଏ ଯେଉଁ ଦେଶରୁ ପଳାଇ ଆସିବ ତାଙ୍କୁ ଭାରତର ନାଗରିକ ଭାବେ ସ୍ୱୀକୃତି ଦିଆଗଲେ ଭାରତର ଜନସଂଖ୍ୟା ଆହୁରି ଦ୍ରୁତଗତିରେ ବୃଦ୍ଧି ପାଇବ। ଏଥିରେ ଗୋଟେ ପୂର୍ଣ୍ଣଚ୍ଛେଦ ପଡ଼ିବା ଦରକାର। କିନ୍ତୁ ଯେଉଁମାନେ ଏହି ସମୟ ମଧ୍ୟରେ ଭାରତକୁ ନିଜର ଦେଶ ଭାବେ ଗ୍ରହଣ କରିସାରିଛନ୍ତି, ଭାରତରେ ଜମିବାଡ଼ି କିଣି ଘର ବସେଇ ସାରିଛନ୍ତି, ଭାରତର ଭୋଟର ଭାବେ ଏକାଧିକ ନିର୍ବାଚନରେ ଭୋଟ ଦେଇସାରିଛନ୍ତି, ଭାରତୀୟ ବଜାରରେ କିଣାବିକା କରି ଭାରତ ସରକାରଙ୍କୁ କର ଓ ଖଜଣା ଦେଇସାରିଛନ୍ତି, ଭାରତର ଧର୍ମ, ସଂସ୍କୃତି ଓ ସମାଜର ଅଂଶବିଶେଷ ହୋଇସାରିଛନ୍ତି ସେମାନଙ୍କକୁ ବହିଷ୍କରଣ କରାଯିବା ଅମାନବିକ ଓ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ହେବ ନିଶ୍ଚୟ, ଯଦି ସେଭଳି କିଛି ଲୋକ ରହିଥାନ୍ତି।

ଏଠି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ଉଠିବା ଉଚିତ। ସମଗ୍ର ବିଶ୍ୱରେ କୃଷ୍ଣ ଚେତନାର ପ୍ରସାରଣ କରିଥିବା ଇସ୍କନ୍‌ ଭକ୍ତମାନେ ନିଜକୁ ହିନ୍ଦୁ ବୋଲି ଦାବି କରି ଆସୁଛନ୍ତି। ନୂଆ ଆଇନରେ ସେମାନଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ ନା ନାହିଁ? ସେମାନଙ୍କ ମଧ୍ୟରୁ ଅଧିକାଂଶ ଇତିମଧ୍ୟରେ ହିନ୍ଦୁ ନାମ ଗ୍ରହଣ କରିସାରିଛନ୍ତି। ଚନ୍ଦନ ତିଳକ ଲଗେଇ କୀର୍ତ୍ତନ କରୁଛନ୍ତି। ନିରାମିଷ ଭୋଜନ କରୁଛନ୍ତି। ସବୁବେଳେ ହରେକୃଷ୍ଣ ହରେକୃଷ୍ଣ ଜପ କରୁଛନ୍ତି। ଭାରତର ବିଭିନ୍ନ ଅଂଚଳରେ କୃଷ୍ଣ ଓ ଜଗନ୍ନାଥ ମନ୍ଦିର ତୋଳେଇ ବର୍ଷ ସାରା ଧାର୍ମିକ ପର୍ବପର୍ବାଣୀ ପାଳନ କରୁଛନ୍ତି।ସେମାନେ ଅବଶ୍ୟ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସି ନାହାନ୍ତି, ଆସିଛନ୍ତି ଆମେରିକା, ଇଂଲଣ୍ଡ, ରୁଷ, ଇଟାଲୀ, ଫ୍ରାନ୍ସ ଆଦି ଅନେକ ଦେଶରୁ। ସେମାନେ ଯଦି ଭାରତର ନାଗରିକତା ପାଇଁ ଦରଖାସ୍ତ କରନ୍ତି ଏହି ଆଇନରେ ପୁଣି ସଂଶୋଧନ କରାଯିବ କି? ସେମାନଙ୍କ ପ୍ରତି କୋହଳ ବିଚାର କରାଯିବ କି?

ଭାରତୀୟ ଜନତା ପାର୍ଟିର ଆଦର୍ଶଗୁରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦାବି ଅନୁଯାୟୀ ହିନ୍ଦୁସ୍ଥାନରେ ବସବାସ କରୁଥିବା ସମସ୍ତ ଲୋକ ହିନ୍ଦୁ। ଏକଥା ସରସଂଘଚାଳକ ମୋହନ ଭଗବତଙ୍କଠାରୁ ଆରମ୍ଭ କରି ସଂଘର ଅନ୍ୟ ବହୁ କର୍ମକର୍ତ୍ତା ବାରମ୍ବାର କହିସାରିଛନ୍ତି। ସେମାନଙ୍କ ଯୁକ୍ତିକୁ ଭିତ୍ତି କଲେ ଭାରତରେ ରହୁଥିବା ସବୁ ଲୋକ ଭାରତୀୟ। ସମସ୍ତଙ୍କୁ ଭାରତର ନାଗରିକ ଭାବେ ସ୍ୱୀକୃତି ମିଳୁ। ଏହା ପରେ କିନ୍ତୁ ଆଉ କାହା ପାଇଁ ଭାରତୀୟ ନାଗରିକତା ଉନ୍ମୁକ୍ତ ନରହୁ। ଏପରିକି ଯେଉଁ ହିନ୍ଦୁମାନେ ବ୍ୟକ୍ତିଗତ ସୁଖ, ସ୍ୱାଚ୍ଛନ୍ଦ୍ୟ ଓ ସଂପତ୍ତି ଅର୍ଜନ ପାଇଁ ଦେଶ ଛାଡ଼ି ବିଦେଶ ପଳାଇଛନ୍ତି ସେମାନେ ପୁଣି ଥରେ ଆତ୍ମସ୍ୱାର୍ଥ ଦୃଷ୍ଟିରୁ ଯଦି ଭାରତର ନାଗରିତା ଗ୍ରହଣ କରିବାକୁ ଚାହାନ୍ତି ସେମାନଙ୍କୁ ମଧ୍ୟ ସ୍ୱୀକୃତି ଦିଆଯିବା ଉଚିତ ନୁହେଁ। କାରଣ ସେମାନେ ଦେଶପ୍ରେମୀ ନୁହନ୍ତି, ଆତ୍ମପ୍ରେମୀ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।