Advertisment

ଭୂମିକମ୍ପ ପରେ ତାସ୍‌ ପରି ଭୁଶୁଡ଼ିଗଲା ଘର, ମୃତ୍ୟୁ ସଂଖ୍ୟା ୩୬୦କୁ ବୃଦ୍ଧି

କ୍ଷୟକ୍ଷତି ଘଟିଥିବା ସ୍ଥାନ ଭୂକମ୍ପ କେନ୍ଦ୍ରସ୍ଥଳୀଠାରୁ ମାତ୍ର ୨୩ କିଲୋମିଟର ଦୂରରେ ରହିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Powerful Earthquake

Powerful Earthquake

ଭୟଙ୍କର ଭୂମିକମ୍ପ ପରେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା। ତୁର୍କୀ ଓ ସିରିୟାରେ ପ୍ରଚଣ୍ଡ ଭୂମିକମ୍ପ ହୋଇଛି। ଏଠାରେ ତାସ୍‌ ପରି ଭୁଶୁଡି ଯାଇଛି ବଡ଼ ବଡ଼ କୋଠା। ଆଜି ଭୋରୁ ଅନୁଭୂତ ହୋଇଥିବା ଏହି ଭୂମିକମ୍ପ ଯୋଗୁ ଅନେକ କ୍ଷୟକ୍ଷତି ଘଟିଛି। ଏଥିସହ ମୃତ୍ୟୁ ସଂଖ୍ୟା ୩୬୦କୁ ବୃଦ୍ଧି ପାଇଛି। ଏଠାରେ ଅତିକମ୍‌ରେ ୧୫୦ରୁ ଅଧିକ ବିଲ୍ଡିଂ ଭୁଶୁଡ଼ି ପଡିଛି। ଏବେବି ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି। ବିଶେଷ କରି ସିରିୟାରେ ୨୩୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

Advertisment

ସ୍ଥାନୀୟ ସମୟ ଭୋର ୪ ଟା ୧୭ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି। ପ୍ରଥମ ଝଟକାର ୧୫ ମିନିଟ୍ ପରେ ସେଠାରେ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୬.୭ ରହିଥିଲା।

ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁ ତୁର୍କୀର ଗାଜିଆନଟେପ ସର୍ବାଧିକ ପ୍ରଭାବିତ ହୋଇଛି। ଏହା ତୁର୍କୀର ଅନ୍ୟତମ ପ୍ରମୁଖ ଶିଳ୍ପାଞ୍ଚଳ। ଏହା ସିରିୟା ସୀମାକୁ ଲାଗି ରହିଛି। ଆଜି ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲେବାନନ, ସିରିୟା ଓ ସାଇପ୍ରସରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଲେବାନନରେ ୪୦ ସେକେଣ୍ଡ ଯାଏଁ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିବା କୁହାଯାଉଛି। ତୁର୍କୀ ସରକାର ଏହି ଭୂକମ୍ପକୁ ଲେବଲ ୪ ଭାବେ ଦର୍ଶାଇଛନ୍ତି।

Advertisment

ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସ ଓ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। କ୍ଷୟକ୍ଷତି ଘଟିଥିବା ସ୍ଥାନ ଭୂକମ୍ପ କେନ୍ଦ୍ରସ୍ଥଳୀଠାରୁ ମାତ୍ର ୨୩ କିଲୋମିଟର ଦୂରରେ ରହିଛି। ତୋବ ଭୂମିକମ୍ପର ବିଭିନ୍ନ ଭୟାନକ ଚିତ୍ର ସାମ୍ନାକୁ ଆସିଛି। ଭୂମିକମ୍ପ ଯାଗୁ ଲୋକେ ଭୟରେ ଏଣେ ତେଣ ଦୌଡୁଥିବା ବେଳେ କିଛି ଲୋକ ଉଚ୍ଚ ବିଲ୍ଡିଂରୁ ତଳକୁ ଖସି ପଡୁଥିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ୍‌ ହୋଇଛି। ଚାରି ଚାରିଥର ଭୂକମ୍ପ ଝଟକା ଯୋଗୁ ଲୋକେ ଭୟଭୀତ ହୋଇ ଜୀବନ ବିକଳରେ ଦୌଡୁଥିବା ଦେଖିବାକୁ ମିଳିଛି। ଭୂମିକମ୍ପ ଯୋଗୁ କ୍ଷୟକ୍ଷତି ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।

ଏହାପୂର୍ବରୁ ତୁର୍କୀ ସୀମା ନିକଟରେ ଉତ୍ତର-ପଶ୍ଚିମ ଇରାନରେ ୫.୯ ତୀବ୍ରତାର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ଶତାଧିକ ଆହତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ତୁର୍କୀ ବିଶ୍ୱର ସବୁଠାରୁ ସକ୍ରିୟ ଭୂମିକମ୍ପ ସ୍ଥଳ ମଧ୍ୟରୁ ଗୋଟିଏ। ୧୯୯୯ରେ ମଧ୍ୟ ଏଠାରେ ୭.୪ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଏଥିରେ ମଧ୍ୟ ଅନେକ ଲୋକ ପ୍ରାଣ ହରାଇଥିଲେ। ହଜାର ହଜାର ଲୋକେ ଆହତ ହୋଇଥିଲେ। ସେହିପରି ଜାନୁଆରୀ ୨୦୨୦ରେ ଇଲାଜିଙ୍ଗରେ ୬.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏଥିରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲେ। ସେହିବର୍ଷ ଅକ୍ଟୋବରରେ ଏଜିୟନ ସମୁଦ୍ରରେ ୭.୦ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏଥିରେ ୧୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। 

Earthquake