Advertisment

୫ବର୍ଷ ପରେ ସରକାର ଚେତିଲେ, ରାଜ୍ୟରେ ନିଷିଦ୍ଧ ହେଲା ହର୍ବିସାଇଡ୍ ପାରାକ୍ୱେଟ୍

ସମ୍ବଲପୁର ଜିଲ୍ଲା ବୁର୍ଲା ସରକାରୀ ମେଡିକାଲ କଲେଜର ଡାକ୍ତରମାନେ ଏହି ହର୍ବିସାଇଡ୍ ପାରାକ୍ୱେଟକୁ ରାଜ୍ୟରେ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ୨୦୧୮ ମସିହାରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ପରାମର୍ଶ ଦେଇଥିଲେ ।

author-image
Ordigital Desk
Lokaseva Bhawan

Lokaseva Bhawan

ଶେଷରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ବିଷାକ୍ତ ହର୍ବିସାଇଡ୍ ପାରାକ୍ୱେଟ୍ ବିକ୍ରି, ମହଜୁଦ୍‌, ବିତରଣ, ଉତ୍ପାଦନ ଓ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି । ପ୍ରାଥମିକ ଭାବେ ଏହି କଟକଣା ମାତ୍ର ଦୁଇମାସ ପାଇଁ ବଳବତ୍ତର ରହିବ ଓ ପରେ ଗବେଷଣା ପ୍ରତିଷ୍ଠାନ ଓ ଅନ୍ୟ ଅଂଶୀଦାରଙ୍କଠୁ ବିଜ୍ଞାନସମ୍ମତ ମତାମତ ପାଇବା ପରେ ଏହି ରସାୟନ ପଦାର୍ଥ ଉପରେ ସ୍ଥାୟୀ ନିଷେଧାଦେଶ ପାଇଁ ଭାରତ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ଜଣାପଡ଼ିଛି । ଏହି ବିଷାକ୍ତ ରସାୟନ ପଦାର୍ଥ ଉପରେ କଟକଣା ଜାରି ପାଇଁ ରାଜ୍ୟର ଡାକ୍ତରମାନେ ଦୀର୍ଘ ୫ବର୍ଷ ଧରି ସରକାରଙ୍କୁ ପରାମର୍ଶ ଦେଇ ଆସୁଥିଲେ । ଏପରିକି ଏହା ଉପରେ କଟକଣା ନିମନ୍ତେ ସମ୍ବଲପୁର ଜିଲ୍ଲାର ଡାକ୍ତରମାନେ ୨୦୧୯ ସେପ୍ଟେମ୍ବର ମାସରେ ଦୁଇଦିନିଆ ଆମରଣ ଅନଶନ ମଧ୍ୟ କରିଥିଲେ ।

Advertisment

ଆଜି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବିଷାକ୍ତ ହର୍ବିସାଇଡ୍ ପାରାକ୍ୱେଟର ବିକ୍ରି,ଉତ୍ପାଦନ, ବିତରଣ ଓ ମହଜୁଦଠୁ ଆରମ୍ଭ କରି ବ୍ୟବହାରକୁ ସମଗ୍ର ରାଜ୍ୟରେ ନିଷିଦ୍ଧ କରାଯାଇଛି । କୀଟନାଶକ ଅଧିନିୟମ-୧୯୬୮ ଅନୁସାରେ ଏହି ନିଷୋଧାଦେଶ ପ୍ରାଥମିକ ଭାବେ ଦୁଇମାସ ପାଇଁ ବଳବତ୍ତର ରହିବ । ଗବେଷଣା ପ୍ରତିଷ୍ଠାନ ଓ ଅନ୍ୟ ଷ୍ଟେକହୋଲଡରଙ୍କଠୁ ବିଜ୍ଞାନସମ୍ମତ ମତାମତ ପାଇବା ପରେ ରାଜ୍ୟ ସରକାର ଏହା ଉପରେ ସ୍ଥାୟୀ ନିଷେଧାଦେଶ ଜାରି ପାଇଁ ଭାରତ ସରକାରଙ୍କୁ ପ୍ରସ୍ତାବ ଦେବେ । ‘ମୋ ସରକାର’ ଉପକ୍ରମ ଅଧୀନରେ ହିତାଧିକାରୀଙ୍କଠୁ ମିଳିଥିବା ମତାମତ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ବିଷାକ୍ତ ରସାୟନ ବ୍ୟବହାର କରି ଯେପରି କୌଣସି ମଣିଷଙ୍କ ଜୀବନ ନଯାଏ ସେଥିପାଇଁ ପାରାକ୍ୱେଟ୍ ନିଷିଦ୍ଧ କରିବା ବିଷୟରେ ଯାଂଚ ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ପରାମର୍ଶ ଦେଇଥିଲେ । ସାର୍ବଜନୀନ ନିରାପତ୍ତାକୁ ଦୃଷ୍ଟିରେ ରଖି ମଣିଷ ଓ ପ୍ରାଣ ଉପରେ ଏହାର ରସାୟନିକ କୁପ୍ରଭାବକୁ ରୋକିବା ପାଇଁ ପାରାକ୍ୱେଟକୁ ନିଷିଦ୍ଧ କରାଯାଇଛି ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଅଧିକୃତ ବିକ୍ରେତାଙ୍କ ଦ୍ୱାରା କୀଟନାଶକ ଓ କୃଷି ରସାୟନିକ ଦ୍ରବ୍ୟର ବିକ୍ରି ନିମନ୍ତେ ରାଜ୍ୟ ସରକାର ଏବେ କୃଷି ବିଭାଗର ଅଧିକୃତ ଅଧିକାରୀ, ସମ୍ପୃକ୍ତ ସରକାରୀ ବିଭାଗ, ଓୟୁଏଟିର ବୈଜ୍ଞାନିକମାନଙ୍କ ପ୍ରେସକ୍ରିପସନକୁ ବାଧ୍ୟତାମୂଳକ କରିଛନ୍ତି । ଏନେଇ ଖୁବଶୀଘ୍ର କୃଷି ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯିବ ।

Advertisment

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ବୁର୍ଲା ସରକାରୀ ମେଡିକାଲ କଲେଜର ଡାକ୍ତରମାନେ ଏହି ହର୍ବିସାଇଡ୍ ପାରାକ୍ୱେଟକୁ ରାଜ୍ୟରେ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ୨୦୧୮ ମସିହାରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ପରାମର୍ଶ ଦେଇଥିଲେ । ଏହାସହିତ ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ଦେଇଥିଲେ । କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ନଦେବାରୁ ୨୦୧୯ ସେପ୍ଟେମ୍ବର ୧୫ତାରିଖରେ ଦୁଇଦିନିଆ ଆମରଣ ଅନଶନରେ ବସିଥିଲେ । ସେତେବେଳେ ଏହି ଡାକ୍ତରମାନେ ପାରାକ୍ୱେଟ୍ ଯୋଗୁ ମାତ୍ର ଦୁଇବର୍ଷ ମଧ୍ୟରେ ପ୍ରାୟ ୧୭୪ଜଣଙ୍କ ଜୀବନ ଯାଇଥିବା ନେଇ ଅଭିଯୋଗ କରିଥିଲେ । ଏହି ବିଷାକ୍ତ ରସାୟନ ପ୍ରଭାବରେ ମଣିଷର କିଡନୀ, ଲିଭର ଓ ଫୁସଫୁସ୍ ସମସ୍ୟା ଦେଖା ଦେଇଥାଏ । ଏହି ରସାୟନର କୌଣସି ଆଣ୍ଟିଡୋଟ୍ ନଥିବାରୁ ପାରାକ୍ୱେଟ୍ ସଂସ୍ପର୍ଶରେ ଆସିଥିବା ରୋଗୀଙ୍କ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ ଓ ସେମାନଙ୍କ ଜୀବନ ଚାଲିଯାଇଥାଏ ବୋଲି ଡାକ୍ତରମାନେ କହିଥିଲେ । ସମ୍ବଲପୁର ସହରର ପ୍ରସିଦ୍ଧ ଡାକ୍ତର ଶଙ୍କର ରାମଚନ୍ଦାନୀ ଏହି ପାରାକ୍ୱେଟ ଉପରେ ନିଷେଧାଦେଶ ନିମନ୍ତେ ଚାଲିଥିବା ଅଭିଯାନର ନେତୃତ୍ୱ ନେଉଥିଲେ ।

Herbicide Paraquat