ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ରଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କୃଷି କ୍ଷେତ୍ରରେ ସଂସ୍କାର ପାଇଁ ଯେଉଁ ପ୍ୟାକେଜ ଘୋଷଣା କରିଛନ୍ତି ତାହା ଭବିଷ୍ୟତରେ ଭଲ ହୋଇପାରେ। ଏବେ ଚାଷୀଙ୍କ ପାଖରେ ଯେଉଁ ସମସ୍ୟା ରହିଛି ସେଥିପାଇଁ ଶୀଘ୍ର ରିଲିଫ୍ ପ୍ୟାକେଜ ଘୋଷଣା ହେବା ଦରକାର ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଯେଉଁ ପ୍ୟାକେଜ ଘୋଷଣା ହୋଇଛି ସେଥିରେ ଚାଷୀଙ୍କ ସମସ୍ୟା ବର୍ତ୍ତମାନ ଦୂର ହେବ ନାହିଁ ବୋଲି ଗବେଷକ କହିଛନ୍ତି।
କୃଷି ବିଶେଷଜ୍ଞ ଦେବନ୍ଦର ଶର୍ମା କହିଛନ୍ତି, ଶୁକ୍ରବାର ସରକାରଙ୍କ ଦ୍ୱାରା ଚାଷୀଙ୍କ ପାଇଁ ଯେଉଁ ପ୍ୟାକେଜ ଘୋଷଣା ହୋଇଛି ତାହା ଦୀର୍ଘକାଳୀନ ପଦକ୍ଷେପ। ଏହା ଚାଷୀମାନଙ୍କୁ ତୁରନ୍ତ ପ୍ରତ୍ୟକ୍ଷ ଆୟ ପାଇଁ ସହାୟକ ହେବ ନାହିଁ। ଚାଷୀ କିନ୍ତୁ ତୁରନ୍ତ ରିଲିଫ୍ ଆବଶ୍ୟକ କରନ୍ତି। ଭିତ୍ତିଭୂମି ସଜାଡ଼ିବା ପାଇଁ ଚାଷୀ ଆହୁରି ବର୍ଷେ କି ଦୁଇ ବର୍ଷ ଅପେକ୍ଷା କରିବ ନାହିଁ ବୋଲି ସେ କହିଛନ୍ତି। ଅନେକ ଉତ୍ପାଦ ନଷ୍ଟ ହୋଇଯାଉଛି ଏହା ଚାଷୀ ପାଇଁ ବଡ଼ ସମସ୍ୟା। ପ୍ରଥମେ ଏହାର ଶୀଘ୍ର ସମାଧାନ ହେବା ଦରକାର। ପ୍ରତ୍ୟେକ ଚାଷୀଙ୍କୁ ୧୦,୦୦୦ ଟଙ୍କା ଏବଂ ଗହମ ଚାଷୀଙ୍କୁ ଗହମ କିଣିବା ପାଇଁ ବୋନସ ହିସାବରେ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ଦେବା ଉଚିତ୍ ବୋଲି ସେ କହିଛନ୍ତି। ଏଥିପାଇଁ ସରକାରଙ୍କୁ ୧.୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିବାକୁ ପଡ଼ିଥାନ୍ତା ବୋଲି ସେ କହିଛନ୍ତି।
ସେହିପରି ଆଉ ଜଣେ କୃଷି ବିଶେଷଜ୍ଞ ବିଜୟ ସର୍ଦ୍ଦାର କହିଛନ୍ତି, ଯଦିଓ ପ୍ରଶାସନିକ ସଂସ୍କାର ଆବଶ୍ୟକ କିନ୍ତୁ ବର୍ତ୍ତମାନ ଚାଷୀଙ୍କ ଆବଶ୍ୟକତା ହେଉଛି ହାତରେ ଟଙ୍କା। ସରକାର କିସାନ କ୍ରେଡିଟ କାର୍ଡ, ଡିଜିଟାଲ ଇଣ୍ଡିଆରେ ସକ୍ରିୟ ହେବାକୁ କହୁଛନ୍ତି। ଅନ୍ତତଃପକ୍ଷେ ଚାଷୀଙ୍କୁ ଏ ଦିଗରେ କିଛି ମାତ୍ରାରେ ଆରାମ ଦେବା ଉଚିତ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଚାଷୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର କୃଷି ବିପଣନ ସଂସ୍କାର ନିମନ୍ତେ ଏକ ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏହି ଆଇନ ପ୍ରଣୀତ ହେଲେ କୃଷକମାନେ ଅଧିକ ଦାମରେ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାକୁ ନିଜ ପସନ୍ଦର କ୍ରେତା ବା ବଜାର ବାଛି ପାରିବେ। ଏହା ଫଳରେ କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ। ସେହିପରି ଆଳୁ, ପିଆଜ, ଡାଲି, ତୈଳବୀଜ ଓ ଖାଇବା ତେଲ ଆଦି ଦ୍ରବ୍ୟକୁ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରୁ ବାଦ୍ ଦେବାକୁ ମଧ୍ୟ ସରକାର ଚିନ୍ତା କରୁଛନ୍ତି। ଆତ୍ମନିର୍ଭର ଭାରତ ଅଭିଯାନରେ ଏହି ଆଇନକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ସରକାର। ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି।
୧୯୫୫ ମସିହାରୁ ଏହି ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ କାର୍ଯ୍ୟକାରୀ ଥିଲା। ଏବେ ସରକାର ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଏହି ଆଇନରେ ପରିବର୍ତ୍ତନ କରିଛନ୍ତି। ଏହାଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ହେବ ବୋଲି ସେ କହିଛନ୍ତି। ପୂର୍ବ ଆଇନ୍ ଯୋଗୁଁ ଚାଷୀମାନେ କମ୍ ମୂଲ୍ୟରେ ଉତ୍ପାଦ ବିକ୍ରୟ କରିବାକୁ ବାଧ୍ୟ ହେଉଥିଲେ। ଆଳୁ, ପିଆଜ, ଖାଇବା ତେଲ, ତୈଳବୀଜ, ଡାଲି ଆଦି ଅତ୍ୟାବଶ୍ୟକ ଦ୍ରବ୍ୟରୁ ବାଦ୍ ଦିଆଯିବ। ଏମିତିକି ଏହି ସବୁ ଦ୍ରବ୍ୟର ସଂରକ୍ଷଣ ବଢ଼ାଇବା ପାଇଁ ଶୀତଳ ଭଣ୍ଡାର ବଢ଼ାଯିବ ବୋଲି ସୀତାରମଣ କହିଛନ୍ତି।
ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଇ-ଟ୍ରେଡିଂ ବ୍ୟବସ୍ଥା ଲାଗୁ ହେବ। ଏହାଦ୍ୱାରା ଚାଷୀ ଉତ୍ପାଦିତ ଦ୍ରବ୍ୟର ଇ-ଟ୍ରେଡିଂ କରିପାରିବେ ବୋଲି ସରକାର କହିଛନ୍ତି।
କେବଳ କୃଷି କ୍ଷେତ୍ରରେ ଏପିଏମସି ଆଇନ୍ ଜରିଆରେ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀ ଏହାକୁ ବିକ୍ରି କରିବାକୁ ଅନୁମତି ପାଇନଥିଲେ। ତେଣୁ ଏବେ ଏହି ଆଇନରେ ପରିବର୍ତ୍ତନ ହେବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି। ଏହାଦ୍ୱାରା ଚାଷୀ ମାନେ ନଜି ଉତ୍ପାଦକୁ କୌଣସି ସ୍ଥାନରେ ବିକ୍ରି କରିପାରିବେ। ଏହାଦ୍ୱାରା ଚାଷୀ ଲାଭବାନ ହେବେ ଏବଂ ଅନ୍ତରାଜ୍ୟ ବ୍ୟବସାୟ ମଧ୍ୟ ବଢ଼ିପାରିବ ବୋଲି ସୀତାରମଣ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।