Advertisment

ଫେକ ଭିଡିଓ ପୋଷ୍ଟ କରିଥିବା ୟୁଟ୍ୟୁବର ମନୀଷ କଶ୍ୟପ ଗିରଫ

ବିହାରରୁ ଯାଇ ତାମିଲନାଡୁରେ ଶ୍ରମିକ ଭାବେ କାମ କରୁଥିବା କିଛି ଲୋକଙ୍କ ଉପରେ ଆକ୍ରମଣ କରାଯାଉଥିବା ବେଳର ଫେକ୍‌ ଭିଡିଓକୁ କଶ୍ୟପ ସତ ଭାବି ନିଜ ଚ୍ୟାନେଲରେ ପ୍ରସାରଣ କରିଥିଲେ।

author-image
Hemant Lenka
Manish Kashyap

Manish Kashyap

ନିଜର ବେଧଡ଼କ ରିପୋର୍ଟିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ୟୁଟ୍ୟୁବର ମନୀଷ କଶ୍ୟପ ବିହାର ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିବା ପରେ ଗିରଫ ହୋଇଛନ୍ତି। ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଫେକ ଭିଡିଓ ପୋଷ୍ଟ କରିଥିବା ଅଭିଯୋଗରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ବିହାରରୁ ଯାଇ ତାମିଲନାଡୁରେ ଶ୍ରମିକ ଭାବେ କାମ କରୁଥିବା କିଛି ଲୋକଙ୍କ ଉପରେ ଆକ୍ରମଣ କରାଯାଉଥିବା ବେଳର ଫେକ୍‌ ଭିଡିଓକୁ କଶ୍ୟପ ସତ ଭାବି ନିଜ ଚ୍ୟାନେଲରେ ପ୍ରସାରଣ କରିଥିଲେ।

Advertisment

ଏଥିପାଇଁ ଉଭୟ ବିହାର ଓ ତାମିଲନାଡୁ ପୁଲିସ୍‌ ତାଙ୍କ ନାଁରେ ଏକାଧିକ ମାମଲା କରିଥିଲେ। ମାମଲା ରୁଜୁ ହେବା ପରେ ସେ ଫେରାର ହୋଇଯାଇଥିଲେ। କିନ୍ତୁ ବିହାର ପୁଲିସ୍‌ର ଅର୍ଥନୀତିକ ଅପରାଧ ଶାଖା ତାଙ୍କ ସମ୍ପତ୍ତିକୁ ସିଜ୍‌ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାରୁ ଆଜି ସେ ପଶ୍ଚିମ ଚମ୍ପାରନ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ।

ସେ ଭିଡିଓ ପୋଷ୍ଟ କରିବା ପରେ ଏହାକୁ ନେଇ ଉଭୟ ବିହାର ଓ ତାମିଲନାଡୁରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଲକ୍ଷାଧିକ ଲୋକ ଏହି ଭିଡିଓକୁ ଦେଖିଥିଲେ। ବିବାଦ ବଢ଼ିବାରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ କଶ୍ୟପ ଓ ଆଉ କିଛି ଲୋକ ଆକ୍ରମଣକୁ ନେଇ ପୋଷ୍ଟ କରିଥିବା ଭିଡିଓ ନକଲି ଥିଲା ବୋଲି ପ୍ରମାଣିତ ହୋଇଥିଲା।

Advertisment

ଏହାପୂର୍ବରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ତାଙ୍କ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ଉପରେ କୌଣସି ପ୍ରକାରର ଦୁର୍ବ୍ୟବହାର କରାଯାଇ ନଥିବା କହିଥିଲେ। ଏଥିସହ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏନେଇ ସେ ତାଙ୍କ ବିହାର ପ୍ରତିପକ୍ଷ ନୀତୀଶ କୁମାରଙ୍କ ସହ କଥା ହୋଇଥିଲେ।

ସବୁ କିଛି ଠିକଠାକ ଚାଲିଥିବା ବେଳେ ଚଳିତ ମାସରେ ବିହାର ବିଧାନସଭାରେ ବିଜେପି ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲା। ତାମିଲନାଡୁରେ ହିନ୍ଦୀ କହୁଥିବା ବିହାର ଶ୍ରମିକଙ୍କୁ ଟାର୍ଗେଟ କରାଯାଉଥିବା ଦଳ ଅଭିଯୋଗ କରିଥିଲା। ଏହାପରେ ସରକାର ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। କମିଟିର ତଦନ୍ତରୁ ଜଣାପଡ଼ିଥିଲା ଯେ କଶ୍ୟପ ଓ ଅନ୍ୟମାନେ ପୋଷ୍ଟ କରିଥିବା ଆକ୍ରମଣ ବେଳର ଭିଡିଓରେ କୌଣସି ସତ୍ୟତା ନାହିଁ। ଏହି ରିପୋର୍ଟ ପରେ କଶ୍ୟପଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା ଓ ଆଜି ତାଙ୍କୁ ଗିରଫ କରାଯାଇଛି।

ବିହାର ପୁଲିସ୍‌ ତାଙ୍କ ନାଁରେ ୩ଟି ଓ ତାମିଲନାଡୁ ପୁଲିସ୍‌ ୯ଟି ମାମଲା କରିଛି। ଏବେ ଉଭୟ ବିହାର ଓ ତାମିଲନାଡୁ ପୁଲିସ କଶ୍ୟପଙ୍କୁ ଜେରା କରିବେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। 

ଏକଦା ଓଡ଼ିଶା ଆସି ରିପୋର୍ଟିଂ କରିଥିବା ମନୀଷ କଶ୍ୟପ ୨୦୨୦ ବିହାର ବିଧାନସଭା ନିର୍ବାଚନ ଲଢ଼ିଥିଲେ। ସେ ବିହାରର ଚନପତିଆ ଆସନରୁ ପ୍ରାର୍ଥୀ ହୋଇଥିଲେ। ନାମାଙ୍କନ ପତ୍ରରେ ତାଙ୍କ ପ୍ରକୃତ ନାଁ ତ୍ରିପୁରାରି କୁମାର ତିୱାରୀ ବୋଲି ଉଲ୍ଲେଖ ରହିଥିଲା। ତେବେ ସେ ମନୀଷ କଶ୍ୟପ ନାଁରେ ପରିଚିତ।

ମନୀଷ କଶ୍ୟପ ନିଜକୁ ସବୁବେଳେ ବିହାରର ପୁଅ ଭାବେ ଚିତ୍ରଣ କରି ଆସିଛନ୍ତି। ୧୯୯୧ ମସିହା ମାର୍ଚ୍ଚ ୯ରେ ବିହାରର ଚମ୍ପାରନରେ ସେ ଜନ୍ମ ଗ୍ରହଣ କରିଥିଲେ। ୨୦୦୯ରେ ଦ୍ୱାଦଶ ଶ୍ରେଣୀ ପାସ କରିଥିବା କଶ୍ୟପ ମହାରାଣୀ ଜାନକୀ କୁନୱର କଲେଜରୁ ଉଚ୍ଚଶିକ୍ଷା ଲାଭ କରିଥିଲେ।

୨୦୧୬ରେ ସେ ସିଭିଲ ଇଞ୍ଜିନିୟରିଂ କରିଥିଲେ। ଏହାପରେ ସେ ୟୁଟ୍ୟୁବରେ ବିଭିନ୍ନ ପ୍ରକାରର ରିପୋର୍ଟିଂ କରି ଭିଡିଓ ପୋଷ୍ଟ କରିଥିଲେ। ତାଙ୍କର କିଛି ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଅନେକ ସମୟରେ ଭାଇରାଲ ହୋଇଥାଏ।

Tamilnadu Bihar Manish Kashyap