Advertisment

ଥୁଣ୍ଟା ହୋଇଯାଉଛି ନିମ ଗଛ, ପତ୍ର ଖାଇଦେଉଛି ପୋକ

ରାଜଧାନୀ ଭୁବନେଶ୍ୱରର ପ୍ରଶାନ୍ତୀ ବିହାର, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବିଜେଡି ପାର୍ଟି ଅଫିସ୍‌ ପାର୍ଶ୍ୱ ରାସ୍ତା ଆଦି ପ୍ରମୁଖ ସ୍ଥାନରେ ଥିବା ନିମ ଗଛ ଗୁଡ଼ିକରେ ପତ୍ର ନାହିଁ। ପତ୍ର ଗୁଡ଼ିକ ଶୁଖି ଡାଳରେ ଲାଗିଛି। ପବନ ଦେଲେ ଝଡ଼ି ପଡ଼ୁଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Capital

Capital

ରାଜଧାନୀର କଂକ୍ରିଟ୍‌ ସହରରେ ଛିଡ଼ା ହୋଇଛି ମାଳମାଳ ନିମ ଗଛ। ହେଲେ ସେହି ଗଛରେ ନାହିଁ ଲାବଣ୍ୟ ଓ ସୌନ୍ଦର୍ଯ୍ୟ। ଟାଇଁ ଟାଇଁ ଖରାରେ ପତ୍ର ଶୂନ୍ୟ ହୋଇ ଛିଡ଼ା ହୋଇଛନ୍ତି ଗଛଗୁଡ଼ିକ। ପ୍ରକୃତି ରାଣୀ କୋଳରେ ଛିଡ଼ା ହୋଇଥିବା ଭୂଖଣ୍ଡର ସବୁଠାରୁ ଦୁର୍ଲଭ ଔଷଧୀୟ ବୃକ୍ଷର ଏ ରୂପ କ’ଣ ପାଇଁ? ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ରାଜଧାନୀ ଭୁବନେଶ୍ୱରରେ ଛିଡ଼ା ହୋଇଥିବା ମାଳ ମାଳ ନିମ ଗଛରେ ଲାଗିଛି ଟି.ମସ୍‌କ୍ୟୁଟ୍‌ବଗ୍‌ ପୋକ।

Advertisment

ରାଜଧାନୀ ଭୁବନେଶ୍ୱରର ପ୍ରଶାନ୍ତି ବିହାର, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବିଜେଡି ପାର୍ଟି ଅଫିସ୍‌ ପାର୍ଶ୍ୱ ରାସ୍ତା ଆଦି ପ୍ରମୁଖ ସ୍ଥାନରେ ଥିବା ନିମ ଗଛ ଗୁଡ଼ିକରେ ପତ୍ର ନାହିଁ। ପତ୍ର ଗୁଡ଼ିକ ଶୁଖି ଡାଳରେ ଲାଗିଛି। ପବନ ଦେଲେ ଝଡ଼ି ପଡ଼ୁଛି। ଗ୍ରୀଷ୍ମ ଋତୁ ଆରମ୍ଭରେ ସାଧବ ବୋହୂ ପରି ଦେଖାଯିବାକୁ ଥିବା ନିମ ଗଛ ଗୁଡ଼ିକ ମରୁଭୂମିର ଥୁଣ୍ଟା ଗଛ ପରି ଦେଖାଯାଉଛି। ହଠାତ୍‌ ନିମ ଗଛର ଏ ବିବର୍ଣ୍ଣ ରୂପ ଦେଖି ଚିନ୍ତିତ ହୋଇ ପଡ଼ିଛନ୍ତି ପରିବେଶବିତ।

କୀଟତତ୍ତ୍ୱ ବିଭାଗର ପ୍ରଫେସର ଚିତ୍ତରଞ୍ଜନ ଶତପଥୀଙ୍କ କହିବା ଅନୁସାରେ ନିମ ଗଛକୁ ଭଲ ପାଉଥିବା ଗୋଟିଏ ପୋକ ରହିଛି। ଯାହା ନାଁ ହେଉଛି ଟି.ମସ୍‌କ୍ୟୁଟ୍‌ବଗ୍‌। ଏହି ପୋକ ନିମ ସହିତ କାଜୁ, ସଜନା ଓ ପିଜୁଳି ଗଛର ପତ୍ରକୁ ଖାଇଥାଏ। ଦକ୍ଷିଣ ଭାରତରେ ଏହି ପୋକ ବେଶୀ ଦେଖାଦେଇଥାଏ। ନିମ ଗଛରେ ପତ୍ର କଅଁଳିବା ବେଳେ ଏହି ପୋକ ଲାଗିଥାଆନ୍ତି। ଏହି ପୋକଟି ଗଛର ଡାଳରେ ଅଣ୍ଡା ଦେଇଥାଏ। ସେହି ଅଣ୍ଡାରୁ ବାହାରୁଥିବା ପୋକମାନେ ନିମ ଗଛରେ କଅଁଳୁଥିବା ପତ୍ରକୁ କଣା କରି ଖାଇ ଯାଆନ୍ତି। ପତ୍ର ଶୋଷଣ କଲା ବେଳେ ପୋକଟି ଏକ ବିଷ ଛାଡ଼ିଦିଏ। ଯାହାଫଳରେ ଗଛର ଡାଳଟି ମରିଯାଏ। ଆଉ ପତ୍ର ଗୁଡ଼ିକ ଡାଳରୁ ନଝଡ଼ି ଡାଳରେ ଲାଗି ରହିଯାଆନ୍ତି। ଏହି ପୋକକୁ ସହଜରେ ଦେଖିହୁଏ ନାହିଁ। ଏହାର ମାଆ ପୋକକୁ ଦେଖିହେବ। ପୋକଟି ଦେଖିବାକୁ କଳା। ପିଠି ଉପରେ ନାରଙ୍ଗୀ ରଙ୍ଗର ଗୋଟିଏ ଟି ଆକୃତିର ଚିହ୍ନ ରହିଥାଏ। ପୂର୍ବରୁ ଓଡ଼ିଶାରେ ଏହି ପୋକ ଦେଖାଯାଉନଥିଲେ। କିନ୍ତୁ ଗତ ୭ରୁ ୮ ବର୍ଷ ହେଲା ଦେଖାଦେଉଛନ୍ତି ବୋଲି ପ୍ରଫେସର ଶତପଥୀ କହିଛନ୍ତି।

Advertisment

ରିପୋର୍ଟ-ଭୁବନେଶ୍ୱରରୁ ସ୍ୱାତୀ ଜେନା

Bhubaneswar Bhubaneswar News