କଂଗ୍ରେସ କରୋନାକ୍ରାନ୍ତ!

ଦେବେନ୍ଦ୍ର ପୃଷ୍ଟି

ଦେଶର ସବୁଠୁଁ ପୁରାତନ ଦଳ କଂଗ୍ରେସର ସାଂପ୍ରତିକ ସ୍ଥିତି ସଂପର୍କରେ ଏହାଠାରୁ ଅଧିକ ବାସ୍ତବ ଉପମା କିଛି ହୋଇନପାରେ। ଏ ଉପମା ପୁଣି ଅନ୍ୟ କୌଣସି ଦଳର ନେତା ଦେଇ ନାହାନ୍ତି, ଦେଇଛନ୍ତି ଜଣେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ। ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେଲା ପରେ ସେ ଦଳର ସ୍ଥିତି ଓ ସ୍ୱାସ୍ଥ୍ୟ ନେଇ ଏଇ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଦିଲ୍ଲୀ ନିର୍ବାଚନ ଫଳାଫଳରୁ ଜଣାପଡ଼ୁଛି କଂଗ୍ରେସ ଯେପରି କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଯାଇଛି। ଜୟରାମ ରମେଶ ସିନା ଏଭଳି ଏକ ଉପମା ଦେଇ ଚୁପ୍‌ ବସିଲେ, ଡାକ୍ତର ପରାମର୍ଶ କଲେ ନାହିଁ କି ନିଦାନ ଖୋଜିଲେ ନାହିଁ, ଏବେ କିନ୍ତୁ କଂଗ୍ରେସ ଭିତରେ କରୋନା ଭାଇରସ୍‌ ପରି ଆତଙ୍କ ଖେଳେଇ ହେବାରେ ଲାଗିଲାଣି। କିଏ କରିବ କଂଗ୍ରେସର ଚିକିତ୍ସା? କିଏ ବାହାର କରିବ ଦଳୀୟ ରୋଗର ଔଷଧ? କିପରି ପୁଣି ଥରେ କାର୍ଯ୍ୟଶକ୍ତି ଫେରିପାଇବ ଦଳ? ଏହାକୁ ନେଇ ବିଭିନ୍ନ ନେତାଙ୍କ ମୁଣ୍ଡରେ ବିଭିନ୍ନ ଚିନ୍ତା। ଗାନ୍ଧୀ ପରିବାର ବାହାରେ ଡାକ୍ତର ଖୋଜିବାକୁ ବହୁ ନେତା ସଂକେତ ଦେଇଥିଲେ ବି ତାହାକୁ ଯେ ଦଳ ଗ୍ରହଣ କରିବ ତାହାର ସୂଚନା ନାହିଁ କି ସଂକେତ ନାହିଁ। ବରଂ ଯେଉଁମାନେ ଡାକ୍ତର ଲି ୱେନଲିଆଙ୍ଗଙ୍କ ପରି ଏପରି ଭାଇରସ୍‌ର ସୂଚନା ଦେଇଛନ୍ତି ସେମାନଙ୍କ ବିରୋଧରେ ଚୀନ ସରକାର ପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ସେମାନଙ୍କୁ କୈଫିୟତ ତଲବ ହୋଇପାରେ।

ଦିଲ୍ଲୀରୁ ପୂର୍ବରୁ ସାଂସଦ ହୋଇଥିବା ସନ୍ଦୀପ ଦୀକ୍ଷିତ ଏକ ଇଂରାଜୀ ଦୈନିକକୁ ଦେଇଥିବା ସାକ୍ଷାତକାରରେ ଦଳର ସ୍ଥିତି ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ ହେଉଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ। ଶୀଲା ତିନି ତିନି ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିଲେ। ତାଙ୍କ କହିବା କଥା ହେଉଛି, ସୋନିଆ ଗାନ୍ଧୀ ଏବେ କାମଚଳା ସଭାପତି। ରାହୁଳ ଗାନ୍ଧୀ ସଭାପତି ପଦ ଛାଡ଼ିଛନ୍ତି, ଆଉ ଥରେ ଦାୟିତ୍ୱ ନେବାକୁ ରାଜି ନାହାନ୍ତି। ଏପରି ସ୍ଥଳେ ଦଳ ଜଣେ ନେତା ଠିକ କରିବା ଦରକାର। ଏହି ପଦ ପାଇଁ ଦଳରେ ଏକାଧିକ ଯୋଗ୍ୟ ବ୍ୟକ୍ତି ଅଛନ୍ତି। ଏକେ ଆଣ୍ଟୋନି, ଅଶୋକ ଗେହଲଟ୍‌, ଅମରିନ୍ଦର ସିଂହ, କମଳ ନାଥ, ପି. ଚିଦାମ୍ବରମ, ସଲମାନ ଖୁର୍ସିଦ ଓ ଅହମଦ ପଟେଲଙ୍କ ନାମ ନେଇ ସେ କହିଛନ୍ତି ଏମାନେ ବୌଦ୍ଧିକ ଅବଦାନ ଦେଇ କଂଗ୍ରେସର ନେତା ଚୟନ କରନ୍ତୁ। ସେ ଏପରି ମତ ଦେବା ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର ତାଙ୍କୁ ସମର୍ଥନ କରିଛନ୍ତି। ଥରୁର କହିଛନ୍ତି, ସନ୍ଦୀପ ଯେଉଁ କଥା କହିଛନ୍ତି ତାହା କଂଗ୍ରେସର ବହୁ କର୍ମୀ ବ୍ୟକ୍ତିଗତ ଭାବେ ଫୁସୁରୁଫାସର ହେଉଛନ୍ତି। ଦଳ ଏବେ ନେତା ଚୟନ କରିବା ଜରୁରୀ। ସେ କଂଗ୍ରେସ ୱାର୍କିଂ କମିଟିକୁ ଏହି ପରାମର୍ଶ ଦେଇଛନ୍ତି। ତାଙ୍କ କଥାରୁ ସ୍ପଷ୍ଟ ହୋଇଯାଇଛି ଯେ କଂଗ୍ରେସ ଏବେ ମୁଣ୍ଡ-ହୀନ ହୋଇଯାଇଛି।

କଂଗ୍ରେସ ଦଳ ଭିତରେ ଏହି ନେତାମାନେ ସଂଖ୍ୟାଲଘୁ ହୋଇପାରନ୍ତି। ସେମାନଙ୍କୁ ଖୋଲା ସମର୍ଥନ ମିଳି ନପାରେ। ମୁଖପାତ୍ରମାନେ ସେମାନଙ୍କ ବିରୋଧରେ ବିଷୋଦଗାର କରିପାରନ୍ତି। କହିପାରନ୍ତି, ଏମାନେ କ’ଣ କରୁଛନ୍ତି କି? ସନ୍ଦୀପ ଦୀକ୍ଷିତଙ୍କ ବିରୋଧରେ ଏପରି ପ୍ରଶ୍ନ ଉଠାଇ ସାରିଲେଣି ମୁଖପାତ୍ର ରଣଦୀପ ସୂରଜୱାଲା। ତାଙ୍କ ଭାଷାରେ ସନ୍ଦୀପ ଏମିତି ସାଧାରଣରେ ଜ୍ଞାନ ବିତରଣ ନକରି ଦଳ ପାଇଁ କାମ କରିଥିଲେ ଦିଲ୍ଲୀ ନିର୍ବାଚନ ପରିଣାମ ଅଲଗା ପ୍ରକାର ହୋଇଥାନ୍ତା। ଦଳ ଭିତରେ ଏମିତି ଟଣା-ଓଟରା, ଗୋଇ ଖୋଳାଖୋଲି ଚାଲିପାରେ। ମାତ୍ର, ଏହା କଂଗ୍ରେସକୁ କରୋନା-ମୁକ୍ତ କରିବ ନାହିଁ। ବରଂ ଭାରତକୁ ଖୁବଶୀଘ୍ର କଂଗ୍ରେସ-ମୁକ୍ତ କରିଦେଇପାରେ।

ଓଡ଼ିଶାରେ କଂଗ୍ରେସର ଦୟନୀୟ ସ୍ଥିତିରୁ କଂଗ୍ରେସର ଉପର ନେତାମାନେ ବିଶେଷକରି ଗାନ୍ଧୀ ପରିବାର କିଛି ଶିଖିବା ପରି ମନେ ହେଉନାହିଁ। ଏଇ କେଇ ଦିନ ଭିତରେ ଭୁବନେଶ୍ୱର, ପୁରୀ ଓ ଭଦ୍ରକରେ କଂଗ୍ରେସ କର୍ମୀମାନେ ପରସ୍ପରକୁ ଆକ୍ରମଣ କରିଛନ୍ତି। ଏମାନେ ଶାସକ ଦଳ ବିରୋଧରେ ଲଢ଼ିବା ଛାଡ଼ି ନିଜନିଜ ଭିତରେ ଲଢ଼େଇକୁ ଜୋରଦାର କରିଛନ୍ତି। ଦଳେ ବର୍ତ୍ତମାନର ପିସିସି ମୁଖ୍ୟ ନିରଂଜନ ପଟ୍ଟନାୟକଙ୍କୁ ତଡ଼ିବା ପାଇଁ ଦିଲ୍ଲୀରେ ଲବି ଚଳାଇଛନ୍ତି। ସେମାନଙ୍କ ଯୁକ୍ତି ହେଲା ପିସିସି ନେତୃତ୍ୱ ନବଦଳିଲେ ରାଜ୍ୟରେ କଂଗ୍ରେସକୁ ଶକ୍ତିଶାଳୀ କରିହେବ ନାହିଁ। ଏଣେ ରାୟଗଡ଼ାରେ କଂଗ୍ରେସ ଜିଲ୍ଲା ପରିଷଦ ସଦସ୍ୟମାନେ ବିଜେଡି ସପକ୍ଷରେ ଭୋଟ ଦେଇ ଦଳର ଜିଲ୍ଲା ପରିଷଦ ସଭାପତି ପ୍ରାର୍ଥୀଙ୍କୁ ହରେଇଦେଲେ। ଦଳର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟଙ୍କ ଭୋଟ ଯଦି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥାନ୍ତା ତେବେ ସେ ନିଶ୍ଚୟ ଜିତିଥାନ୍ତେ। କିନ୍ତୁ ଦଳର ଅଧାରୁ ଅଧିକ ଭୋଟ ବିଜେଡି ସପକ୍ଷରେ ଗଲା। ଏହି ପ୍ରକାର କରୋନା ଭାଇରସ୍‌ ଏବେ କଂଗ୍ରେସକୁ ଆକ୍ରାନ୍ତ କରି ରଖିଛି, କେନ୍ଦ୍ରରୁ ଆରମ୍ଭ କରି ରାଜ୍ୟ ଯାଏଁ।

ପଞ୍ଜାବ, ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିଛି। ତେବେ ଏ ସଫଳତାର ଶ୍ରେୟ ଗାନ୍ଧୀ ପରିବାରକୁ ଦିଆଯାଇ ପାରିବ ନାହିଁ। ପଞ୍ଜାବରେ ଅମରିନ୍ଦର ସିଂହ, ରାଜସ୍ଥାନରେ ଅଶୋକ ଗେହଲଟ ଓ ସଚିନ ପାଇଲଟ୍‌, ମଧ୍ୟ ପ୍ରଦେଶରେ କମଲ ନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଛତିଶଗଡ଼ରେ ଭୂପେଶ ବାଘେଲଙ୍କ ପରି ଟାଣୁଆ ତଥା ଲଢ଼ୁଆ ନେତା ଥିବାରୁ ଦଳକୁ ସଫଳତା ମିଳିଛି। ମହାରାଷ୍ଟ୍ର ଓ ଝାରଖଣ୍ଡରେ କଂଗ୍ରେସ କ୍ଷମତାରେ ଭାଗିଦାରୀ ହେବାଟା ଉପହାର ସୂତ୍ରରେ ମିଳିଛି କହିଲେ ଚଳେ। ମହାରାଷ୍ଟ୍ରରେ ଏନସିପି ନେତା ଶରଦ ପାୱାର ଓ ଝାରଖଣ୍ଡରେ ଜେଏମଏମ ନେତା ହେମନ୍ତ ସୋରେନଙ୍କ ଯୋଗୁଁ କଂଗ୍ରେସ କ୍ଷମତାରେ ଅଂଶୀଦାର ହୋଇପାରିଛି। ଏବେ ପୁଣି ଏସବୁ ରାଜ୍ୟରେ ଅବସ୍ଥା ଭିନ୍ନ। ପଞ୍ଜାବରେ ଅମରିନ୍ଦିର ସିଂହଙ୍କୁ ବିରୋଧ କରି ନବଜୋତ ସିଂହ ସିଦ୍ଧୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ମଧ୍ୟ ପ୍ରଦେଶରେ କମଲ ନାଥ ଓ ଜ୍ୟୋତିରାଦିତ୍ୟଙ୍କ ମଧ୍ୟରେ ଛାୟାଯୁଦ୍ଧ ଆରମ୍ଭ ହୋଇଯାଇଛି। ମହାରାଷ୍ଟ୍ରରେ ସିଏଏ, ଏନଆରସି ଓ ଏନପିଆର ନେଇ ଶିବସେନା ସହିତ କଂଗ୍ରେସର କୌଣସି ତାଳମେଳ ନାହିଁ। ଆଗକୁ ବିହାର ଓ ପଶ୍ଚିମ ବଙ୍ଗରେ ବିଧାନସଭା ନିର୍ବାଚନ। ଏ ଦୁଇଟି ଯାକ ରାଜ୍ୟରେ କଂଗ୍ରେସ ସ୍ଥିତି ଭଲ ନାହିଁ। ସବୁଠି ନେତା ଓ ନୀତିର ଅଭାବ, ଗାନ୍ଧୀ ପରିବାରରୁ ସ୍ପଷ୍ଟ ଦିଗଦର୍ଶନର ଅଭାବ।

ଏତେ ଦୟନୀୟ ପରିସ୍ଥିତି ଓ ପରିଣାମ ସତ୍ତ୍ୱେ କଂଗ୍ରେସ ଗାନ୍ଧୀ ପରିବାର ବାହାରେ ନେତା ଖୋଜିପାରୁ ନାହିଁ। ସନ୍ଦୀପ ଦୀକ୍ଷିତଙ୍କ ଭାଷାରେ ’କିଏ ବିଲେଇ ହେବ’ ପ୍ରଶ୍ନରେ ସମସ୍ତେ ଆଶଙ୍କାଗ୍ରସ୍ତ। ବିଲେଇ ବେକରେ କିଏ ଘଣ୍ଟି ବାନ୍ଧିବ ଦଳ ସେ ପ୍ରଶ୍ନ ପଚାରୁ ନାହିଁ। କାଳେ ଗାନ୍ଧୀ ପରିବାର ବାହାରୁ ଅନ୍ୟ କିଏ ବିଲେଇ ହୋଇଗଲେ ଦଳରେ ଥିବା ଅନେକ ମୂଷାଙ୍କ ବିପଦ ବଢ଼ିଯିବ ସେଇ ଆଶଙ୍କାରେ ସମସ୍ତେ ଚିନ୍ତିତ। ଦଳ ଚିନ୍ତା କାହାରି ମନରେ ନାହିଁ, ସବୁଠି ନିଜ ପଦପଦବୀର ଚିନ୍ତା, ନିଜର ବ୍ୟକ୍ତିଗତ ରାଜନୀତିକ ଓ ଆର୍ଥିକ ସ୍ୱାର୍ଥର ଗୁରୁତ୍ୱ ସମସ୍ତଙ୍କୁ ଦଳୀୟ ସ୍ୱାର୍ଥଠାରୁ ଦୂରେଇ ନେବାରେ ଲାଗିଛି।

ଅତୀତରେ କଂଗ୍ରେସ ଦଳରେ ବହୁ ଥର ବିଭାଜନ ଘଟିଛି। ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସମୟରେ କଂଗ୍ରେସ ଦଳରେ ଏକାଧିକ ବିଭାଜନ ଘଟିଛି। ବହୁ ବଡ଼ ବଡ଼ ନେତା କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ମିଶିଛନ୍ତି ବା ନୂଆ ଦଳ ଗଠନ କରିଛନ୍ତି। କିନ୍ତୁ ଗତ ୬ ବର୍ଷ ଭିତରେ ଦଳରେ ଯେଉଁ ନେତୃତ୍ୱହୀନତା ସୃଷ୍ଟି ହୋଇଛି ଦଳୀୟ ଇତିହାସରେ ତାହାର ଉଦାହରଣ ନାହିଁ। ଏହି ରୋଗରୁ କଂଗ୍ରେସ ମୁକ୍ତି ପାଇବ କି ୨୦୨୪ ବେଳକୁ ୧୩୦ ବର୍ଷରେ ପଦାର୍ପଣ କରୁଥିବା ଦଳଟି ଉପଯୁକ୍ତ ଚିକିତ୍ସା ବିନା ବ୍ରେନ୍‌-ଡେଡ୍‌ ବା ମସ୍ତିଷ୍କ-ମୃତ୍ୟୁ ଅବସ୍ଥାରେ ଆଇସିୟୁରେ ପଡ଼ି ରହିବ ତାହା ଦେଖିବାକୁ ବାକି ରହିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।