ଦେବେନ୍ଦ୍ର ପୃଷ୍ଟି
ଜାମ୍ମୁକାଶ୍ମୀର ପ୍ରତି ପୂର୍ବରୁ ଲାଗୁ ହେଉଥିବା ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ପରେ ସେହି ରାଜ୍ୟରେ ଲାଗୁ ହୋଇଥିବା କଟକଣା ନିଷ୍ପତ୍ତିର ସାତ ଦିନ ଭିତରେ ସମୀକ୍ଷା କରିବାକୁ ସୁପ୍ରିମ କୋର୍ଟ ଯେଉଁ ଆଦେଶ ଦେଇଛନ୍ତି ତାହା ଅନେକ ଦୃଷ୍ଟିରୁ ଏକ ଐତିହାସିକ ରାୟ ଭାବେ ବିବେଚିତ ହେବ। ୨୦୨୦ ଜାନୁଆରୀ ୧୦ ତାରିଖରେ ଏହି ରାୟ ଘୋଷଣା କରି ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସରକାରଙ୍କ ବିରୋଧରେ ମତ ଦେବା ଉପରେ କଟକଣା ଜାରି କରିବା ଗଣତନ୍ତ୍ର ନୁହେଁ। ଗଣତନ୍ତ୍ରରେ ବାକ୍ ସ୍ୱାଧୀନତା ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହାକୁ ବିନା କାରଣରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ କରାଯାଇ ପାରିବ ନାହିଁ। ଏଭଳି କୌଣସି କଟକଣା ଲାଗୁ କରିବା ପୂର୍ବରୁ ସରକାର ଯଥେଷ୍ଟ କାରଣ ଦର୍ଶାଇବା ଦରକାର। ସେହିପରି ସରକାରଙ୍କର କୌଣସି ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିବା ମଧ୍ୟ ଲୋକମାନଙ୍କର ମୌଳିକ ଅଧିକାର। ଏହାକୁ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଆରପିସିର ୧୪୪ ଧାରା ଲାଗୁ କରି ପ୍ରତିରୋଧ କରିବା ମଧ୍ୟ ଗଣତନ୍ତ୍ର ନୁହେଁ।
ଏଭଳି ଏକ ରାୟ ଶୁଣାଇ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସାତ ଦିନ ଭିତରେ ଜାମ୍ମୁକାଶ୍ମୀରରେ ଇଣ୍ଟର୍ନେଟ ସେବା ବନ୍ଦ କରିବା ନିଷ୍ପତ୍ତିର ସମୀକ୍ଷା ହେଉ। ସମ୍ବିଧାନର ୧୯(୧)(କ) ଧାରା ଅନୁସାରେ ଇଣ୍ଟର୍ନେଟ ସେବା ପ୍ରାପ୍ତ କରିବା ଲୋକମାନଙ୍କର ଏକ ମୌଳିକ ଅଧିକାର। ଆଜିକାଲି ଇଣ୍ଟର୍ନେଟ ଜରିଆରେ ତଥ୍ୟ ଓ ସୂଚନା ମିଳୁଛି ଓ ଏହି ମାଧ୍ୟମରେ ଲୋକେ ନିଜର ମତାମତ ପ୍ରକାଶ କରୁଛନ୍ତି। ପ୍ରେସ ସ୍ୱାଧୀନତା ମଧ୍ୟ ଏକ ମୌଳିକ ଅଧିକାର। ଲୋକ ଗଣମାଧ୍ୟମ ଜରିଆରେ ସରକାରଙ୍କ ନିଷ୍ପତ୍ତି ସଂପର୍କରେ ବହୁ ତଥ୍ୟ ଓ ସୂଚନା ପାଇଥାନ୍ତି ଓ ସେହି ମଞ୍ଚ ଜରିଆରେ ମତ ପ୍ରକାଶ କରିଥାନ୍ତି। ସରକାର ମଧ୍ୟ ବହୁ ସରକାରୀ ୱେବସାଇଟ୍ ମାଧ୍ୟମରେ ସରକାରଙ୍କ ନୀତି ଓ ନିଷ୍ପତ୍ତିକୁ ସାର୍ବଜନୀନ କରିଥାନ୍ତି। ଇଣ୍ଟର୍ନେଟ ସେବା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଲେ ଲୋକେ ସରକାରଙ୍କର ଅନେକ କାର୍ଯ୍ୟକ୍ରମ, ନୀତି ଓ ନିଷ୍ପତ୍ତି ସଂପର୍କରେ ଜାଣିପାରନ୍ତି ନାହିଁ। ତେଣୁ ମତ ପ୍ରକାଶ କରିପାରନ୍ତି ନାହିଁ। ସେଥିପାଇଁ ଜାମ୍ମୁକାଶ୍ମୀର ପ୍ରଶାସନ ସାତ ଦିନ ଭିତରେ ଇଣ୍ଟର୍ନେଟ କଟକଣା ନିଷ୍ପତ୍ତିର ସମୀକ୍ଷା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟଙ୍କ ଏହି ରାୟ ଜାମ୍ମୁକାଶ୍ମୀରରେ ତୁରନ୍ତ ଇଣ୍ଟର୍ନେଟ ସେବା ପୁନଃ ସଂସ୍ଥାପନ କରିବା ପାଇଁ ପ୍ରଶାସନକୁ ଏକ ସ୍ପଷ୍ଟ ସଂକେତ। ସେହିପରି ଜାମ୍ମୁକାଶ୍ମୀରର ବିଭିନ୍ନ ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ ନକରିବାକୁ ମଧ୍ୟ କୋର୍ଟ ଏହି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନକୁ ସଂକେତ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ୩୭୦ ଧାରା ଉଚ୍ଛେଦ ପଛରେ ରହିଥିବା ରାଜନୀତିକ ଉଦ୍ଦେଶ୍ୟ ଓ ପରିଣତି ସଂପର୍କରେ ଏହି ରାୟ ଘୋଷଣା କରାଯାଇ ନାହିଁ। ଏହା କେବଳ ଲୋକମାନଙ୍କର ମତ ପ୍ରଦାନ କରିବାର ସ୍ୱାଧୀନତା ନେଇ ଚିନ୍ତିତ।
ଉଲ୍ଲେଖ କରିବାର କଥା ଯେ କେନ୍ଦ୍ର ସରକାର ଜାମ୍ମୁକାଶ୍ମୀରର ସୀମାପାର ଆତଙ୍କବାଦ ଲୋପ କରିବା ସହିତ ଏହି ଅଂଚଳର ସାମଗ୍ରିକ ବିକାଶର ଦ୍ୱାହି ଦେଇ ୨୦୧୯ ଅଗଷ୍ଟ ୫ ତାରିଖରେ ଏହି ଅଞ୍ଚଳ ପ୍ରତି ପୂର୍ବରୁ ପ୍ରଯୁଜ୍ୟ ହେଉଥିବା ସମ୍ବିଧାନର ୩୭୦ ଧାରା ଓ ୩୫-କ ଧାରା ଉଚ୍ଛେଦ କରିଥିଲେ। ତତ୍ ସହିତ ଏହି ରାଜ୍ୟକୁ ଭାଙ୍ଗି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା। ଏବେ ଜାମ୍ମୁକାଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଓ ଲଦାଖ ଅନ୍ୟ ଏକ କେନ୍ଦ୍ର ଶାସିତ ଅଞ୍ଚଳ। ସରକାରଙ୍କ ଏ ସଂପର୍କୀତ ସମ୍ବିଧାନ ସଂଶୋଧନ ଅଧ୍ୟାଦେଶ ଓ ଆଇନର ସାମ୍ବିଧାନିକତା ବିରୋଧରେ ସୁପ୍ରିମ କୋର୍ଟରେ ଏକାଧିକ ମାମଲା ଦାଏର ହୋଇଛି। ତେବେ କୋର୍ଟ ୨୦୨୦ ଜାନୁଆରୀ ୧୦ ତାରିଖରେ କେବଳ ବାକ୍ ସ୍ୱାଧୀନତା ଉପରେ ଲାଗୁ କରାଯାଇଥିବା କଟକଣା ସମ୍ବିଧାନ ବିରୋଧୀ ବୋଲି ମତ ଦେଇଛନ୍ତି। ସେବେଠାରୁ ଇତିମଧ୍ୟରେ ୫ ମାସ ଅତିବାହିତ ହୋଇଗଲାଣି। କେନ୍ଦ୍ର ସରକାର ଓ ଜାମ୍ମୁକାଶ୍ମୀର ପ୍ରଶାସନ ବାରମ୍ବାର ଦାବି କରି ଆସୁଛନ୍ତି ଯେ ଉପତ୍ୟାକାରେ ସାଧାରଣ ପରିସ୍ଥିତି ଫେରୁଛି। ତଥାପି ଏଯାଏଁ ଇଣ୍ଟର୍ନେଟ ସେବା ପୁନର୍ବାହାଲ ହୋଇନାହିଁ କି ୧୪୪ ଧାରାର କଟକଣା ଉଠିନାହିଁ। କୌଣସି ଯଥାର୍ଥ କାରଣ ନଦର୍ଶାଇ ସରକାର ଅନିର୍ଦ୍ଦିଷ୍ଟ କାଳ ଯାଏଁ ଏଭଳି କଟକଣା ଅବ୍ୟାହତ ରଖିବା ଲୋକମାନଙ୍କର ସାମ୍ବିଧାନିକ ଅଧିକାରର ଉଲ୍ଲଙ୍ଘନ। ତେଣୁ ଏହା ହଟିବା ଜରୁରୀ।
ଅନ୍ୟ ଏକ ଦୃଷ୍ଟିରୁ ବିଚାର କଲେ ଇଣ୍ଟର୍ନେଟ ସେବା ବ୍ୟାହତ ହେବା ଦ୍ୱାରା କେବଳ ଲୋକମାନଙ୍କର ବାକ୍ ସ୍ୱାଧୀନତା ବ୍ୟାହତ ହୋଇନାହିଁ, ଏହା ଫଳରେ ହଜାର ହଜାର କୋଟି ଟଙ୍କାର ବ୍ୟବସାୟ ମଧ୍ୟ ବନ୍ଦ ହୋଇଯାଇଛି। ତାହା ଲୋକମାନଙ୍କର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ମୋଦୀ ସରକାର ୨୦୧୬ ନଭେମ୍ବର ୮ ତାରିଖ ରାତିରେ ବିମୁଦ୍ରାୟନ ନିଷ୍ପତ୍ତି ଘୋଷଣା କରିବା ପରଠାରୁ ସମଗ୍ର ଦେଶରେ ଡିଜିଟାଲ ଅର୍ଥ କାରବାର ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଲୋକମାନଙ୍କୁ ଡିଜିଟାଲ ଅର୍ଥ କାରବାରକୁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇ ଆସିଛନ୍ତି। ସେଥିପାଇଁ ପେଟିଏମ, ଭୀମଆପ୍ପ, ୟୁପିଆଇ, ଫୋନ୍ପେ, ଗୁଗ୍ଲପେ ଆଦି ବାଟ ବାହାରିଛି। ବିମୁଦ୍ରାୟନ ପରେ ଚା’ ଦୋକାନରୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଯାଏଁ ସବୁଠି ଡିଜିଟାଲ ଅର୍ଥ କାରବାର ବୃଦ୍ଧି ପାଇଛି। କିନ୍ତୁ ଜାମ୍ମୁକାଶ୍ମୀରରେ ୫ ମାସ ଧରି ଇଣ୍ଟର୍ନେଟ ବନ୍ଦ ରହିବା ଫଳରେ ଡିଜିଟାଲ ଅର୍ଥ କାରବାର ବନ୍ଦ ହୋଇଯାଇଛି। ଏହାର କୁପ୍ରଭାବ ବ୍ୟବସାୟ ଉପରେ ପଡ଼ିଛି। ଅବିଭକ୍ତ କାଶ୍ମୀରରେ ଇଣ୍ଟର୍ନେଟ ସେବା ୫ ମାସ ଧରି ବନ୍ଦ ରହିବା ଫଳରେ ବ୍ୟାଙ୍କ କାରବାର ମଧ୍ୟ ପ୍ରଭାବିତ ହୋଇଛି। ଆଜିକାଲି ଇଣ୍ଟର୍ନେଟ୍ ନଥିଲେ ବ୍ୟାଙ୍କରୁ ମଧ୍ୟ ଟଙ୍କା ଉଠାଣ ସହଜ ହେଉନାହିଁ। ନେଟ୍ୱାର୍କ ନଥିଲେ ବ୍ୟାଙ୍କ ଜରିଆରେ ଟଙ୍କା ପଠାଇବା ମଧ୍ୟ ସମ୍ଭବ ନୁହେଁ। ତେଣୁ ଡିଜିଟାଲ ଓ ବ୍ୟାଙ୍କ ଜରିଆରେ ହେଉଥିବା ବ୍ୟାବସାୟିକ କାରବାର ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି କାରଣରୁ ଜାମ୍ମୁକାଶ୍ମୀରର ବ୍ୟବସାୟୀମାନଙ୍କର ୧୦ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଛି ବୋଲି ବ୍ୟବସାୟୀ ସଙ୍ଘ ଅଭିଯୋଗ କରିଛି। ଏ କ୍ଷତିପୂରଣ କେନ୍ଦ୍ର ସରକାର ଦିଅନ୍ତୁ ବୋଲି ମଧ୍ୟ ସେମାନେ ଦାବି କରିଛନ୍ତି। ଇଣ୍ଟର୍ନେଟ୍ ସେବା ବ୍ୟାହତ ହେବା ଦ୍ୱାରା ଯେ କେବଳ ଲୋକମାନଙ୍କର ମତ ପ୍ରକାଶ କରିବାର ଅଧିକାର ବାଧାପ୍ରାପ୍ତ ହୋଇଛି ଏବଂ ବ୍ୟବସାୟୀମାନଙ୍କର ଆର୍ଥିକ କ୍ଷତି ହୋଇଛି ତାହା ନୁହେଁ ଅନେକ ପରୀକ୍ଷାର୍ଥୀ ଓ ଚାକିରିପ୍ରାର୍ଥୀ ମଧ୍ୟ ଫି ଜମା କରିବାରେ ଅସୁବିଧା ଭୋଗ କରିଛନ୍ତି। ଅନେକେ ବିଲ୍କୁଲ୍ ଫି ଜମା କରି ନପାରି ସମାନତା ଅଧିକାର ଅନୁସାରେ ନିଯୁକ୍ତି ଓ ପରୀକ୍ଷା ସୁଯୋଗର ଫାଇଦା ନେଇପାରି ନାହାନ୍ତି।
କୋର୍ଟଙ୍କ ମତ ଅନୁସାରେ ନିରାପତ୍ତା ଓ ବାକ୍ ସ୍ୱାଧୀନତା ମଧ୍ୟରେ ଭାରସାମ୍ୟ ରହିବା ଦରକାର। ତେବେ, ନିରାପତ୍ତା ପାଇଁ ଜାରି ହେଉଥିବା କଟକଣା ସାମୟିକ ହେବା ଦରକାର। ଏହା ଚିରସ୍ଥାୟୀ ବା ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ ହୋଇପାରିବ ନାହିଁ। ଯଦି ସରକାର କୌଣସି ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ କାରଣ ବିନା ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ କରି ଚାଲନ୍ତି ତେବେ ତାହା ସମ୍ବିଧାନର ୧୯ ଧାରା ଜରିଆରେ ପ୍ରଦାନ କରାଯାଇଥିବା ମୌଳିକ ଅଧିକାରର ଉଲ୍ଲଙ୍ଘନ ସାବିତ ହେବ। ଜାମ୍ମୁକାଶ୍ମୀରରେ ସରକାର ଏହି ସମ୍ବିଧାନ ବିରୋଧୀ କାର୍ଯ୍ୟ କରିଛନ୍ତି ବୋଲି ସୁପ୍ରିମ କୋର୍ଟ ଅନୁଭବ କରିଛନ୍ତି। ସେଥିପାଇଁ ଏଭଳି ରାୟ ଶୁଣାଇଛନ୍ତି। ଦେଶର କୌଣସି ଅଞ୍ଚଳରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବା ସରକାରଙ୍କର ଦାୟିତ୍ୱ। ସେହି ଅଞ୍ଚଳର ଲୋକମାନଙ୍କର ଧନଜୀବନର ସୁରକ୍ଷା କରିବା ମଧ୍ୟ ସରକାରଙ୍କ ଦାୟିତ୍ୱ। ରାଜ୍ୟର ବା ଦେଶର ଆଭ୍ୟନ୍ତରୀଣ ଓ ବାହ୍ୟ ନିରାପତ୍ତା ସୁଦୃଢ଼ କରିବା ମଧ୍ୟ ସରକାରଙ୍କ ଦାୟିତ୍ୱ। ମାତ୍ର, ସରକାର ଏହି ଦାୟିତ୍ୱ ପାଳନ କରିବାକୁ ଯାଇଁ ଲୋକମାନଙ୍କର ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଉଚ୍ଛେଦ କରିପାରିବେ ନାହିଁ। ଏହି ରାୟ ଜରିଆରେ ଏହି ବାର୍ତ୍ତା ପ୍ରେରଣ କରିଛନ୍ତି ସୁପ୍ରିମ କୋର୍ଟ। ଆଶା କରାଯାଉ ଉଭୟ ଜାମ୍ମୁକାଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନ ଓ କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କ ଏହି ନିର୍ଦ୍ଦେଶ ଅନୁସାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ଓ ତୁରନ୍ତ ଇଣ୍ଟର୍ନେଟ ଓ ୧୪୪ ଧାରା କଟକଣା ହଟେଇନେବେ। ଏହା ସହିତ ଭବିଷ୍ୟତରେ ଦେଶର ଅନ୍ୟ କୌଣସି ଅଞ୍ଚଳରେ ଏଭଳି ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ସୁପ୍ରିମ କୋର୍ଟଙ୍କର ଏହି ରାୟକୁ ଭଲଭାବରେ ତର୍ଜମା କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।