ସରକାର କ’ଣ ଶ୍ରେଷ୍ଠ ପ୍ରଶାସକଙ୍କ ରଫ୍‌ ଖାତା ?

ଦେବେନ୍ଦ୍ର ପୃଷ୍ଟି

ଆଇନ କହୁଛି ଯଦି ଜନସ୍ୱାର୍ଥ ପାଇଁ କାହାର ଜମି ଅଧିଗ୍ରହଣ କରିବାକୁ ପଡ଼େ ତେବେ ସରକାର ଆଗ ଆଇନ ଅନୁସାରେ ସଂପୃକ୍ତ ଲୋକମାନଙ୍କ ସହିତ ଆଲୋଚନା କରି ସହମତି ନେବେ। ସେଇ ଭିତ୍ତିରେ କ୍ଷତିପୂରଣ ଓ ଥଇଥାନ ପ୍ୟାକେଜ ଘୋଷଣା କରିବେ। ତା’ପରେ ଆଇନ ଅନୁସାରେ ଜମି ଅଧିଗ୍ରହଣ ବିଜ୍ଞପ୍ତି ଜାରି କରିବେ। ତା’ପରେ ଯେଉଁମାନଙ୍କର ଜମି ଅଧିଗ୍ରହଣ କରାଯିବ ସେମାନଙ୍କୁ ନୋଟିସ ଦିଆଯିବ। ତା’ପରେ ଯାଇଁ ଜମି ଅଧିଗ୍ରହଣ ହେବ।

କିନ୍ତୁ ପୁରୀକୁ ‘ଆଧୁନିକ ଐତିହ୍ୟ’ କରିବାକୁ ଯାଇ ପୁରାତନ ଐତିହ୍ୟ ଭାଙ୍ଗି ଚାଲିଥିବା ଶ୍ରେଷ୍ଠ ପ୍ରଶାସକଙ୍କ ସରକାର ତାହା କରିନଥିଲେ। ତାଙ୍କ ଧାରା ସଂପୂର୍ଣ୍ଣ ଓଲଟା। ଶ୍ରେଷ୍ଠ ପ୍ରଶାସକ ଆଗ ଶ୍ରୀମନ୍ଦିର ପ୍ରତି ନିରାପତ୍ତା ବିପଦ ରହିଥିବାରୁ ଶ୍ରୀମନ୍ଦିର ମେଘନାଦ ପାଚେରୀ କଡ଼ରୁ ୭୫ ମିଟର ଉଚ୍ଛେଦ ପାଇଁ ଘୋଷଣା କଲେ। ସେହି ଘୋଷଣାରେ ନୂଆ କୋଠାବାଡ଼ି, ପାର୍କ ଓ ହ୍ରଦ ଇତ୍ୟାଦି ନିର୍ମାଣ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ ଥିଲା।

ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଗଲା। ନିର୍ଦ୍ଧାରିତ ଚଉହଦୀରେ ଥିବା ଜବରଦଖଲକାରୀଙ୍କୁ ଏମିତିରେ ପୌରପାଳିକା ମଧ୍ୟ ଉଚ୍ଛେଦ କରିପାରିଥାନ୍ତା। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ରାଜ୍ୟ ସରକାରଙ୍କ ଅଭିଯାନ ଆବଶ୍ୟକ ନଥିଲା। କିନ୍ତୁ ଯେତେବେଳେ ‘ଆଧୁନିକ ଐତିହ୍ୟ’ ପାଇଁ ପୁରାତନ ଐତିହ୍ୟ ଏମାର ମଠ ସମେତ ୧୮ ପ୍ରାଚୀନ ମଠ ଓ ମନ୍ଦିର ଭଙ୍ଗାଗଲା ତାହାକୁ ଜୋରଦାର ବିରୋଧ ହେଲା। ବଡ଼ଦାଣ୍ଡରେ ମଠ ଘର ଭଡ଼ା ନେଇ ବହୁ ବର୍ଷ ତଳୁ ଦୋକାନ କରିଥିବା ଲୋକମାନେ ବି ସେଥିରେ ସାମିଲ ହେଲେ।

ସରକାର ଦେଖିଲେ ବାଣ ଓଲଟିଲା। ତେଣୁ ସେ ମଧ୍ୟ ପଇଟିଲେ। କୁହାଗଲା ଆଲୋଚନା କରିବା। ଆଲୋଚନା ବିଫଳ ହେଲା। ତେଣୁ ଲୋକଙ୍କୁ ପ୍ରଲୁବ୍ଧ କରିବା ପାଇଁ କ୍ଷତିପୂରଣ ଓ ଥଇଥାନ ପ୍ୟାକେଜ ଘୋଷଣା କରାଗଲା। ଅବଶ୍ୟ ଲୋଭେଇଲା ଭଳି ପ୍ୟାକେଜ। ବର୍ଗ ଫୁଟକୁ ପ୍ରାୟ ୬ ହଜାର ଟଙ୍କାର ଲୋଭ। ଏହି ଦରରେ ଭୁବନେଶ୍ୱରରେ ବି ଜମି ବିକ୍ରି ହେଉ ନଥିବ।

ଯାହା ହେଉ ମଠାଧୀଶମାନଙ୍କର ଅପଖ୍ୟାତି ଓ ଲୋକମାନଙ୍କର ଉଦାସୀନତାକୁ ଆଧାର କରି ଶ୍ରେଷ୍ଠ ପ୍ରଶାସକଙ୍କ ଚରମାନେ କୂଟନୀତିରେ ସଫଳ ହେଲେ ଏବଂ ମେଘନାଦ ପାଚେରୀ ଚାରିକଡ଼େ ଭଙ୍ଗାଭଙ୍ଗି ଅବ୍ୟାହତ ରହିଲା। ତେଣିକି ‘ଆଧୁନିକ ଐତିହ୍ୟ’ ବା ବିଶ୍ୱ ସ୍ତରୀୟ ପୁରୀ ସହର କେବେ ନିର୍ମାଣ ହେବ ତାହା ଭବିଷ୍ୟତ ଦେଖିବ। ରାଜଧାନୀ ଭୁବନେଶ୍ୱରର ବିଶ୍ୱ ସ୍ତରୀୟ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଯେମିତି ଓଡ଼ିଶାବାସୀ ଦେଖୁଛନ୍ତି!

ପୁରୀରେ ମଠଭଙ୍ଗା ଯେମିତି ଓଲଟା କଥା ମୋଟର ଯାନ ଆଇନ ନେଇ ଜୋରିମାନା ବୃଦ୍ଧି ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ମଧ୍ୟ ସେମିତି ଓଲଟା କାମ କଲେ ଶ୍ରେଷ୍ଠ ପ୍ରଶାସକଙ୍କ ସରକାର। ଦୁର୍ଘଟଣା ଓ ଜୀବନହାନୀ ରୋକିବାକୁ କେନ୍ଦ୍ର ସରକାର ମୋଟର ଯାନ ଆଇନରେ ସଂଶୋଧନ କରି ଜୋରିମାନା ହାର ବଢ଼େଇଛନ୍ତି। ଏ ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଏକ ନିୟମ ପ୍ରଣୟନ କରିବା କଥା। କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସେହି ନିୟମ ଏଯାଏଁ ପ୍ରଣୀତ ହୋଇନାହିଁ। ଏହି ଆଇନ ସଂପର୍କରେ ରାଜ୍ୟ ସରକାରଙ୍କ ତରଫରୁ ଜନ ସଚେତନତା ବା ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଆଇନ କାର୍ଯ୍ୟକାରୀ ହେଲା। ନିର୍ବାଚନ ପୂର୍ବରୁ ପ୍ରତି ଯୋଜନା ଓ ନିଷ୍ପତ୍ତି ନେଇ ଯେପରି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ବିଭିନ୍ନ ଖବରକାଗଜରେ ପୃଷ୍ଠା ପୃଷ୍ଠା ବିଜ୍ଞାପନ ପ୍ରକାଶ ପାଉଥିଲା ନୂଆ ମୋଟର ଯାନ ଆଇନ ନେଇ ସେଭଳି ଥରେ ହେଲେ ବିଜ୍ଞାପନଟିଏ ବାହାରିଥାନ୍ତା! ଲୋକଙ୍କୁ ଗାଡ଼ି କାଗଜପତ୍ର ଠିକ କରିବାକୁ କିଛି ସମୟ ଦିଆଯାଇଥାନ୍ତା!

ତାହା ହେଲା ନାହିଁ। ସରକାର ଭୁବନେଶ୍ୱରରୁ ଜୋରିମାନା ଆଦାୟ ଆରମ୍ଭ କଲେ। କେଉଁଠି ୨୫ ହଜାର ଟଙ୍କାର ଅଟୋ ଉପରେ ୪୭ ହଜାର ଟଙ୍କାର ଜୋରିମାନା ପଡ଼ିଲା ତ କେଉଁଠି ୧୫ ହଜାର ଟଙ୍କାର ବାଇକ୍‌ ଉପରେ ୧୦ ହଜାରର ନୋଟିସ୍‌। ଶ୍ରେଷ୍ଠ ପ୍ରଶାସକ ପୁଲିସ ନିରାପତ୍ତା ବଳୟ ଭିତରେ ରହିଲେ, ଜନ ଅସନ୍ତୋଷର ସାମ୍ନା କଲେ ପୁଲିସ ବଳ। ଅସନ୍ତୋଷ ବିଦ୍ରୋହର ରୂପ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ୩ ମାସ ମହଲତ ଦେଲେ। ଗାଡ଼ି କାଗଜପତ୍ର ଠିକ କରିବାକୁ ଅଧିକ ଆରଟିଓ କେନ୍ଦ୍ର ଇତ୍ୟାଦି ଖୋଲିବାକୁ ମଧ୍ୟ ଘୋଷଣା କଲେ। ଏହା ମଧ୍ୟ ଏକ ଓଲଟା ଗତି। ମଝିରେ କିଛି ଲୋକ ହଇରାଣ ହେଲେ, ପୁଲିସ ନିନ୍ଦା ପାଇଲା, ପରିବହନ ବିଭାଗ ବଦନାମ ହେଲା।

ଲୋକ ଓ ସରକାରଙ୍କ ମଧ୍ୟରେ ଏହାକୁ ନେଇ ବ୍ୟବଧାନ ବୃଦ୍ଧି ପାଉଥିବା ଭିତରେ ସେପ୍ଟେମ୍ବର ୧୦ ତାରିଖରେ ଗୁଜରାଟ ସରକାର ତାଙ୍କ ରାଜ୍ୟରେ କେନ୍ଦ୍ରୀୟ ଆଇନରେ ଥିବା ଜୋରିମାନା କମେଇ ଲାଗୁ କରିବାକୁ ନିଷ୍ପତ୍ତି ନେଲେ। ରାତି ପାହିଲା ବେଳକୁ ଲୋକେ ତାହା ଜାଣିଲେ ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଶେଷ ନିଃଶ୍ୱାସ ଯାଏଁ କଠିନ ପରିଶ୍ରମ କରିବାର ସଂକଳ୍ପ ପ୍ରଚାର କରିଥିବା ଶ୍ରେଷ୍ଠ ପ୍ରଶାସକଙ୍କ ବୁଦ୍ଧି ଓ ଜନପ୍ରେମକୁ ସନ୍ଦେହ କଲେ। ଭାବମୂର୍ତ୍ତି ମଳିନ ପଡ଼ିବା ଆଶଙ୍କା ହେବାରୁ ପରିବହନ ସଚିବଙ୍କ ମୁହଁରେ କୁହାଗଲା ଯେ ରାଜ୍ୟରେ ଜୋରିମାନା କମ୍‌ କରିବାକୁ ସରକାର ଚିନ୍ତା କରୁଛନ୍ତି। ଏଇ ଚିନ୍ତାଟି କ’ଣ ଆଗରୁ କରାଯାଇ ପାରିନଥାନ୍ତା? ନା ଚିନ୍ତା କରିବା ପାଇଁ ଶ୍ରେଷ୍ଠ ପ୍ରଶାସକଙ୍କ ଶାସନ ବ୍ୟବସ୍ଥାରେ ମୁଣ୍ଡର ଅଭାବ ଥିଲା, ଗୁଜରାଟରୁ ମୁଣ୍ଡ ଆସିବା ପରେ ଚେତା ପଶିଲା! (ଅବଶ୍ୟ ନିନ୍ଦୁକମାନେ କହୁଛନ୍ତି ଯେ ଏହାକୁ କେନ୍ଦ୍ରୀୟ ଆଇନ କହି ଜୁଲମ ବଢ଼େଇ ବିଜେପିକୁ ବଦନାମ କରିବାକୁ ଚକ୍ରାନ୍ତ ହୋଇଥିଲା। କିନ୍ତୁ ଗୁଜରାଟର ବିଜେପି ସରକାର ଜୋରିମାନା କମେଇବାରୁ ବଦନାମ ବାଣ ବୁମେରାଂ ହେବ ଭାବି ଓଡ଼ିଶା ସରକାର ମଧ୍ୟ ଜୋରିମାନା କମେଇବାକୁ ଚିନ୍ତା ପ୍ରକଟ କଲେ।)

ଶ୍ରେଷ୍ଠ ପ୍ରଶାସକଙ୍କ ଶାସନ କାଳରେ ଏମିତି ଡଜନ ଡଜନ ଉଦାହରଣ। ନିୟମଗିରି ବକ୍ସାଇଟ ଖଣି ପ୍ରକଳ୍ପ ମଧ୍ୟ ଏଇପରି ଓଲଟା ରୀତିରେ ହେଉଥିଲା। ସୁପ୍ରିମ କୋର୍ଟ ବାଟରେ ପକେଇବାରୁ ପ୍ରକଳ୍ପ ଖାରଜ ହେଲା। ପୋସ୍କୋ ପ୍ରକଳ୍ପ ହେଇପାରିଲାନି ଖାସ୍‌ ଏଇ ଓଲଟା ରୀତି ଯୋଗୁଁ। ଲୋକଙ୍କୁ ନପଚାରି ସରକାର ଜମି ଅଧିଗ୍ରହଣ କରୁଥିଲେ। ବିରୋଧ ହେଲା, କମ୍ପାନୀ ଫେରିଗଲା। ଖଣ୍ଡାଧାର ଖଣି ପାଇଁ ମଧ୍ୟ ସେଇ ରୀତି। ଏଯାଏଁ ଖଣ୍ଡାଧାର ଖଣି ପ୍ରକଳ୍ପ ଫଇସଲ ହୋଇନାହିଁ।

ତରବରିଆ ଭାବେ ମୁଣ୍ଡ ନଖେଳେଇ ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ ନକରି ସବୁ ନାଁ ନିଜେ ନେବାର ଲୋଭରୁ ଶ୍ରେଷ୍ଠ ପ୍ରଶାସକ ଏଭଳି ଅନେକ କାମ କରନ୍ତି। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରୀ କରିବା ସମୟରେ ବାଛବିଚାର ନକରି ଅନେକ ଅଯୋଗ୍ୟ ଲୋକଙ୍କୁ ରାସନ କାର୍ଡ଼ ଦିଆଗଲା। ସେଥିରେ ବିଜେଡି ଲୋକମାନେ ଧରାପଡ଼ିବାରୁ ଅନେକ ଅଯୋଗ୍ୟଙ୍କ କାର୍ଡ଼ ଫେରେଇ ନିଆଗଲା, ଜୋରିମାନା ଆଦାୟ ହେଲା। ଏବେ କାଳିଆ ଯୋଜନା ମଧ୍ୟ ସେମିତି। ଅନେକ ଅଯୋଗ୍ୟ ହିତାଧିକାରୀ ବାହାରିବାରୁ ସରକାର କହୁଛନ୍ତି ଟଙ୍କା ଫେରସ୍ତ ନେବେ। କେମିତି? କେବେ?

ଶ୍ରେଷ୍ଠ ପ୍ରଶାସକଙ୍କ ଶାସନ କଳ ଭାଗଚାଷୀ ଚିହ୍ନଟ କରିବାକୁ ଏଯାଏଁ ଆଇନ ପ୍ରଣୟନ କରିନାହିଁ। କେତେ କମିଶନ ଓ କମିଟି ଗଲାଣି। ତଥାପି ଶାସନ କଳ ୭୫ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦେଉଛି ବୋଲି ଦାବି କରୁଛି। ଘରବାଡ଼ିରେ ଦି’ବୁଦା ଲଙ୍କା ଗଛ ଲଗେଇଥିବା ଲୋକକୁ ବି ଭୋଟର ଭାବି କାଳିଆ ହିତାଧିକାରୀ କରିଦେଇଛନ୍ତି ସରକାର। ଆଉ ଏବେ ତ୍ରୁଟି ସୁଧାରୁଛନ୍ତି। ସତେ କି ସରକାର ସ୍କୁଲ ପିଲାର ରଫ୍‌ ଖାତା! ଭୁଲଠିକ ହିସାବ, ଓଭର ରାଇଟିଂ, କଟାକଟି, ସବୁ ଦେଖିବାକୁ ମିଳେ ରଫ୍‌ ଖାତାରେ।