ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ନିର୍ବାଚନ ପାଖେଇ ଆସିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇ ରାଜନୀତିକ ଗୋଟିଚାଳନା କରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’କୁ ପ୍ରସଙ୍ଗ କରିଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନର ନିରବତା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଓଡ଼ିଶା ପାଇଁ ଏହି ଦାବି ଦୋହରାଇଛନ୍ତି। ତେବେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଉଦ୍ଦିଷ୍ଟ ମାନଦଣ୍ଡକୁ ଓଡ଼ିଶା କିଭଳି ପୂରଣ କରୁଛି ତା’ର ଯୁକ୍ତିଯୁକ୍ତ କାରଣ ନଦର୍ଶାଇ ନବୀନ ତାଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଗତି କିଭଳି ଗତିଶୀଳ ହୋଇଛି ତାହା ବଖାଣିଛନ୍ତି। ଆଉ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଓ କେନ୍ଦ୍ର ସରକାରଙ୍କ ଅଧିକାରଭୁକ୍ତ କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଥିବାକୁ ଆଳ କରି ନବୀନ ଏହି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଦାବି ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନବୀନ ଲେଖିଥିବା ୩ ପୃଷ୍ଠାର ଚିଠିକୁ ବିଶ୍ଲେଷଣ କଲେ ଏହା କେବଳ ନିର୍ବାଚନୀ ବର୍ଷରେ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବାକୁ ଉଦ୍ଦିଷ୍ଟ ବୋଲି ତଥ୍ୟାଭିଜ୍ଞ ମହଲ ମତ ଦେଇଛନ୍ତି।
ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,୧୯୦୦ ମସିହାରୁ ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ରାଜ୍ୟର ୯୦% ଜନସଂଖ୍ୟା ଓ ୮୦ % ଅଞ୍ଚଳ ଏହି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାନ୍ତି। ଏବେ ଅର୍ଥ କମିଶନଙ୍କ ସୁପାରିସରେ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି (ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ) ହାର ସ୍ଥିରୀକୃତ ହେଉଛି, ଯାହାକି କେବଳ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଖର୍ଚ୍ଚ ହେଉଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଅତିରିକ୍ତ ସହାୟତା ଭାବେ ଯାହା ମିଳୁଛି, ତାହା ପର୍ଯ୍ୟାପ୍ତ ହେଉନି ।ତେଣୁ ବାଧ୍ୟ ହୋଇ ରାଜ୍ୟକୁ ନିଜ ପାଣ୍ଠିରୁ ଏସବୁ ତୁଲାଇବାକୁ ପଡ଼ୁଛି। ସେହିପରି କେନ୍ଦ୍ର ସରକାରଙ୍କ ଅଧିକାରଭୁକ୍ତ କ୍ଷେତ୍ର ଯଥା ଟେଲି ସାନ୍ଦ୍ରତା, ରେଳବାଇ ନେଟୱାର୍କ, ବ୍ୟାଙ୍କିଙ୍ଗ୍ ନେଟୱାର୍କ, ଜାତୀୟ ରାଜପଥ ଓ ବିମାନ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଅପେକ୍ଷାକୃତ ପଛରେ ପଡ଼ିଛି। ତେଣୁ ଏସବୁ କାରଣକୁ ଦୃଷ୍ଟିରେ ରଖି ‘ସ୍ୱତନ୍ତ୍ର ରାଜ୍ୟ’ ପାହ୍ୟା ମାନ୍ୟତା ଦେବାକୁ ନବୀନ ଆଜି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିଲେ ଓଡ଼ିଶାରେ ଶିଳ୍ପାୟନର ବିକାଶ ଗତିଶୀଳ ହେବା ସହ ଯୁବକଯୁବତୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।
ନବୀନ ମଧ୍ୟ ତାଙ୍କ ଚିଠିରେ ନିଜ ସରକାରର ପ୍ରଶଂସା କରି ଲେଖିଛନ୍ତି ଯେ ଐତିହାସିକ କେନ୍ଦ୍ରୀୟ ଅବହେଳା ଓ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି। ୨୦୧୪-୧୫ରୁ ଏପର୍ଯ୍ୟନ୍ତ ବିଭିନ୍ନ ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯୋଜନାରେ ୨୦ଲକ୍ଷ ପକ୍କାଘର ନିର୍ମାଣ ହୋଇଛି। ରାଜ୍ୟକୁ ଏନେଇ ପୁରସ୍କାର ମଧ୍ୟ ମିଳିଛି। ସେହିପରି ୨୦୦୦ ମସିହାରେ ରାଜ୍ୟରେ ୧୬ଲକ୍ଷ ବିଦ୍ୟୁତ ଉପଭୋକ୍ତା ଥିବାବେଳେ ଏବେ ଏହା ୭୨ ଲକ୍ଷରେ ପହଞ୍ଚଛି। ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ଅତିରିକ୍ତ ୮ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିଛି। ୫ଥର ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ମିଳିଥିବାବେଳେ ଦେଶର ସର୍ବାଧିକ ଦାରିଦ୍ର୍ୟ ହ୍ରାସ କରିବାର ରେକର୍ଡ ମଧ୍ୟ ଓଡ଼ିଶାର ରହିଛି। ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ୨୪.୬୧% ଦାରିଦ୍ର୍ୟ ହ୍ରାସ ପାଇଛି। ମମତା ଯୋଜନାରେ ୩୧ଲକ୍ଷ ଗର୍ଭବତୀ ମହିଳାଙ୍କୁ ଡିବିଟି ଜରିଆରେ ସହାୟତା ପ୍ରଦାନ, ଟୀକାକରଣ, ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସରେ ରେକର୍ଡ, ୭୦ଲକ୍ଷ ମହିଳାଙ୍କୁ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସାମିଲ କରି ସେମାନଙ୍କୁ ଉପାର୍ଜନକ୍ଷମ କରାଇବା ସଙ୍ଗେସଙ୍ଗେ ଗ୍ରାମାଞ୍ଚଳ ଯୁବକଙ୍କ ଦକ୍ଷତା ବିକାଶ ପାଇଁ କ୍ରମାଗତ ଦୁଇଥର ଶ୍ରେଷ୍ଠ ପୁରସ୍କାର ଓଡ଼ିଶା ହାସଲ କରିଛି। ଗତ ୬ବର୍ଷ ମଧ୍ୟରେ ରାଜ୍ୟର ଜିଡିପି ୫୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି ନବୀନ ଦର୍ଶାଇଛନ୍ତି।
ତଥ୍ୟାଭିଜ୍ଞଙ୍କ ମତରେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସରେ ସ୍ୱତନ୍ତ୍ର ରାଜ୍ୟ ଓ ଅଣସ୍ୱତନ୍ତ୍ର ରାଜ୍ୟ ମଧ୍ୟରେ କୌଣସି ପ୍ରଭେଦ ରଖାଯାଇନାହିଁ। ତା’ଛଡ଼ା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନିମନ୍ତେ କୌଣସି ରାଜ୍ୟକୁ ମୁଖ୍ୟତଃ ୫ଟି ମାନଦଣ୍ଡ ପାଳନ କରିବା ଜରୁରୀ। ୧- ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳ, ୨- କମ ଜନସଂଖ୍ୟା ସାନ୍ଦ୍ରତା ଅଥବା ଅଧିକ ସଂଖ୍ୟକ ଜନଜାତିଙ୍କ ଉପସ୍ଥିତି, ୩- ପଡ଼ୋଶୀ ରାଷ୍ଟ୍ରର ସୀମା ସହ ସ୍ଟ୍ରାଟେଜିକ ଅବସ୍ଥିତି, ୪- ଆର୍ଥିକ ଓ ଭିତ୍ତିଭୂମି ଦୃଷ୍ଟିରୁ ପଛୁଆ ଏବଂ ୫- ଅଭାବୀ ରାଜ୍ୟ ଆର୍ଥିକ ନୀତି ଭଳି ମାନଦଣ୍ଡ ପୂରଣ କରୁଥିଲେ ଯେକୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ମିଳିପାରିବ।
ଗୋଟିଏପଟେ ଏ ସମସ୍ତ ମାନଦଣ୍ଡ ପୂରଣ କରିବାରେ ଓଡ଼ିଶା ବିଫଳ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟ ବିକାଶ ସଫଳତାର ଗାଥା ପ୍ରତି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇ ସ୍ୱତନ୍ତ୍ର ପାହ୍ୟା ଦାବି କରୁଛନ୍ତି। ପ୍ରଶ୍ନ ଉଠୁଛି, ଯଦି ବିକାଶ ଏତେ ବ୍ୟାପକ ହୋଇଛି ଓ ଜାତୀୟ ହାର ତୁଳନାରେ ଅଭିବୃଦ୍ଧି ହାର କ୍ଷେତ୍ରରେ ଓଡ଼ିଶାର ସ୍ଥିତି ସୁଦୃଢ଼ ଅଛି ତା’ହେଲେ ପୁଣି ଏହି ସ୍ୱତନ୍ତ୍ର ପାହ୍ୟା ଦାବି କାହିଁକି? ତା’ଛଡ଼ା ଡିସେମ୍ବର ୨୬ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସରେ ନବୀନ ଏହି ପ୍ରସଙ୍ଗ ଉଠାଇ ସ୍ୱତନ୍ତ୍ର ପାହ୍ୟା ବଦଳରେ ‘ଆର୍ଥିକ ସ୍ୱାୟତ୍ତତା’ ଦାବି କରିଥିଲେ। ଏବେ ନବୀନ ପୁଣିଥରେ ସେହି ସ୍ୱତନ୍ତ୍ର ପାହ୍ୟା ଦାବିକୁ ଫେରିବା ଯେ କେବଳ ଏକ ପ୍ରାକ ନିର୍ବାଚନୀ ରାଜନୀତିକ କାର୍ଡ ତାହା ପ୍ରମାଣିତ କରିଛନ୍ତି ମାତ୍ର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।