ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ଡଙ୍କାରୀରେ ବେଆଇନ୍ ଖନନ ମାମଲାରେ ରାଜ୍ୟ ସରକାରଙ୍କୁ ଏନ୍ଜିଟି ଛାଟ ଲାଗିଛି। ବର୍ଷ ବର୍ଷ ଧରି ଚାଲିଥିବା ବେଆଇନ୍ ଖାଦାନ ଲୁଟ୍ ପାଇଁ ସିଧାସଳଖ ସରକାରଙ୍କୁ ଦାୟୀ କରିଛନ୍ତି ଏନ୍ଜିଟି। ଏପରିକି ନଷ୍ଟ ହୋଇଥିବା ପରିବେଶର ଭରଣା ପାଇଁ ମାସକ ଭିତରେ ଅନ୍ତରୀଣ ଭାବେ ୨୫ କୋଟି ଟଙ୍କା ଜୋରିମାନା ପୈଠ ପାଇଁ ନିର୍ଦ୍ଦେଶ ବି ଦେଇଛନ୍ତି। ହେଲେ ୩ ସପ୍ତାହ ପରେ ବି ଏଇ ନିର୍ଦ୍ଦେଶ ପାଇ ନଥିବା କହି ମୁଣ୍ଡରୁ ଦାୟିତ୍ୱ ଖସାଇବାକୁ ଉଦ୍ୟମ କରିଛନ୍ତି ଉଭୟ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର।
ଆଇନ୍ ଆଖିରେ ଆଙ୍ଗୁଳି ଗେଞ୍ଜି ବର୍ଷ ବର୍ଷ ଧରି ଚାଲିଥିବା ବେଆଇନ୍ ଖନନ ପାଇଁ ଦାୟିତ୍ୱରେ ଥିବା ଅଧିକାରୀ ଦାୟୀ। ଗତ ୪ ତାରିଖରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ଏହି ରାୟ ଦେଇଛନ୍ତି। ଡଙ୍କାରୀ ପାହାଡ଼ରେ ବେଆଇନ୍ ଖନନ ଜନିତ ପରିବେଶ ନଷ୍ଟ ପାଇଁ ରାଜ୍ୟ ସରକାର ନିଜ ମୁଣ୍ଡରୁ ଦୋଷ ଖସାଇ ପାରିବେ ନାହିଁ ବୋଲି ରାୟରେ ସ୍ପଷ୍ଟ ଭାବେ କୁହାଯାଇଛି। କେବଳ ସେତିକି ନୁହେଁ, ଅନ୍ତରୀଣ କ୍ଷତିପୂରଣ ବାବଦକୁ ସେଣ୍ଟ୍ରାଲ୍ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ନିକଟରେ ୨୫ କୋଟି ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ବି ଦେଇଛନ୍ତି ଏନ୍ଜିଟି। ଏଥିସହ ଦାୟୀ ଅଫିସର, ଖଣି ଓ କ୍ରସର ମାଫିଆଙ୍କଠାରୁ ଏହି ଅର୍ଥ ଭରଣା ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି।
ବେଆଇନ୍ ଖନନ ଦ୍ୱାରା କେତେ ରାଜସ୍ୱ ହାନି ହୋଇଛି, ବାସ୍ତବରେ ପରିବେଶକୁ କେତେ କ୍ଷତି ହୋଇଛି, ବର୍ତ୍ତମାନ ସମୟରେ ଏହାର କ୍ଷତିଭରଣା ପାଇଁ କେତେ ଅର୍ଥ ଦରକାର- ଏସବୁର ଆକଳନ ପାଇଁ ଧାନବାଦ ସ୍ଥିତ ଇଣ୍ଡିଆନ୍ ସ୍କୁଲ ଅଫ୍ ମାଇନ୍ସ ଏବଂ ଡେରାଡୁନ୍ ସ୍ଥିତ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ସଦସ୍ୟଙ୍କୁ ନେଇ ଏନ୍ଜିଟି ଏକ ଟିମ୍ ମଧ୍ୟ ଗଠନ କରିଛି। ଏହି ଟିମ୍ ଦ୍ୱାରା ସରଜମିନ ତଦନ୍ତ ପରେ ପ୍ରକୃତ କ୍ଷତିପୂରଣ ରାଶି ସ୍ଥିର କରାଯିବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି।
ସେଣ୍ଟ୍ରାଲ୍ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ନିକଟରେ ମାସକ ମଧ୍ୟରେ ୨୫ କୋଟିର କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଏନ୍ଜିଟିଙ୍କ ରାୟରେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏପରିକି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଇମେଲ୍ ଯୋଗେ ଏଇ ନିର୍ଦ୍ଦେଶ ପଠାଯାଇଥିବା ରାୟରେ ଉଲ୍ଲେଖ ରହିଛି। ହେଲେ ଉଦ୍ବେଗର ବିଷୟ ହେଲା ୩ ସପ୍ତାହ ପରେ ବି ସରକାର ଓ ସ୍ଥାନୀୟ ପ୍ରଶାସନ କହୁଛନ୍ତି, "ଚିଠି ମିଳିନି।"
ଏପରିକି ଖୋଦ୍ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ମଧ୍ୟ କିଛି କହିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ନିର୍ବାଚନ ସମୟ। ଆଉ କିଛି କହବା ଭଳି ଅବସ୍ଥାରେ ନାହିଁ।” ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, “କ’ଣ ରାୟ ଅଛି ଆମେ ତା’ର ଅନୁଧ୍ୟାନ କରିନାହୁଁ। ସେଥିରେ ରିଭ୍ୟୁର ସୁଯୋଗ ରହିଛି ନାହିଁ ଏହା ଅନୁଧ୍ୟାନ କରିବା ପରେ ନିଷ୍ପତ୍ତି ନେବୁ।”
ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି, “ସେମିତି କିଛି ନିଷ୍ପତ୍ତି ଆମେ ପାଇନାହୁଁ। ତାହା ଆମର ହସ୍ତଗତ ହେବା ପରେ କ’ଣ ପଦକ୍ଷେପ ନେବୁ, ସ୍ଥିର କରିବୁ।”
ଯାଜପୁର ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ନିଶ ତଳେ ବର୍ଷ ବର୍ଷ ଧରି ଚାଲିଥିଲା ଡଙ୍କାରୀ ପାହାଡ଼ ଲୁଟ୍। ପାହାଡ଼ର ମାତ୍ର ୪ଟି ଉତ୍ସ ପାଇଁ ପରିବେଶ ମଞ୍ଜୁରୀ ମିଳିଥିଲେ ବି ୧୫ ବର୍ଷ ଧରି ୧୬ଟି ଉତ୍ସରୁ ଚାଲିଥିଲା ବେଆଇନ୍ ପଥର ଖାଦାନ ଖୋଳା କାର୍ଯ୍ୟ। ଗଣମାଧ୍ୟମରେ ଖବର ପ୍ରସାରଣ ଓ ଏନ୍ଜିଟିର ଛାଟ ପରେ ଗତବର୍ଷ ଅକ୍ଟୋବର ମାସରେ ଚେଇଁଥିଲେ ସରକାର। ଚଢ଼ଉ ପରେ ବନ୍ଦ ହୋଇଥିଲା ପଥର ଖାଦାନ। ହେଲେ ଏବେ ପ୍ରଶ୍ନ ଏନ୍ଜିଟି ସିଧାସଳଖ ସରକାରଙ୍କୁ ଏଥିପାଇଁ ଦାୟୀ କରିବା ପରେ ୨୫ କୋଟି କେବେ ଏବଂ କେଉଁଠୁ ପୈଠ କରିବେ ସରକାର ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।