- ଦେବେନ୍ଦ୍ର ପୃଷ୍ଟି
ରାମାୟଣରେ ସୀତାଙ୍କୁ କେବଳ ଅପହରଣ କରିଥିଲା ରାବଣ। ତାଙ୍କୁ ଛୁଇଁ ବି ନଥିଲା। ତଥାପି ସେ ବିଷୟରେ ରାବଣ ଦରବାରରେ ଚର୍ଚ୍ଚା ହୋଇଥିଲା। ବିଭୀଷଣ ବଡ଼ଭାଇ ରାବଣର ସେହି କାର୍ଯ୍ୟକୁ ବିରୋଧ କରିବା ସହିତ ସୀତାଙ୍କୁ ଫେରେଇ ଦେବାକୁ ପରାମର୍ଶ ଦେଇଥିଲେ ନା ନାହିଁ? ତାହା ରାଜନୀତିର ଅଂଶବିଶେଷ ଥିଲା ନା ନାହିଁ? ରାବଣ କବ୍ଜାରୁ ମା’ ସୀତାଙ୍କୁ ମୁକ୍ତ କରିବା ପାଇଁ ଏକ ଯୁଦ୍ଧ ହୋଇଥିଲା। ସେ ଯୁଦ୍ଧ କ’ଣ ରାଜନୀତିର ଅଂଶବିଶେଷ ନଥିଲା? ରାମ-ରାବଣ ଯୁଦ୍ଧରେ ରାବଣର ମୃତ୍ୟୁ ହେଲା ପରେ ଲଙ୍କାରେ ସତ୍ତା ପରିବର୍ତ୍ତନ ହୋଇଥିଲା କି ନାହିଁ?
ମହାଭାରତରେ ଦ୍ରୌପଦୀଙ୍କ ପ୍ରତି ମଧ୍ୟ କୌରବମାନେ ଦୁଷ୍କର୍ମ କରି ନଥିଲେ। ଦୁଃଶାସନ ତାଙ୍କର ମାତ୍ର ବସ୍ତ୍ର ହରଣ କରିଥିଲା। ତଥାପି ତାହା ଏକ ରାଜନୀତିକ ପ୍ରସଙ୍ଗରେ ପରିଣତ ହୋଇଥିଲା। ଭଗବାନ ଶ୍ରୀକୃଷ୍ଣ ବାରମ୍ବାର ସେହି କଥା ପାଣ୍ଡବ ପାଞ୍ଚ ଭାଇଙ୍କୁ ମନେ ପକାଇ ଦେଉଥିଲେ। ତାହା ରାଜନୀତି ଥିଲା ନା ନାହିଁ? ରାଜ୍ୟ ବଣ୍ଟନ ସହିତ ଦ୍ରୌପଦୀ ପ୍ରସଙ୍ଗକୁ ଯୋଡ଼ି ମହାଭାରତ ଯୁଦ୍ଧ ହେଲା। ଯୁଦ୍ଧରେ କୁରୁବଂଶ ଧ୍ୱଂସ ହେଲା ଓ ସତ୍ତା ପରିବର୍ତ୍ତନ ହୋଇ ଶାସନ କ୍ଷମତା ପାଣ୍ଡବଙ୍କ ହାତକୁ ଗଲା। ତାହା ରାଜନୀତି ନଥିଲା କି?
ଭାରତବର୍ଷର ଅନେକ ପୁରାଣ ଓ ଇତିହାସରେ ନାରୀର ଅମର୍ଯ୍ୟାଦା ଏହିପରି ରାଜନୀତିକ ପ୍ରସଙ୍ଗରେ ପରିଣତ ହୋଇଛି। ଆଧୁନିକ ଯୁଗରେ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ମହିଳାଙ୍କ ପ୍ରତି ହୋଇଥିବା ଦୁଷ୍କର୍ମ, ଅତ୍ୟାଚାର ଆଦି ବିରୋଧରେ ରାଜନୀତିକ ଓ ସାମାଜିକ ସ୍ତରରେ ଆନ୍ଦୋଳନ ହୋଇଛି। ଦିଲ୍ଲୀର ନିର୍ଭୟା ଘଟଣା ପରେ ସମଗ୍ର ଦେଶରେ ସାମାଜିକ ଓ ରାଜନୀତିକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତାହା କ’ଣ ହୀନ ରାଜନୀତି ଥିଲା? ୧୯୮୦ ଦଶକରେ ଓଡ଼ିଶାରେ ଛବିରାଣୀ ଧର୍ଷଣ ଓ ହତ୍ୟା ଏକ ପ୍ରମୁଖ ରାଜନୀତିକ ପ୍ରସଙ୍ଗ ଥିଲା। ତାହା କ’ଣ ହୀନ ରାଜନୀତି ଥିଲା? ୧୯୯୦ ଦଶକର ଶେଷ ଭାଗକୁ ଅଞ୍ଜନା ମିଶ୍ର ପ୍ରସଙ୍ଗ ମଧ୍ୟ ଓଡ଼ିଶା ରାଜନୀତିକୁ ଆଚ୍ଛନ୍ନ କରି ରଖିଥିଲା। ସେତେବେଳେ ବିରୋଧୀ ପକ୍ଷରେ ଥିବା ଜନତା ଦଳ ଓ ପରେ ବିଜୁ ଜନତା ଦଳ ବି ଏହାକୁ ଏକ ପ୍ରସଙ୍ଗ ଭାବେ ବ୍ୟବହାର କରିଥିଲେ। ତାହା କ’ଣ ହୀନ ରାଜନୀତି ଥିଲା?
ଏବେକାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ଦୁଇ ଦଶନ୍ଧିର ଶାସନ କାଳରେ ମହିଳାଙ୍କ ବିରୋଧରେ ଏହିପରି ଅପରାଧ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଅନେକ ଘଟଣାରେ ଦୋଷୀମାନଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ହେଉନାହିଁ। ବରଂ ଦୋଷୀମାନଙ୍କୁ ଖସେଇ ଦେବାକୁ ପୁଲିସ ଓ ପ୍ରଶାସନ ତରଫରୁ ନାନାଦି ଫନ୍ଦିଫିକର କରାଯାଉଛି। କେଉଁଠି ଅନ୍ତର୍ବସ୍ତ୍ରର ଫୋରେନ୍ସିକ ରିପୋର୍ଟ ବଦଳାଇ ଦିଆଯାଉଛି ତ କେଉଁଠି ସାକ୍ଷୀମାନଙ୍କୁ ଧମକ୍ ଦିଆଯାଇ ବୟାନ ବଦଳାଇ ଦିଆଯାଉଛି। କେଉଁଠି ଧମକ୍ ଦିଆଯାଇ ପୀଡ଼ିତା ପରିବାରର ମୁହଁ ବନ୍ଦ କରିଦିଆଯାଉଛି ତ କେଉଁଠି ନିରପେକ୍ଷ ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କୁ ବଦଳାଇ ଦିଆଯାଉଛି। କେଉଁଠି ଶାସକ ଦଳ ସମର୍ଥକ ସରକାରୀ ଓକିଲଙ୍କୁ ହାତ କରି ମାମଲା ଦଫାରଫା କରିଦିଆଯାଉଛି ତ କେଉଁଠି ସମାନ କୌଶଳରେ ମାମଲା ଗଡ଼େଇ ଦିଆଯାଉଛି, ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ମିଳୁନାହିଁ।
ନବୀନବାବୁଙ୍କ ଦୀର୍ଘ ଶାସନ କାଳରେ କାଶୀପୁରର ଇତିଶ୍ରୀ, ପିପିଲିର ବେବିନା, କୁନ୍ଦୁଲିର ପୀଡ଼ିତାଙ୍କ ପରି ଅନେକ ନାବାଳିକା ଓ ମହିଳା ଏହିପରି ଭାବେ ନ୍ୟାୟରୁ ବଂଚିତ ହୋଇଛନ୍ତି। ଅନେକ ପୀଡ଼ିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଅନେକ ଦୁଷ୍କର୍ମ ପୀଡ଼ିତା ମଧ୍ୟ ନ୍ୟାୟ ନପାଇ ଦୁଃଖ, ଅବସାଦ ଓ ଅପମାନରେ ଆତ୍ମହତ୍ୟା କରିଛନ୍ତି। ନବୀନ-ଶାସନର ପୋଥି ଘାଣ୍ଟିଲେ ଏଭଳି ଶହଶହ ଘଟଣା ନଜରକୁ ଆସେ। ଏହିସବୁ ଘଟଣାରେ ଯୋଡ଼ି ହୋଇଯାଇଛି ହରିଦାସପୁର ଓ ହିଞ୍ଜିଳିର ଦୁଇଟି ମହିଳା ବିରୋଧୀ ଅତ୍ୟାଚାର ଅଥବା ଦୁଷ୍କର୍ମର କଥା। ଦୁଇଟି ଯାକ ଘଟଣାରେ ପୁଲିସ ଓ ପ୍ରଶାସନ ତରଫରୁ ନିରପେକ୍ଷ ତଦନ୍ତ ହୋଇନଥିବା ନେଇ ବିପକ୍ଷ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ଏ ବିଷୟ ବିଧାନସଭାରେ ଉଠିଛି। ଅଥଚ, ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ବା ନିରପେକ୍ଷ ତଦନ୍ତର ପ୍ରତିଶ୍ରୁତି ଦେଇନାହାନ୍ତି ରାଜ୍ୟ ଗୃହମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଲଟି ସେ ବିଧାନସଭାରେ ପ୍ରବଚନ ଶୁଣାଇଛନ୍ତି- ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ରାଜନୀତି କରା ନଯାଉ।
ଏ ପ୍ରବଚନର ଅର୍ଥ କ’ଣ? ମୋ ଶାସନରେ ହେଉଥିବା ମହିଳା ବିରୋଧୀ ହିଂସା ପ୍ରତି ସମସ୍ତେ ଆଖିବୁଜି ଦିଅନ୍ତୁ? ସମସ୍ତେ ନୀରବ ରହନ୍ତୁ? ପୀଡ଼ିତା ନ୍ୟାୟ ନପାଉ ପଛେ, ପୁଲିସ ଅବହେଳାରୁ ଦୋଷୀ ଖସି ଯାଉ ପଛେ, ଦୋଷୀ ଖସିଗଲେ ପୀଡ଼ିତା ନ୍ୟାୟ ପାଇଛି ବୋଲି ମନ୍ତ୍ରୀ ଖୁସିରେ ଗଦଗଦ ହୋଇ ପ୍ରତିକ୍ରିୟା ଦିଅନ୍ତୁ ପଛେ, କେହି କିଛି କହିବେ ନାହିଁ, ସରକାରଙ୍କୁ ସମାଲୋଚନା କରିବେ ନାହିଁ! କାରଣ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳା ହିଂସା ବା ଦୁଷ୍କର୍ମ ପ୍ରସଙ୍ଗକୁ ନେଇ ରାଜନୀତି କରିବା ଠିକ ନୁହେଁ! କାରଣ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ତାଙ୍କର ଅଧିକାଂଶ ଭୋଟର ହେଲେ ମହିଳା। ମହିଳା ବିରୋଧୀ ହିଂସା ଓ ଅପରାଧ ବଢ଼ୁଛି, ତାହା ରୋକିବାରେ ସରକାର ବିଫଳ ହୋଇଛନ୍ତି, ବରଂ ମହିଳା ବିରୋଧୀ ଅପରାଧୀଙ୍କୁ ଶାସକ ଦଳ ପ୍ରଭାବରେ ସୁରକ୍ଷା ଦିଆଯାଉଛି ଆଦି ବିଷୟରେ ମହିଳାମାନେ ସଚେତନ ହେଲେ କାଳେ ତାଙ୍କର ଭୋଟବ୍ୟାଙ୍କ ଭୁଶୁଡ଼ି ପଡ଼ିବ-ଏଇ ଆଶଙ୍କାରେ ମୁଖ୍ୟମନ୍ତ୍ରୀ ଏପରି କହିନାହାନ୍ତି ତ?
ତା’ଛଡ଼ା ମହିଳା ବିରୋଧୀ ହିଂସା ବା ଦୁଷ୍କର୍ମ ଆଦି ଘଟଣାକୁ ନେଇ କାହିଁକି ରାଜନୀତି ନହେବ? ରାଜନୀତି ତ ରାଜ୍ୟ ଶାସନର ନୀତି। କେହି କେହି ଏହାକୁ ଶ୍ରେଷ୍ଠ ନୀତି ବୋଲି କହିଥାନ୍ତି। ରାଜ୍ୟ ଶାସନରେ କ’ଣ ମହିଳାଙ୍କ ଭାଗ ନାହିଁ ନା ସେମାନେ ରାଜ୍ୟ ଶାସନ ପାଇଁ ପ୍ରସଙ୍ଗ ନୁହନ୍ତି? ରାଜନୀତିକ ସଂସ୍ଥାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରି ଜଣେ ନାଁ ନେଇପାରିବେ ଅଥଚ ଅନ୍ୟ କେହି ମହିଳାଙ୍କ ପାଇଁ ଦରଦ ପ୍ରକାଶ କଲେ ତାହା ହୋଇଯିବ ହୀନ ରାଜନୀତି? ଏହା କିପରି କଥା? ବହୁ କବି, ସାହିତ୍ୟିକ ଓ ଦାର୍ଶନିକ କହିଯାଇଛନ୍ତି ଯେ ମହିଳାମାନେ ହେଲେ ପୁରୁଷର ଉତ୍ତମାର୍ଦ୍ଧ, ଇଂରାଜୀରେ ବେଟର ହାଫ୍। ଏହି ଉତ୍ତମାର୍ଦ୍ଧ ପାଇଁ ସ୍ୱର ଉତ୍ତୋଳନ କରିବା କେଉଁ ଶାସ୍ତ୍ର ଅନୁସାରେ ଭୁଲ? ମହିଳାଙ୍କୁ ଶ୍ରେଷ୍ଠ ବୋଲି କହିବୁଲିବା କିନ୍ତୁ ସେମାନଙ୍କର ଦୁଃଖ, ଦୈନ୍ୟ ଓ ନିର୍ଯାତନାକୁ ନେଇ ଆଲୋଚନା କରିବା ନାହିଁ? ଏହା କି ପ୍ରକାର ମହିଳା ପ୍ରୀତି?
ହଁ, ଏହା ସତ ଯେ ମହିଳାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ପରି ଅପରାଧ ସଂପର୍କରେ ଅଧିକ ଚର୍ଚ୍ଚା ସଂପୃକ୍ତ ମହିଳାଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ। ଓଡ଼ିଆରେ ଗୋଟେ କଥା ଅଛି ‘କଥା ମାଜିଲେ ମୋଟ, ସୁତା ମାଜିଲେ ସରୁ’। ତେବେ କଥା ମାଜିବାର ଆବଶ୍ୟକତା କାହିଁକି ପଡ଼ନ୍ତା ଯଦି ଓଡ଼ିଶା ଶାସନ ତୁରନ୍ତ ମହିଳାଙ୍କ ଅପରାଧୀଙ୍କୁ ଆଇନ ଅଦାଲତାରେ ଦଣ୍ଡ ଦେବାକୁ ତୁରନ୍ତ ପଦକ୍ଷେପ ନିଅନ୍ତେ? କଥା ମାଜିବାର ସୁଯୋଗ କିଏ କାହିଁକି ପାଆନ୍ତା ଯଦି ଓଡ଼ିଶା ଶାସନ ପୀଡ଼ିତାର ଅପରାଧୀଙ୍କୁ ଖୋଜି ବାହାର କରିବା ପରିବର୍ତ୍ତେ ତାଙ୍କର କାହା ସହିତ ପରକୀୟା ସଂପର୍କ ରହିଛି ସେ ବିଷୟରେ ପ୍ରଚାର ନକରନ୍ତେ? ମୁଖ୍ୟମନ୍ତ୍ରୀଙ୍କର ଯଦି ବୁଦ୍ଧି ଓ ଜ୍ଞାନ ଥିବ ତେବେ ସେ ବୁଝିଥିବେ ଯେ କେବଳ ମହିଳାଙ୍କ ଦୁଷ୍କର୍ମ ନେଇ ଆଲୋଚନା ହେଲେ ପୀଡ଼ିତାଙ୍କ ମାନସିକ ଯନ୍ତ୍ରଣା ବଢ଼େ ନାହିଁ। ବରଂ ତାଙ୍କ ଉପରେ ଏହି ଅତ୍ୟାଚାର କରିଥିବା ଦୋଷୀ ଦଣ୍ଡ ନପାଇଲେ ତାଙ୍କର ଯନ୍ତ୍ରଣା ଦ୍ୱିଗୁଣିତ ହୁଏ। କୌଣସି ମହିଳା ଚାହାନ୍ତି ନାହିଁ ଯେ ତାଙ୍କ ଉପରେ ଅତ୍ୟାଚାର କରିଥିବା, ତାଙ୍କର ଇଜ୍ଜତ ବଳପୂର୍ବକ ଲୁଟିଥିବା ଦୋଷୀମାନେ ସୁରକ୍ଷିତ ରହନ୍ତୁ। ମୁଖ୍ୟମନ୍ତ୍ରୀ ହଲପ କରି କହିପାରିବେ କି ତାଙ୍କ ଶାସନରେ କୌଣସି ଦୁଷ୍କର୍ମକାରୀ ଖସି ଯାଇନାହାନ୍ତି ବୋଲି?
କେବଳ ଦୁଷ୍କର୍ମର ଶିକାର ମହିଳା ନୁହେଁ, ଦାରିଦ୍ର୍ୟ କଷଣ ସହି ନପାରି କୌଣସି ମହିଳା ଯଦି ନିଜ ଜନ୍ମିତ ପିଲାକୁ ବିକିଦିଏ ସେନେଇ ଚର୍ଚ୍ଚା କଲେ କ’ଣ ତାହାର ପ୍ରଭାବ ତାଙ୍କ ମାନସିକ ସ୍ଥିତି ଉପରେ ପଡ଼େ ନାହିଁ? ତା’ ମାନେ କ’ଣ ବିପକ୍ଷ ଦଳ ବା ସାମାଜିକ କର୍ମୀମାନେ ପିଲାବିକ୍ରି ପ୍ରସଙ୍ଗରେ ନିରବ ରହିବେ? ସ୍ୱାମୀ ଓ ପରିଜନମାନଙ୍କର ନିର୍ଯାତନା ଏବଂ ଦାରିଦ୍ର୍ୟ କାରଣରୁ ଯଦି କୌଣସି ମହିଳା ମାନସିକ ଭାରସାମ୍ୟ ହରେଇ ଜନ୍ମିତ ପିଲାଙ୍କୁ ଧରି ନଈକୁ ଡିଅନ୍ତି ବା ଟ୍ରେନ୍ ଲାଇନ୍ରେ ଆତ୍ମହତ୍ୟା କରନ୍ତି ସେ ପ୍ରସଙ୍ଗରେ ଆଲୋଚନା କଲେ କ’ଣ ତାଙ୍କର ଅନ୍ୟ ମହିଳା ସଂପର୍କୀୟମାନଙ୍କ ଉପରେ ମାନସିକ ପ୍ରଭାବ ପଡ଼େ ନାହିଁ? ଏପରି ପ୍ରଭାବରୁ କ’ଣ ତାଙ୍କର ପୁରୁଷ ସଂପର୍କୀୟମାନେ ମଧ୍ୟ ମୁକ୍ତ? ତେବେ, ସେ ବିଷୟରେ ବି ଆଲୋଚନା ହେବ ନାହିଁ? ରାଜନେତାମାନେ କ’ଣ ଖାଲି ପୁରୁଷର ଦୁଃଖ, ଦୈନ୍ୟ ଓ ନିର୍ଯାତନା ସଂପର୍କରେ ତମ୍ବିତୋଫାନ କରିବେ, ମହିଳାମାନଙ୍କର ଯନ୍ତ୍ରଣା କଥା ଭୁଲିଯିବେ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।