ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସୁରତ ଓ ମୁମ୍ବାଇର ସୂତାକଳରେ ଦିନେ ଶ୍ରମିକ ଥିଲେ। ହେଲେ ଏବେ ମାଲିକ। ନିଜ ଗାଁରେ ସୂତାକଳ ପକାଇ ଅନେକ ଶ୍ରମିକଙ୍କୁ ଦେଲେଣି ରୋଜଗାର। ଗଂଜାମ ଜିଲା ବ୍ରହ୍ମପୁର ଅନ୍ତର୍ଗତ ବାଳକୃଷ୍ଣପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଜଣେ ସଫଳ ବ୍ୟକ୍ତିତ୍ୱଙ୍କୁ। ତାଙ୍କ ନାଁ ଶିଶିର ଗୌଡ। ୧୯୮୯ ମସିହାରେ ସୁରତ ଚାଲି ଯାଇଥିଲେ। ସୂତାକଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ହେଲେ ସୀମିତ ରୋଜଗାରରେ ଚଳିବା ଅସମ୍ଭବ ଥିଲା। ତେଣୁ ସେଠାରୁ ପୁଣି ମୁମ୍ବାଇ ଚାଲି ଯାଇଥିଲେ। ହେଲେ କରୋନା ମହାମାରି ସମସ୍ତ ଶ୍ରମିକଙ୍କ ଭଳି ତାଙ୍କ ଚାକିରି ବି ଛଡ଼ାଇ ନେଲା।
ତେଣୁ ସେ ଗାଁକୁ ଚାଲି ଆସିଥିଲେ। ହେଲେ ବଞ୍ଚିବା ନିମନ୍ତେ କିଛି ଗୋଟାଏ କାମ କରିବାକୁ ଚିନ୍ତା କରୁଥିବା ବେଳେ ସମ୍ପର୍କିୟ ଜ୍ୱାଇଁ ଓ ତାଙ୍କ ବଡ଼ ଭାଇଙ୍କ ସହଯୋଗ ମିଳିଲା। ସୂତା ତିଆରି, କପଡା ଓ ଡ୍ରେସ୍ ପ୍ରସ୍ତୁତି ଜାଣିଥିବାରୁ ଏହାର ବିନିଯୋଗ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ। ସମସ୍ତଙ୍କ ନିଷ୍ପତ୍ତି କ୍ରମେ କମ୍ପାନୀ ନାମ ପଞ୍ଜୀକରଣ କରିବା ସହ ବ୍ୟାଙ୍କ ଋଣ ନେଇ ମେସିନ୍ ପକାଇଥିଲେ। ଏବେ ତାଙ୍କ ପଖରେ ବହୁତ ଅର୍ଡର। ସୁଦୂର ବମ୍ବେ ଓ କାନପୁରର ବ୍ୟବସାୟୀମାନଙ୍କୁ କପଡ଼ା ଓ ଡ୍ରେସ୍ ପଠାଇବା ଆରମ୍ଭ ହୋଇସାରିଲାନି। କମ୍ପାନୀର ବାର୍ଷିକ ଆୟବେୟ ଦେଢ଼ କୋଟିରେ ପହଞ୍ଚି ଗଲାଣି।
ଶିଶିର କହିଛନ୍ତି, କରୋନା କାଳରେ ଯେତେବେଳେ କିଛି ଦେଖାଯାଉ ନ ଥିଲା। ସେତେବେଳେ ତାଙ୍କୁ ସୂତାକଳ ପ୍ରତିଷ୍ଠା କରିବାକୁ ଏକ ରାସ୍ତା ଦେଖାଯାଇଥିଲା। ୨୦୨୦ ମାର୍ଚ୍ଚରେ ଘରକୁ ଫେରିବା ପରେ ପ୍ରାୟ ୨ ବର୍ଷ ସଂଘର୍ଷ କରି କମ୍ପାନୀକୁ ଏକ ଭଲ ସ୍ଥିତିରେ ପହଞ୍ଚାଇ ପାରିଛନ୍ତି। ଅନେକ କମ୍ପାନୀ ଚାଲିବନି ବୋଲି କହିଥିଲେ। ଅନେକ ଚାଲିବ ବୋଲି କହି ଉତ୍ସାହିତ ମଧ୍ୟ କରିଥିଲେ। ଖୁବ୍ ଜଟିଳ ପରିସ୍ଥିତି ଦେଇ କାମ କରିବାକୁ ପଡ଼ିଛି। ଗୁଜୁରାଟ, ସୁରତ, ଚେନ୍ନାଇ, ବେଙ୍ଗାଲୁରୁ ଯାଇ କାମ କରୁଥିବା ଯୁବକମାନେ ଏଠାରେ କାମ ପାଇଛନ୍ତି। ଏବେ ପ୍ରାୟ ୧୬ ଜଣ କାମ କରୁଛନ୍ତି।
ଯଦି ଯୋଜନା ମୁତାବକ ସାହାଯ୍ୟ ସହଯୋଗ ମିଳେ ତେବେ ଅଧିକ ମେସିନ୍ ବସିବ ଓ ୫୦ରୁ ଅଧିକ ଶ୍ରମିକଙ୍କୁ ନିଯୁକ୍ତି ମିଳିବ। ବାହାର ରାଜ୍ୟରୁ ମଧ୍ୟ ଲୋକମାନେ କାମ ନିମନ୍ତେ ଯୋଗାଯୋଗ କରୁଛନ୍ତି। ତେବେ କମ୍ପାନୀ ପ୍ରତିଷ୍ଠାରେ ସରକାର କୌଣସି ସହଯୋଗ ଦେଇନାହାନ୍ତି। ଗୁଜୁରାଟରେ ସରକାର ସୂତାକଳ ପ୍ରତିଷ୍ଠା ନିମନ୍ତେ ବିଭିନ୍ନ ଉପକରଣରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ସବ୍ସିଡି ଦେଉଥିବା ବେଳେ ଓଡ଼ିଶାରେ ଶୂନ। ଓଡ଼ିଶା ସରକାର ଯଦି ୩୦ ପ୍ରତିଶତ ବି ସବ୍ସିଡି ଦିଅନ୍ତେ ତେବେ ଏଠାରେ ଏଭଳି କମ୍ପାନୀର ବୃଦ୍ଧି ହୋଇପାରନ୍ତା। ଏହା ସହ ସିଙ୍ଗଲ ୱିଣ୍ଡୋ ସୁବିଧା କରାଗଲେ କମ୍ପାନୀ ପ୍ରତିଷ୍ଠା ବୃଦ୍ଧି ପାଇବା ସହ ନିଯୁକ୍ତି ବଢ଼ିପାରନ୍ତା। ସେ ସୁରତ, ମୁମ୍ବାଇ, ଚେନ୍ନାଇରୁ ଏବେ ସୂତା ଆଣି ଏଠାରେ ବିଭିନ୍ନ ପ୍ରକାର କପଡା ପ୍ରସ୍ତୁତ କରୁଛନ୍ତି।
[caption id="attachment_790450" align="aligncenter" width="650"] ସୂତାମିଲ୍ରେ କାମ କରୁଛନ୍ତି ଶ୍ରମିକମାନେ।[/caption]
ସଂପର୍କୀୟ ତଥା କମ୍ପାନୀର ସହ ପାର୍ଟନର ଗୋବିନ୍ଦ ଚନ୍ଦ୍ର ଘଡାଇ କହିଛନ୍ତି, ସେ ଜୀବିକା ପ୍ରୋତ୍ସାହନ ଅନୁଷ୍ଠାନ ବେସିକ୍ସରେ କାମ କରୁଥିଲେ। କାମ ଥିଲା ଗାଁ ଗହଳିର ଲୋକଙ୍କୁ ତାଲିମ ଦେଇ ରୋଜଗାରକ୍ଷମ କରିବା। କରୋନା ବ୍ୟାପୀବା ସମୟରେ ତାଙ୍କୁ ହଠାତ୍ ଘର ଠାରୁ ବହୁ ଦୂରକୁ ବଦଳି କରିଦିଆଗଲା। ଘର ଲୋକେ ନଯିବା ପାଇଁ କହିବାରୁ ଚାକିରି ଛାଡ଼ିବାକୁ ପଡ଼ିଲା। ଠିକ୍ ଏତିକି ବେଳେ ମାମୁଁ ଶ୍ୱଶୁର ଶିଶିର ଗୌଡ଼ ତାଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ ହୋଇଥିଲା। ପରେ ସେମାନେ ମିଶି ବହୁ କଷ୍ଟରେ କମ୍ପାନୀ ପ୍ରତିଷ୍ଠା କରିଥିଲେ। ମୁମ୍ବାଇରୁ ମେସିନ୍ ଆଣିବା ଓ ବ୍ୟାଙ୍କରୁ ଫାଇନାନ୍ସ ଆଣିବାକୁ ବହୁ ସମୟ ଲାଗି ଯାଇଥିଲା। ହେଲେ ଶେଷରେ ପରିଶ୍ରମ ସଫଳ ହୋଇଛି। ରାଜ୍ୟ ବାହାରେ କାମ କରୁଥିବା କିଛି ଶ୍ରମିକ ନିଜ ଅଞ୍ଚଳରେ କାମ ପାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।