Advertisment

ମହିଳାମାନଙ୍କୁ ରୋଜଗାର ଦେଲା ନଡ଼ିଆ ତେଲ

ଜଳେଶ୍ୱର (ଅଜିତ୍ କୁମାର ଦାସ): ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ନଡ଼ିଆ ତେଲ। ଦେଶୀ ବା ପାରମ୍ପରିକ ଉପାୟରେ ନଡ଼ିଆ ତେଲ ପ୍ରସ୍ତୁତ କରି ବିକ୍ରିବଟା କରି ସେମାନେ ହୋଇଛନ୍ତି ରୋଜଗାରକ୍ଷମ। ଫଳରେ ସେମାନଙ୍କ ମୁହଁରେ ଫୁଟିଛି ହସ। ଏହି ସଫଳତାର କାହାଣୀ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ନଷ୍କରପୁର ଗ୍ରାମର ଶିବଶଙ୍କର ଉତ୍ପାଦକ ଗୋଷ୍ଠୀର ସଦସ୍ୟାଙ୍କର। ୨୦୨୧ ଏପ୍ରିଲରେ ୩୦ ଜଣ ମହିଳାଙ୍କୁ ନେଇ ଏହି ସ୍ୱୟଂସହାୟକ ଗୋଷ୍ଠୀ ଆରମ୍ଭ ହୋଇଥିଲା। ଏବେ […]

author-image
Niranjan Mishra
ଅଦ୍ୟତନ ହୋଇଛି
ମହିଳାମାନଙ୍କୁ ରୋଜଗାର ଦେଲା ନଡ଼ିଆ ତେଲ

Coca

ଜଳେଶ୍ୱର (ଅଜିତ୍ କୁମାର ଦାସ): ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ନଡ଼ିଆ ତେଲ। ଦେଶୀ ବା ପାରମ୍ପରିକ ଉପାୟରେ ନଡ଼ିଆ ତେଲ ପ୍ରସ୍ତୁତ କରି ବିକ୍ରିବଟା କରି ସେମାନେ ହୋଇଛନ୍ତି ରୋଜଗାରକ୍ଷମ। ଫଳରେ ସେମାନଙ୍କ ମୁହଁରେ ଫୁଟିଛି ହସ। ଏହି ସଫଳତାର କାହାଣୀ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ନଷ୍କରପୁର ଗ୍ରାମର ଶିବଶଙ୍କର ଉତ୍ପାଦକ ଗୋଷ୍ଠୀର ସଦସ୍ୟାଙ୍କର।

Advertisment

୨୦୨୧ ଏପ୍ରିଲରେ ୩୦ ଜଣ ମହିଳାଙ୍କୁ ନେଇ ଏହି ସ୍ୱୟଂସହାୟକ ଗୋଷ୍ଠୀ ଆରମ୍ଭ ହୋଇଥିଲା। ଏବେ ସଦସ୍ୟ ସଂଖ୍ୟା ବଢ଼ିଛି। ୩୫ ଜଣ ମହିଳା ଏକାଠି ହୋଇ ପାରମ୍ପରିକ ଉପାୟରେ ନଡ଼ିଆ ତେଲ ପ୍ରସ୍ତୁତ କରିବା କାମ ହାତକୁ ନେଇଛନ୍ତି। ଭୋଗରାଇ ଅଞ୍ଚଳରେ ପ୍ରଚୁର ପରିମାଣର ନଡ଼ିଆ ଉତ୍ପାଦନ ହେଉଥିବାରୁ ଏହି ମହିଳାମାନେ ସେଠାରୁ ଭଲ ନଡ଼ିଆ ସଂଗ୍ରହ କରି ପାରମ୍ପରିକ ପଦ୍ଧତିରେ ତେଲ ପ୍ରସ୍ତୁତ କରିବାକୁ ଆଗଭର ହୋଇଥିଲେ। ଏବେ ସେମାନେ ଗାଁ ଆଖପାଖରୁ ବି ନଡ଼ିଆ ସଂଗ୍ରହ କରୁଛନ୍ତି। ଦୈନିକ ସେମାନେ ୫୦ଟି ନଡ଼ିଆରୁ ପାରମ୍ପରିକ ଢଙ୍ଗରେ ତେଲ ପ୍ରସ୍ତୁତ କରୁଛନ୍ତି। ୫୦ଟି ନଡ଼ିଆରୁ ପ୍ରାୟ ଅଢ଼େଇ ଲିଟର ତେଲ ବାହାରୁଛି। ଲିଟର ପିଛା ଏହାକୁ ୪୫୦ ଟଙ୍କାରୁ ୫୦୦ ଟଙ୍କା ଭିତରେ ବିକ୍ରି କରାଯାଉଛି। ନଡ଼ିଆର ଦାମ୍‌ ଲାଭ ଓ କ୍ଷତି ନିର୍ଣ୍ଣୟ କରିଥାଏ।

ଏହି ସ୍ୱୟଂସହାୟକ ଗୋଷ୍ଠୀର ସଭାପତି ଅନିତା ରାଣୀ ପାଳ କହିଛନ୍ତି, ଏବେ ନଡ଼ିଆ ଦାମ୍ ଅଧିକ ଥିବାରୁ ବିଶେଷ ଲାଭ ମିଳୁନି। ଏହାଛଡ଼ା ସଦସ୍ୟାଙ୍କ ପାଖରେ ଥିବା ସୀମିତ ସମ୍ବଳକୁ ବ୍ୟବହାର କରି ସୀମିତ ସଂଖ୍ୟକ ନଡ଼ିଆ କିଣାଯାଇପାରୁଛି। ଏବେ ସ୍ଥାନୀୟ ଅଞ୍ଚଳରେ ଭଲମାନର ନଡ଼ିଆର ଦାମ୍ ଗୋଟାକୁ ୨୦ ଟଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖିଲେ ନଡ଼ିଆ ତେଲ ଦର ଲିଟର ପିଛା ୬୦୦ ଟଙ୍କାରେ ବିକ୍ରି କଲେ ହିଁ ଲାଭ ମିଳିପାରିବ।

Advertisment

[caption id="attachment_790949" align="aligncenter" width="650"]publive-image ନଡ଼ିଆ ତେଲ ପ୍ରସ୍ତୁତ କରିଥିବା ମହିଳାମାନେ।[/caption]

ସମ୍ପାଦିକା ସୋମା ଗିରି କହିଛନ୍ତି, ନଡ଼ିଆ ମିଳିବା ପରେ ଗୋଷ୍ଠୀ ପକ୍ଷରୁ କରାଯାଇଥିବା ଶିବିରରେ କିଏ ନଡ଼ିଆ କତା ଛଡ଼ାଇବାରେ ଲାଗିପଡ଼େ ତ କିଏ ନଡ଼ିଆ କୋରିବାରେ ଲାଗିପଡ଼େ। କାଠ ଚୁଲିରେ କରେଇ ବସାଇ ପାରମ୍ପରିକ ପଦ୍ଧତିରେ ତେଲ ପ୍ରସ୍ତୁତ କରିବାକୁ ସମସ୍ତେ ଦାୟିତ୍ୱ ଭାଗ କରି ଲାଗି ପଡ଼ନ୍ତି। ଏହି ତେଲ ପ୍ରସ୍ତୁତି ବେଳେ କୌଣସି କେମିକାଲ ମିଶା ଯାଏନି। ଦେଶୀ ନଡ଼ିଆ ତେଲ ଖାଇବା ଓ ଲଗାଇବାରେ ବ୍ୟବହାର କରାଯାଇପାରିବ। ଏହା ସ୍ୱାସ୍ଥ୍ୟ ବର୍ଦ୍ଧକ ଓ ସୁଗନ୍ଧରେ ଭରପୂର। ଏହି ତେଲ ବ୍ୟବହାର କଲେ କେଶ ଝଡ଼ିବା ବନ୍ଦ ହୁଏ। ବର୍ଷାଧିକ ସମୟ ରହିଲେ ମଧ୍ୟ ଏହାର ଗୁଣବତ୍ତାରେ କୌଣସି ପ୍ରଭାବ ପଡ଼େନି।

ଶିବଶଙ୍କର ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନେ ସେମାନଙ୍କର ଏହି ନଡ଼ିଆ ତେଲ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି। କିନ୍ତୁ ଏଥି ନିମନ୍ତେ ସେମାନଙ୍କ ପାଖରେ ଆବଶ୍ୟକ ସମ୍ବଳ ନାହିଁ। ପ୍ରଥମ କଥା ହେଉଛି ଏହି ଗୋଷ୍ଠୀ ପାଖରେ ଏକ ସ୍ଥାୟୀ ଘର ନାହିଁ। ତେଣୁ ବର୍ଷା ଦିନେ ତେଲ ପ୍ରସ୍ତୁତ କରିବାରେ ସେମାନଙ୍କୁ ସମସ୍ୟା ହେଉଛି। ସେହିପରି ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି ବିକ୍ରିବଟା। ସେମାନେ ବାହାରକୁ ତେଲ ବିକ୍ରି ପାଇଁ ପଠାଇବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେମାନେ ଗାଁରେ ଲୋକଙ୍କୁ ନଡ଼ିଆ ତେଲ ବିକ୍ରି କରିବା ସହିତ ଆଖପାଖରେ ଅନୁଷ୍ଠିତ ହେଉଥିବା ମେଳା ମହୋତ୍ସବ ଆଦିରେ ଯାଇ ବିକ୍ରି କରନ୍ତି।

[caption id="attachment_790948" align="aligncenter" width="650"]publive-image ନଡ଼ିଆ ତେଲ ପ୍ରସ୍ତୁତ କରୁଛନ୍ତି ମହିଳାମାନେ।[/caption]

ଏହି ଗୋଷ୍ଠୀର ସଦସ୍ୟାମାନେ କହିଛନ୍ତି ଯେ ସରକାରୀ ସ୍ତରରେ ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଯିବା ସହିତ ଆର୍ଥିକ ସହାୟତା ଓ ତେଲ ବିକ୍ରି ନିମନ୍ତେ ବଜାର ସୁବିଧା ଯୋଗାଇ ଦିଆଗଲେ ସେମାନେ ଆହୁରି ଆଗକୁ ଯାଇପାରନ୍ତେ।

କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ ହୋଇଥାଏ। ଏହି ଇଚ୍ଛା ଶକ୍ତିକୁ ପାଥେୟକରି ଶିବଶଙ୍କର ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନେ ଆଗକୁ ବଢୁଛନ୍ତି ଓ ଅନ୍ୟମାନଙ୍କ ନିମନ୍ତେ ପ୍ରେରଣା ସାଜିଛନ୍ତି। ନଡ଼ିଆ ତେଲ ପ୍ରସ୍ତୁତି ନିମନ୍ତେ ସରକାରୀ ବା ବେସରକାରୀ ସ୍ତରରେ କୌଣସି ତାଲିମ ନ ନେଇ ସୁଦ୍ଧା ନିଜସ୍ୱ ଉଦ୍ୟମରେ ଏହି ମହିଳାମାନେ ଏପରି ଏକ ବ୍ୟବସାୟ ଚଲାଇଥିବାରୁ ସେମାନଙ୍କୁ ବେଶ୍ ପ୍ରଶଂସା କରାଯାଉଛି।